କାନପୁର-ଆହ୍ଲାବାଦ ରାସ୍ତାରେ ଭୟଙ୍କର ଦୁର୍ଘଟଣା : ୧୭ ଜଣଙ୍କର ମୃତ୍ୟୁ, ଚାରି ଜଣ ଆହତ ହୋଇଛନ୍ତି

ଆହ୍ଲାବାଦ : ମଙ୍ଗଳବାର ସନ୍ଧ୍ୟାରେ ଉତ୍ତରପ୍ରଦେଶର କାନପୁର-ଆହ୍ଲାବାଦ ଜାତୀୟ ରାଜପଥରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ପୁଣି ୪ ଜଣ ଆହତ ହୋଇଛନ୍ତି । ଗଣମାଧ୍ୟମ ଅନୁଯାୟୀ କାନପୁର ବାହ୍ୟ ପୋଲିସ ଅଧୀକ୍ଷକ ଅଷ୍ଟଭୁଜ ପ୍ରସାଦ ସିଂ କହିଛନ୍ତି ଯେ, ସଚେଣ୍ଡି ନାମକ ଏକ ସ୍ଥାନରେ ଦ୍ରୁତ ଗତିରେ ଆସୁଥିବା ବସ୍ ଏକ ଟେମ୍ପୋକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । ମୁହାଁମୁହିଁ ଧକ୍କା ହେବା ଫଳରେ ଗାଡି ରାସ୍ତାର ଅପର ପାର୍ଶ୍ୱରେ ପଡିଯାଇଥିଲା । ବସ୍ ଅନିୟନ୍ତ୍ରିତ ଭାବରେ ଓଲଟି ପଡି ଖାଲରେ ଖସି ପଡିଥିଲା ।

କାନପୁର ପୋଲିସ କମିଶନର ଅସୀମ ଅରୁଣ କହିଛନ୍ତି ଯେ, ଉନ୍ନାଓରୁ ଗୁଜୁରାଟକୁ ଯାଉଥିବା ଏକ ଘରୋଇ ବସ୍ ଆଗରେ ଥିବା ଏକ ଟେମ୍ପୋ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବସ୍ ଓଲଟି ପଡିଥିଲା ​​ଏବଂ ଟେମ୍ପୋ ମଧ୍ୟ ଚୁର୍‌ମାର୍‌ ହୋଇଯାଇଥିଲା ।ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ପ୍ରଥମେ ସେଠାରେ ପହଞ୍ଚି ଆହତମାନଙ୍କୁ ବାହାର କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ କାନପୁରର ଲାଲା ଲଜପତ ରାୟ ଡାକ୍ତରଖାନାକୁ ପଠାଇଥିଲା, ଯେଉଁଠାରେ ଡାକ୍ତରମାନେ ୧୬ ଜଣ ଆହତଙ୍କୁ ମୃତ ଘୋଷଣା କରିଥିଲେ । ଚିକିତ୍ସା ସମୟରେ ପୁଣି ଜଣେ ଆହତଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ଚାରିଜଣ ଆହତଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.