ୟୁଏଇର ଜଳବାୟୁ ରାଷ୍ଟ୍ରଦୂତ ତଥା ଶିଳ୍ପ ଓ ଆଧୁନିକ ପ୍ରଯୁକ୍ତି ମନ୍ତ୍ରୀ ମହାମହିମ ଡକ୍ଟର ସୁଲତାନ ଅଲ ଜବେରଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ

• ଜଳବାୟୁ କାର୍ଯ୍ୟାାନୁଷ୍ଠାନ ଉପରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଏବଂ ବଢ଼ାଇବା ଲାଗି ଏକ ଫ୍ରେମୱର୍କ ପ୍ରତିଷ୍ଠା ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ
• ବିଶେଷ କରି ଆର୍ଥିକ ଓ ପ୍ରଯୁକ୍ତି ସମେତ କାର୍ୟ୍ୟକାରୀ ସହାୟତା କ୍ଷେତ୍ରରେ ଆମକୁ ବିକାଶଶୀଳ ରାଷ୍ଟ୍ରମାନଙ୍କ ଚିନ୍ତା ପ୍ରତି ପ୍ରାଥମିକତା ଦେବାକୁ ହେବ : ଭୂପେନ୍ଦ୍ର ଯାଦବ

ନୂଆଦିଲ୍ଲୀ, (ପିଆଇବି) : ୟୁଏଇର ଜଳବାୟୁ ରାଷ୍ଟ୍ରଦୂତ ତଥା ଶିଳ୍ପ ଓ ଆଧୁନିକ ପ୍ରଯୁକ୍ତି ମନ୍ତ୍ରୀ ମହାମହିମ ଡକ୍ଟର ସୁଲତାନ ଅଲ ଜବେରଙ୍କ ସହିତ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଏକ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି । ସେମାନେ ଜଳବାୟୁ ପରିବର୍ତ୍ତନ, ସିଓପି ୨୮ ଆୟୋଜନ ଏବଂ ଅନ୍ୟାନ୍ୟ ତତ୍ସଂକ୍ରାନ୍ତ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଦ୍ବିପାକ୍ଷିକ ବୈଠକ ପୂର୍ବରୁ ମାନନୀୟ ମନ୍ତ୍ରୀମାନେ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ୟ୍ୟାନୁଷ୍ଠାନ ଉପରେ ଏକ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ । ଏହି ବୁଝାମଣାପତ୍ରର ମୂଳ ଉଦ୍ଦେଶ୍ୟ ହେଉଛି ଜଳବାୟୁ କାର୍ୟ୍ୟାନୁଷ୍ଠାନ ଉପରେ ଦ୍ବିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଓ ବଢ଼ାଇବା ଲାଗି ଏକ ଫ୍ରେମୱର୍କ ପ୍ରତିଷ୍ଠା କରିବା । ଏହା ମଧ୍ୟ ପ୍ୟାରିସ ରାଜିନାମାକୁ କାର୍ୟ୍ୟକାରୀ କରିବା କ୍ଷେତ୍ରରେ ଯୋଗଦାନ ଦେଇପାରିବ ।
ଦ୍ବିପାକ୍ଷିକ ବୈଠକ ଅବସରରେ, କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଥିଲେ ଯେ, ୟୁଏଇ ୨୦୨୩ରେ ସିଓପି ୨୮ ଆୟୋଜନ କରିବ । ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ବିଶେଷ କରି ଆର୍ଥିକ ଓ ପ୍ରଯୁକ୍ତି କ୍ଷେତ୍ର ସମେତ କାର୍ୟ୍ୟକାରୀ ସହାୟତା କ୍ଷେତ୍ରରେ ଆମକୁ ବିକାଶଶୀଳ ରାଷ୍ଟ୍ରମାନଙ୍କ ଚିନ୍ତା ପ୍ରତି ପ୍ରାଥମିକତା ଦେବାକୁ ହେବ ।

କେନ୍ଦ୍ର ପରିବେଶ ମନ୍ତ୍ରୀ ଏହି ଅବସରରେ ଜୋର ଦେଇ କହିଥିଲେ ଯେ, ସିଓପି ୨୬ ପରବର୍ତ୍ତୀ ସମୟରେ, ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ପାଣ୍ଠି ଯୋଗାଣ, ଅନୁକୂଳ ପଦକ୍ଷେପ ଗ୍ରହଣ, କ୍ଷତି ଓ ହାନି ଭଳି ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି । ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ୟୁଏଇ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଶ୍ରୀ ଯାଦବ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଓ ସକ୍ଷମ ନେତୃତ୍ବରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ପକ୍ଷରୁ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ବିପର୍ଯ୍ୟୟ ପ୍ରଶମନକ୍ଷମ ଭିତ୍ତିଭୂମି ମେଣ୍ଟ (ସିଡିଆରଆଇ) ଏବଂ ଶିଳ୍ପ ପରିବର୍ତ୍ତନ ପାଇଁ ନେତୃତ୍ବ ଗୋଷ୍ଠୀ (ଲିଡ୍ ଆଇଟି)ରେ ଯୋଗ ଦେବା ନିମନ୍ତେ କେନ୍ଦ୍ର ମନ୍ତ୍ରୀ ୟୁଏଇକୁ ଅନୁରୋଧ କରିଥିଲେ ।

ଉଭୟ ପକ୍ଷ ଏହା ସ୍ବୀକାର କରିଥିଲେ ଯେ, ବୁଝାମଣାପତ୍ର ସ୍ବାକ୍ଷରିତ ହେବା ପରେ ଦୁଇ ଦେଶ ଆପୋସ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନିମନ୍ତେ ଉପଯୁକ୍ତ ମାର୍ଗର ସନ୍ଧାନ କରିପାରିବେ । ବିଶେଷ କରି ବୁଝାମଣପତ୍ରରେ ନିର୍ଦ୍ଧାରିତ କ୍ଷେତ୍ର ଓ କାର୍ୟ୍ୟକ୍ରମ ଜରିଆରେ ଏ ଦିଗରେ ଉଭୟ ପକ୍ଷ ପଦକ୍ଷେପ ଗ୍ରହଣ କରିବେ ।

Leave A Reply

Your email address will not be published.