ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ମୋଦୀ

ଗାନ୍ଧିନଗର : ତୃତୀୟ ସ୍ୱଦେଶୀ ନିର୍ମିତ ହାଇ ସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ଗାନ୍ଧିନଗର ଷ୍ଟେସନରୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ ଗାନ୍ଧିନଗରରୁ ମୁମ୍ବାଇ ସେଣ୍ଟ୍ରାଲ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରେଳ ରାଜ୍ୟମନ୍ତ୍ରୀ ଦର୍ଶନା ଜରଦୋଶ ମଧ୍ୟ ଉପସ୍ଥିତ ଥିଲେ । ବନ୍ଦେ ଭାରତ ଏକ୍ସପ୍ରେସର ମୋଟ ବସିବା କ୍ଷମତା ୧,୧୨୮ ଯାତ୍ରୀ । ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଫେବୃଆରୀ ୧୫, ୨୦୧୯ରେ ନୂଆଦିଲ୍ଲୀ-ବାରାଣାସୀ ମଧ୍ୟରେ ଚାଲିଥିଲା । ଏଥିସହିତ ଦ୍ୱିତୀୟ ଟ୍ରେନ ନୂଆଦିଲ୍ଲୀରୁ ବୈଷ୍ଣୋ ଦେବୀ ପର୍ଯ୍ୟନ୍ତ ଚଳାଚଳ କରିଥିଲା । ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ପୂର୍ବ ଟ୍ରେନ ଠାରୁ ଭିନ୍ନ ହେବ । ଏହି ନୂତନ ଟ୍ରେନରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅନେକ ପରିବର୍ତ୍ତନ କରାଯାଇଛି । ଏହି ଟ୍ରେନରେ ପ୍ରଥମ ଥର ପାଇଁ ‘କବଚ’ ପ୍ରଯୁକ୍ତିବିଦ୍ୟା ଆରମ୍ଭ ହୋଇଛି । ଏହି ଟେକ୍ନୋଲୋଜିର ସାହାଯ୍ୟରେ ଦୁଇଟି ଟ୍ରେନର ମୁହାଁମୁହିଁ ଧକ୍କା ଭଳି ଦୁର୍ଘଟଣାକୁ ରୋକାଯାଇପାରିବ । ଏହି ଟେକ୍ନୋଲୋଜିକୁ ସ୍ୱଦେଶୀ ଭାବରେ ବିକଶିତ କରାଯାଇଛି, ଯେଉଁ କାରଣରୁ ଏହାର ମୂଲ୍ୟ ବହୁତ କମ୍‌ ଅଟେ । ଏହି ଟ୍ରେନ ମାତ୍ର ୫୨ ସେକେଣ୍ଡରେ ୦ରୁ ୧୦୦ କିଲୋମିଟର ବେଗ ହାସଲ କରେ ।

Leave A Reply

Your email address will not be published.

error: Content is protected !!