ହୋମିଓପ୍ୟାଥିକ୍‌ ଓ ପାରମ୍ପରିକ ଔଷଧ କ୍ଷେତ୍ରରେ ସହଯୋଗ ପାଇଁ ଜିମ୍ବାୱେ ସହ ସ୍ୱାକ୍ଷରିତ ବୁଝାଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ (ପିଆଇବି) : ହୋମିଓପ୍ୟାଥିକ୍‌ ଓ ପାରମ୍ପରିକ ଔଷଧପତ୍ର କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ସ୍ୱାକ୍ଷରିତ ଏକ ବୁଝମଣାପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଜି ପିଛିଲାଭାବେ ଅନୁମୋଦନ କରାଯାଇଛି । ଏହି ବୁଝାମଣାପତ୍ର ୨୦୧୮ ନଭେମ୍ବର ୩ରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ।
ଏହି ବୁଝାମଣାପତ୍ର ଅନୁସାରେ ହୋମିଓପ୍ୟାଥିକ୍‌ ଓ ଅନ୍ୟାନ୍ୟ ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ସହଯୋଗ କରିବା ପାଇଁ ଉଭୟ ଦେଶ ସମାନ ନୀତି ଓ ପାରସ୍ପରିକ ଲାଭ ଭିତ୍ତିରେ କାର୍ୟ୍ୟ କରିବେ ।
ବୁଝମଣାପତ୍ରର ଉଦ୍ଦେଶ୍ୟ
ଏହି ବୁଝମଣାପତ୍ରର ମୁଖ୍ୟ ଉଦ୍ଦେଶ୍ୟ ନିମ୍ନମତେ ପ୍ରଦାନ କରାଯାଇଛି
୧. ସଂପୃକ୍ତ ଚିକିତ୍ସା ପଦ୍ଧତିର ଶିକ୍ଷା, ଚିକିତ୍ସା, ଔଷଧ ଏବଂ ଔଷଧହୀନ ଉପଚାର ଆଦିକୁ ପ୍ରୋତ୍ସାହିତ ଓ ନିୟନ୍ତ୍ରିତ କରିବା ପାଇଁ ଦୁଇଦେଶ ବୁଝାମଣାପତ୍ର ଅନୁସାରେ କାର୍ୟ୍ୟ କରିବେ ।
୨. ବୁଝାମଣାପତ୍ର ଅନୁସାରେ ଆବଶ୍ୟକ ପଡିଲେ ଔଷଧୀୟ ଦ୍ରବ୍ୟ ଓ ନଥିପତ୍ର ଯୋଗାଣ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ କରିବେ ।
୩. ଏହି ବିଦ୍ୟାର ଛାତ୍ରଛାତ୍ରୀ ଏବଂ ଚିକିତ୍ସକଙ୍କ ପାଇଁ ପାଠପଢା ଓ ତାଲିମ ନିମନ୍ତେ ବିଶେଷଜ୍ଞ ବିନିମୟ କରାଯିବ ।
୪. ଆଗ୍ରହୀ ବୈଜ୍ଞାନିକ, ଚିକିତ୍ସକ, ପାରାମେଡିକ୍ସ ଏବଂ ଛାତ୍ରଛାତ୍ରୀଙ୍କୁ ଗବେଷଣା, ଶୈକ୍ଷିକ ତାଲିମ ଆଦି କ୍ଷେତ୍ରରେ ଦୁଇଦେଶ ନିଜର ଶିକ୍ଷାନୁଷ୍ଠାନରେ ରହିବାର ସୁଯୋଗ ଦେବେ ।
୫. ଫାର୍ମାକୋପିଆ (ଔଷଧଗ୍ରନ୍ଥ) ଏବଂ ଫର୍ମୁଲା (ସୂତ୍ର) ଆଦି କ୍ଷେତ୍ରରେ ପାରସ୍ପରିକ ସ୍ୱୀକୃତି ବ୍ୟବସ୍ଥା ରହିବ । ବୁଝାମଣା ଅନୁସାରେ ଯେଉଁସବୁ ଚିକିତ୍ସା ପଦ୍ଧତିକୁ ଦୁଇପକ୍ଷ ସ୍ୱୀକୃତି ଦେଇଥିବେ ତାହାକୁ ସରକାରୀସ୍ତରରେ ପାଳନ କରାଯିବ ।
୬. ଉଭୟ ଦେଶରେ ଏହି ଚିକିତ୍ସା ବ୍ୟବସ୍ଥାରେ ପାଠପଢି ଡିଗ୍ରୀ ଓ ଡିପ୍ଲୋମା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଉଭୟ ପକ୍ଷ ମାନ୍ୟତା ପ୍ରଦାନ କରିବେ ।
୭. ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକରେ ଏ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତିର ବ୍ୟବସ୍ଥା କରାଯିବ ।
୮. ଦୁଇଦେଶ ବର୍ତ୍ତମାନର ଆଇନ ଅନୁସାରେ ଯୋଗ୍ୟ ଚିକିତ୍ସକମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଔଷଧ ଓ ସୂତ୍ରକୁ ଉଭୟ ପକ୍ଷ ସ୍ୱୀକୃତି ପ୍ରଦାନ କରିବେ ।
୯. ଦୁଇଦେଶରେ ଏହି ବିଦ୍ୟାର ଚିକିତ୍ସକମାନେ ନିଜର ଇଛା ଅନୁସାରେ ଉଭୟ ଦେଶରେ ଚିକିତ୍ସା କରିବାର ସୁବିଧା ସୁଯୋଗ ପାଇବେ ।
୧୦. ପରବର୍ତ୍ତୀ ସମୟରେ ଆବଶ୍ୟକ ପଡିଲେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ ଏହି ବୁଝାମଣାପତ୍ରର ପରିସରକୁ ସମ୍ମତି ଭିତ୍ତିରେ ବୃଦ୍ଧି କରାଯାଇପାରିବ ।

Leave A Reply

Your email address will not be published.