jayashree

ଇଟାନଗର ଠାରେ ଡୋନି ପୋଲୋ ବିମାନବନ୍ଦରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

• ଏହା ହେଉଛି ଅରୁଣାଚଳ ପ୍ରଦେଶର ପ୍ରଥମ ଗ୍ରୀନଫିଲ୍ଡ ବିମାନବନ୍ଦର
• ୬୦୦ ମେଗାୱାଟ କ୍ଷମତାସମ୍ପନ୍ନ କାମେଙ୍ଗ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ଦେଶକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
• ‘‘ଡୋନି ପୋଲୋ ବିମାନବନ୍ଦର ସେହି ସମାଲୋଚକମାନଙ୍କ ପାଇଁ ଏକ ଜବାବ, ଯେଉଁମାନେ ବିମାନବନ୍ଦର ଭିତ୍ତିଭୂମି ନିର୍ମାଣକୁ ନିର୍ବାଚନୀ ନାଟକ ବୋଲି କହୁଥିଲେ’’
• ‘‘ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକୁ ଦେଶର ପ୍ରଥମ ଗ୍ରାମ ଭାବରେ ବିଚାର କରି ଆମ ସରକାର କାର୍ଯ୍ୟ କରିଛନ୍ତି’’
• ‘‘ପର୍ଯ୍ୟଟନ କିମ୍ବା ବାଣିଜ୍ୟ, ଟେଲିକମ୍ କିମ୍ବା ବସ୍ତ୍ର, ଉତ୍ତର ପୂର୍ବକୁ ପ୍ରାଥମିକତା ପ୍ରଦାନ କରାଯାଉଛି’’
• ‘‘ଆଶା ଏବଂ ଆକାଂକ୍ଷାର ଏହା ଏକ ନୂତନ ଯୁଗ ଏବଂ ଆଜିର କାର୍ଯ୍ୟକ୍ରମ ହେଉଛି ଭାରତର ନୂତନ ଆଭିମୁଖ୍ୟର ଏକ ଉତ୍କୃଷ୍ଟ ଉଦାହରଣ ”
• ‘‘ଗତ ଆଠ ବର୍ଷ ମଧ୍ୟରେ ଉତ୍ତର-ପୂର୍ବରେ ୭ଟି ବିମାନବନ୍ଦର ନିର୍ମାଣ କରାଯାଇଛି”
• ‘‘ଡୋନି ପୋଲୋ ବିମାନବନ୍ଦର ଅରୁଣାଚଳ ପ୍ରଦେଶର ଇତିହାସ ଓ ସଂସ୍କୃତିର ସାକ୍ଷୀ ପାଲଟିଛି”
• ‘‘ବର୍ତ୍ତମାନ ଆପଣ ଅନ୍ୟ ଫସଲ ପରି ବାଉଁଶ ଚାଷ, ଅମଳ ଏବଂ ବିକ୍ରୟ କରିପାରିବେ”
• ‘‘ଗରିବମାନେ ଯେପରି ଏକ ସୁନ୍ଦର ଜୀବନଯାପନ କରିବେ ତାହା ହେଉଛି ସରକାରଙ୍କ ପ୍ରାଥମିକତା”
• ‘‘ରାଜ୍ୟର ଡବଲ୍ ଇଞ୍ଜିନ୍ ସରକାର ସବ୍କା ପ୍ରୟାସ ସହିତ ଅରୁଣାଚଳ ପ୍ରଦେଶର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ’’

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶର ଇଟାନଗର ଠାରେ ଡୋନି ପୋଲୋ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି । ଏଥିସହିତ ୬୦୦ ମେଗାୱାଟ କାମେଙ୍ଗ ହାଇଡ୍ରୋ ପାୱାର ଷ୍ଟେସନକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ଫେବୃଆରୀ ୨୦୧୯ରେ ଏହି ବିମାନବନ୍ଦର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଇତିମଧ୍ୟରେ ମହାମାରୀର ଆହ୍ବାନ ସତ୍ତ୍ବେ ବିମାନବନ୍ଦରରେ କାମ ଅଳ୍ପ ସମୟ ମଧ୍ୟରେ ଶେଷ ହୋଇଛି ।

ଏହି ଅବସରରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ତାଙ୍କର ବାରମ୍ବାର ଅରୁଣାଚଳ ପ୍ରଦେଶ ଗସ୍ତକୁ ମନେ ପକାଇଥିଲେ । ସେ କହିଥିଲେ ଯେ ଏହାର ବୃହତ ପରିମାଣ ଆଜି ଦେଖିବାକୁ ମିଳିଛି । ନିଜ ରାଜ୍ୟର ବିକାଶ ପାଇଁ ଅରୁଣାଚଳବାସୀଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ ଅରୁଣାଚଳବାସୀଙ୍କ ଉତ୍ସାହଜନକ ତଥାପି ଶୃଙ୍ଖଳିତ ଗୁଣକୁ ମଧ୍ୟ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ନିଜେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ନିଜେ ହିଁ ଏହାକୁ ଉଦଘାଟନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବିମାନବନ୍ଦରର ଉଦଘାଟନ ସେହି ସମାଲୋଚକମାନଙ୍କ ପାଇଁ ଏକ ଜବାବ, ଯେଉଁମାନେ ବିମାନବନ୍ଦରର ମୂଳଦୁଆକୁ ନିର୍ବାଚନୀ ନାଟକ ବୋଲି କହିବାକୁ ଚେଷ୍ଟା କରିଥିଲେ। ପ୍ରଧାନମନ୍ତ୍ରୀ ରାଜନୈତିକ ସମୀକ୍ଷକମାନଙ୍କୁ ଏକ ନୂତନ ଦୃଷ୍ଟିକୋଣ ବିକଶିତ କରିବା ଲାଗି ପରାମର୍ଶ ଦେଇଥିଲେ । ରାଜନୈତିକ ଲାଭ ସହିତ ରାଜ୍ୟର ବିକାଶକୁ ଦେଖିବା ବନ୍ଦ କରିବାକୁ ସେ ଅନୁରୋଧ କରିଥିଲେ । ସେ କହିଥିଲେ ଯେ ରାଜ୍ୟରେ ନିର୍ବାଚନ ହେଉନାହିଁ କିମ୍ବା ରାଜ୍ୟରେ ନିକଟ ଭବିଷ୍ୟତରେ କୌଣସି ନିର୍ବାଚନ ହେବ ନାହିଁ। ତଥାପି ସରକାରଙ୍କ ପ୍ରାଥମିକତା ହେଉଛି ରାଜ୍ୟର ବିକାଶ। ସେ କହିଥିଲେ ମୁଁ ସୂର୍ଯ୍ୟ ଉଦୟର ରାଜ୍ୟରୁ ଦିନକୁ ଆରମ୍ଭ କରୁଛି ଓ ଡାମନରେ ଭାରତରେ ସୂର୍ଯ୍ୟ ଅସ୍ତ ହେବା ସହିତ ମୋର ଦିନକୁ ସମାପ୍ତ କରିବି। ଏହା ମଧ୍ୟରେ ମୁଁ କାଶୀରେ ରହିବି।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଉତ୍ତର-ପୂର୍ବ ଅଞ୍ଚଳ ଉଦାସୀନତା ଏବଂ ଅବହେଳାର ସମ୍ମୁଖୀନ ହୋଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ହିଁ ଏହି ଅଞ୍ଚଳ ପ୍ରତି ଧ୍ୟାନ ଦେଇଥିଲେ ଏବଂ ଉତ୍ତର-ପୂର୍ବ ପାଇଁ ଏକ ପୃଥକ ମନ୍ତ୍ରଣାଳୟ ଗଠନ କରିଥିଲେ। ପରେ, ସେହି ଗତି ହଜିଗଲା କିନ୍ତୁ ୨୦୧୪ ପରେ ବିକାଶର ଏକ ନୂତନ ଅଧ୍ୟାୟ ଆରମ୍ଭ ହେଲା | ପୂର୍ବରୁ ସୁଦୂର ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକୁ ଶେଷ ଗାଁ ଭାବରେ ବ୍ୟବହାର କରାଯାଉଥିଲା। ଆମ ସରକାର ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକୁ ଦେଶର ପ୍ରଥମ ଗ୍ରାମ ଭାବରେ ବିଚାର କରି କାର୍ଯ୍ୟ କରିଥିଲେ। ଏହାଦ୍ୱାରା ଉତ୍ତର-ପୂର୍ବର ବିକାଶକୁ ସରକାର ପ୍ରାଥମିକତା ଦେଇଛନ୍ତି। ପର୍ଯ୍ୟଟନ ହେଉ କିମ୍ବା ବାଣିଜ୍ୟ ହେଉ, ଟେଲିକମ୍ କିମ୍ବା ବୟନଶିଳ୍ପ ହେଉ, ଉତ୍ତର ପୂର୍ବକୁ ପ୍ରାଥମିକତା ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଡ୍ରୋନ୍ ଟେକ୍ନୋଲୋଜି ହେଉ କିମ୍ବା କୃଷି ଉଡାନ୍ ହେଉ, ବିମାନ ବନ୍ଦର ସଂଯୋଗ ହେଉ କିମ୍ବା ବନ୍ଦର ସଂଯୋଗ ହେଉ, ସରକାର ଉତ୍ତର ପୂର୍ବାଞ୍ଚଳର ବିକାଶକୁ ପ୍ରାଥମିକତା ଦେଇଛନ୍ତି,’’ ସେ କହିଥିଲେ । ଏହି ଅଞ୍ଚଳର ବିକାଶ ପାଇଁ ଭାରତର ଦୀର୍ଘତମ ସେତୁ, ଦୀର୍ଘତମ ରେଳ ବ୍ରିଜ, ରେଳ ଲାଇନ ସଂଯୋଗ ଏବଂ ରାଜପଥର ରେକର୍ଡ ନିର୍ମାଣ ଆଦି ବିଷୟରେ ପ୍ରଧାନମନ୍ତ୍ରୀ ଉଦାହରଣ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଏହା ଆଶା ଏବଂ ଆକାଂକ୍ଷାର ଏକ ନୂତନ ଯୁଗ ଏବଂ ଆଜିର କାର୍ଯ୍ୟକ୍ରମ ହେଉଛି ଭାରତର ନୂତନ ଆଭିମୁଖ୍ୟର ଏକ ଉତ୍କୃଷ୍ଟ ଉଦାହରଣ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡୋନି ପୋଲୋ ବିମାନବନ୍ଦର ଅରୁଣାଚଳ ପ୍ରଦେଶ ପାଇଁ ଚତୁର୍ଥ କାର୍ଯ୍ୟକ୍ଷମ ବିମାନବନ୍ଦର ହେବ । ଉତ୍ତର-ପୂର୍ବ ଅଞ୍ଚଳରେ ସମୁଦାୟ ବିମାନବନ୍ଦର ସଂଖ୍ୟା ୧୬ ରେ ପହଞ୍ଚିଛି। ୧୯୪୭ ରୁ ୨୦୧୪ ମଧ୍ୟରେ ଉତ୍ତର-ପୂର୍ବରେ କେବଳ ୯ ଟି ବିମାନବନ୍ଦର ନିର୍ମାଣ କରାଯାଇଥିଲା। ଗତ ଆଠ ବର୍ଷର ସ୍ୱଳ୍ପ ସମୟ ମଧ୍ୟରେ ଉତ୍ତର-ପୂର୍ବରେ ୭ ଟି ବିମାନବନ୍ଦର ନିର୍ମାଣ କରାଯାଇଛି । ଏହି ଅଞ୍ଚଳର ବିମାନବନ୍ଦରଗୁଡିକର ଏହି ଦ୍ରୁତ ବିକାଶ ଉତ୍ତର-ପୂର୍ବରେ ସଂଯୋଗ ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀଙ୍କ ବିଶେଷ ଗୁରୁତ୍ୱକୁ ପ୍ରତିଫଳିତ କରିଥାଏ | ସେ ସୂଚନା ଦେଇ କହିଥିଲେ ଯେ ଉତ୍ତର-ପୂର୍ବ ଭାରତକୁ ସଂଯୋଗ କରୁଥିବା ବିମାନ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଶ୍ରୀ ମୋଦୀ କହିଥିଲେ ଯେ ଡୋନି ପୋଲୋ ବିମାନବନ୍ଦର ଅରୁଣାଚଳ ପ୍ରଦେଶର ଇତିହାସ ଏବଂ ସଂସ୍କୃତିର ସାକ୍ଷୀ ପାଲଟିଛି। ବିମାନବନ୍ଦରର ନାମକରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ‘ଡୋନି’ର ଅର୍ଥ ସୂର୍ଯ୍ୟ ଥିବାବେଳେ ‘ପୋଲୋ’ ଅର୍ଥାତ୍ ଚନ୍ଦ୍ର। ରାଜ୍ୟର ବିକାଶକୁ ସୂର୍ଯ୍ୟ ଏବଂ ଚନ୍ଦ୍ରର ଆଲୋକ ସହିତ ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗରିବ ଲୋକଙ୍କ ବିକାଶ ଭଳି ବିମାନ ବନ୍ଦରର ବିକାଶ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ଅରୁଣାଚଳ ପ୍ରଦେଶର ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳରେ ରାଜପଥ ନିର୍ମାଣର ଉଦାହରଣ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ନିକଟ ଭବିଷ୍ୟତରେ କେନ୍ଦ୍ର ସରକାର ଆଉ ୫୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ ପର୍ଯ୍ୟଟନ ପାଇଁ ରାଜ୍ୟର ବ୍ୟାପକ ସମ୍ଭାବନା ଅଛି। ରାଜ୍ୟର ଦୁର୍ଗମ ଅଞ୍ଚଳ ସହ ସଠିକ୍ ଯୋଗାଯୋଗ ବ୍ୟବସ୍ଥାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଅରୁଣାଚଳ ପ୍ରଦେଶର ୮୫ ପ୍ରତିଶତ ଗ୍ରାମ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ସହିତ ଯୋଡ଼ି ହୋଇଛି ବୋଲି ସେ ସୂଚନା ଦେଇଥିଲେ । ନୂତନ ବିମାନବନ୍ଦର ଭିତ୍ତିଭୂମିର ବିକାଶକୁ ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଏହା କାର୍ଗୋ ସେବା କ୍ଷେତ୍ରରେ ବଡ଼ ସୁଯୋଗ ସୃଷ୍ଟି କରିବ। ଫଳସ୍ୱରୂପ, ରାଜ୍ୟର କୃଷକମାନେ ସେମାନଙ୍କର ଉତ୍ପାଦକୁ ବଡ଼ ବଜାରକୁ ବିକ୍ରି କରିପାରିବେ | ରାଜ୍ୟରେ କୃଷକମାନେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ସୁବିଧା ହାସଲ କରୁଛନ୍ତି ବୋଲି ସୂଚନା ଦେଇଥିଲେ ।

