ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ହାତିବନ୍ଧାଠାରେ ଦୁଇ ଉଦଯୋଗୀ ମହିଳାଙ୍କ ଉଦ୍ୟମରେ ଅଞ୍ଚଳର ଗରିବ ତଥା ଅସହାୟ ମହିଳାଙ୍କ ସୁବିଧା ଓ ସୁରକ୍ଷା ପାଇଁ ମା’ ଭଗବତୀ ମହିଳା ସ୍ୱାବଲମ୍ବନ ଆଶ୍ରମ ପ୍ରତିଷ୍ଠା କରାଯାଇଛି । ଏଠାରେ ଗରିବ ଅସହାୟ ମହିଳା ମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ଦେଇ ସ୍ୱାବଲମ୍ବନ କରିବା ପାଇଁ ଅନେକ ଯୋଜନା ହାତକୁ ନିଆଯାଇଥିବା ଜଣାପଡ଼ିଛି । ଅନୁଷ୍ଠାନରେ ଅନେକ ଅଭିଜ୍ଞ ପ୍ରଶିକ୍ଷିକାମାନେ ଅଛନ୍ତି । କିନ୍ତୁ ପ୍ରଶିକ୍ଷଣ ପାଇଁ ଆବଶ୍ୟକୀୟ ଆନୁସଙ୍ଗିକ ବ୍ୟବସ୍ଥାର ଅଭାବ ଯୋଗୁଁ ବର୍ତ୍ତମାନ ସରକାରୀ ସହାୟତା ତଥା ଅନୁଦାନ ଅପେକ୍ଷାରେ ଅନୁଷ୍ଠାନ ରହିଥିବା କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ସ୍ଥାନୀୟ ମହିଳା ଦ୍ୱୟ ଗାୟତ୍ରୀ କୁମାରୀ ସାହୁ ଓ ଜୟନ୍ତୀ ମେହେର ନିଜକୁ ସମାଜସେବାରେ ବ୍ରତୀହୋଇ ନିଜ ପରିବାର ତଥା ସାଂସାରିକ ଜୀବନ ଓ ମୋହ ମାୟାରୁ ଦୁରେଇ ରହି ଏହି ଅନୁଷ୍ଠାନ ଗଠନ କରିଛନ୍ତି । ଅଞ୍ଚଳର ଗରିବ ଅସହାୟ ବିଧବା ତଥା ପରିତ୍ୟକ୍ତା ଝିଅ, ବୋହୁ ମହିଳାଙ୍କୁ ସ୍ୱାବଲମ୍ବୀ କରି ଗଢିତୋଳିବା ଉଦ୍ଧେଶ୍ୟରେ ଏହି ଅନୁଷ୍ଠାନ କରିଥିବା ସେମାନେ ପ୍ରକାଶ କରନ୍ତି । ସୂଚନା ଅନୁସାରେ ଏହି ଅନୁଷ୍ଠାନକୁ ସରକାରଙ୍କ ପାଖରେ ପଞ୍ଜିକୃତ କରିସାରିଛନ୍ତି । ଗାୟତ୍ରୀ କୁମାରୀ ସାହୁ ଏହାର ସଭାନେତ୍ରୀ ଓ ଜୟନ୍ତୀ ମେହେର ସମ୍ପାଦିକା ଦାଇତ୍ଵ ବହନ କରୁଥିବା ବେଳେ ସ୍ଥାନୀୟ ଅନ୍ୟାନ୍ୟ ମହିଳାଙ୍କୁ ସାମିଲ କରିଛନ୍ତି । ଏହି ମହିଳା ଦ୍ୱୟ ନିଜ ଘର ଛାଡ଼ି ବାହାରିବା ପରେ ପ୍ରଥମେ ବିରମହରାଜପୁର ଆଶ୍ରମରେ ଅନ୍ତେବାସୀଙ୍କ ସହ ରହୁଥିଲେ । ଆଶ୍ରମର ଆଧ୍ୟାତ୍ମିକ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଭିନ୍ନ ମଠ ମନ୍ଦିରରେ ରହିବା ପରେ ହାତିବନ୍ଧା ଓ ସିନାପାଲି ଗାୟତ୍ରୀ ମନ୍ଦିରରେ ରହି ଆସୁଥିଲେ । ଆଶ୍ରମର ନୀତି ଆଦର୍ଶରେ ପ୍ରଭାବିତ ହୋଇ ପରବର୍ତ୍ତୀ ସମୟରେ ନିଜସ୍ୱ ଉଦ୍ୟମରେ ଏକ ଆଶ୍ରମ ଗଠନ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ସ୍ୱାବଲମ୍ବୀ କରିବା ପାଇଁ ଏହି ଅନୁଷ୍ଠାନ ଗଠନ କରିଥିଲେ । ଏହି ଆଶ୍ରମରେ ସିଲେଇ କାମ, ଲଗେଜ ବ୍ୟାଗ ତିଆରି, ଝୁଣା ଅଗରବତୀ, ପଇତା, ଆୟୁର୍ବେଦିକ ତେଲ, ସେମ୍ପୁ ପ୍ରଭୃତି ତିଆରି କରିବା ସହ ଅସହାୟ ମହିଳାମାନଙ୍କୁ ଏ ବିଷୟରେ ମାଗଣା ପ୍ରଶିକ୍ଷଣ ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଅନେକ ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ସାରିଲେଣି । ହେଲେ ଏଠାରେ ପ୍ରଶିକ୍ଷଣ ପାଇଁ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥାର ଅଭାବ ଯୋଗୁଁ ଏକା ସାଙ୍ଗରେ ଅନେକ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇ ପାରୁନାହିଁ ବୋଲି ମତ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ, କିଛି ସହୃଦୟ ବ୍ୟକ୍ତିଙ୍କୁ ସହଯୋଗ ମାଗି କଷ୍ଟେମଷ୍ଟେ ଦୁଇ କୋଠରୀ ବିଶିଷ୍ଟ ଏକ ଆଜବେଷ୍ଟର ଘର ତିଆରି କରିଛନ୍ତି । ସେହି କୋଠରୀରେ ନିଜେ ରହିବା ସହ ବିଭିନ୍ନ ସାମଗ୍ରୀ ତିଆରି ଓ ଅନ୍ୟ ମାନଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି । ଆଗ୍ରହ, ଉଦ୍ୟମ ତଥା ଅଭିଜ୍ଞତା ଥିବା ସତ୍ତ୍ୱେ ପୁଞ୍ଜି ଅଭାବରୁ ସେମାନେ ତାଙ୍କ ଲକ୍ଷ ହାସଲ କରିବାରେ ସକ୍ଷମ ହୋଇପାରୁ ନାହାନ୍ତି । ଯାହା କିଛି ସାମଗ୍ରୀ ତିଆରି କରି ବିକ୍ରି କରି ରୋଜଗାର କରନ୍ତି ସେଥିରେ ନିଜେ ଚଳିବା ସହିତ ବାହାର ରାଜ୍ୟରୁ ସାମଗ୍ରୀ ତିଆରିର ଆବଶ୍ୟକ ଜିନିଷପତ୍ର ମଗାନ୍ତି ଏବଂ ପୂର୍ବରୁ ରହୁଥିବା ବିରମହାରାଜପୁର ଆଶ୍ରମରୁ ବସ ଯୋଗେ ଆଣିଥାନ୍ତି । ପୁଣି ସେଥିରେ ବ୍ୟାଗ, ଅଗରବତୀ, ସେମ୍ପୁ ପ୍ରଭୃତି ତିଆରି କରି ନିକଟସ୍ଥ ଦୋକାନମାନଙ୍କରେ ଦେଇଥାନ୍ତି । ଯାହା ଆୟ କରନ୍ତି ସେଥିରେ ଅନୁଷ୍ଠାନ ଚଲାନ୍ତି । ବର୍ତ୍ତମାନ ଆଶ୍ରମରେ ଚାରି ଜଣ ଥିବା ବେଳେ ଅନେକ ପ୍ରଶିକ୍ଷଣ ନେଇ ଯାଇ ସାରିଲେଣି । ପୁଣି ଅସହାୟ ମହିଳାମାନଙ୍କୁ ଏଠାରେ ରହି ମାଗଣାରେ ପ୍ରଶିକ୍ଷଣ ନେବାକୁ ଆହ୍ୱାନ କରୁଥିବା ସେମାନେ ପ୍ରକାଶ କରିଛନ୍ତି । ଅଭିଜ୍ଞ ପ୍ରଶିକ୍ଷିକାମାନେ ଥିଲେ ହେଁ ପୁଞ୍ଜିର ଅଭାବ ଯୋଗୁଁ ବିକାଶ ହୋଇପାରୁ ନଥିବା କ୍ଷୋଭର ସହ ପ୍ରକାଶ କରନ୍ତି । ଏତେ ଅଭାବ ଅନାଟନ ମଧ୍ୟରେ ନିଜେ ସ୍ୱାବଲମ୍ବୀ ହେବା ସହ ଅସହାୟ ନାରୀ ସମାଜକୁ ସ୍ୱାବଲମ୍ବୀ କରିବାର ପଦକ୍ଷେପ ତଥା ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଉକ୍ତ ଅନୁଷ୍ଠାନକୁ କିଛି ସରକାରୀ ସହାୟତା ତଥା ଅନୁଦାନ ମିଳିପାରିଲେ ଅଞ୍ଚଳର ଅନେକ ଗରିବ, ଅସହାୟ ବିଧବା ତଥା ପରିତ୍ୟକ୍ତା ସ୍ୱାବଲମ୍ବୀ ହୋଇ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।