ସମ୍ବଲପୁରୀ ଦିନ ପାଳନ ସହ ସଂକଳନ ‘ଲେଦା’ ଉନ୍ମୋଚନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରବହମାନତାର ଧାରାରେ ଅଗଷ୍ଟ-୧ ସମ୍ବଲପୁରୀ ଦିନ ଏକ ଅନନ୍ୟ ପ୍ରୟାସ । ସମ୍ବଲପୁରୀ ଭାଷାର ଉନ୍ନତି ଦିଗରେ ଜୀବନ ସାରା ଅନେକ ପ୍ରଚେଷ୍ଟା କରିଥିବା ଗୁରୁ ସତ୍ୟନାରାୟଣ ବହିଦାର ଏବଂ ଗୁରୁ ଶ୍ରୀଧର ପ୍ରଧାନଙ୍କର ପବିତ୍ର ଜନ୍ମଦିନ ଅବସରରେ ପ୍ରତିବର୍ଷ ଅଗଷ୍ଟ-୧କୁ ସମ୍ବଲପୁରୀ ଦିନ ହିସାବରେ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରୁ ଆରମ୍ଭ କରି ସହରାଞ୍ଚଳ ଯାଏ ପାଳିତ ହୋଇଯାଇଛି । ଆଜି ଏହି ପରିପ୍ରେକ୍ଷୀରେ ବାଟକଢୁଆଲ କୁଟୁମ୍ବ ବୁବୁଡା ପଦ୍ମପୁରଙ୍କ ଆୟୋଜନରେ ପଦ୍ମପୁର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀଙ୍କ ସମ୍ପାଦନାରେ ପ୍ରତିଦିନ ପ୍ରକାଶ ପାଇ ଆସୁଥିବା ଫେସବୁକ କଳାପଟା ‘ଲେଦା’ର ପ୍ରଥମ ବାର୍ଷିକୀ ସଂକଳନ – ୨୦୨୧ ସଂକଳନର ଉନ୍ମୋଚନ ଅବସରରେ ବୁବୁଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିନୋଦ ବୈକାର କବିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଅଧ୍ୟାପକ ଧ୍ରୁବଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ କବି ବୈରାଗୀ ସାହୁ, କବୟିତ୍ରୀ ଯଶୋବନ୍ତୀ ନାଏକ, କବି ସନ୍ତୋଷ ସ୍ୱାଇଁ, ନାରାୟଣ ପୋଢ, କୁବେର ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ, ସମ୍ପାଦକ ତଥା କବି ନିରଞ୍ଜନ ତ୍ରିପାଠୀ ଯୋଗଦାନ କରି ଉପସ୍ଥିତ କବି ଓ କବୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ଗାଁ, ମାଟି, ପାଣି, ପବନ ତଥା ଗ୍ରାମ୍ୟ ଜୀବନର ସୁଖ ଦୁଃଖକୁ ନେଇ ସାହିତ୍ୟ କେମିତି ମର୍ମସ୍ପର୍ଶୀ, ଭାବପୂର୍ଣ୍ଣ ଓ ତନୁମନକୁ ଛୁଇଁ ପାରେ, ପୂର୍ବ ସୁରୀଙ୍କ ସାହିତ୍ୟକୃତି ଉପରେ ବକ୍ତା ତଥା ଅତିଥି ମାନେ ଆଲୋକପାତ କରିଥିଲେ । ଏକ ବିରାଟ ଭୂଖଣ୍ଡ ପଶ୍ଚିମ ଓଡ଼ିଶାର ପ୍ରାଚୀନ ଇତିହାସ ଅତ୍ୟନ୍ତ ଗୈାରବାବହ । ସେ ସବୁକୁ ଖୋଜି ଜନ ସମୁଦାୟଙ୍କ ନିକଟକୁ ପହଞ୍ଚାଇବାର ସମୟ ଆସିଛି ବୋଲି ଆହ୍ୱାନ କରାଯାଇଥିଲା । ସାହିତ୍ୟ ସାର୍ବଜନୀନ ତଥା ଗଣମୁଖୀ ହେଲେ କବିର ସାର୍ଥକତା ବୋଲି ମତପ୍ରକାଶ ପାଇଥିଲା । ମୁଖ୍ୟ ଆକର୍ଷଣ ଭାବେ ବୁଡାମାଲ ଗ୍ରାମର ସ୍ୱାତୀ ପଟେଲ ଯିଏକି ବର୍ତ୍ତମାନ ନବମ ଶ୍ରେଣୀର ଛାତ୍ରୀ ସେ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ବିମୋହିତ କରିଥିଲେ । ଏହି ସମାରୋହରେ ପଶ୍ଚିମ ଓଡ଼ିଶାର ବହୁ କବି ଓ କବୟିତ୍ରୀ ଯୋଗଦାନ କରିଥିଲେ । କବିତାପାଠୋତ୍ସବରେ କବି ଧ୍ରୁବଚରଣ ପ୍ରଧାନ, ରିପୁନ ସାହୁ, ଇଶ୍ୱର ସାହୁ, ପ୍ରଶାନ୍ତ ନାଗ, ପ୍ରମୋଦ କଲେତ, ବୈରାଗୀ ସାହୁ, ରୋଜ ପ୍ରଧାନ, ଶ୍ୟାମସୁନ୍ଦର ସିଂ ଯୋଗଦେଇ ନିଜ ସ୍ୱରଚିତ କବିତା ପାଠ କରିଥିବା ବେଳେ କବୟିତ୍ରୀ ସାଗରିକା ସାହୁ, ଜୟନ୍ତୀ ବରିହା, ଯଶୋବନନ୍ତୀ ନାୟକ ପ୍ରମୁଖ ନିଜନିଜ ରଚିତ ସମ୍ବଲପୁରୀ କବିତା ମାନ ଶ୍ରୋତାଙ୍କୁ ଶୁଣାଇ ବିମୋହିତ କରି ପକାଇଥିଲେ । ଶେଷରେ ଏ ଅଞ୍ଚଳର କବୟିତ୍ରୀ ମିସ ନମିତା ଦୀପଙ୍କ ଆଜି ଜନ୍ମଦିନ ଏଇଠି ପାଳନ କରାଯାଇଥିଲା । ସମ୍ବଲପୁରୀ ଭାଷା ଏକାଡେମୀର ଜଣେ ବରିଷ୍ଠ ସଦସ୍ୟ ତଥା ବାଟ କଢୁଆଲର ସହସମ୍ପାଦକ ପୈାଳସ୍ତ୍ୟ ସାହାଙ୍କ ସଂଯୋଜନାରେ ଏହି ସୁନ୍ଦର କବିତା ଆସର ଆବେଗମୟ ହୋଇ ଉଠିଥିଲା । ଶେଷରେ ବାଟ କଢୁଆଲର ସମ୍ପାଦକ ସୁରେନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.