ଅରୁଣାଚଳ ପ୍ରଦେଶର ଲୋକଙ୍କୁ ବାଉଁଶ ଅମଳ କରିବାରେ କଟକଣା ଜାରି କରିଥିବା ଔପନିବେଶିକ ଆଇନକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଆଇନକୁ ରଦ୍ଦ କରିବା ପାଇଁ ସରକାରଙ୍କ ପଦକ୍ଷେପ ନେଇଛନ୍ତି । ସେ ଦର୍ଶାଇଥିଲେ ଯେ ବାଉଁଶ ରାଜ୍ୟର ଜୀବନଶୈଳୀର ଏକ ଅଂଶ ଏବଂ ଏହାର ଚାଷ ଏହି ଅଞ୍ଚଳର ଲୋକଙ୍କୁ ବାଉଁଶ ଉତ୍ପାଦ ରପ୍ତାନି କରିବାରେ ସାହାଯ୍ୟ କରୁଛି। ସେ ଆହୁରି ମଧ୍ୟ କହିଥିଲେ ଯେ ବର୍ତ୍ତମାନ ଆପଣ ଅନ୍ୟ ଫସଲ ପରି ବାଉଁଶ ଚାଷ, ଅମଳ ଏବଂ ବିକ୍ରୟ କରିପାରିବେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସରକାରଙ୍କ ପ୍ରାଥମିକତା ହେଉଛି ଗରିବ ଲୋକ ଏକ ସୁନ୍ଦର ଜୀବନଯାପନ ଯେପରି କରିପାରିବେ ତାହାକୁ ସୁନିଶ୍ଚିତ କରିବା। ପାର୍ବତ୍ୟ ଅଞ୍ଚଳରେ ଶିକ୍ଷା ତଥା ସ୍ୱାସ୍ଥ୍ୟ ଯୋଗାଇବାରେ ପୂର୍ବ ସରକାରଙ୍କ ଉଦ୍ୟମରେ ସେ ଦୁଃଖ ପ୍ରକାଶ କରି କହିଥିଲେ । ସେ କହିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ବର୍ତ୍ତମାନର ସରକାର ୫ ଲକ୍ଷ ପର୍ଯ୍ୟନ୍ତ ବୀମା ସୁରକ୍ଷା ଯୋଗାଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଏବଂ ଅରୁଣାଚଳ ଷ୍ଟାର୍ଟଅପ୍ ନୀତିର ଉଦାହରଣ ମଧ୍ୟ ସେ ଦେଇଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ୨୦୧୪ ରେ ଆରମ୍ଭ ହୋଇଥିବା ସୌଭାଗ୍ୟ ଯୋଜନା ମାଧ୍ୟମରେ ଅରୁଣାଚଳ ପ୍ରଦେଶର ଅନେକ ଗ୍ରାମ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ବିଦ୍ୟୁତ୍ ଆଲୋକ ପାଇଛନ୍ତି।

