ମୀନକେତନ ମାଝୀ
ମହା ଶିବରାତ୍ରି ଆମ ଦେଶରେ ମହା ସମାରୋହରେ ପାଳନ କରାଯାଉଛି । ଏହା ଆଦିବାସୀ ମୁଳନିବାସୀ ମାନଙ୍କ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ । କିମ୍ବଦନ୍ତୀ ଅନୁଯାଇ ଗୋଁଣ୍ଡୱାନା ଲ୍ୟାଣ୍ଡ୍/ସିଙ୍ଗାର ଦ୍ୱୀପ/କୋୟାମୁରୀ ଦ୍ୱୀପ/ଜମ୍ବୁଦ୍ୱୀପ/ ନାଗଦ୍ୱୀପ ବା ଆଧୁନିକ ଭାରତରେ ଅଠାଅଶି ଶମ୍ଭୁସେକ୍ ଶାସନ କରିଥିଲେ ଓ ଏମାନଙ୍କ ମଝି ଭାଗରେ ମୁଳନିବାସୀଙ୍କ ରାଜା ଶମ୍ଭୁ ଗୌରାଙ୍କ ଶାସନ କାଳରେ ଆର୍ଯ୍ୟମାନେ ଏ ଦେଶକୁ ଆସିଥିଲେ । ଶମ୍ଭୁସେକ୍ ମାନେ ବହୁତ ବଳଶାଳୀ ରାଜା ଥିଲେ ତାଙ୍କର ଅନୁମତି ବିନା କେହି ଆସି ପାରୁ ନଥିଲେ କି ଯାଇ ପାରୁ ନଥିଲେ । ଶମ୍ଭୁସେକ୍ ଏକ ପଦବୀ ଯିଏ କି ରାଜା ହେଉଥିଲେ । ଏହି ଭୂଖଣ୍ଡରେ କୌଣସି ବାହାର ଲୋକ ପ୍ରବେଶ କରିବା ପାଇଁ, ସ୍ଥାୟୀ ଭାବରେ ରହିବା ପାଇଁ, ନିଜର ବଂଶ ବିସ୍ତାର କରିବା ପାଇଁ ଓ ମୃତ୍ୟୁ ପରେ ଏହି ଭୂମିରେ ଶବ ସମାଧି ଦେବା ପାଇଁ ଏହି ଭୂଖଣ୍ଡର ରାଜା ଶମ୍ଭୁସେକ୍ ମାଦବା(ମହାଦେବ)ଙ୍କ ଅନୁମତି ଅନିବାର୍ଯ୍ୟ ଥିଲା । ଯିଏ ବି ବିନା ଅନୁମତିରେ ପ୍ରବେଶ କରୁଥିଲେ ଶମ୍ଭୁ ମହାଦେବ ନିଜର ବଲିଷ୍ଠ ଗୁପ୍ତଚର ମାଧ୍ୟମରେ ଜାଣିପାରି ମୃତ୍ୟୁ ଦଣ୍ଡ ଦେଇ ଅଗ୍ନିରେ ଦାହ ସଂସ୍କାର କରୁଥିଲେ । ବିଦେଶୀ ହୋଇଥିବାରୁ ଏହି ଭୂଖଣ୍ଡରେ ସମାଧି ପାଇଁ ସ୍ଥାନ ନଥିଲା କି ଅନୁମତି ନଥିଲା । ଶମ୍ଭୁସେକଙ୍କୁ ପାଂଚ ଖଣ୍ଡ ଦ୍ୱୀପର ରାଜା, ରାଜା ମାନଙ୍କ ରାଜା ମହାରାଜା, ଦେବ ମାନଙ୍କ ଦେବ ମହାଦେବ, କାଳ ମାନଙ୍କ କାଳ ମହାକାଳ କୁହାଯାଉଥିଲା । ଏହି ପରି ଶଂମ୍ଭୁଙ୍କ ଭୂଖଣ୍ଡରେ ବିଦେଶୀ ମାନଙ୍କ ପ୍ରବେଶ କରି ଆକ୍ରମଣ କରିବା ଅସମ୍ଭବ ଥିଲା । ଏହି ଭୂଖଣ୍ଡକୁ ଅକ୍ତିଆର କରିବା ପାଇଁ ଆର୍ୟ୍ୟମାନେ କୁଟନିତୀର ଆଶ୍ରୟ ନେଲେ ଓ ସାଧୁ ସନ୍ଥଙ୍କୁ ଗୁପ୍ତଚର ଭାବରେ ପଠାଇଲେ । ସେମାନଙ୍କ ମାଧ୍ୟମରେ ମୁଳନିବାସୀ ମାନଙ୍କ ଶକ୍ତିର ସୂତ୍ର ଶମ୍ଭୁ, ଲିଙ୍ଗୋ ଓ ସୁବ୍ୟବସ୍ଥିତ ସମାଜ ବେଲି ଜାଣିବାକୁ ପାଇଲେ । ସେହି ସମୟରେ ଶଂମ୍ଭୁସେକ୍ ଓ ଲିଙ୍ଗୋ ଏକ ପ୍ରମୁଖ ପଦବୀ ଥିଲା । ଲିଙ୍ଗୋ ଜଣେ ରାଜ ଧର୍ମ ଗୁରୁ ଯିଏ ସର୍ବ ଜ୍ଞାନୀ, ଗୁଣି, ଶିକ୍ଷାବିତ, ବୈଜ୍ଞାନିକ, ସମାଜ ସଂସ୍କାରକ, ପଥ ପ୍ରଦର୍ଶକ ଥିଲେ । ଲିଙ୍ଗୋ ଅଲୌକିକ ଶକ୍ତି ସଂପନ୍ନ ସମସ୍ତ ଦୃଶ୍ୟ ଅଦୃଶ୍ୟ, ଜଡ ଚେତନ ବସ୍ତୁର ତଥା ସମସ୍ତ ପଶୁ ପକ୍ଷୀ ପ୍ରାଣୀ ଜଗତର ବୁଳି, ଭାଷା, କ୍ରିୟା ପ୍ରକ୍ରିୟାର କଥା ବୁଝି ପାରୁଥିଲେ କହି ପାରୁଥିଲେ । ଶମ୍ଭୁ ଓ ଲିଙ୍ଗୋ ପରସ୍ପର ପରିପୂରକ ଥିଲେ । ତେଣୁ କରି ମୂଳନିବାସୀ ସଂପ୍ରଦାୟରେ ଶମ୍ଭୁ ଓ ଲିଙ୍ଗୋ(ଶିବ୍-ଲିଙ୍ଗ୍) ଆରାଧ୍ୟ ଦେବତା ଅଟନ୍ତି । ସମସ୍ତ ମହାଦେବ ଗୁଡିରେ ଶମ୍ଭୁ ବା ଶିବ ଓ ଲିଙ୍ଗୋ ବା ଲିଙ୍ଗକୁ ମିଳିତ ଭାବରେ ମୂଳନିବାସୀ ସଂପ୍ରଦାୟର ଲୋକ ମାନେ ପୂଜା କରିଆସୁଛନ୍ତି । ଜଣେ ରାଜା ହେବା ପାଇଁ ବହୁତ କଳା ଜାଣିବା ଜରୁରୀ । ଶମ୍ଭୁସେକ୍ ବିଭିନ୍ନ କଳା ଯୋଗ, ତନ୍ତ୍ର, ଯୁଦ୍ଧ ବିଦ୍ୟା, ମନୋବିଜ୍ଞାନ, ରାଜନିତି, ପ୍ରଜାବାତ୍ସଳ, ଇତ୍ୟାଦି