କୁଇନ୍‌ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ଭାରତରେ ରାଷ୍ଟ୍ରୀୟ ଶୋକ

  • ରାଷ୍ଟ୍ରପତି ଭବନ ଏବଂ ଲାଲକିଲ୍ଲାରେ ଜାତୀୟ ପତାକା ଅର୍ଦ୍ଧନମିତ

ନୂଆଦିଲ୍ଲୀ : କୁଇନ୍‌ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକରେ ସାରା ବିଶ୍ୱ ଏବେ ଶୋକରେ ଡୁବିରହିଛି । ବ୍ରିଟେନରେ ୧୦ ଦିନିଆ ଶୋକ ପାଳନ କରାଯାଉଥିବା ବେଳେ ଭାରତରେ ମଧ୍ୟ ରବିବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ବ୍ରିଟେନ ମହାରାଣୀଙ୍କ ପରଲୋକରେ ତାଙ୍କୁ ଶେଷ ସମ୍ମାନ ଜଣାଇ ଆଜି ଭାରତର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଅର୍ଦ୍ଧନମିତ କରାଯାଇଛି । ରାଷ୍ଟ୍ରପତି ଭବନ ସମେତ ଲାଲକିଲ୍ଲାରେ ଭାରତର ଜାତୀୟ ପତାକା ତ୍ରିରଙ୍ଗାକୁ ଅର୍ଦ୍ଧନମିତ କରାଯାଇଛି । ଗତ ସେପ୍ଟେମ୍ବର ୮ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ । ରାଣୀଙ୍କ ବିୟୋଗରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଥିଲେ । ତେଣୁ କୁଇନ୍‌ ଏଲିଜାବେଥଙ୍କ ସମ୍ମାନରେ ବିଶ୍ୱର ଅନେକ ଦେଶରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଥିଲା । ଭାରତରେ ସେପ୍ଟେମ୍ବର ୧୧, ରବିବାର ଦିନ ରାଷ୍ଟ୍ରୀୟ ଶୋକ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା । ଅନ୍ୟପଟେ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସତ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେପ୍ଟେମ୍ବର ୧୯ରେ ଓ୍ଵେଷ୍ଟମିନଷ୍ଟର ଏବେରେ କରାଯିବ । ଅନ୍ତିମ ସତ୍କାର ପୂର୍ବରୁ ମହାରାଣୀଙ୍କ ପାର୍ଥିବ ଶରୀର ଚାରି ଦିନ ପାଇଁ ଓ୍ଵେଷ୍ଟମିନଷ୍ଟର ହଲ୍‌ରେ ରଖାଯିବ, ଯଦ୍ଵାରା ସାଧାରଣ ଲୋକେ ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇ ପାରିବେ ।

Leave A Reply

Your email address will not be published.