ବିକାଶକୁ ରାଜ୍ୟର ପ୍ରତ୍ୟେକ ଘର ଏବଂ ଗ୍ରାମକୁ ଆଗକୁ ନେବା ପାଇଁ ଆମେ ମିଶନ ମୋଡରେ କାର୍ଯ୍ୟ କରୁଛୁ ବୋଲି ଶ୍ରୀ ମୋଦୀ କହିଥିଲେ । ଭାଇବ୍ରାଣ୍ଟ ବର୍ଡ଼ର ଭିଲେଜ୍ ପ୍ରୋଗ୍ରାମ ଅନ୍ତର୍ଗତ ସମସ୍ତ ସୀମାନ୍ତ ଗ୍ରାମଗୁଡିକର ବିକାଶ ପାଇଁ ସରକାରଙ୍କ ଉଦ୍ୟମ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ ଏହା ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ପ୍ରବାସକୁ ହ୍ରାସ କରିବ। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଦେଶର ଯୁବକମାନଙ୍କୁ ଏନସିସି ସହିତ ଯୋଡିବା ପାଇଁ ରାଜ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚାଲିଛି ଯାହା ଯୁବପିଢ଼ିଙ୍କୁ ପ୍ରତିରକ୍ଷା ତାଲିମ ଦେବା ବ୍ୟତୀତ ଦେଶର ସେବା କରିବାର ଭାବନା ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ, “ରାଜ୍ୟର ଡବଲ ଇଞ୍ଜିନ ସରକାର ସବକା ପ୍ରୟାସ ସହିତ ଅରୁଣାଚଳ ପ୍ରଦେଶର ବିକାଶ ପାଇଁ ପ୍ରତିବଦ୍ଧ।”
ଏହି କାର୍ଯ୍ୟକ୍ରମରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ପେମା କାଣ୍ଡୁ, ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଶ୍ରୀ ବି ଡି ମିଶ୍ର ଏବଂ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଓ ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
ପୃଷ୍ଠଭୂମି
ଡୋନି ପୋଲୋ ବିମାନବନ୍ଦର, ଇଟାନଗର
ଉତ୍ତର-ପୂର୍ବରେ ବିମାନ ଯୋଗାଯୋଗ ବୃଦ୍ଧି ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ପ୍ରଥମ ଗ୍ରୀନ୍ ଫିଲ୍ଡ ବିମାନବନ୍ଦର – ‘ଡୋନି ପୋଲୋ ବିମାନବନ୍ଦର, ଇଟାନଗର’କୁ ଉଦଘାଟନ କରିଛନ୍ତି। ବିମାନବନ୍ଦର ନାମକରଣରେ ଅରୁଣାଚଳ ପ୍ରଦେଶର ପରମ୍ପରା ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ସୂର୍ଯ୍ୟ (‘ଡୋନି’) ଏବଂ ଚନ୍ଦ୍ର (‘ପୋଲୋ’) ପ୍ରତି ଏହାର ପ୍ରାଚୀନ ଆଦିବାସୀ ସମ୍ମାନକୁ ପ୍ରତିଫଳିତ କରିଥାଏ।

