ଜଂଗଲ ବିଭାଗ ଓ ଉପଖଣ୍ଡ ପ୍ରଶାସନ ମଧ୍ୟରେ ଚୋର ପୁଲିସ ଖେଳ

ପାଟଣାଗଡ଼, (ନିପ୍ର) : ସ୍ଥାନୀୟ ଜଂଗଲ ବିଭାଗ ଓ ଉପଖଣ୍ଡ ପ୍ରଶାସନ ମଧ୍ୟରେଚୋର ପୁଲିସ ଖେଳ ଦେଖିବାକୁ ମିଳିଛି । ଜଂଗଲ ବିଭାଗ ମୋରୁମ୍ ଚୋରା ଚାଲାଣ କରୁଥିବା ବେଳେ ଉପଖଣ୍ଡ ପ୍ରଶାସନ ଓ ପୁଲିସ ଟିମ୍ ଘଟଣାସ୍ଥଳକୁ ପହଂଚି ବ୍ୟବହୃତ ଗୋଟିଏ ଜେସିବି ଓ ୪ଟି ଟ୍ରାକ୍ଟର ଜବତ୍ କରିଛି । ତେବେ ମନରେଗା ଯୋଜନାରେ ଉକ୍ତ କାମ ହେଉଥିବା ବେଳେ ସଂପୂର୍ଣ୍ଣ ବେଆଇନ ଭାବେ ଜେସିବି ଓ ଟ୍ରାକ୍ଟର ଲଗାଯାଇ ମୋରୁମ୍ର ଚୋରା ଚାଲାଣ କରାଯାଉଥିଲା । ଆହୁରି ଏହି ଯୋଜନାରେ ସ୍ଥାନୀୟ ଶ୍ରମିକଙ୍କୁ କର୍ମ ନିଯୁକ୍ତି ଦେବା ଆଇନ ରହିଥିବା ସତ୍ୱେ ଟ୍ରାକ୍ଟର ଓ ଜେସିବି ଲଗାଯାଇ କାମ କରାଯାଉଥିବା ଅଭିଯୋଗ ହୋଇଛି । ଉତ୍ତରରେ ଉପଖଣ୍ଡ ବନ ଅଧିକାରୀ ବର୍ତ୍ତମାନ କରୋନା ସମୟରେ ଶ୍ରମିକ ଅଭାବ ଯୋଗୁଁ ମେସିନ ବ୍ୟବହାର କରି ମନରେଗା କାମ କରାଯାଉଥିବା କହିଛନ୍ତି । ଏହି କାମ ସରକାରୀ ହୋଇଥିବା ବେଳେ ମୋରୁମ୍ର ରାଜସ୍ୱ ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପାଟଣାଗଡ଼ ବନବିଭାଗ ପକ୍ଷରୁ ପିପଲ୍ଡାବର୍ ଗ୍ରାମଠାରୁ ଗଏଲ୍ମରା ଗ୍ରାମ ପର୍ଯ୍ୟନ୍ତ ମନରେଗା ଯୋଜନା ଅଧୀନରେ ୪ ଲକ୍ଷ ୪୪ ହଜାର ୨୮୨ ଟଙ୍କା ବ୍ୟୟ ବରାଦରେ ୬ କିଲୋମିଟର ରାସ୍ତା କାମ ଚାଲିଛି । ଏହି କାମ ପାଇଁ ପିପଲ୍ଡାବର୍ ଗ୍ରାମରେ ଥିବା ଜଂଗଲ ଜମିରୁ ବେଆଇନ ଭାବେ ଜେସିବି ଲଗାଇ ଟ୍ରାକ୍ଟରେ ମୋରୁମ୍ ଚାଲାଣ ହେଉଥିଲା । ଏହି ସମୟରେ ପ୍ରଶାସନ ଖବର ପାଇ ଘଟଣାସ୍ଥଳରେ ପହଂଚି ମାଜିଷ୍ଟେ୍ରଟ୍ ଦାୟିତ୍ୱରେ ଥିବା କ୍ଷୀରୋଦ ଚନ୍ଦ୍ର ସାହୁ ବ୍ୟବହୃତ ଜେସିବି ଓ ଟ୍ରାକ୍ଟରଗୁଡ଼ିକୁ ଜବତ୍ କରିବା ସହ ପାଟଣାଗଡ଼ ଥାନାକୁ ଖବର ଦେଇଥିଲେ । ତୁରନ୍ତ ପାଟଣାଗଡ଼ ପୁଲିସ ଘଟଣାସ୍ଥଳରେ ପହଂଚି ଜବତ୍ ହୋଇଥିବା ଗାଡ଼ିଗୁଡ଼ିକୁ ଥାନାକୁ ଆଣିଥିଲେ । ପାଟଣାଗଡ଼ ଫରେଷ୍ଟର ରଂଜିତ ସିଂବାବୁ ଏହି କାମର ତଦାରଖ ଦାୟିତ୍ୱରେ ଥିଲେ । ରେଂଜର ବାସୁଦେବ ନାଥଙ୍କୁ ଏ ବିଷୟରେ ପଚରାଯିବାରୁ ଏହା ସରକାରୀ କାମ ହୋଇଥିବା ବେଳେ ଏଥିରେ ପ୍ରଶାସନର କୌଣସି ଅନୁମତିର ଆବଶ୍ୟକତା ନାହିଁ ଓ ଏହି କରୋନା ସମୟରେ ଶ୍ରମିକ ମିଳୁ ନଥିବା ବେଳେ ମେସିନ୍ ସାହାଯ୍ୟରେ ଶୀଘ୍ର କାମ ସମାପନ ଉଦେ୍ଧଶ୍ୟରେ ଫରେଷ୍ଟର ଏଭଳି ପଦକ୍ଷେପ ନେଇଥିବେ ବୋଲି କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ ସଂକ୍ରମଣ ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜର ରୋଜଗାର ହରାଇ ରାଜ୍ୟକୁ ଫେରିଛନ୍ତି । ରାଜ୍ୟ ସରକାର ମଧ୍ୟ ସେମାନଙ୍କୁ ଭରଣ ପୋଷଣ ଯୋଗାଇବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏହି ସମୟରେ ସମସ୍ତ ପ୍ରବାସୀ ଶ୍ରମିକମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବା ବ୍ୟବସ୍ଥା ରହିଥିବା ବେଳେ ମେସିନ୍ ଲଗାଇ ବେଆଇନ ଭାବେ ମନରେଗା କାମ କରାଯିବା କେତେଦୂର ଗ୍ରହଣୀୟ, ତାହା ରାଜ୍ୟ ସରକାର ଖୋଦ୍ ଚିନ୍ତା କରିବେ । ତେବେ ପାଟଣାଗଡ଼ ଭଳି ଏକ ଦାଦନ ପ୍ରବଣ ଅଂଚଳରେ ଏହି ଘଟଣା ସରକାରୀ ବ୍ୟବସ୍ଥା ଓ ଶ୍ରମିକଙ୍କ ଅବସ୍ଥାକୁ ଲୋକଲୋଚନକୁ ଆଣିଛି । କରୋନା ସମୟରେ କାମ ମିଳୁ ନଥିବାରୁ ବର୍ତ୍ତମାନ ଶ୍ରମିକ ଜଗତରେ ହାହାକାର ସୃଷ୍ଟି ହେଉଥିବା ସମୟରେ ଜଂଗଲ ବିଭାଗର ଏଭଳି ଜଂଗଲୀ ନୀତିକୁ ସାଧାରଣରେ ନିନ୍ଦା କରାଯାଇଛି ।

Leave A Reply

Your email address will not be published.