
ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ଭାରତ-ପାକିସ୍ତାନ ସୀମା ଏଲ୍ଓସି ନିକଟବର୍ତ୍ତୀ କୁପୱାଡା ଜିଲ୍ଲା ନିକଟରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀ ଭିତରେ ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସ ଏବଂ ସେନାର ମିଳିତ ଅପରେସନରେ ଏହି ଆତଙ୍କବାଦୀଙ୍କୁ ନିହତ କରାଯାଇଛି ।
ଗୁପ୍ତ ସୂଚନା ଆଧାରରେ ମିଳିଥିବା ସୂଚନା ଅନୁଯାୟୀ, ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲା ଏବଂ ଏହି ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ । ସୁରକ୍ଷା ଏଜେନ୍ସି ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏହି ଗୁଳି ବିନିମୟରେ ୫ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଗୁରୁବାର ଦିନ ସେନା ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି ନିୟନ୍ତ୍ରଣ ରେଖା ନିକଟରୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଥିଲା । ଅଧିକାରୀ କହିଛନ୍ତି ଯେ କୃଷ୍ଣ ଘାଟି ସେକ୍ଟରରେ ସର୍ଚ୍ଚ ଅପରେସନ ବେଳେ ଏହା ଜବତ କରାଯାଇଥିଲା । ଜମ୍ମୁରେ ସେନାର ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି ଯେ, ଭାରତୀୟ ସେନା ଏବଂ ଜମ୍ମୁକାଶ୍ମୀର ପୋଲିସର ଏକ ମିଳିତ ଅଭିଯାନରେ ସତର୍କ ଜବାନ ମାନେ ଜୁନ୍ ୧୪ ଏବଂ ୧୫ ମଧ୍ୟ ରାତ୍ରୀରେ କୃଷ୍ଣ ଘାଟି ସେକ୍ଟରରେ ଏକ ଅନୁପ୍ରବେଶକୁ ଭଣ୍ଡୁର କରିଦେଇଥିଲେ ।
ସେନା ଅଧିକାରୀ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ଏବଂ ଏହି ସମୟ ମଧ୍ୟରେ ଦୁଇଟି ବ୍ୟାଗ ମିଲିଥିଲା, ଯେଉଁଥିରେ ଗୋଟିଏ ଏକେ-୪୭ ରାଇଫଲ, ୯ ମାଗାଜିନ, ୪୩୮ କାର୍ଟ୍ରିଜ, ଦୁଇଟି ପିସ୍ତଲ ଏବଂ ୬ଟି ଗ୍ରେନେଡ ସହ କିଛି କପଡା ଏବଂ ଔଷଧ ଥିଲା ।