
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଜଣେ କିଶୋରୀଙ୍କୁ ସାଂଘାତିକ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ଦକ୍ଷିଣ ମୋତି ବାଗ ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଜଣେ ୧୬ ବର୍ଷର ବାଳିକାଙ୍କୁ କୁରାଢ଼ିରେ ଆକ୍ରମଣ ଯୋଗୁଁ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ କିଶୋରୀଙ୍କୁ ସଫଦରଜଙ୍ଗ ଡାକ୍ତରଖାନାକୁ ନିଆଯାଇଛି, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଛି । କିଶୋରୀ ଏକାଦଶ ଶ୍ରେଣୀର ଛାତ୍ରୀ ଏବଂ ଆଜି ମଧ୍ୟ ତାଙ୍କର ଜନ୍ମଦିନ । ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାରୁ ପ୍ରମାଣ ସଂଗ୍ରହରେ ବ୍ୟସ୍ତ ଅଛନ୍ତି । ଏହି ଅଞ୍ଚଳକୁ କର୍ଡନ କରି ମାଟିରୁ ରକ୍ତ ନମୁନା ମଧ୍ୟ ନିଆଯାଇଛି । ଏହା ସହିତ କୁରାଢ଼ି ମଧ୍ୟ ପୋଲିସ ପାଇଛି । ପୋଲିସ ଘଟଣାସ୍ଥଳରୁ ସିସିଟିଭି ଫୁଟେଜ ମଧ୍ୟ ପାଇଥିବା ଜଣାପଡ଼ିଛି ।
କିଶୋରୀଙ୍କ ସମ୍ପର୍କୀୟ କହିଛନ୍ତି ଯେ, ଅପରାହ୍ନ ଦେଢ଼ଟାରେ କିଶୋରୀ ଜଣକ ବଜାରକୁ ଯିବାକୁ ଘରୁ ବାହାରିଥିଲେ । କିଛି କାମ ପାଇଁ ବଜାରକୁ ଯାଉଥିଲା । ସେ କଲୋନୀର ଫାଟକ ନିକଟରେ ପହଞ୍ଚିବା ପରେ କେହି ଜଣେ ତାଙ୍କୁ ଆକ୍ରମଣ କରିଥିଲେ । ଯେତେବେଳେ ପରିବାର ଲୋକେ ଜାଣିବାକୁ ପାଇଲେ ସେମାନେ ସେଠାକୁ ଦୌଡ଼ିଥିଲେ । କିଶୋରୀ ଜଣକ ଭୂମିରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିଲେ । କୁରାଢ଼ି ଦ୍ୱାରା ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତାଙ୍କୁ ସଂଗେ ସଂଗେ ଅଟୋ ଯୋଗେ ଡାକ୍ତରଖାନା ନିଆଯାଇଥିଲା । ତା’ପରେ ପାଖରେ ରହୁଥିବା ଜଣେ ସଂପର୍କୀୟ ପୋଲିସକୁ ଡାକି ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ପରେ ପରିବାର ଲୋକେ ଜାଣିବାକୁ ପାଇଲେ ଯେ ପ୍ରବୀଣ ନାମକ ଜଣେ ଯୁବକ ଅଛି, ସେ ଏହି ଆକ୍ରମଣ କରିଛି । ସେ ଶାସ୍ତ୍ରୀ ମାର୍କେଟ ମଣ୍ଡିରେ ଏକ ଦୋକାନ ଚଳାଉଥିବା କୁହାଯାଇଛି ।
ପରିବାର ସଦସ୍ୟଙ୍କ ଠାରୁ ଜଣାପଡ଼ିଛି ଯେ, ପ୍ରାୟ ଦୁଇମାସ ପୂର୍ବେ ସେହି ପାଗଳ ପ୍ରେମିକ ସେମାନଙ୍କ ଘରକୁ ଆସି କିଶୋରୀଙ୍କ ଜନ୍ମଦିନ ପୂର୍ବରୁ ତାଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା । ତାଙ୍କ ଜନ୍ମଦିନ ୧୩ ଜୁଲାଇରେ । ତେବେ ସମ୍ପର୍କୀୟମାନେ ଏହା ମଧ୍ୟ କହିଛନ୍ତି ଯେ, ସେମାନେ ପ୍ରବୀଣଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ କରିନାହାଁନ୍ତି । ପୋଲିସ ପ୍ରବୀଣଙ୍କୁ ଖୋଜିବାକୁ ଚେଷ୍ଟା କରୁଛି ଏବଂ ତାଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଦାବୀ କରାଯାଉଛି।