ଜାମ୍ମୁ କାଶ୍ମୀରର ୧୪ ନେତା ଆଜି ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ, ଧାରା ୩୭୦ ରଦ୍ଦ ହେବା ପରେ ପ୍ରଥମ ଥର ପାଇଁ ଏତେ ବଡ଼ ସମାବେଶ
ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବା ପରେ ଆଜି ପ୍ରଥମ ଥର ପାଇଁ କେନ୍ଦ୍ରର ରାଜନୈତିକ ଦଳର ନେତା ଏବଂ ଜାମ୍ମୁ କାଶ୍ମୀରର ନେତାଙ୍କ ମଧ୍ୟରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ଜାମ୍ମୁ କାଶ୍ମୀରର ଚାରିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୪ ଜଣ ନେତା ଏହି ବାର୍ତ୍ତାଳାପରେ ଭାଗ ନେଉଛନ୍ତି । ଆଜି ଅପରାହ୍ନ ୩ ଟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ଦୁଇ ବର୍ଷ ପୂର୍ବେ ଅଗଷ୍ଟ ୫, ୨୦୧୯ରେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ କରାଯାଇଥିଲା ଏବଂ ରାଜ୍ୟ ଦୁଇଟି ୟୁନିଅନ ଅଞ୍ଚଳରେ ବିଭକ୍ତ ହୋଇଥିଲା । ଏହା ପରେ କେନ୍ଦ୍ର ତଥା ରାଜ୍ୟର ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ଏହା ପ୍ରଥମ ବାର୍ତ୍ତାଳାପ । ଯଦିଓ ଏହି ବୈଠକର ଏଜେଣ୍ଡା ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଶ୍ରୀନଗର ଠାରୁ ଦିଲ୍ଲୀ ଏବଂ ଇସଲାମାବାଦ ପର୍ଯ୍ୟନ୍ତ ସମସ୍ତଙ୍କ ବାର୍ତ୍ତାଳାପ ଉପରେ ସମସ୍ତଙ୍କ ନଜର ରହିଛି ।
ଏହି ସମୟରେ ଜାମ୍ମୁ କାଶ୍ମୀରର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ ପୂର୍ବରୁ ଜାମ୍ମୁ କାଶ୍ମୀର ଏବଂ ଲାଇନ ଅଫ୍ କଣ୍ଟ୍ରୋଲ (ଏଲଓସି) ଉପରେ ୪୮ ଘଂଟିଆ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ମଧ୍ୟ ହାଇ ସ୍ପିଡ୍ ଇଂଟରନେଟ୍ ସେବା ସ୍ଥଗିତ ହୋଇପାରେ ।