
• ଭୁବନେଶ୍ବର ଓ ପୁରୀ ରେଳଷ୍ଟେସନର ହେବ ପୁନଃବିକାଶ : କଟକ ରେଳଷ୍ଟେସନର ପୁନଃ ବିକାଶ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି
• ୧୪ଟି ରେଳଷ୍ଟେସନର ପୁନଃ ବିକାଶ କାମ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି
• ଯାତ୍ରୀମାନଙ୍କୁ ଆଧୁନିକ ସୁବିଧା ଯୋଗାଇଦେବା ଲାଗି ଭାରତୀୟ ରେଳବାଇ ଷ୍ଟେସନ ପୁନଃ ବିକାଶ କାମ ହାତକୁ ନେଇଛି
• ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଆର୍ଥିକ ବିକାଶରେ ସୁଧାର ସହିତ ରେଳଷ୍ଟେସନ ପୁନଃ ବିକାଶ କାର୍ଯ୍ୟର ବହୁଗୁଣିତ ଲାଭ ଦେଶର ଅର୍ଥ ବ୍ୟବସ୍ଥା ଉପରେ ପଡ଼ିବ
ନୂଆଦିଲ୍ଲୀ, (ପିଆଇବି) : ଦେଶର ପ୍ରମୁଖ ରେଳଷ୍ଟେସନ ଗୁଡ଼ିକର ପୁନଃ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିଛି ରେଳ ମନ୍ତ୍ରଣାଳୟ । ଯାତ୍ରୀମାନଙ୍କୁ ଆଧୁନିକ ସୁବିଧା ସୁଯୋଗ ଯୋଗାଇଦେବା ଲାଗି ବର୍ତ୍ତମାନ ଭାରତୀୟ ରେଳବାଇର ୪୦ଟି ରେଳଷ୍ଟେସନର ପୁନଃ ବିକାଶ ପାଇଁପ୍ରକ୍ରିୟା ଆରମ୍ଭ କରାଯାଇଛି । ୧୪ଟି ରେଳଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୫ ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି ।
ପୁନଃ ବିକଶିତ ହେବାକୁଥିବା ରେଳଷ୍ଟେସନ ମଧ୍ୟରେ ପୁରୀ, ଭୁବନେଶ୍ବର ଏବଂ କଟକ ରେଳଷ୍ଟେସନ ସାମିଲ ରହିଛି । ଇତିମଧ୍ୟରେ କଟକ ରେଳଷ୍ଟେସନର ପୁନଃ ବିକାଶ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।
ଦେଶବ୍ୟାପୀ ରେଳଷ୍ଟେସନ ଗୁଡ଼ିକର ପୁନଃ ବିକାଶ ଫଳରେ ନିଯୁକ୍ତି ସୁଯୋଗ ସୃଷ୍ଟିହେବା ସହିତ ଆର୍ଥିକ ବିକାଶରେ ସୁଧାର ଆସିବ । ଏହାଦ୍ବାରା ଦେଶର ଅର୍ଥ ବ୍ୟବସ୍ଥା ଉପରେ ବହୁଗୁଣିତ ପ୍ରଭାବ ପଡ଼ିବ ।
ଏସବୁ ଷ୍ଟେସନର ବିକାଶ କାର୍ଯ୍ୟରେ ଅଧିକ ସ୍ଥାନଥିବାରୁ ଫ୍ ପ୍ଲାଜା ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି । ଏହା ବ୍ୟତୀତ ଫୁଡକୋର୍ଟ, ପ୍ରତୀକ୍ଷାଳୟ, ପିଲାମାନଙ୍କ ଖେଳିବା ସ୍ଥାନ, ସ୍ଥାନୀୟ ଉତ୍ପାଦ ପାଇଁ ମାନ୍ୟତାପ୍ରାପ୍ତ ସ୍ଥାନ ଆଦି ସୁବିଧା ବିକଶିତ କରାଯିବ । ଷ୍ଟେସନଗୁଡ଼ିକର ଉନ୍ନତିକରଣ ସମୟରେ ମେଟ୍ରୋ, ବସ ଆଦି ବିଭିନ୍ନ ପରିବହନ ମାଧ୍ୟମକୁ ରେଳଷ୍ଟେସନ ସହିତ ଯୋଡ଼ାଯିବ ।ଷ୍ଟେସନ ଭିତ୍ତିଭୂମି ନିର୍ମାଣ ସମୟରେ ସବୁଜ ଅଟ୍ଟାଳିକା ଜ୍ଞାନକୌଶଳ ଅବଲମ୍ବନ କରାଯିବ ଏବଂ ଦିବ୍ୟାଙ୍ଗଜନଙ୍କ ପାଇଁ ଅନୁକୂଳ ବ୍ୟବସ୍ଥା ରହିବ ।ଇଣ୍ଟେଲିଜେଣ୍ଟ ବିଲ୍ଡିଂ ନିର୍ମାଣ ଲକ୍ଷ୍ୟ ନେଇ ଷ୍ଟେସନ ଗୁଡ଼ିକୁ ବିକଶିତ କରାଯିବ ଏବଂ ଏଥିରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ । ଷ୍ଟେସନଗୁଡ଼ିକର ପୁନଃ ବିକାଶ ଫଳରେ ରେଳଷ୍ଟେସନ ନିକଟରେ ‘ସିଟିସେଣ୍ଟର’ ଭଳି ସ୍ଥାନ ସୃଷ୍ଟିହେବ । ଏହା ଦ୍ବାରା ରେଳଯାତ୍ରୀ ଏବଂ ସାଧାରଣ ଜନତା ଉପକୃତ ହୋଇପାରିବେ ।
ଇତିମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ରେଳବାଇର ରାଣୀକମଳାପତି ଷ୍ଟେସନ, ପଶ୍ଚିମ ରେଳବାଇର ଗାନ୍ଧୀନଗର କ୍ୟାପିଟାଲ ଷ୍ଟେସନ ଏବଂ ଦକ୍ଷିଣ ପଶ୍ଚିମ ରେଳବାଇର ସାରଏମ ବିଶ୍ବେଶ୍ବରାୟା ଟର୍ମିନାଲ ଷ୍ଟେସନର ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ଏସବୁ କାର୍ଯ୍ୟକ୍ଷମ ହୋଇସାରିଛି ।
ବର୍ତ୍ତମାନ ପରିସ୍ଥିତିରେ ଏସବୁ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ପାଇଁ ସମୟସୀମା ନିର୍ଦ୍ଧାରଣ କରିବା ସମ୍ଭବପର ନୁହେଁ କାରଣ ଏହି କାର୍ଯ୍ୟ ଅତ୍ୟନ୍ତ ଜଟିଳ ହୋଇଥିବା ବେଳେ ଏଥିରେ ବହୁଅଂଶୀଦାରମାନଙ୍କର ସମ୍ପୃକ୍ତି ରହିଛି ଏବଂ ଏଥିପାଇଁ ବିଭିନ୍ନ ବୈଧାନିକ ମଞ୍ଜୁରିର ଆବଶ୍ୟକତା ରହିଛି ।
ପୁନଃ ବିକଶିତ ହେବାକୁଥିବା ଷ୍ଟେସନଗୁଡ଼ିକର ବିବରଣୀ ନିମ୍ନରେ ଦିଆଗଲା ।



