ଆଇଏସବି ହାଇଦ୍ରାବାଦରେ ପିଜିପି କ୍ଲାସର ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

• ଦେଶର ଆର୍ଥିକ ଓ ବ୍ୟାବସାୟିକ କ୍ଷେତ୍ରରେ ଆଇଏସବି ବିଦ୍ୟାର୍ଥୀଙ୍କ ଭୂମିକାକୁ କଲେ ପ୍ରଶଂସା
• ଆଜି ସମଗ୍ର ବିଶ୍ୱ ବୁଝୁଛି ଯେ ଭାରତର ଅର୍ଥ ‘ବ୍ୟବସାୟ’ : ପ୍ରଧାନମନ୍ତ୍ରୀ
• ‘‘ଆପଣମାନେ ନିଜର ବ୍ୟକ୍ତିଗତ ଲକ୍ଷ୍ୟକୁ ଦେଶର ଲକ୍ଷ୍ୟ ସହ ଯୋଡନ୍ତୁ ବୋଲି ମୁଁ ଚାହୁଁଛି”
• “ନିରବଚ୍ଛିନ୍ନ ରାଜନୈତିକ ଅସ୍ଥିରତା କାରଣରୁ ଗତ ତିନି ଦଶନ୍ଧି ଧରି ଦେଶରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଦେଖାଦେବା ସହ ଦେଶ ସଂସ୍କାର ଓ ବଡ ନିଷ୍ପତ୍ତି ଠାରୁ ଦୂରେଇ ଯାଇଛି”
• ‘‘ବର୍ତ୍ତମାନର ବ୍ୟବସ୍ଥାରେ ସରକାର ସଂସ୍କାର ଆଣୁଛନ୍ତି, ଅମଲାତନ୍ତ୍ର ଦକ୍ଷ ପ୍ରଦର୍ଶନ କରୁଛି ଏବଂ ଜନଭାଗିଦାରୀ ଯୋଗୁ ବ୍ୟାପକ ପରିବର୍ତ୍ତନ ଆସିଛି’’
• “ଭବିଷ୍ୟତ ପାଇଁ ଭାରତକୁ ପ୍ରସ୍ତୁତ ରଖିବାକୁ ହେଲେ ଆମକୁ ଭାରତର ଆତ୍ମ ନିର୍ଭରଶୀଳତାକୁ ସୁନିଶ୍ଚିତ କରିବାକୁ ହେବ । ଆପଣମାନଙ୍କ ଭଳି ପେସାଦାର ବ୍ୟବସାୟ ବିଶେଷଜ୍ଞଙ୍କର ଏଥିରେ ବିରାଟ ଭୂମିକା ରହିଛି”

ନୂଆଦିଲ୍ଲୀ, (ପିଆବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଏସବି ହାଇଦ୍ରାବାଦର ୨୦ବର୍ଷ ପୂର୍ତ୍ତି ତଥା ପିଜିପି କ୍ଲାସ ୨୦୨୨ର ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିଛନ୍ତି ।
ପ୍ରାରମ୍ଭରେ, ଏହି ପ୍ରତିଷ୍ଠାନକୁ ବର୍ତ୍ତମାନର ଗରିମାମୟ ସ୍ଥାନରେ ପହଞ୍ଚାଇବା ଲାଗି ଯେଉଁମାନଙ୍କର ମହତ୍ବପୂର୍ଣ୍ଣ ଅବଦାନ ରହିଛି ସେମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୧ ମସିହାରେ ଏହି ପ୍ରତିଷ୍ଠାନକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିବା ନେଇ ସେ ସ୍ମୃତିଚାରଣ କରିଥିଲେ । ତା’ପର ଠାରୁ ୫୦ହଜାରରୁ ଅଧିକ ବ୍ୟବସାୟ ପରିଚାଳକ ଆଇଏସବିରୁ ଉତ୍ତୀର୍ଣ୍ଣ ହୋଇ ସାରିଛନ୍ତି । ଆଜି ଏସିଆର ଏକ ପ୍ରମୁଖ ପେସାଦାର ବ୍ୟବସାସ ପରିଚାଳନା ଶିକ୍ଷାନୁଷ୍ଠାନ ଭାବେ ଆଇଏସବି ପରିଚିତ ହୋଇଛି ।
