୭ମ ଭାରତ ଜଳ ସପ୍ତାହର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଠାରେ ଗତକାଲି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ସପ୍ତମ ଭାରତ ଜଳ ସପ୍ତାହର ଉଦଘାଟନ କରିଛନ୍ତି ।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଜଳ ବିନା ଜୀବନକୁ କଳ୍ପନା କରିବା ଅସମ୍ଭବ । ଭାରତୀୟ ସଭ୍ୟତାରେ ଜଳ କେବଳ ଜୀବନରେ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଜୀବନ ଯାତ୍ରା ପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ସମସ୍ତ ଜଳ ଉତ୍ସକୁ ପବିତ୍ର ବିବେଚନା କରାଯାଏ । କିନ୍ତୁ ବର୍ତ୍ତମାନ ଯଦି ଆମେ ପରିସ୍ଥିତିକୁ ଦେଖିବା ତେବେ ଅବସ୍ଥା ଚିନ୍ତାଜନକ ମନେହୁଏ । ଜନସଂଖ୍ୟା ବୃଦ୍ଧି ହେତୁ ଆମର ନଦୀ ଓ ଜଳଭଣ୍ଡାରର ଅବସ୍ଥା ବିଗିଡି ଯାଉଛି, ଗାଁ ପୋଖରୀ ଶୁଖିଯାଉଛି ଏବଂ ଅନେକ ସ୍ଥାନୀୟ ନଦୀ ବିଲୁପ୍ତ ହୋଇଯାଇଛି । କୃଷି ଏବଂ ଶିଳ୍ପ କ୍ଷେତ୍ରରେ ଜଳ ଅତ୍ୟଧିକ ଶୋଷିତ ହେଉଛି। ପୃଥିବୀରେ ପରିବେଶ ସନ୍ତୁଳନତାରେ ସମସ୍ୟା ଦେଖା ଦେଉଛି, ପାଣିପାଗରେ ପରିବର୍ତ୍ତନ ଦେଖା ଦେଉଛି ଏବଂ ଅସମୟରେ ଅତ୍ୟଧିକ ବର୍ଷା ସାଧାରଣ ଭାବରେ ଦେଖାଯାଉଛି। ଏଭଳି ପରିସ୍ଥିତିରେ ଜଳର ପରିଚାଳନା ବିଷୟରେ ଆଲୋଚନା କରିବା ଅତ୍ୟନ୍ତ ପ୍ରଶଂସନୀୟ ପଦକ୍ଷେପ ।

ରାଷ୍ଟ୍ରପତି କହିଛନ୍ତି ଯେ ଜଳ ପ୍ରସଙ୍ଗ କେବଳ ଭାରତ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ। ଏହି ସମସ୍ୟା ଜାତୀୟ ସୁରକ୍ଷା ସହିତ ମଧ୍ୟ ଜଡିତ କାରଣ ବିପୁଳ ପରିମାଣର ମଧୁର ଜଳ ଦୁଇ କିମ୍ବା ଅଧିକ ଦେଶ ମଧ୍ୟରେ ପ୍ରବାହିତ ହେଉଛି। ତେଣୁ, ଏହି ମିଳିତ ଜଳ ଉତ୍ସ ହେଉଛି ଏକ ପ୍ରସଙ୍ଗ ଯେଉଁଥିରେ ଆନ୍ତର୍ଜାତୀୟ ସହଯୋଗ ଆବଶ୍ୟକ । ସେ ଡେନମାର୍କ, ଫିନଲ୍ୟାଣ୍ଡ, ଜର୍ମାନୀ, ଇସ୍ରାଏଲ ଏବଂ ୟୁରୋପୀୟ ସଂଘ ସପ୍ତମ ଭାରତ ଜଳ ସପ୍ତାହରେ ଅଂଶଗ୍ରହଣ କରୁଥିବା ବିଷୟ ଜାଣି ଖୁସି ପ୍ରକାଶ କରିଛନ୍ତି। ଏହି ଫୋରମରେ ଆଇଡିଆ ଏବଂ ପ୍ରଯୁକ୍ତିବିଦ୍ୟା ଆଦାନପ୍ରଦାନ ଦ୍ୱାରା ସମସ୍ତେ ଉପକୃତ ହେବେ ବୋଲି ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ।

