ପ୍ରତିରକ୍ଷା ମନ୍ତ୍ରଣାଳୟ ଡିଆରଡିଓ ଦ୍ୱାରା ସ୍ୱଦେଶୀ କୌଶଳରେ ବିକଶିତ ନୂତନ ପୀଢି କ୍ଷେପଣାସ୍ତ୍ର “ପ୍ରଳୟ”ର ପ୍ରଥମ ଉତ୍‌କ୍ଷେପଣ

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ଡିସେମ୍ବର ୨୨, ୨୦୨୧ରେ ଓଡ଼ିଶା ଉପକୂଳବର୍ତ୍ତୀ ଡକ୍ଟର ଏପିଜେ ଅବ୍‌ଦୁଲ କଲାମ ଦ୍ୱୀପରୁ ସ୍ୱଦେଶୀ କୌଶଳରେ ବିକଶିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ର ‘ପ୍ରଳୟ’ର ପ୍ରଥମ ଉଡାଣ ପରୀକ୍ଷଣ ସଫଳତାର ସହ କରିଥିଲା । ଏହି ମିଶନ ଏହାର ସମସ୍ତ ଉଦ୍ଦେଶ୍ୟ ପୂରଣ କରିଛି । ନୂତନ କ୍ଷେପଣାସ୍ତ୍ର କ୍ୱାସି ବାଲିଷ୍ଟିକ୍ ପ୍ରକ୍ଷେପଣକୁ ଅନୁସରଣ କଲା ଏବଂ ନିୟନ୍ତ୍ରଣ, ମାର୍ଗଦର୍ଶନ ଏବଂ ମିଶନ୍ ଆଲଗୋରିଦମ ସହିତ ନିର୍ଭୁଲ ଭାବେ ର୍ନିଦ୍ଧାରିତ ଲକ୍ଷ୍ୟ ସ୍ଥଳ ଭେଦକଲା । ସମସ୍ତ ଉପପ୍ରଣାଳୀ ସନ୍ତୋଷଜନକ ଭାବରେ କାର୍ଯ୍ୟ କଲା । ଡାଉନ୍ ରେଞ୍ଜ୍ ଜାହାଜ ସମେତ ପୂର୍ବ ଉପକୂଳର ପ୍ରଭାବ ବିନ୍ଦୁ ନିକଟରେ ନିୟୋଜିତ ସମସ୍ତ ସେନ୍ସର, ମିସାଇଲ୍ ଉତ୍‌କ୍ଷେପଣକୁ ଟ୍ରାକ୍ କରି ସମସ୍ତ ଘଟଣାକୁ ଧରି ରଖଥିଲା । ଏହି ମିସାଇଲ୍ କଠିନ ପ୍ରୋପେଲାଣ୍ଟ ରକେଟ୍ ମୋଟର ଏବଂ ଅନେକ ନୂତନ ଜ୍ଞାନକୌଶଳ ସହିତ ଚାଳିତ । ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ସୀମା ୧୫୦-୫୦୦ କିଲୋମିଟର ଅଟେ ଏବଂ ଏହା ଏକ ଭ୍ରାମ୍ୟମାଣ ଲଞ୍ଚରରୁ ଉତ୍‌କ୍ଷେପଣ କରାଯାଇପାରିବ । ମିସାଇଲ୍ ନିୟନ୍ତ୍ରଣ ବ୍ୟବସ୍ଥାରେ ଅତ୍ୟାଧୁନିକ ନାଭିଗେସନ୍ ସିଷ୍ଟମ୍ ଏବଂ ଇଣ୍ଟିଗ୍ରେଟେଡ୍ ଆଭିଏନିକ୍ସ ଅନ୍ତର୍ଭୁକ୍ତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପ୍ରଥମ ଉଡ଼ାଣ ପରୀକ୍ଷା ପାଇଁ ଡିଆରଡିଓ ଏବଂ ସହଯୋଗୀ ଦଳମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଦ୍ରୁତ ବିକାଶ ଏବଂ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଆଧୁନିକ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ ପାଇଁ ସେ ଡିଆରଡିଓକୁ ପ୍ରଶଂସା କରିଥିଲେ । ପ୍ରତିରକ୍ଷା ବିଭାଗର ଆର୍‌ ଆଣ୍ଡ ଡି ସଚିବ ଏବଂ ଡିଆର୍‌ଡିଓର ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ ଏହି ଦଳକୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ, ଏହା ହେଉଛି ଏକ ନୂତନ ପୀଢିର ଭୂପୃଷ୍ଟରୁ ଭୂପୃଷ୍ଟକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର ଯାହାକି ଆଧୁନିକ ଜ୍ଞାନକୌଶଳରେ ସଜ୍ଜିତ ହୋଇଛି ଏବଂ ଏହି ଅସ୍ତ୍ରଶସ୍ତ୍ର ପ୍ରଣାଳୀ ସଶସ୍ତ୍ର ବାହିନୀକୁ ଆବଶ୍ୟକ ପ୍ରେରଣା ଯୋଗାଇବ ।

Leave A Reply

Your email address will not be published.