ଆଇଏସବିରୁ ଉତ୍ତୀର୍ଣ୍ଣ ପେସାଦାରମାନେ ଦେଶର ବଡ ବଡ କମ୍ପାନୀଗୁଡିକରେ ନେତୃତ୍ବ ନେବା ସହ ବ୍ୟବସାୟକୁ ଗତି ଦେଇଛନ୍ତି । ଏଠାରେ ବିଦ୍ୟାର୍ଥୀମାନେ ଶହ ଶହ ଷ୍ଟାର୍ଟ ଅପ୍ ସ୍ଥାପନ କରିବା ସହିତ ୟୁନିକର୍ଣ୍ଣ ସୃଷ୍ଟିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । “ଏହା ଆଇଏସପିର ସଫଳତା ଏବଂ ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବ” ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଆଜି ଜି-୨୦ ଦେଶମାନଙ୍କ ମଧ୍ୟରେ ସବୁଠାରୁ ଦ୍ରୁତ ଆର୍ଥିକ ଅଭିବୃଦ୍ଧି ସମ୍ପନ୍ନ ରାଷ୍ଟ୍ର ମାନ୍ୟତା ପାଇଛି । ସ୍ମାର୍ଟଫୋନ ଡାଟା ବ୍ୟବହାରକାରୀଙ୍କ ମଧ୍ୟରେ ଭାରତର ସ୍ଥାନ ପ୍ରଥମ । ଆମେ ଯଦି ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ଦେଖିବା, ତେବେ ସେଥିରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ବୈଶ୍ୱିକ ପାଇକାରୀ ସୂଚୀରେ ମଧ୍ୟ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭାରତରେ ରହିଛି । ବିଶ୍ୱର ତୃତୀୟ ବୃହତମ ଖାଉଟି ବଜାର ମଧ୍ୟ ଭାରତରେ ରହିଛି । ଭାରତ ଆଜି ଅଭିବୃଦ୍ଧିର କେନ୍ଦ୍ରସ୍ଥଳୀ ହେବାକୁ ଯାଉଛି । ଗତବର୍ଷ ସର୍ବାଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଭାରତରେ ହିଁ ହୋଇଥିଲା । ଆଜି ଭାରତର ଅର୍ଥ ‘ବ୍ୟବସାୟ’ – ଏକଥା ସାରା ବିଶ୍ୱ ବୁଝିବା ଆରମ୍ଭ କରିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଅନେକ ସମୟରେ ଭାରତୀୟ ସମାଧାନ ସୂତ୍ର ବିଶ୍ୱରେ ତ୍ୱରାନ୍ୱିତ ହେଉଛି । ତେଣୁ “ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଦିବସରେ ମୁଁ ଚାହୁଁଛି ଯେ ଆପଣମାନେ ନିଜର ବ୍ୟକ୍ତିଗତ ଲକ୍ଷ୍ୟକୁ ଦେଶର ଲକ୍ଷ୍ୟ ସହ ଯୋଡ଼ନ୍ତୁ’’ ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ସଂସ୍କାରର ଆବଶ୍ୟକତା ସବୁବେଳେ ଅନୁଭୂତ ହେଉଥିଲେ ମଧ୍ୟ ଏଥିପାଇଁ ରାଜନୀତିକ ଇଚ୍ଛାଶକ୍ତିର ଅଭାବ ରହିଥିଲା । ଗତ ତିନି ଦଶନ୍ଧି ଧରି ନିରବଚ୍ଛିନ୍ନ ରାଜନୈତିକ ଅସ୍ଥିରତା କାରଣରୁ ଦେଶ ବହୁଦିନ ଧରି ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଦେଖି ଆସିଛି ଏହି କାରଣରୁ ଦେଶ ସଂସ୍କାରଠାରୁ ଦୂରେଇ ରହିବା ସହ ବଡ ନିଷ୍ପତ୍ତି ନେଇପାରିନାହିଁ ।
୨୦୧୪ ପରଠାରୁ ଆମ ଦେଶ ରାଜନୈତିକ ଇଚ୍ଛାଶକ୍ତି ଓ ସଂସ୍କାର ମଧ୍ୟ ଦେଖୁଛି । ସଂସ୍କାର କାର୍ୟ୍ୟକ୍ଷମ ସଂକଳ୍ପ ଓ ଦୃଢ ରାଜନୈତିକ ଇଚ୍ଛାଶକ୍ତି ସହିତ ନିଆଗଲେ ଏହାର ବିପୁଳ ଜନସମର୍ଥନ ମଧ୍ୟ ମିଳିବ ନିଶ୍ଚିତ । ସେ ଜନସାଧାରଣଙ୍କ ମଧ୍ୟରେ ଡିଜିଟାଲ ଦେଣନେଣର ଉଦାହରଣ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାସ୍ଥ୍ୟକ୍ଷେତ୍ରର ଶକ୍ତି ଓ ନମନୀୟତା ବୈଶ୍ୱିକ ମହାମାରୀ କାଳରେ ପ୍ରମାଣିତ ହୋଇସାରିଛି । କୋଭିଡ ଟିକା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା ଯେ ବିଦେଶୀ ଟିକା ଉପଲବ୍ଧ ହେବ କି ନାହିଁ । ମାତ୍ର ଭାରତ ନିଜସ୍ୱ ଟିକା ବିକଶିତ କଲା । ଅନେକ ଟିକା ଉପଲବ୍ଧ ହେବା ସହ ଦେଶରେ ୧୯୦କୋଟି ଟିକା ପ୍ରଦାନ କରାଯାଇ ସାରିଲାଣି । ବିଶ୍ୱର ଶହେରୁ ଅଧିକ ଦେଶକୁ ଭାରତ ଟିକା ପଠାଇ ସାରିଛି। ପ୍ରଧାନମନ୍ତ୍ରୀ ଦେଶରେ ସ୍ୱାସ୍ଥ୍ୟ ଶିକ୍ଷାର ସମ୍ପ୍ରସାରଣ ସମ୍ପର୍କରେ ମଧ୍ୟ କହିଥିଲେ ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ସଂସ୍କାର ପ୍ରକ୍ରିୟାରେ ଅମଲାତନ୍ତ୍ରର ବଳିଷ୍ଠ ଅବଦାନ ରହିଛି । ସରକାରୀ ଯୋଜନାର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ସହଯୋଗକୁ ଶ୍ରେୟ ଦେଇଥିଲେ । ଯେତେବେଳେ ଜନସାଧାରଣଙ୍କ ସହଯୋଗ ମିଳେ ସେତେବେଳେ ଉତ୍ତମ ଫଳାଫଳ ସୁନିଶ୍ଚିତ । ବର୍ତ୍ତମାନର ବ୍ୟବସ୍ଥାରେ ସରକାର ସଂସ୍କାର ଆଣୁଛନ୍ତି, ଅମଲାତନ୍ତ୍ର ଦକ୍ଷ ପ୍ରଦର୍ଶନ କରୁଛି ଏବଂ ଜନଭାଗିଦାରୀ ଯୋଗୁ ବ୍ୟାପକ ପରିବର୍ତ୍ତନ ଆସିଛି । ସଂସ୍କାରର ଏହି ପଦ୍ଧତିକୁ ଭଲଭାବେ ଅନୁଧ୍ୟାନ କରି କାର୍ୟ୍ୟ କରିବାକୁ ସେ ଆଇଏସବି ବିଦ୍ୟାର୍ଥୀଙ୍କୁ ପରାମର୍ଶ ଦେଇଥିଲେ ।