ରାଷ୍ଟ୍ରପତି କହିଛନ୍ତି ଯେ କୃଷି ପାଇଁ ଜଳ ମଧ୍ୟ ଏକ ପ୍ରମୁଖ ଉତ୍ସ। ଏକ ଆକଳନ ଅନୁଯାୟୀ ଆମ ଦେଶରେ ପ୍ରାୟ 80 ପ୍ରତିଶତ ଜଳ ଉତ୍ସ କୃଷି ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ। ତେଣୁ ଜଳ ସଂରକ୍ଷଣ ପାଇଁ ଜଳର ଉପଯୁକ୍ତ ବ୍ୟବହାର ଏବଂ ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ‘ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା’ ଏହି କ୍ଷେତ୍ରରେ ଏକ ପ୍ରମୁଖ ପଦକ୍ଷେପ। ଦେଶରେ ଜଳସେଚିତ ଅଞ୍ଚଳକୁ ବୃଦ୍ଧି କରିବା ପାଇଁ ଏହି ଦେଶବ୍ୟାପୀ ଯୋଜନା କାର୍ଯ୍ୟକାରୀ ହେଉଛି। ଜଳ ସଂରକ୍ଷଣ ଲକ୍ଷ୍ୟ ସହିତ, ଏହି ଯୋଜନାରେ “ପ୍ରତି ବୁନ୍ଦା ଅଧିକ ଫସଲ” ନିଶ୍ଚିତ କରିବା ପାଇଁ ସଠିକ ଜଳସେଚନ ଏବଂ ଜଳ ସଂରକ୍ଷଣ ଟେକ୍ନୋଲୋଜି ମଧ୍ୟ ଗ୍ରହଣ କରାଯାଇଛି ।

ରାଷ୍ଟ୍ରପତି କହିଛନ୍ତି ଯେ ବଢ଼ୁଥିବା ଜନସଂଖ୍ୟାକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଆଗାମୀ ବର୍ଷରେ ଏକ ବଡ଼ ଆହ୍ବାନ ହେବ। ଜଳର ସମସ୍ୟା ବହୁମୁଖୀ ଏବଂ ଜଟିଳ, ଯେଉଁଥିପାଇଁ ସମସ୍ତ ହିତାଧିକାରୀଙ୍କ ଦ୍ୱାରା ଉଦ୍ୟମ କରାଯିବା ଉଚିତ୍ । ଆମେ ସମସ୍ତେ ଜାଣୁ ଯେ ଜଳ ସୀମିତ ଏବଂ କେବଳ ଏହାର ଉପଯୁକ୍ତ ବ୍ୟବହାର ଏବଂ ପୁନଃବ୍ୟବହାର ଏହି ଉତ୍ସକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଞ୍ଚାଇ ପାରିବ। ତେଣୁ, ଆମେ ସମସ୍ତେ ଏହି ଉତ୍ସକୁ ଯତ୍ନର ସହିତ ବ୍ୟବହାର କରିବାକୁ ଚେଷ୍ଟା କରିବା ଉଚିତ୍। ଏହାର ଅପବ୍ୟବହାର ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ଜଳ ସଂରକ୍ଷଣ ବିଷୟରେ ଅନ୍ୟମାନଙ୍କୁ ସଚେତନ କରିବାକୁ ସେ ଅନୁରୋଧ କରିଛନ୍ତି। ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏହି ସପ୍ତମ ଜଳ ସପ୍ତାହରେ ମାନସ ମନ୍ଥନ ଦ୍ବାରା ଏହି ପୃଥିବୀ ତଥା ମାନବଜାତିର କଲ୍ୟାଣ ପାଇଁ ପଥ ପରିଷ୍କାର କରିବ। ଜଳ ସଂରକ୍ଷଣକୁ ସେମାନଙ୍କ ନୈତିକତାର ଏକ ଅଂଶ କରିବାକୁ ସେ ସାଧାରଣ ଜନତା, କୃଷକ, ଶିଳ୍ପପତି ଏବଂ ବିଶେଷ କରି ପିଲାମାନଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ କେବଳ ଏହି ଉପାୟରେ ଆମେ ଆଗାମୀ ପୀଢ଼ି ପାଇଁ ଏକ ଉନ୍ନତ ତଥା ନିରାପଦ ଭବିଷ୍ୟତର ଉପହାର ଦେଇପାରିବା ।

Leave A Reply

Your email address will not be published.