ଓସାକା ହାଇଦ୍ରାବାଦ ଭାର୍ଚୁଆଲ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଅନେକ ହଜିଯାଉଥିବା ଲୋକକଳା ପ୍ରଦର୍ଶିତ

ହାଇଦ୍ରାବାଦ, (କେପିଏନ୍‌ଏସ୍‌) : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ ‘ଓସାକା’ ତରଫରୁ ଏହି ବର୍ଷ ସେପ୍ଟେମ୍ବର ୧୨ ଏବଂ ୧୩ ଦୁଇଦିନ ଧରି ଭର୍ଚୁଆଲ୍‌ ନୂଆଁଖାଇ ଭେଟ୍‌ଘାଟ୍‌ ଆୟୋଜିତ ହୋଇଯାଇଛି । ଏହି ବର୍ଷ ପ୍ରଥମ କରି ଓସାକା ତରଫରୁ ୧୨ ତାରିଖ ଦିନ ପଶ୍ଚିମ ଓଡିଶାର ସୁନାମଧନ୍ୟ ହାସ୍ୟବ୍ୟଙ୍ଗ କବିମାନଙ୍କୁ ନେଇି ‘ଧୁର୍‌କୁଟା ହସିଁ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବିଶିଷ୍ଟ ହାସ୍ୟବ୍ୟଙ୍ଗ କବି ସୁଶୀଲ ମିଶ୍ର, ରସରାଜ ଅଚ୍ୟୁତ ପୁରୋହିତ, ଦୁର୍ଗାମାଧବ ପଣ୍ଡା, ଗୁଣରଂଜନ ସାଲିମା, ଦେବେନ୍ଦ୍ର ସାହୁ ଏବଂ ନିତିଶ ଆଶ୍ଚାର୍ଯ୍ୟ ଯୋଗ ଦେଇଥିଲେ ।


ସେପ୍ଟେମ୍ବର ୧୩ ତାରିଖ ଓସାକା ତରଫରୁ ଆୟୋଜିତ ହୋଇଥିଲା ‘ନିଆରା ନୂଆଁଖାଇ’ । ଏହି ବର୍ଷ ‘ଲୋକାଲ୍‌ ଫର୍‌ ଭୋକାଲ୍‌’ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ମାଧ୍ୟମରେ ଦେଶ ବିଦେଶରେ ପହଂଚାଇବା ପାଇଁ ପଶ୍ଚିମ ଓଡିଶାର ହଜିଯାଇଥିବା ବିଭିନ୍ନ ଲୋକକଳା ବାଦ୍ୟକୁ ଗୁରୁତ୍ୱ ଦିଆ ଯାଇଥିଲା । ପ୍ରଥମ ଥର ପାଇଁ ନାରୀମାନଙ୍କୁ ଝୁଟି କଳା ପ୍ରଦର୍ଶନ ପାଇଁ ଝୁଟିି ପ୍ରତିଯୋଗିତା ହୋଇଥିଲା । ଛୁଆମାନଙ୍କୁ ପ୍ରୋତ୍ସାହନ ପାଇଁ ‘ମାଟିର ମେଧା’ ନାମରେ ନାଚ, ଗୀତ, କବିତା ପାଠ, ଅଭିନୟ, ଫେନ୍‌ସି ଡ୍ରେସ ଆଦି ପ୍ରତିଯୋଗିତା ହୋଇଥିଲା । ଏହି ଭେଟ୍‌ଘାଟ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଲଧର ନାଗ, ଡ. ଅଟଲ ବିହାରୀ ପଣ୍ଡା, ଡ. ତପସ୍ୱିନୀ ଗୁରୁ ଅତିଥି ବାର୍ତା ଦେଇଥିଲେ । ଗୁରୁଶ୍ରୀ ଡ. ଘାସିରାମ ମିଶ୍ର ଏବଂ ବିଶିଷ୍ଟ ଶିଳ୍ପୀ ଅନ୍ତର୍ଯ୍ୟାମୀ ମେହେର ବାର୍ତ୍ତା ମାଧ୍ୟମରେ ପ୍ରତିଯୋଗୀମାନଙ୍କୁ ପ୍ରତିଯୋଗିତାର କେଉଁ ବିଷୟରେ ଧ୍ୟାନ ଦେଲେ ବିଜୟୀ ହୋଇ ପାରିବେ, ସେ ବିଷୟରେ ଆଲୋକପାତ କରିଥିଲେ ।


