ଡିଏପି ଅଭାବ କାରଣରୁ ରବି ଫସଲ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ଥିବା ବିଷୟରେ ଗଣମାଧ୍ୟମରେ ପ୍ରକାଶିତ କେତେକ ଖବର ଅମୂଳକ ଓ ବିଭ୍ରାନ୍ତିକର

  • ଡିଏପି ଉପରେ ସବସିଡି ଆଦୌ ହ୍ରାସ କରାଯାଇନାହିଁ, କୋଭିଡ୍ ସମୟରୁ ଡିଏପିର ସର୍ବାଧିକ ଖୁଚୁରା ମୂଲ୍ୟ ୫୦ କିଗ୍ରା ବସ୍ତା ପିଛା ୧୩୫୦/- ଟଙ୍କା ରଖାଯାଇଛି
  • ଦୁଇଟି କ୍ୟାବିନେଟ୍ ନିଷ୍ପତ୍ତି ମାଧ୍ୟମରେ ରବି ଋତୁ ପାଇଁ ସବସିଡି ବୃଦ୍ଧି କରାଯାଇଛି
  • ୨୦୨୪-୨୫ ରବି ଋତୁ ପାଇଁ ମୋଟ୍‌ ବଜେଟ୍ ଆବଣ୍ଟନ ୨୪,୪୭୫ କୋଟି ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ସମଗ୍ର ଦେଶରେ ଡିଏପିର ଅଭାବ ଏବଂ ରବି ଫସଲ ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ନିକଟରେ ଗଣମାଧ୍ୟମରେ ପ୍ରକାଶିତ କିଛି ଖବର ବିଭ୍ରାନ୍ତିକର, ଭୁଲ ଏବଂ ତଥ୍ୟବିହୀନ ବୋଲି କେନ୍ଦ୍ର ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । କୋଭିଡ୍ ସମୟରୁ ଡିଏପିର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) ୫୦ କିଗ୍ରା ବସ୍ତା ପିଛା ୧୩୫୦/- ଟଙ୍କା ରଖାଯାଇଥିବା ସ୍ପଷ୍ଟ କରାଯାଇଛି । ଏହାବ୍ୟତୀତ ଡିଏପି ଉପରେ ସବସିଡି ଆଦୌ ହ୍ରାସ କରାଯାଇନାହିଁ । ବରଂ କୃଷକଙ୍କ ହିତ ପାଇଁ ଦୁଇଟି କ୍ୟାବିନେଟ୍ ନିଷ୍ପତ୍ତି ମାଧ୍ୟମରେ ରବି ଋତୁ ୨୦୨୪ ପାଇଁ ସବସିଡି ବୃଦ୍ଧି କରାଯାଇଛି । ପ୍ରଥମତଃ, ମେଟ୍ରିକ ଟନ୍ ପିଛା ୩,୫୦୦/- ଟଙ୍କା ଲେଖାଏଁ ସବସିଡି ଦେବା ଲାଗି ୨୬୨୫ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି ଯାହାଦ୍ୱାରା ଡିଏପିର କ୍ରୟ ପାଇଁ କମ୍ପାନୀଗୁଡ଼ିକ ଲାଗି ଦରକୁ ସ୍ଥିର ରଖାଯାଇପାରିବ ଏବଂ ମୂଲ୍ୟ ଅସ୍ଥିରତା କାରଣରୁ କମ୍ପାନୀ ସ୍ତରରେ କ୍ରୟ କ୍ଷମତା ପ୍ରଭାବିତ ହେବ ନାହିଁ । ଦ୍ୱିତୀୟତଃ, ଆନ୍ତର୍ଜାତୀୟ ବଜାରରେ ସାମଗ୍ରିକ ଭାବେ ଦର ବୃଦ୍ଧିକୁ ମୁକାବିଲା ଲାଗି ଅନ୍ୟ ଏକ କ୍ୟାବିନେଟ୍ ନିଷ୍ପତ୍ତି ଦ୍ୱାରା ସମର୍ଥିତ କରାଯାଇଛି, ଯେଉଁଥିରେ ସବସିଡିକୁ ବଜାର ମୂଲ୍ୟ ସହିତ ସଂଯୋଗ କରାଯାଇଛି । ତେଣୁ ବିଶ୍ୱ ବଜାରରେ ଡିଏପି ସମେତ ପିଆଣ୍ଡକେ ସାରର କ୍ରୟ ମୂଲ୍ୟ ବୃଦ୍ଧି ପାଇଲେ କଂପାନିଗୁଡ଼ିକର କ୍ରୟ କ୍ଷମତା ପ୍ରଭାବିତ ହେବ ନାହିଁ ଏବଂ ଚାଷୀ ହିଁ ଏହାର ସର୍ବୋତ୍ତମ ଲାଭ ପାଇପାରିବ । ଏହାବ୍ୟତୀତ ରବି ୨୦୨୪-୨୦୨୫ ପାଇଁ ମୋଟ ବଜେଟ୍ ଆବଣ୍ଟନକୁ ୨୪,୪୭୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ ଯେ, ଲୋହିତ ସାଗର ପରିବର୍ତ୍ତେ କେପ୍ ଅଫ୍ ଗୁଡ୍ ହୋପ୍ ଦେଇ ଜାହାଜଗୁଡ଼ିକ ଲମ୍ବା ମାର୍ଗରେ ଯାତାୟତ କରିବା ସମେତ ବିଭିନ୍ନ ପ୍ରକାର ଭୂ-ରାଜନୈତିକ କାରଣ ଯୋଗୁଁ ଡିଏପିର ଉପଲବ୍ଧତା କିଛି ମାତ୍ରାରେ ପ୍ରଭାବିତ ହୋଇଛି । ତେବେ ୨୦୨୪ ସେପ୍ଟେମ୍ବର-ନଭେମ୍ବର ମଧ୍ୟରେ ସାର ବିଭାଗ ପକ୍ଷରୁ ଏହାର ଉପଲବ୍ଧତା ଯଥେଷ୍ଟ ବୃଦ୍ଧି ପାଇଁ ବ୍ୟାପକ ପ୍ରୟାସ କରାଯାଇଛି ।

Leave A Reply

Your email address will not be published.