ହାଇଦ୍ରାବାଦ୍‌ରେ ଧୂମ୍‌ଧାମ୍‌ରେ ନୂଆଁଖାଇ ପାଇଁ ‘ଓସାକା’ର ପ୍ରସ୍ତୁତି ବୈଠକ

ହାଇଦ୍ରାବାଦ୍‌ : ହାଇଦ୍ରାବାଦ୍‌ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ସଂଗଠନ “ପଶ୍ଚିମ ଓଡିଶା ସାମାଜିକ ଆରୁ ସାଂସ୍କୃତିକ ଅନୁଷ୍ଠାନ” (ଓସାକା) ତରଫରୁ ହାଇଦ୍ରାବାଦ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଷ ୮ ଅକ୍ଟୋବର ଦିନ ବଂଜାରା ହିଲ୍‌ସ ସ୍ଥିତ “କୁମରାମ୍‌ ଭୀମୁ ଆଦିବାସୀ ଭବନ”ରେ ଓସାକାର ନୂଆଁଖାଇ କାର୍ଯ୍ୟକ୍ରମ ଆୟୋଜିତ ହେବ । ପଶ୍ଚିମ ଓଡିଶାର ଆଦିବାସୀ ସଂସ୍କୃତିର ଆଦିକଳା ଉପରେ ବିଶେଷ ଧ୍ୟାନ ଦେଇ କାର୍ଯ୍ୟକ୍ରମ ସବୁ ପ୍ରସ୍ତୁତ କରାଯିବା ପାଇଁ ବିଚାର ହୋଇଛି । ଏହି ଅବସରରେ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କୃତ ତଥା ଆକାଶବାଣୀ ସ୍ୱୀକୃତ ପଶ୍ଚିମ ଓଡିଶାର ଜଣାଶୁଣା କଳାକାର ନବୀନ କୁଅଁରଙ୍କୁ ସଂସ୍କୃତି ସମ୍ମାନରେ ସମ୍ମାନୀତ କରିବାକୁ ସ୍ଥିରିକୃତ ହୋଇଛି । ପଶ୍ଚିମ ଓଡିଶାର ପରିବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ପୁରଷ୍କୃତ ତଥା ଖ୍ୟାତି ସଂପନ୍ନ ବଲାଙ୍ଗିରର ପ୍ରସିଦ୍ଧ ସାଂସ୍କୃତିକ ଅନୁଷ୍ଠାନ “ଦୁଲ୍‌ଦୁଲି କଳା ପରିଷଦ” । ସମ୍ବଲପୁରର ଯୁବା ପ୍ରତିଭା ଗାୟିକା ପଦ୍ମଶ୍ରୀ ଖଟେଇ, ପୁଷ୍ପରାଜ ସୁନା ଭଲି ଯୁବ କଳାକାର ସହ ଉଦୀୟମାନ ପ୍ରତିଭା ମାନସୀ ସାହୁ ଏବଂ ଆହୁରି ଯୁବ କଳାକାର ମଧ୍ୟ ତାଙ୍କର କଳା ପଦର୍ଶନ କରିବେ । ବହୁମୁଖୀ ପ୍ରତିଭା ଅର୍ଜୁନ ସାହୁ ମଧ୍ୟ ଓସାକାର ନୂଆଁଖାଇ କାର୍ଯ୍ୟକ୍ରମରେ ସମ୍ମାନୀତ ହେବେ । ଏହା ବ୍ୟତୀତ ସମ୍ବଲପୁରୀ ହସ୍ତତନ୍ତ୍ରର ପ୍ରଚାର ପ୍ରସାର ପାଇଁ ବରପାଲିର ପ୍ରସିଦ୍ଧ ସୋରୁମ “ମେହେର୍ସ” ତରଫରୁ ଆକର୍ଷଣୀୟ ସମ୍ବଲପୁରୀ ବସ୍ତ୍ର ପ୍ରଦର୍ଶନୀ ସହ ସେଲ୍‌ର ବ୍ୟବସ୍ଥା ମଧ୍ୟ ହେବ । ପଶ୍ଚିମ ଓଡିଶାର ସୁସ୍ୱାଦ ଦେଶୀ ଖାଦ୍ୟ ପ୍ରସ୍ତୁତି ପାଇଁ ବରଗଡରୁ ତିନି ଜଣ ରାନ୍ଧୁଣିଆଙ୍କୁ ନିମନ୍ତ୍ରିତ କରାଯାଇଛି । ହାଇଦ୍ରାବାଦ୍‌ରେ ପାରିବାରିକ ମାହୋଲରେ ଆୟୋଜିତ ନୂଆଁଖାଇ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବାକୁ ଓସାକାର ସଭାପତି ରାମକୃଷ୍ଣ ବାରିକ, ଉପ ସଭାପତି ଶଙ୍କର୍ଷଣ ସାହୁ, ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାମଲ ତଥା ଅନ୍ୟାନ୍ୟ କର୍ମକର୍ତା ବୃନ୍ଦ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.