ନୂଆଦିଲ୍ଲୀ, (ପିଆଇବି) : ମହର୍ଷି ଅରବିନ୍ଦଙ୍କର ୧୫ଠତମ ଜନ୍ମ ଦିବସ ଏବଂ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଶ୍ରୀ ଅରବିନ୍ଦଙ୍କର ଜୀବନାଦର୍ଶ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ୭୫ଟି ଜେଲରେ ଆୟୋଜନ କରାଯିବ । ଅଗଷ୍ଟ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ଦେଶର ଗୁରୁତ୍ୱପୂର୍ଣ୍ଣ ଜେଲଗୁଡ଼ିକରେ ଏହି କାର୍ଯ୍ୟକ୍ରମ ଶ୍ରୀ ଅରବିନ୍ଦଙ୍କ ସ୍ମରଣରେ ହେଉଛି ।
ଏହି କାର୍ଯ୍ୟକ୍ରମରେ ଯୋଗ ଏବଂ ଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇ ଶ୍ରୀ ଅରବିନ୍ଦଙ୍କ ଜୀବନୀ ଓ ଆଦର୍ଶ ଆଧାରରେ ଜେଲର ଅନ୍ତେବାସୀମାନଙ୍କ ଜୀବନରେ ପରିବର୍ତ୍ତନ ଅଣାଯିବା ଉଦେଶ୍ୟ ରଖାଯାଇଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମ ସମ୍ପର୍କରେ କହିଛନ୍ତି ଯେ ଜେଲରେ ବନ୍ଦୀ ଜୀବନ ବିତାଉଥିବା ଲୋକଙ୍କର ଜୀବନରେ ପରିବର୍ତ୍ତନ ଆବଶ୍ୟକ । ଏହି ପରିବର୍ତ୍ତନ ଆତ୍ମ ଚିନ୍ତନ ଓ ଅନୁଭବ ମାଧ୍ୟମରେ ଘଟିପାରିବ । ସେମାନଙ୍କ ଜୀବନରେ ଶ୍ରୀ ଅରବିନ୍ଦଙ୍କ ଆଦର୍ଶ ଏକ ନୂଆ ଅନୁଭବ ଓ ପରିବର୍ତ୍ତନ ଆଣି ନୂଆ ଜୀବନ ଆରମ୍ଭ ପାଇଁ ମାର୍ଗଦର୍ଶନ କରିବ ।
ଦେଶର ଆଧ୍ୟାତ୍ମିକ ଗୁରୁମାନଙ୍କ ସହଯୋଗରେ ସଂସ୍କୃତ ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମ ସମ୍ପାଦନା କରିବ। ଦେଶର ସ୍ୱାଧୀନତା ସଂଗ୍ରାମ ସହିତ ଜଡ଼ିତ ଦେଶର ୭୫ଟି ଜେଲକୁ ଏହି କାର୍ଯ୍ୟକ୍ରମ ପାଇଁ ଚିହ୍ନଟ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ରାମକୃଷ୍ଣ ମିଶନ, ପତଞ୍ଜଳୀ, ଆର୍ଟ ଅଫ ଲିଭିଙ୍ଗ, ଈଶା ଫାଉଣ୍ଡେସନ ଏବଂ ସତସଙ୍ଗ ଫାଉଣ୍ଡେସନ ସହିତ ଯୋଗାଯୋଗ କରାଯାଇଛି । ଦେଶର ୨୩ଟି ରାଜ୍ୟରେ ଯୋଗ, ଧ୍ୟାନ ଏବଂ ଶ୍ରୀ ଅରବିନ୍ଦଙ୍କ ନୈତକି ବାଣୀ ଜେଲର ଅନ୍ତେବାସୀମାନଙ୍କୁ ଶିକ୍ଷା ଦିଆଯିବ ।