jayashree

ଅଷ୍ଟମ ଦିନରେ ମହାଯୁଦ୍ଧ : ଖାର୍‌କିଭ୍‌ ସହର ହୁ ହୁ ହୋଇ ଜଳୁଛି, କିଭ୍‌ ଉପରେ ଅସମ୍ଭାଳ ବୋମା, ମିସାଇଲ୍‌ ବର୍ଷଣ

କିଭ୍‌ : ଅଷ୍ଟମ ଦିନରେ ପହଂଚିଛି ରୁଷ୍‌-ୟୁକ୍ରେନ୍‌ ମହାଯୁଦ୍ଧ । କେହି ବି ପଛକୁ ଘୁଂଚିବାକୁ ନାରାଜ । ଅଗଣିତ ଲୋକଙ୍କ ଅକାରଣେ ଜୀବନ ଯାଉଥିବା ବେଳେ ଅପର୍ଯ୍ୟାପ୍ତ ୟୁକ୍ରେନ୍‌ ସଂପତ୍ତି ନଷ୍ଟ ହେବାରେ ଲାଗିଛି । ୟୁକ୍ରେନ୍‌ର ବହୁ ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇ ସାରିଥିବା ବେଳେ ଖାର୍‌କିଭ୍‌ ସହର ଏବେ ହୁ ହୁ ହୋଇ ଜଳୁଛି । କିଭ୍‌ ଉପରେ ଅସମ୍ଭାଳ ବୋମା, ମିସାଇଲ୍‌ ବର୍ଷଣ ଚାଲିଥିବା ବେଳେ ସାଧାରଣ ଲୋକେ ପଡେ଼ାଶୀ ଦେଶଗୁଡ଼ିକୁ ଲକ୍ଷ ଲକ୍ଷ ସଂଖ୍ୟାରେ ପଳାୟନ କରି ସାରିଛନ୍ତି । ଏବେ ଏବେ କିଭ୍‌ର ଏକ ତୈଳ ଡିପୋକୁ ରୁଷ୍‌ ଦ୍ୱାରା ମିସାଇଲ୍‌ ମାଡ଼ କରାଯାଇଥିବା ବେଳେ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି ତୈଳ ଡିପୋର ୬ଟି ବିଶାଳକାୟ ତୈଳ ଟ୍ୟାଙ୍କ । କେବଳ ଏତିକି ନୁହେଁ, ଏଥିରେ ୨୫ ଜଣଙ୍କ ପ୍ରାଣହାନୀ ଘଟିଥିବା କୁହାଯାଉଛି । ଖାର୍‌କିଭ୍‌ରେ ୟୁନିଭର୍‌ସିଟି, ଡାକ୍ତରଖାନା ଉପରେ ମଧ୍ୟରେ ଆକ୍ରମଣ କରିଛି ରୁଷ୍‌ । ବଙ୍କର ତଳେ ଲୁଚିବା ପାଇଁ ୟୁକ୍ରେନ୍‌ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ କୁହାଯାଉଥିବା ବେଳେ ରୁଷ୍‌ର ବଡ଼ ଧରଣର ଆକ୍ରମଣ ସମ୍ଭାବନା ରହିଥିବା ଏବେ ଅନୁମାନ କରାଯାଉଛି । ଲଗାତାର ୮ ଦିନ ହେଲା ରୁଷ୍‌ର ଆଖିବୁଜା ବୋମା, ମିସାଇଲ୍‌ ମାଡ଼ରେ ଛାର୍‌ଖାର୍‌ ହେବାରେ ଲାଗିଛି ୟୁକ୍ରେନ୍‌ । ନାଟୋ ୟୁକ୍ରେନ୍‌ର ମନୋବଳ ବଢ଼ାଉଥିବା ଦେଖିବାକୁ ମିଳିଛି । ୟୁକ୍ରେନ୍‌କୁ ବିଭିନ୍ନ ଦେଶ ପକ୍ଷରୁ ଯୁଦ୍ଧ ସହାୟତା ଦିଆଯାଉଥିଲେ ମଧ୍ୟ ଯଥୋଚିତ ସହାୟତାର ଅଭାବରେ ନିଜେ ନିଜେ ନିଜ ଦେଶକୁ ରକ୍ଷା କରିବାରେ ଲାଗିଛି ୟୁକ୍ରେନ୍‌ । ଅନ୍ୟପଟେ ହଜାର ହଜାର ଭାରତୀୟ ଏପର୍ଯ୍ୟନ୍ତ ୟୁକ୍ରେନ୍‌ରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ରୁଷ୍‌-ୟୁକ୍ରେନ୍‌ ଯବାନ୍‌ଙ୍କ ଗୁଳି ବିନିମୟରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇ ସାରିଥିବା ବେଳେ ଇତିମଧ୍ୟରେ ରୋଗାଗ୍ରସ୍ତ ଅନ୍ୟଜଣେ ଭାରତୀୟ ଛାତ୍ରଙ୍କ ମଧ୍ୟ ମୃତ୍ୟୁ ଘଟି ସାରିଥିବା ଜଣାପଡ଼ିଛି ।

ଯୁଦ୍ଧ ଚାଲିଛି ଅବିରାମ । ଯୁଦ୍ଧର ରେରେକାର୍‌ରେ ଥରି ଉଠୁଛି ୟୁକ୍ରେନ୍‌ ମାଟି । ତୁହାକୁ ତୁହା ବୋମା ମାଡ଼ରେ ଚୁର୍‌ମାର୍‌ ହେବାରେ ଲାଗିଛି ଖାରକିଭ୍‌ ସହ ଅନ୍ୟାନ୍ୟ ସହର । ଯୁଦ୍ଧ ରୋକିବାରେ କୌଣସି ଦେଶ ମଧ୍ୟ ସକ୍ଷମ ହୋଇ ପାରୁନାହାନ୍ତି । ଦୁଇ ଦେଶ ମଧ୍ୟରେ ଶାନ୍ତି କଥାବାର୍ତ୍ତା ମଧ୍ୟ ବାରମ୍ବାର ବିଫଳ ହେଉଥିବା ଦେଖିବାକୁ ମିଳିଛି । ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଭିତ୍ତିଭୂମି ସୃଷ୍ଟି କରୁଥିବା ବିଶେଷଜ୍ଞମାନେ ମତ ଦେଉଥିବା ବେଳେ ସାରା ବିଶ୍ୱ ପାଇଁ ଏବେ ଚିନ୍ତା ବଢ଼ାଇଛି ଏହି ଯୁଦ୍ଧ ।

Leave A Reply

Your email address will not be published.