୨୦୧୪ ପରେ ଆମର ଖେଳାଳୀମାନଙ୍କ ଆତ୍ମବିଶ୍ୱାସ ଯୋଗୁଁ ଅପୂର୍ବ ସଫଳତା ହାସଲ ହୋଇଛି ବୋଲି କହିଥିଲେ । ଯେତେବେଳେ ପ୍ରକୃତ ପ୍ରତିଭା ଚିହ୍ନଟ ହେବ, ସେତେବେଳେ ଆତ୍ମବିଶ୍ୱାସ ଆସିବ । ପ୍ରକୃତ ପ୍ରତିଭା ଚିହ୍ନଟ, ଚୟନରେ ସ୍ବଚ୍ଛତା ଓ ଉନ୍ନତ ତାଲିମ ତଥା ପ୍ରତିଯୋଗିତା ଭିତ୍ତିଭୂମି ମଧ୍ୟ ଆବଶ୍ୟକ ବୋଲି ସେ କହିଥିଲେ । ଖେଲୋ ଇଣ୍ଡିଆ ଓ ଟିଓପିଏସ ଭଳି ଯୋଜନା ଯୋଗୁଁ ଯେଉଁ ଅବସ୍ଥାନ୍ତର ‌କ୍ରୀଡା କ୍ଷେତ୍ରରେ ଆସିଛି ଯାହା ସମସ୍ତଙ୍କ ଆଖିଆଗରେ ଅଛି ବୋଲି ସେ କହିଥିଲେ । ସେହିପରି ଆକାଂକ୍ଷୀ ଜିଲ୍ଲା କାର୍ୟ୍ୟକ୍ରମ ସାର୍ବଜନୀନ ନୀତିରେ ଦକ୍ଷତା ଉତ୍ପାଦକତା ଓ ପ୍ରୋତ୍ସାହନ ଆଣିଥିବା ଅନ୍ୟ ଏକ ଉଦାହାରଣ ବୋଲି ସେ କହିଥିଲେ ।
ସେ କହିଥିଲେ ଯେ ବ୍ୟାବସାୟିକ ଦୃଶ୍ୟପଟରେ ପରିବର୍ତ୍ତନ ଘଟି ଆନୁଷ୍ଠାନିକ, ଅଣ ଆନୁଷ୍ଠାନିକ, କ୍ଷୁଦ୍ର ଓ ବୃହତ ବ୍ୟବସାୟ ସେମାନଙ୍କ କାୟା ବିସ୍ତାର କରି କୋଟି କୋଟି ଲୋକଙ୍କୁ କର୍ମନିଯୁକ୍ତି ଦେଉଛନ୍ତି । ଛୋଟ ବ୍ୟବସାୟଗୁଡିକର ଅଭିବୃଦ୍ଧି ନିମନ୍ତେ ଅଧିକ ସୁଯୋଗ ଦେବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ । ନୂତନ ସ୍ଥାନୀୟ ଓ ବୈଶ୍ୱିକ ବଜାର ସହ ସେମାନଙ୍କୁ ଯୋଡିବା ନେଇ ସାହାଯ୍ୟ କରିବାକୁ ସୋ କହିଥିଲେ । ସେମାନଙ୍କ ଅପୂର୍ବ ଦକ୍ଷତା ଥିବା ଦର୍ଶାଇ ଭବିଷ୍ୟତରେ ଭାରତକୁ ପ୍ରସ୍ତୁତ କରିବାକୁ ଆମକୁ ଦେଶର ଆତ୍ମ ନିର୍ଭରଶୀଳ ହେବା ସୁନିଶ୍ଚିତ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଇଏସବି ଭଳି ପ୍ରତିଷ୍ଠାନର ବିଦ୍ୟାର୍ଥୀମାନଙ୍କ ବିରାଟ ଭୂମିକା ରହିଥିବା ସେ ଦେଖୁଥିବାର ପ୍ରକାଶ କରିଥିଲେ । “ଆପଣ ସମସ୍ତ ବୃତ୍ତିଗତ ବ୍ୟବସାୟିକ ବିଶେଷଜ୍ଞମାନଙ୍କ ଏ ଦିଗରେ ବଡ ଭୂମିକା ରହିଛି । ଏହା ଆପଣ ଓ ଦେଶ ପାଇଁ ସେବାର ଏକ ମହାନ୍ ଦୃଷ୍ଟାନ୍ତ ହେବ” ବୋଲି କହି ସେ ଅଭିଭାଷଣ ସମାପ୍ତ କରିଥିଲେ ।

Leave A Reply

Your email address will not be published.