ଦଶହରାରେ ନିର୍ବାଚନୀ ବିଗୁଲ ବଜାଇଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ହିମାଚଳ ପ୍ରଦେଶ ଗସ୍ତରେ ଯାଇଛନ୍ତି । ଏହି ସମୟରେ ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି । ବିଲାସପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ହିମାଚଳ ପ୍ରଦେଶର ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇଛନ୍ତି । ଏହା ମୋଦୀଙ୍କର ନିର୍ବାଚନୀ ବିଗୁଲ ବୋଲି ଚର୍ଚ୍ଚା ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପୂର୍ବରୁ ରାଜ୍ୟରେ କ୍ଷମତାରେ ଥିବା କଂଗ୍ରେସକୁ ସମାଲୋଚନା କରିଥିଲେ । ପୂର୍ବତନ କଂଗ୍ରେସ ସରକାର କେବଳ ଶିଳାନ୍ୟାସ କରୁଥିଲେ । ସେମାନେ ପ୍ରକୃତ ବିକାଶମୂଳକ ପ୍ରକଳ୍ପକୁ ନିର୍ବାଚନ ସରିବା ସହ ଭୁଲି ଯାଉଥିଲେ । ହେଲେ ଭାଜପା ସରକାର କେବଳ ଶିଳାନ୍ୟାସ କରେ ନାହିଁ । ବିଜେପି ସରକାର ବିକାଶ ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରେ ବୋଲି ମୋଦୀ କହିଛନ୍ତି । ସୂଚନାଯୋଗ୍ୟ, ୨୦୨୩ ଜାନୁଆରୀ ୮ରେ ହିମାଚଳ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ । ତେଣୁ ନଭେମ୍ବର ପ୍ରଥମ କିମ୍ବା ଶେଷ ଭାଗରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ପ୍ରଚାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା କୁହାଯାଉଛି ।

Leave A Reply

Your email address will not be published.