କଳାରେ ନିପୁଣ ଥିଲେ । ଦୃଢ ଗୁପ୍ତଚର ବଳରେ ସବୁ ଜାଣିପାରି କାହାକୁ ବି ଏହି ଭୂଖଣ୍ଡକୁ ଆସିବାକୁ ଦେଉନଥିଲେ । ଗୋଁଣ୍ଡୱାନାର ପ୍ରଜା ମାନେ ବହୁତ ଖୁସି ଓ ଶାନ୍ତିରେ ବସବାସ କରୁଥିଲେ । ଚାଷ ପଶୁପାଳନ କରି କେବେ ଅଭାବ ଅନାଟନ ଦେଖୁ ନଥିଲେ । କିନ୍ତୁ, ଯେଉଁ ସମୟରୁ ଆଜକୁ ପ୍ରାୟ ୩୫୦୦ ବର୍ଷ ପୂର୍ବେ ବିଦେଶୀ ଆର୍ଯ୍ୟ ମାନେ ଏହି ଦେଶକୁ ଆସିଲେ ସେହି ଦିନରୁ ମୁଳନିବାସୀ ମାନଙ୍କ ସହିତ ଲଗାତାର ଯୁଦ୍ଧ ଲାଗି ରହିଲା । ସେତେବେଳେ ଏହି ଭୂଖଣ୍ଡର ନାମ କୋୟାମୁରୀ ଦ୍ୱୀପ ଥିଲା । ଭୂଖଣ୍ଡର ଅନେକ ମହେଞ୍ଜୋଦାରୋ, ହରପ୍ପା ଭଳି ସମୃଦ୍ଧ ସଭ୍ୟତା, ତକ୍ଷଶୀଳା, ନାଳନ୍ଦା, ପୁଷ୍ପଗିରି ଭଳି ବିଶ୍ୱ ସ୍ତରୀୟ ଶିକ୍ଷାନୁଷ୍ଠାନ ଲୋପ ପାଇଗଲା । ସେମାନଙ୍କ କୂଟନୀତି ଗୁଣ ଯୋଗୁଁ ଦେଶରେ ସବୁବେଳେ ଯୁଦ୍ଧ ଲାଗି ରହିଲା ଓ ଅଶାନ୍ତିର ବାତାବରଣ ଦେଖାଗଲା ।
ପୁରାତନ ଗୋଁଣ୍ଡୱାନା ରାଜ୍ୟର ଏକ ପ୍ରମୁଖ ସ୍ଥାନ ହେଉଛି କଚାରଗଡ଼ । ଏହା ମହାରଷ୍ଟ୍ର ରାଜ୍ୟର ଗୋଣ୍ଡିଆ ଜିଲ୍ଲା ସାଲେକସା ତହସିଲ ଅନ୍ତର୍ଗତ ଦରେକସା ସ୍ଥିତ ଧନେଗାଁଓରେ ଅବସ୍ଥିତ । ଏହା ସତପୁଡା ପର୍ବତ ମାଳାରେ ଏସିଆ ମହାଦେଶର ସର୍ବ ବୃହତ ପ୍ରାକୃତିକ କଚାରଗଡ଼ ଗୁମ୍ଫା ବା ଲୁହାଗଡ ଗୁମ୍ଫା ଅଟେ । ଏଠାରେ ପାଂଚ ଦିନ ଧରି କୋୟା ପୁନେମ୍ ସମ୍ବିଳନୀ ତଥା କଚାରଗଡ଼ ଯାତ୍ରା ଅନୁଷ୍ଠିତ ହୋଇ ମାଘ ପୁର୍ଣ୍ଣିମା ଦିନ ସମାପ୍ତ ହୁଏ ଯେଉଁଠାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ । କଥିତ ଅଛି ପ୍ରସ୍ଥର ଯୁଗରେ ଏହି କୋୟଲି କଚାରଗଡ଼ ଗୁମ୍ଫାରୁ କଳିକଙ୍କାଲି ଦାଇଙ୍କ ୩୩ ଗୋଟି ସନ୍ତାନକୁ ମହାରାଜା ଶଂମ୍ଭୁସେକ୍, ଧର୍ମଗୁରୁ ପାହାନ୍ଦି ପରିକୁପାର ଲିଙ୍ଗୋ (ଲିଙ୍ଗା ଦେଓ), ୩୩ ଗୋଟି ଶିଶୁଙ୍କ ପାଳନ ଧାତ୍ରୀ ଜଙ୍ଗୋ ରାଇତାର୍ ଦାଇ(ଜଙ୍ଘା ଦେବୀ)ଙ୍କ ଉପସ୍ଥିତିରେ ଆଦି ସଙ୍ଗୀତଜ୍ଞ ଗୁରୁ ହିରାସୁକା ପାଟାଲୀ କିଙ୍ଗାରୀ ବାଦ୍ୟର ସପ୍ତ ସ୍ୱରଯୁକ୍ତ ସଙ୍ଗୀତ ଧ୍ୱନି ବଜାଇ ଉଦ୍ଧାର କରିଥିଲେ । ବାଦ୍ୟର ଧୁନରେ ଅମାପ ସିଂହ ବଳ ପାଇ ଗୁମ୍ଫା ମୁଖ୍ୟ ବାଟରେ ଢଙ୍କା ହୋଇଥିବା ବିଶାଳ ପଥର ଖଣ୍ଡକୁ ଠେଲି ଦେଇ ସମସ୍ତ ସନ୍ତାନ ବାହାରିବା ଯୋଗୁଁ ହିରାସୁକା ପାଟାଲୀ ପଥରରେ ଚାପି ହୋଇ ମୃତ୍ୟୁ ବରଣ କଲେ । ଶମ୍ଭୁସେକ୍ଙ୍କ ଅନୁରୋଧରେ ଏହି ତେତିଶ ଗୋଟି ପୁତ୍ରଙ୍କୁ ପରିକୁପାର ଲିଙ୍ଗୋ ଶିଶ୍ୟ ରୂପରେ ଗ୍ରହଣ କରି ଶିକ୍ଷା ଦୀକ୍ଷା ପ୍ରଦାନକରି ସାମାଜିକ ଗୋତ୍ର ବ୍ୟବସ୍ଥା ପ୍ରଚଳନ କରିଥିଲେ । ଏହି ୩୩ ଜଣ ଶିଶ୍ୟଙ୍କୁ ୧୨ ଭାଇବନ୍ଧୁରେ ବିଭାଜନ କରି ୩୩ କୋଟ୍ ବା ଗଡ(ରାଜ୍ୟ) ଶାସନ ପାଇଁ ପ୍ରଦାନ କରିଥିଲେ ଓ ଏମାନଙ୍କ ମୃତ୍ୟୁ ପରେ ମୁଳନିବାସୀ ପରମ୍ପରାରେ ସମାଧିତ ହୋଇ ୩୩ ଗୋଟି(ଜଣ) ଦେବତା ରୂପରେ ପରିଚିତ ହୋଇ ପୂଜା ପାଇଲେ । ଏସବୁ ସୁରମ୍ୟ ଘନ ଜଙ୍ଗଳ ଘେରା ପର୍ବତ ମଧ୍ୟରେ ମୁଖ୍ୟ ଗୁମ୍ଫା ସହିତ ଅନେକ ଗୁମ୍ଫା ମୁକ ସାକ୍ଷୀ ହୋଇ ଆଜି ବି ଶୋଭା ପାଉଛି ।
