
- ମୃତକଙ୍କ ମଧ୍ୟରେ ଓଡ଼ିଆ ଦମ୍ପତ୍ତି
ହାଇଦ୍ରାବାଦ : ଇଲେକ୍ଟ୍ରିକ୍ ବାଇକ୍ ସୋରୁମ୍ରେ ଭୀଷଣ ଅଗ୍ନିକାଣ୍ଡ । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେଲେଙ୍ଗାନା ସିକନ୍ଦରାବାଦରେ ସୋମବାର ବିଳମ୍ୱିତ ରାତିରେ ଏପରି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଓଡ଼ିଆ ଦମ୍ପତ୍ତି ଥିବା ଜଣାପଡ଼ିଛି । ସେମାନେ ହେଲେ କଟକ କାଫଲା ବଜାର ମହାନ୍ତିପଡାର ଚନ୍ଦନ ଜେଠି ଓ ସ୍ତ୍ରୀ ମିତାଲି ମହାପାତ୍ର ।
ସୂଚନା ଅନୁସାରେ, ସୋରୁମ୍ରେ ଇଲେକ୍ଟ୍ରିକ୍ ବାଇକକୁ ଚାର୍ଜ କରାଯାଉଥିବା ବେଳେ ସଟ୍ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଫଳରେ ଏହି ସୋରୁମ୍ ଉପରେ ଥିବା ମହଲାଗୁଡ଼ିକରେ ମଧ୍ୟ ନିଆଁ ବ୍ୟାପୀ ଯାଇଥିଲା । ଏହି ସମୟରେ ପ୍ରାୟ ୨୫ ଜଣ ଲୋକ ସେଠାରେ ଫଶି ରହିଥିଲେ । କିଛି ଲୋକ ଝରକା ଦେଇ ଡେଇଁ ପଡ଼ିଥିବା ବେଳେ ଆଉ କିଛି ଲୋକଙ୍କୁ ଦମକଳ ବାହାନୀ ଉଦ୍ଧାର କରିଥିଲେ । ରାତି ପ୍ରାୟ ୧୦ ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା ।
ତେବେ ମୃତକଙ୍କ ମଧ୍ୟରେ ଅଧିକ ଲୋକ ଉପର ମହଲାରେ ଥିବା ହୋଟଲରେ ରହିଥିଲେ । ଯେଉଁମାନେ କି ଧୂଆଁରେ ବନ୍ଦୀ ହୋଇଯାଇଥିଲେ । ସୋରୁମ୍ରେ ପ୍ରାୟ ୩୦ରୁ ୪୦ ଇଲେକ୍ଟ୍ରିକ ସ୍କୁଟର ଚାର୍ଜିଂ ୟୁନିଟରେ ରହିଥିଲା । ଏନେଇ ପୁଲିସ କହିଛି, ଏହି ଲଜ୍ର ୪ ମହଲାରେ ମୋଟ ୨୩ଟି ରୁମ ରହିଥିଲା । ହାଇଦ୍ରାବାଦ ପୁଲିସ କମିସନର ସି.ଭି ଆନନ୍ଦ କହିଛନ୍ତି, ସୋରମୁରେ ନିଆଁ ଲାଗିବା ଯୋଗୁଁ ଉପର ମହଲାଗୁଡ଼ିକରେ ଧୂଆଁ ବ୍ୟାପୀ ଯାଇଥିଲା । ଫଳରେ ପ୍ରଥମ ଓ ଦ୍ୱିତୀୟ ମହଲାରେ ଶୋଇଥିବା ଲୋକ ପ୍ରବଳ ଧୂଆଁରେ ଶ୍ୱାସ ରୁଦ୍ଧ ହୋଇ ପ୍ରାଣ ହରାଇଥିଲେ ।
ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତେଲେଙ୍ଗାନା ମନ୍ତ୍ରୀ କେ ଟି ରାମରାଓ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପ୍ରତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକ ପରିବାରଙ୍କୁ ଅନୁକମ୍ପା ରାଶି ଦେବା ନେଇ ଘୋଷଣା କରାଯାଇଛି ।