କବିତା : ଅପରାହ୍ନ

  • ରାମକୃଷ୍ଣ

ବର୍ଷା, ଶୀତ, ବସନ୍ତ
ଆତିଥ୍ୟର ଉଲ୍ଲାସ ଦେଇ ଫେରିଗଲେ
ଜଣକ ପରେ ଜଣେ
ଜନ୍ମ ବ୍ରତ ବିବାହର ମହୋତ୍ସବରେ
ଉଠିଲା ପଡିଲା ଘର
ସବାଶେଷରେ ଆସିଛି ଗ୍ରୀଷ୍ମ
ଅପରାହ୍ନରେ ଛିଡା ହୋଇଛି ବୟସ

ପବନ ଉଡାଇନେଲା
ଦାଣ୍ଡ ଦୁଆରେ ପଡିଥିବା ଝୋଟିର ମୁରୁଜ
ପକ୍ଷୀଂକ ସଂଗୀତ ଆସରରେ ନାହିଁ
ସକାଳର ଜୁଆର,
ନିଛାଟିଆ ଖେତ, ପୋଖରୀ ତୁଠ
ନିଘୋଡ଼ ନିଦରେ ରୋଷେଇ ଘରର
କଂସା ବାସନ,
ଦେହର ଆଳସ୍ୟ ଖୋଜୁଛି ଢବାଘର ଅଂଧାର
ନିଃସଂଗ ଗାଆଁ ଦାଣ୍ଡରେ କେନ୍ଦରା ଗାଉଛି
ଭଜୁକିନା ରାମ ନାମରେ ଗୋବିନ୍ଦ

ଭାଗବତ ଟୁଂଗିରେ ରାମାୟଣର ମନ୍ଦ ଲହର
ଢୁଳଉଥିବା ଆଖିକୁ ଲୁହରେ ଓଦାକରେ
ସୀତାଂକ ବନବାସ,
ଗାଆଁମୁଣ୍ଡ ବରଗଛ ଛାଇରେ ଜମିଛି
ନିକମାମାନଂକ ତାସ ଖେଳର ଆସର
ସାରା ସକାଳ ଧାଁ ଦଉଡ ପରେ
ସ୍ବପ୍ନମାନେ ଏବେ ନିରବ ନିଥର

ନିଶାଗ୍ରସ୍ତ ସୁଖର ବୋଝରେ
ନଇଁ ପଡିଥିବା ଅନ୍ୟମନସ୍କ ଦେହକୁ
ଏତେ ଶୀଘ୍ର ସମୟ ଘଉଡାଇ ଆଣି
ଛିଡା କରାଇ ଦେଲା ସେଇ ମୋଡରେ
ଯେଉଁଠୁ ବାଟ ଗଡିଯାଇଛି
ଦୃଷ୍ଟିକୁ ଛେକି ରଖିଥିବା ତାଳବଣ ସେପଟେ
ନଈକୂଳ ମଶାଣିକୁ

ଧିରେ ଧିରେ ଲଂବୁଛି ଶିଥିଳ ଗୃହସ୍ଥିର ଛାଇ
ଅସ୍ପଷ୍ଚ ହୋଇ ଆସୁଛି
ଧୂଳି ଉଡାଇ ଦୌଡିଥିବା ପାଦଶବ୍ଦ
ତଥାପି ଦୂର ଅତୀତରେ ଅଟକି ରହିଛି
ଶୈଶବକୁ ଝୁରୁଥିବା ଯୋଡେ ଆଖି ।

jittmm
Leave A Reply

Your email address will not be published.