ଲଣ୍ଡନ : ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକକୁ ନେଇ ଶୁକ୍ରବାରଠାରୁ ବ୍ରିଟେନରେ ୧୦ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଛି । ଶୋକ ଦିବସର ପ୍ରଥମ ଦିନରେ ରାଣୀଙ୍କ ଉଦ୍ଦେଶ୍ୟରେ ଇଂଲଣ୍ଡର ବିଭିନ୍ନ ସାମରିକ ପ୍ରତିଷ୍ଠାନ ପକ୍ଷରୁ ୯୬ଟି ଲେଖାଏଁ ତୋପ ସଲାମୀ ଦିଆଯାଇଛି । ଅପରାହ୍ନ ୧ଟାରେ ହାଇଦ ପାର୍କ ଓ ଲଣ୍ଡନ ଟାୱାରରେ ଏହି ତୋପ ସଲାମୀ ଦିଆଯାଇଥିଲା । ହାଇଦ ପାର୍କରେ ରାଜାଙ୍କର ରୟାଲ ହର୍ସ ଆର୍ଟିଲ୍ୟାରୀ ପକ୍ଷରୁ ତୋପ ସଲାମୀ ଦିଆଯାଇଥିବା ବେଳେ ଲଣ୍ଡନ ଟାୱାରରେ ଆର୍ଟିଲେରୀ କମ୍ପାନୀ ପକ୍ଷରୁ ସଲାମ ଦିଆଯାଇଥିଲା । ସେହିପରି ସ୍କଟଲାଣ୍ଡର ଏଡିନବର୍ଗ କାସଲ, ୱେଲସ୍ର କାର୍ଡିଫ୍ କାସଲରେ ମଧ୍ୟ ରାଣୀଙ୍କୁ ତୋପ ସଲାମୀ ଦିଆଯାଇଥିଲା । ରାଣୀଙ୍କ ବୟସ ଅନୁଯାୟୀ ୯୬ଟି ଲେଖାଏଁ ତୋପ ସଲାମୀ ଦିଆଯାଇଥିଲା । ଅଷ୍ଟ୍ରେଲିଆ ପାର୍ଲାମେଣ୍ଟ ଭବନ ବାହାରେ ମଧ୍ୟ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଉଦ୍ଦେଶ୍ୟରେ ୯୬ଟି ତୋପ ସଲାମୀ ଦିଆଯାଇଛି । ଅନ୍ୟପଟେ ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ବ୍ରିଟେନ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି । ସେହିପରି ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଦେଶର ସମସ୍ତ ଗୀର୍ଜାରେ ଘଣ୍ଟି ବଜାଯାଇଥିଲା ।
Next Post