ବିଶିଷ୍ଟ ଶବ୍ଦ ନୃତ୍ୟ ଗବେଷକ ଭଗବାନ ପଧାନ ତଥା ବୀରସୁରେନ୍ଦ୍ର ସାଏ କଳାକାର ଭୁବନ ଭୋଇଙ୍କ ସାକ୍ଷାତକାର ସହ ସାମୁହିକ ନୂଆଖାଇଁ ପାଳନ କରୁଥିବା ଜଲିଆ, ଡାହିମାଲ ଗାଁବାସୀଙ୍କ ବାର୍‌ତା ପ୍ରଦର୍ଶିତ ହୋଇଥିଲା । ପଦ୍ମଶ୍ରୀ ହଲଧର ନାଗଙ୍କ ନାଚଗୀତ ସହ ଶଙ୍କର ବେହେରଙ୍କ ଦ୍ୱେତ କଣ୍ଠରେ ରଙ୍ଗବତୀ ଗୀତ ବିଶେଷ ଆକର୍ଷଣୀୟ ଥିଲା । ମୁର୍‌ସୁଣ୍ଡ ଗାଁର ମଧୁମୟ ବିଶ୍ୱାଲଙ୍କ ନିର୍ଦ୍ଦେଶିତ ତଥା ଛୁଆମାନଙ୍କ ଅଭିନୀତ ନୂଆଁଖାଇ ପରମ୍ପରା ଉପରେ ଆଧାରିତ ନାଟକ ମନଛୁଆଁ ଥିଲା । ଦିଲୀପ ଦୀପଙ୍କ ଛଟକା ସହ ସାନ ବଡ଼ ଘୁଡ୍‌କା ନୃତ୍ୟ ମାଧ୍ୟମରେ ଦର୍ଶକମାନଙ୍କର ମନୋରଂଜନ ହୋଇଥିଲା । ପଙ୍କଜ ଜାଲ, ସର୍ବେଶ୍ୱର ଭୋଇ, ମାନସୀ ପାଣିଗ୍ରାହୀ ଭଳି ସୁନାମଧନ୍ୟ କଳାକାର ଗୀତ ପରିବେଷଣ ସହ ଯୁବ କଳାକାର ପ୍ରସନ୍ନା, ସୁଶ୍ରୀ ସଂଗୀତା ରାଉତ, ପ୍ରତାପ ସାହୁ, ସୌରଭ ପଣ୍ଡା ସହ ଜୀ ସାରେଗାମା ଲିଟିଲ ଚାମ୍ପ୍‌ସ ଫେମ୍‌ ସୁଶ୍ରୀ ଶକ୍ତି ସ୍ୱରୁପା ପଣ୍ଡାଙ୍କ ନିଜର ସୁମଧୁର ଗୀତ ମାଧ୍ୟମରେ ଦର୍ଶକକୁ ଉତ୍ସାହିତ କରିଥିଲେ ।


ଦୁଲାବିହା ସାଂସ୍କୃତିକ ପରିଷଦ ଘେଁସ, ଚୌଧୁରୀ ବିଭାରଙ୍କର ପଏଁରୀ, ମୟୁରୀ, କୃଷ୍ଣପ୍ରିୟା କଳାପରିଷଦ, ଭି.ଏସ୍‌.ଏସ୍‌. ଆଖଡା ଶବଦ୍‌ ଗବେଷଣା କେନ୍ଦ୍ର, ସଂଗୀତ ସାଧନା ଆଦି ସାଂସ୍କୃତିକ ଦଳ ଯୋଗ ଦେଇଥିଲେ । ପଶ୍ଚିମ ଓଡିଶାର ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ କୁମ୍ଭାରୀ ଗାଁର ଭିଏସ୍‌ଏସ୍‌ ଆଖଡାର କଳାକାରମାନେ ।
ସବୁଠାରୁ ନିଆରା ଥିଲା ପଶ୍ଚିମ ଓଡିଶାର ହଜିଯାଇଥିବା ଲାଉବିଣା, ବିନା କାରିଆ, ସବର ସବରେନ୍‌, ଡଁଣ, ନଚ୍‌ନିଆଁ, କରମସାନି, କେନ୍ଦରା, ସାରଙ୍ଗୀ, ବାହାକ, ସଂଚାର, ଗଉରବାଡି, ଡାଲ୍‌ଖାଇ ଆଦି ଲୋକକଳା କାର୍ଯ୍ୟକ୍ରମ ।
ଏହି କାର୍ଯ୍ୟକ୍ରମରେ ଆମେରିକାରୁ ଜୟନ୍ତ ମହନ୍ତ, ନିଉଜିଲାଣ୍ଡରୁ ଝଙ୍କାର ପାତ୍ର, ଇଟାଲୀରୁ ଜିମ୍ମି କର୍‌କରିଆ ଆଦି ଯୁବମେଧା ଯୋଗ ଦେଇଥିଲେ । ଇଟାଲିରେ ଅଧ୍ୟୟନରତ ଜିମ୍ମି କରକରିଆଙ୍କ ନିର୍ଦ୍ଦେଶନାରେ ଆୟୋଜିତ ସମ୍ବଲପୁରୀ ଶାଢୀର ଫେସନ୍‌ ସୋ କାର୍ଯ୍ୟକ୍ରମ ପ୍ରଶଂସନୀୟ ଥିଲା ।


ଏହି କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ସଂଯୋଜନା କରିଥିଲେ ଯୁବ ପ୍ରତିଭା ଶ୍ରୀ ଅର୍ଜୁନ କୁମାର ସାହୁ, ସୁଶ୍ରୀ ମାନସୀ ସାହୁ ଏବଂ ଶିଶୁ ପ୍ରତିଭା ପ୍ରିୟଙ୍କା ସାହୁ । ଓସାକାର ସଭାପତି ଅନନ୍ତ ବିଶ୍ୱାଲ ଏବଂ ସଂପାଦକ ରାମକୃଷ୍ଣ ବାରିକଙ୍କ ନୂଆଁଖାଇ ବାର୍‌ତା ସହ ଶେଷରେ ଉପସଭାପତି ଶଙ୍କର ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.