ନୃଶଂସ କାଣ୍ଡ ଭିଆଇଲା ସଂକ୍ରମିତ ବାପା : ପରିବାରର ୬ ଜଣଙ୍କୁ ହାଣି ନିଜେ କଲା ଆତ୍ମହତ୍ୟା : ୧ ଝିଅ ମୃତ, ମା’ ସହ ୫ ଆହତ

ସମ୍ବଲପୁର, (କରୁଣାକର ଶତପଥୀ) : ନୃଶଂସ କାଣ୍ଡ ଭିଆଇଛି ଜଣେ କରୋନା ସଂକ୍ରମିତ ବାପା । ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କିନାବଗା ପଞ୍ଚାୟତ ଯୌତୁକବାହାଲ ଗାଁରେ ଗୁରୁବାର ଦିନ ରାତିରେ ଘଟିଛି ଏଭଳି ଏକ ନୃଶଂସ ଘଟଣା । କରୋନା ସଂକ୍ରମିତ ବାପ ଶୁକ୍ରୁ କୁଜୁର (୫୦) ପରିବାର ସଦସ୍ୟଙ୍କୁ ଭୁଜାଲିରେ ଆକ୍ରମଣ କରି ନିଜେ ଆତ୍ମହତ୍ୟା କରିଛି । ବାପାର ଆକ୍ରମଣରେ ଝିଅ ସାଲମି କୁଜୁର(୩)ର ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ସ୍ତ୍ରୀ ଏତବାରୀ, ଝିଅ ବାରସୀ (୧୫), ଗାଙ୍ଗି(୭), ଫୁଲ (୨) ଓ ପୁଅ ତୁଷାର(୧୨) ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଘଟଣାସ୍ଥଳକୁ ଏସ୍‌ଡିପିଓ ରାଜକିଶୋର ମିଶ୍ର, ଗୋବିନ୍ଦପୁର ଥାନାଧିକାରୀ ପ୍ରତାପ ରଣା ତଥା ପୋଲିସ୍‌ କର୍ମଚାରୀମାନେ ପହଞ୍ଚି ତଦନ୍ତ କରିଛନ୍ତି । ଘର ଭିତରୁ ଝିଅ ସାଲମିର ମୃତଦେହ ଓ ଭୁଜାଲି ସମେତ ଅନ୍ୟାନ୍ୟ ସାମଗ୍ରୀ ପୁଲିସ୍‌ ଜବତ କରିଛି । କେଉଁ କାରଣରୁ ଶୁକ୍ରୁ ଏଭଳି କାଣ୍ଡ ଭିଆଇଲା ତାହା ଜଣାପଡ଼ିନଥିବା ବେଳେ ତା’ ସ୍ତ୍ରୀ ଏତବାରୀ ସୁସ୍ଥ ହେବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କୁହାଯାଇଛି । ତେବେ ଶୁକ୍ରବାର ସକାଳେ ସ୍ତ୍ରୀ ଏତବାରୀ ଘଟଣା ବିଷୟରେ ଗ୍ରାମବାସୀଙ୍କୁ କହିବା ପରେ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍‌ନ୍ତ ଆରମ୍ଭ କରିଥିଲା ।

ଅନ୍ୟପଟେ ବୁର୍ଲା ଡ଼ାକ୍ତରଖାନାରେ ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଶୁକ୍ରୁର ମୃତ୍ୟୁ ଘଟିଛି । ଘଟଣାକୁ ନେଇ ଗାଁରେ ଲୋକେ ଭିନ୍ନ ଭିନ୍ନ ଚର୍ଚ୍ଚା କରୁଛନ୍ତି । କରୋନାରେ ଆକ୍ରାନ୍ତ ହେବା ପରେ ଶୁକ୍ରୁଙ୍କ ମାନସିକ ସ୍ଥିତି ଠିକ ନଥିବା ବି ଆଲୋଚନା ହେଉଛି ।

Leave A Reply

Your email address will not be published.