ଏହା ଅରୁଣାଚଳ ପ୍ରଦେଶର ପ୍ରଥମ ଗ୍ରୀନଫିଲ୍ଡ ବିମାନବନ୍ଦର ହୋଇଥିବା ବେଳେ ଏହି ବିମାନ ବନ୍ଦର ୬୯୦ ଏକରରୁ ଅଧିକ ଅଞ୍ଚଳରେ ବିକଶିତ ହୋଇଛି, ଯାହାର ମୂଲ୍ୟ ଟ.୬୪୦ କୋଟିରୁ ଅଧିକ ହେବ। ୨୩୦୦ ମିଟର ରନୱେ ସହିତ ଏହି ବିମାନବନ୍ଦର ସବୁ ଋତୁରେ କାର୍ଯ୍ୟକ୍ଷମ ରହିବା ପାଇଁ ଉପଯୁକ୍ତ। ବିମାନବନ୍ଦର ଟର୍ମିନାଲ୍ ଆଧୁନିକ ଶୈଳୀରେ ନିର୍ମାଣ କରାଯାଇଛି, ଯାହାକି ଶକ୍ତି ଦକ୍ଷତା, ଅକ୍ଷୟ ଶକ୍ତି ଏବଂ ଉତ୍ସଗୁଡିକର ପୁନଃବ୍ୟବହାରକୁ ପ୍ରୋତ୍ସାହିତ କରୁଛି ।

