ବଡ଼ ଧରଣର ସାଇବର୍‌ ଆକ୍ରମଣର ଚେତାବନୀ ଦେଇଛି ଆମେରିକା

ୱାଶିଂଟନ୍‌ : ଆମେରିକାର ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଏହି ସପ୍ତାହରେ ଏକ ବଡ଼ ହ୍ୟାକିଂ ଅପରେସନ୍ର ପର୍ଦ୍ଦାଫାସ ହେବାକୁଥିବାରୁ ସରକାର, ସମ୍ବେଦନଶୀଳ ଭିତ୍ତିଭୂମି ଏବଂ ବେସରକାରୀ ସଂସ୍ଥା ଭୟଙ୍କର ବିପଦରେ ପଡ଼ିବାର ସ‌ମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ, ଆମେରିକାର ଅର୍ଥ ଏବଂ ବାଣିଜ୍ୟ ମନ୍ତ୍ରଣାଳୟ ସାଇବର ଆକ୍ରମଣକୁ ଟାର୍ଗେଟ କରିଛି । ଆମେରିକାର ସାଇବର ସୁରକ୍ଷା ଏବଂ ଭିତ୍ତିଭୂମି ସୁରକ୍ଷା ଏଜେନ୍ସି (ସିଏସ୍ଏ) କହିଛି ଯେ, ଏହି ସାଇବର ଆକ୍ରମଣକୁ ବନ୍ଦ କରିବା ଅତ୍ୟନ୍ତ ଜଟିଳ ହୋଇପାରେ । ଆମେରିକାର ଅନେକ ଲୋକ ସନ୍ଦେହ କରୁଛନ୍ତି ଯେ, ଏହା ପଛରେ ରୁଷ ସରକାର ଅଛନ୍ତି । ତେବେ ରୁଷ ଏହି ଦାବୀକୁ ଭିତ୍ତିହୀନ ବୋଲି ଖଣ୍ଡନ କରିଛି ।

ଗୁରୁବାର ଦିନ ସିଏସ୍ଏ ଏକ ବିବୃତ୍ତି ଜାରି କରି କହିଛି ଯେ, ମାର୍ଚ୍ଚ ୨୦୨୦ ରୁ ଆରମ୍ଭ ହୋଇଥିବା ‘କ୍ରମାଗତ ଭାବରେ ଆଗକୁ ବଢ଼ୁଥିବା ବିପଜ୍ଜନକ ଖେଳାଳି’ ମାଧ୍ୟମରେ ସରକାରୀ ଏଜେନ୍ସି, ସମ୍ବେଦନଶୀଳ ଭିତ୍ତିଭୂମି ଏବଂ ବେସରକାରୀ ସଂସ୍ଥାକୁ ଟାର୍ଗେଟ କରାଯାଇଥିଲା ।

ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି ଯେ ସାଇବର ସୁରକ୍ଷାକୁ ସେ ତାଙ୍କ ପ୍ରଶାସନରେ ସର୍ବୋଚ୍ଚ ପ୍ରାଥମିକତା ଦେବେ । ଏହି ହ୍ୟାକିଂ ଅଭିଯାନରେ ଆମେରିକାର ଅନେକ ସରକାରୀ ଏଜେନ୍ସିକୁ ଟାର୍ଗେଟ କରାଯାଇଥିଲା । ଆମେରିକୀୟ ବୈଦେଶିକ, ପ୍ରତିରକ୍ଷା, ଆଭ୍ୟନ୍ତରୀଣ ସୁରକ୍ଷା, ଅର୍ଥ ଏବଂ ବାଣିଜ୍ୟ ଭଳି ବିଭାଗର ଗୁପ୍ତ ତଥ୍ୟ ଉପରେ ହ୍ୟାକର୍ସ ନଜର ରଖିଥିଲେ ।

କିନ୍ତୁ ଏପର୍ୟ୍ୟନ୍ତ ଏହି ସାଇବର ଆକ୍ରମଣ ପଛରେ କିଏ ରହିଛି, ସିଏସ୍ଏ କିମ୍ବା ଏଫବିଆଇ ସର୍ବସାଧାରଣରେ ପ୍ରକାଶ କରିନାହାଁନ୍ତି । କିନ୍ତୁ ଆମେରିକାର ଗଣମାଧ୍ୟମରେ ବେସରକାରୀ ସୁରକ୍ଷା କମ୍ପାନୀ ଏବଂ ଅଧିକାରୀଙ୍କ ଦ୍ୱାରା ଉଲ୍ଳେଖ କରାଯାଇଥିବା ଖବର ଅନୁଯାୟୀ, ସେମାନେ ରୁଷ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

Leave A Reply

Your email address will not be published.