ଭାରତରେ କୋଭିଡ ମୃତ୍ୟୁହାର ୨ ପ୍ରତିଶତରୁ କମ୍‌, ବିଶ୍ୱରେ ଅନ୍ୟତମ ସର୍ବନିମ୍ନ

• ଆରୋଗ୍ୟ ହାର ବୃଦ୍ଧି ପାଇ ଗତକାଲି ୭୨ ପ୍ରତିଶତରେ
• କୋଭିଡ ପରୀକ୍ଷଣ ପାଖାପାଖି ୩ କୋଟିରେ

ନୂଆଦିଲ୍ଲୀ, (ପିଆଇବି) : ଭାରତରେ କରୋନା ସଂକ୍ରମିତଙ୍କ ମୃତ୍ୟୁହାର କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି । ଏବେ ଭାରତରେ ଏହି ମୃତ୍ୟୁହାର ବିଶ୍ୱରେ ଅନ୍ୟତମ ସର୍ବନିମ୍ନ । ଗତକାଲି ସୁଦ୍ଧା ଏହି ହାର ୧.୯୩ ଶତାଂଶ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସମନ୍ୱିତ ଉଦ୍ୟମ ଫଳରେ କୋଭିଡ୍‌ ମୃତ୍ୟୁହାର କମିବାରେ ଲାଗିଛି ଏବଂ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି ।
ଆମେରିକାରେ ୫୦ ହଜାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପାଇଁ ୨୩ ଦିନ ଲାଗିଥିବା ବେଳେ ବ୍ରାଜିଲରେ ଏହା ୯୫ ଦିନ ଓ ମେକ୍ସିକୋରେ ୧୪୧ ଦିନ । ଭାରତରେ ଏହି ମୃତ୍ୟୁସଂଖ୍ୟା ଟପିବା ପାଇଁ ୧୫୬ ଦିନ ଲାଗିଛି ।
କରୋନା ଆକ୍ରାନ୍ତଙ୍କୁ ହସପିଟାଲରେ ଚିକିତ୍ସା, ସ୍ୱଳ୍ପ ଆକ୍ରାନ୍ତଙ୍କୁ ଘରୋଇ ଏକାନ୍ତବାସରେ ରଖି ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖିବା, ନନ୍‌ଇନ୍‌ଭେସିଭ ଅକ୍ସିଜେନ ସପୋର୍ଟ, ରୋଗୀଙ୍କ ଯିବା ଆସିବା ପାଇଁ ଉତ୍ତମ ଆମ୍ବୁଲାନ୍ସ ସେବା ଓ ଉପଯୁକ୍ତ ଚିକିତ୍ସା ଫଳରେ ଭାରତରେ କରୋନା ସଂକ୍ରମଣ ଏକପ୍ରକାର ନିୟନ୍ତ୍ରିତ ଅବସ୍ଥାରେ ରହିଛି । ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ୟମ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଛି । ଚିକିତ୍ସା କ୍ଷେତ୍ରରେ ଓ ରୋଗୀଙ୍କୁ ଠାବ କରିବାରେ ଡାକ୍ତର ଏବଂ ଆଶାକର୍ମୀମାନେ ଅହର୍ନିଶ କାର୍ୟ୍ୟ କରୁଛନ୍ତି । କୋଭିଡ୍‌ ଚିକିତ୍ସାରେ ଦିଲ୍ଲୀ ଏମ୍ସର ବିଶେଷଜ୍ଞମାନେ ବୈଷୟିକ ପରାମର୍ଶ ଟେଲି କନ୍‌ସଲଟେସନ ଜରିଆରେ ଯୋଗାଉଛନ୍ତି । ସମଗ୍ର ବ୍ୟବସ୍ଥାଟି ସୁସଂହତ ଓ ଶୃଙ୍ଖଳିତଭାବେ ଚାଲିଥିବାରୁ ଭାରତର କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବା କେସ୍‌ ଫାର୍ଟାଲିଟି ରେଟ୍‌ ବିଶ୍ୱହାରଠାରୁ ତଳେ ରହିଛି । ସରକାରଙ୍କ ସକ୍ରିୟ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା ଫଳରେ ରୋଗୀମାନଙ୍କୁ ଚିହ୍ନଟ କରି ତୁରନ୍ତ ପରୀକ୍ଷା କରାଯାଇ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଫଳରେ ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବୃଦ୍ଧି ପାଉଛି । ପ୍ରତିଦିନ ଅଧିକରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଗତକାଲି ସୁଦ୍ଧା ଆରୋଗ୍ୟଙ୍କ ହାର ପ୍ରାୟ ୭୨ ଶତାଂଶରେ ପହଞ୍ଚିଛି ଏବଂ ଆହୁରି ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବେ ବୋଲି ସୂଚନା ମିଳୁଛି । ଗତକାଲି ୨୪ ଘଣ୍ଟା ମଧ୍ୟରେ ୫୩,୩୨୨ ରୋଗୀ ସୁସ୍ଥ ହେବାପରେ ସେମାନଙ୍କୁ ହସ୍ପିଟାଲରୁ ଛାଡି ଦିଆଯାଇଛି । ଏଥିସହିତ ମୋଟ କୋଭିଡ୍‌ ମୁକ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୮ ଲକ୍ଷ ୬୨ ହଜାର ୨୫୮ରେ ପହଞ୍ଚିଛି ।
ଆରୋଗ୍ୟ ହାରରେ ଦ୍ରୁତ ଉନ୍ନତି ନିଶ୍ଚିତ କରିଛି ଯେ ଦେଶରେ କେସ୍‌ ଲୋଡ ବା ଆକ୍ରାନ୍ତଙ୍କ ହାର କମୁଛି । ଗତକାଲି ସୁଦ୍ଧା ଦେଶରେ ପ୍ରକୃତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୭ ହଜାର ୪୪୪ ରହିଛି । ମୋଟ ପଜିଟିଭ୍‌ କେସ୍‌ର ଏହା ମାତ୍ର ୨୬.୧୬ ଶତାଂଶ । ଗତକାଲି ୨୪ ଘଣ୍ଟା ମଧ୍ୟରେ ଏହା ମଧ୍ୟ ଆହୁରି ହ୍ରାସ ପାଇଛି । ସରକାର ସନ୍ଦିଗ୍ଧ କୋଭିଡ୍‌ ଆକ୍ରାନ୍ତଙ୍କ ପରୀକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ ଏବଂ ବ୍ୟାପକ କରିଥିବାରୁ ଏବେ ଏହି ସଂଖ୍ୟା ପ୍ରାୟ ୩ କୋଟିରେ ପହଞ୍ଚିଲାଣି । ଗତକାଲି ୨୪ ଘଣ୍ଟାରେ ୭ ଲକ୍ଷ ୪୬ ହଜାର ୬୦୮ ଜଣଙ୍କର ପରୀକ୍ଷା କରାଯାଇଥିବାବେଳେ ମୋଟ ନମୁନା ପରୀକ୍ଷା ସଂଖ୍ୟା ୨ କୋଟି ୯୩ ଲକ୍ଷ ୯ ହଜାର ୭୦୩ରେ ପହଞ୍ଚିଛି । ଦେଶରେ ପରୀକ୍ଷାଗାର ସଂଖ୍ୟା ବୃଦ୍ଧି ଫଳରେ ଏହା ସମ୍ଭବ ହୋଇଛି । ଏବେ ୯୬୯ଟି ସରକାରୀ ଏବଂ ୫୦୦ ଘରୋଇ ପରୀକ୍ଷାଗାରକୁ ମିଶାଇ ମୋଟ ୧୪୬୯ଟି ପରୀକ୍ଷାଗାରରେ ଏହି ପରୀକ୍ଷା କରାଯାଉଛି । ଏଥିରେ ବିଭିନ୍ନ ପ୍ରକାର ପରୀକ୍ଷାଗାର ରହିଛି । ସେଥିମଧ୍ୟରୁ ରିୟଲ ଟାଇମ୍‌ ପିସିଆର ଭିତ୍ତିକ ପରୀକ୍ଷାଗାର ସଂଖ୍ୟା ୭୫୪ । ଏଥିରେ ୪୫୦ ସରକାରୀ ଏବଂ ୩୦୪ ଘରୋଇ ପରୀକ୍ଷାଗାର ରହିଛି । ସେହିଭଳି ଦେଶରେ ମୋଟ ୫୯୮ଟି ଟ୍ରୁ ନ୍ୟାଟ ଭିତ୍ତିକ ପରୀକ୍ଷାଗାର ରହିଛି । ସେଥିରେ ୪୮୫ ସରକାରୀ ଓ ୧୧୩ ଘରୋଇ । ସେହିଭଳି ଦେଶରେ ଏବେ ସିବିଏନ୍‌ଏଏଟି ଭିତ୍ତିକ ୧୧୭ଟି ପରୀକ୍ଷାଗାର ରହିଛି । ସେଥିରୁ ସରକାରୀ ୩୪ଟି ଏବଂ ଘରୋଇ ୮୩ଟି ।

Leave A Reply

Your email address will not be published.