ଇଟାନଗରରେ ଏକ ନୂତନ ବିମାନବନ୍ଦରର ବିକାଶ କେବଳ ଏହି ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବ ନାହିଁ ବରଂ ବାଣିଜ୍ୟ ଏବଂ ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ ଏକ ମୁଖ୍ୟ ସ୍ରୋତ ଭାବରେ କାର୍ଯ୍ୟ କରିବ । ଯାହାଫଳରେ ଏହି ଅଞ୍ଚଳର ଆର୍ଥିକ ବିକାଶରେ ତ୍ବରାନ୍ବିତ ହେବ।
ମିଜୋରାମ, ମେଘାଳୟ, ସିକ୍କିମ, ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡର ପାଞ୍ଚଟି ଉତ୍ତର-ପୂର୍ବ ରାଜ୍ୟର ବିମାନବନ୍ଦରଗୁଡିକ ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବିମାନ ଉଡ଼ାଣ ଦେଖିଛନ୍ତି। ଉତ୍ତର-ପୂର୍ବରେ ବିମାନ ଚଳାଚଳ ମଧ୍ୟ ୨୦୧୪ ଠାରୁ ୧୧୩% ବୃଦ୍ଧି ପାଇଛି, ୨୦୧୪ରେ ସପ୍ତାହରେ ୮୫୨ ରୁ ବୃଦ୍ଧି ହୋଇ ୨୦୨୨ ରେ ଏହା ସପ୍ତାହକୁ ୧୮୧୭ରେ ପହଞ୍ଚିଛି।

୬୦୦ ମେଗାୱାଟ କାମେଙ୍ଗ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର
୮୪୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ହୋଇଥିବା ଏବଂ ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାରେ ୮୦ କିଲୋମିଟରରୁ ଅଧିକ ପରିବ୍ୟାପ୍ତ ଅଞ୍ଚଳରେ ଏହି ପ୍ରକଳ୍ପ ଅରୁଣାଚଳ ପ୍ରଦେଶକୁ ଏକ ଶକ୍ତି ବଳକା ରାଜ୍ୟ ଭାବେ ପରିଣତ କରିବ, ଯାହା ଗ୍ରୀଡ୍ ସ୍ଥିରତା ଏବଂ ଜାତୀୟ ଗ୍ରୀଡ୍ ପାଇଁ ମଧ୍ୟ ଲାଭବାନ ହେବ। ଏହି ପ୍ରକଳ୍ପ ସବୁଜ ଶକ୍ତି ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଦେଶର ପ୍ରତିବଦ୍ଧତା ପୂରଣ ଦିଗରେ ଉଲ୍ଲେଖନୀୟ ଯୋଗଦାନ ଦେବ ।

Leave A Reply

Your email address will not be published.