ଟଳିପଡିଲେ ୩ ଆତଙ୍କବାଦୀ

ଶ୍ରୀନଗର : ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ଭାରତ-ପାକିସ୍ତାନ ଲାଇନ ଅଫ୍‌ କଣ୍ଟ୍ରୋଲ ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସେନା ପଣ୍ଡ କରିଛି । ସେଠାରେ ଚାଲିଥିବା ଅପରେଶନରେ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସମଗ୍ର ଡିଜିୱର ସେକ୍ଟରରେ ଏବେ ବି ଏକ ସର୍ଚ୍ଚ ଅପରେଶନ ଚାଲିଛି । ମିଳିଥିବା ସୂଚନା ଅନୁସାରେ ଗୁରୁବାର ପୁଞ୍ଚ ସେକ୍ଟରରେ ସୁରକ୍ଷାକର୍ମୀ କିଛି ଲୋକଙ୍କ ସନ୍ଦେହଜନକ ଗତିବିଧି ଦେଖିଥିଲେ । ସେମାନେ ନିୟନ୍ତ୍ରଣ ରେଖା ଦେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ସେମାନଙ୍କୁ ଚେତାବନୀ ଦେଇ ଆତ୍ମସମର୍ପଣ କରିବାକୁ କହିଥିଲେ । କିନ୍ତୁ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଲେ । ପରେ ସୁରକ୍ଷାକର୍ମୀ ମଧ୍ୟ ଏହାର ଉଚିତ୍‌ ଜବାବ ଦେଇଥିଲେ । ଏଥିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ନିକଟରୁ ଦୁଇଟି ଏକେ-୪୭ ରାଇଫଲ, ଗୋଟିଏ ପିସ୍ତଲ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏହି ଅଞ୍ଚଳରେ ଅପରେସନ ଜାରି ରହିଛି ।

Leave A Reply

Your email address will not be published.