ଲିଭ୍‌-ଇନ୍‌ରେ ରହୁଥିବା ୩୨ ବର୍ଷୀୟା ମହିଳାଙ୍କୁ ୫୬ ବର୍ଷୀୟ ପୁରୁଷ ସାଥୀ ହତ୍ୟା କରି ମହିଳାଙ୍କ ଦେହକୁ ଖଣ୍ଡ ଖଣ୍ଡ କରି କୁକରରେ ସିଝାଇଲା

ମୁମ୍ବାଇ : ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ମୁମ୍ବାଇରେ ମଧ୍ୟ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ମୁମ୍ବାଇର ମୀରା ରୋଡ ଅଞ୍ଚଳର ଆକାଶଗଙ୍ଗା ସୋସାଇଟିରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । କେବଳ ଏତିକି ନୁହେଁ, ପ୍ରମାଣ ନଷ୍ଟ କରିବା ପାଇଁ ହତ୍ୟାକାରୀ ଏକ କୁକରରେ ମହିଳାଙ୍କ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ସିଝାଇ ଦେଇଛି । ପୋଲିସ ଘଟଣାସ୍ଥଳରୁ ମହିଳାଙ୍କ ଶରୀରର ଅନେକ ଖଣ୍ଡ ଉଦ୍ଧାର କରିଛି । ପୋଲିସ କହିଛି ଯେ, ୩୨ ବର୍ଷୀୟା ଜଣେ ମହିଳାଙ୍କ ସହ ୫୬ ବର୍ଷୀୟ ଜଣେ ପୁରୁଷ ଲିଭ୍‌-ଇନ୍ ସମ୍ପର୍କରେ ରହୁଥିଲେ । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ମହିଳାଙ୍କ ଗଳା କାଟି ହତ୍ୟା କରାଯାଇଥିଲା ଏବଂ ପରେ ତାଙ୍କ ଶରୀରକୁ ଅନେକ ଖଣ୍ଡରେ କାଟି ଦିଆଯାଇଥିଲା ।

ଡିସିପି ଜୟନ୍ତ ବାଜବାଲେ କହିଛନ୍ତି, ମୃତ ମହିଳା ୩୨ ବର୍ଷୀୟ ସରସ୍ୱତୀ ବୈଦ୍ୟ ବୋଲି ଜଣାପଡିଛି । ସେ ଆକାଶଗଙ୍ଗା ସୋସାଇଟିରେ ଥିବା ଏକ ଭଡା ଘରେ ୫୬ ବର୍ଷୀୟ ବନ୍ଧୁ ମନୋଜ ସାହନିଙ୍କ ସହ ରହୁଥିଲେ । ପୋଲିସ କହିଛି ଯେ, ସମଗ୍ର ଘଟଣାର ତଦନ୍ତ ଚାଲିଛି । ଫ୍ଲାଟରୁ ବାହାରୁଥିବା ଦୁର୍ଗନ୍ଧ ପରେ ପଡୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସୋସାଇଟିର ସପ୍ତମ ମହଲାରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା । ପୋଲିସ ଅଧିକାରୀ କହିଛନ୍ତି ଯେ, ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଅନେକ ଖଣ୍ଡରେ କାଟି ଦିଆଯାଇଥିଲା । ଦୁର୍ଗନ୍ଧ ବିସ୍ତାର ନହେବା ପାଇଁ ଅଭିଯୁକ୍ତ ମୃତ ଶରୀରର ଖଣ୍ଡଗୁଡ଼ିକୁ ଏକ କୁକର୍‌ରେ ଫୁଟାଇ ଦେଇଥିଲା । ଏହା ସତ୍ତ୍ୱେ ପଡୋଶୀମାନେ ଅଜବ ଗନ୍ଧ ଯୋଗୁଁ ବିବ୍ରତ ହୋଇ ସେମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.