କଚାରଗଡ଼ ଯାତ୍ରାର ଠିକ୍ ତେର ଦିନରେ ମାହାଶିବରାତ୍ରୀ, ଯାହା ମୁଳନିବାସୀ ଆଦିବାସୀ ମାନଙ୍କ ଶମ୍ଭୁ ଜାଗରଣ ପାଳିତ ହୋଇଥାଏ । ଏହାର ଅର୍ଥ କଚାରଗଡ଼ ଯାତ୍ରା ସହିତ ମହା ଶିବ ରାତ୍ରୀର ଘନିଷ୍ଟ ସମ୍ପର୍କ ଅଛି । ଆର୍ଯ୍ୟ ମାନଙ୍କ ସହିତ ମୁଳନବାସୀ ମାନଙ୍କ ଯୁଦ୍ଧ ଲାଗି ରହୁଥିବାରୁ ଅଶାନ୍ତି ଲାଗି ରହୁଥିଲା । ଆର୍ଯ୍ୟ ମାନେ ସବୁବେଳେ ଛଳକପଟ କରୁଥିଲେ ମଧ୍ୟ ଶମ୍ଭୁସେକ୍୍୍ଙ୍କ ସମ୍ବୁଖରେ ପରାଜିତ ହେଉଥାନ୍ତି । ସେମାନେ ମିଳିତ ଭାବରେ ଶମ୍ଭୁସେକ୍ଙ୍କ ଦୁର୍ବଳତା ବିଷୟରେ ଚିନ୍ତା କଲେ । ଶମ୍ଭୁସେକ୍ଙ୍କୁ ତନ୍ତ୍ର ଯୋଗ ସମୟରେ ତାଙ୍କୁ ହରାଇବା ବହୁତ କଠିନ । ଶମ୍ଭୁ-ଗୌରୀ ଯୋଡି ଏହି ସମୟରେ ଶାସନ କରୁଥିଲେ । ଗୌରୀଙ୍କ ଅକାଳ ମୃତ୍ୟୁ ପରେ ଶମ୍ଭୁସେକ୍ ଏକୁଟିଆ ଅନୁଭବ କରି ମାନସିକ ଚାପଗ୍ରସ୍ତ ଥା’ନ୍ତି । କପଟ ନୀତି ସ୍ୱରୂପ ପୁରୁଷ ଲୋକଙ୍କ ନାରୀ ପ୍ରତି ଦୁର୍ବଳତା ଥିବା ଭାବି ସୁନ୍ଦର ଯୁବତୀ ମାନଙ୍କୁ ତାଙ୍କ ପାଖକୁ ପ୍ରେରଣ କଲେ, ଯାହା ଫଳରେ ପ୍ରଜା ମାନଙ୍କ ଠାରୁ ମନ ପ୍ରାଣରେ ଅଲଗା ହୋଇ ପଥ ଭ୍ରଷ୍ଟ ହେବେ ଓ ତାର ସୁଯୋଗରେ ଶମ୍ଭୁସେକଙ୍କୁ୍ ଆକ୍ରମଣ କରି ସମସ୍ତ ପ୍ରକାର ସୁବିଧା ସୁଯୋଗ ନେବେ । କିନ୍ତୁ ଶମ୍ଭୁ ବିଚଳିତ ହେଲେ ନାହିଁ କି ପ୍ରଭାବିତ ହେଲେନାହିଁ । ଶେଷରେ ଦକ୍ଷପ୍ରଜାପତିଙ୍କ ସୁନ୍ଦରୀ ଯୁବତୀ କନ୍ୟା ପାର୍ବତୀଙ୍କୁ ପଠାଇଲେ ଶମ୍ଭୁସେକ୍ଙ୍କୁ କପଟ କରି ମୋହିତ କରିବା ପାଇଁ । ପାର୍ବତୀ ଶମ୍ଭୁଙ୍କ ସେବା ସୁଶ୍ରୁଷା କରି ମନ ଜିଣିବା ପାଇଁ ଚେଷ୍ଟା କରି ସଫଳ ହେଲେ ଓ ଶମ୍ଭୁ ମାୟା ଜାଲରେ ଫଶିଗଲେ । କିନ୍ତୁ ପାର୍ବତୀ ଶମ୍ଭୁଙ୍କ ତ୍ରିଶୁଳ ମାର୍ଗ ଗୁଣରେ ପ୍ରଭାବିତ ହୋଇ ତାଙ୍କର ମାନସିକତାରେ ପରିବର୍ତନ ଆସିଲା ଓ ଶମ୍ଭୁଙ୍କ ପାଖରେ ଥାଇ ସ୍ତ୍ରୀ ରୂପରେ ସେବା କରିବା ପାଇଁ ସଂକଳ୍ପ ନେଲେ ଆଉ ଫେରିଲେ ନାହିଁ । ଅନ୍ୟ ପକ୍ଷରେ ଆର୍ଯ୍ୟ ମାନଙ୍କ ଦ୍ୱାରା ବିଛାଯାଇଥିବା ଜାଲ ବିଫଳ ହେଲା ଓ ଆକ୍ରମଣ କରିବା ଉଦ୍ଦେଶ୍ୟ ସଫଳ ହେଲା ନାହିଁ । କିନ୍ତୁ, ଶମ୍ଭୁସେକ୍ ବିଦେଶୀ ଆର୍ଯ୍ୟ କନ୍ୟାଙ୍କୁ ଗ୍ରହଣ କରିଥିବାରୁ ଆଦିବାସୀ ସଂପ୍ରଦାୟ ଶମ୍ଭୁସେକ୍ ପ୍ରଥା ଶମ୍ଭୁ-ପାର୍ବତୀ ଯୋଡି ସମୟରୁ ଉଚ୍ଛେଦ କଲେ ।
ଆର୍ଯ୍ୟ ଓ ମୁଳନିବାସୀ ମାନଙ୍କ ଜୀବନ ମାର୍ଗ ଅଲଗା ଅଲଗା ଥିଲା । ଆର୍ଯ୍ୟମାନେ ଈଶ୍ୱରବାଦୀ ଥିବାବେଳେ ମୂଳନିବାସୀ ଆଦିବାସୀ ମାନେ ପ୍ରକୃତିବାଦୀ ଥିଲେ । ଦୁଇ ଗୋଷ୍ଠୀର ସଭ୍ୟତା ସଂସ୍କୃତି ମୂଲ୍ୟବୋଧ ଜମିନ୍ ଆସମାନ୍ ଫରକ ଥିଲା । ଆଦିବାସୀ ମାନେ ଶାନ୍ତି ପ୍ରିୟ ତ ଆର୍ଯ୍ୟ ମାନେ ହିଂସାଚାରୀ ଥିଲେ । ଆର୍ଯ୍ୟ ମାନେ କିଛି ଦିନ ନୀରବତା ପରେ ଶମ୍ଭୁସେକ୍ଙ୍କ ପାଖକୁ ଏକ ପ୍ରସ୍ତାବ ପଠାଇଲେ । ପ୍ରସ୍ତାବ ଅନୁଯାଇ ଦୁଇ ପକ୍ଷ ଏକାଠି ବସି ଯୁଦ୍ଧ ନକରିବା ପାଇଁ ନିସ୍ପତି ନେବେ ବା ଏକ ସମାଧାନର ବାଟ ବାହାର କରିବେ । ଦୁଇ ପକ୍ଷ ବସି ନିଣ୍ଣୟ କଲେ ଯେ, ପରସ୍ପର ଆଉ ଯୁଦ୍ଧ କରିବେ ନାହିଁ ଓ ଶାନ୍ତି ବଜାୟ ରଖିବେ । ଆର୍ଯ୍ୟ ମାନଙ୍କ ଛଳକପଟ ନୀତିକୁ ଭୋଳା ଶମ୍ଭୁ ବୁଝିପାରିଲେ ନାହିଁ ଓ ମୁଳନିବାସୀ ମାନଙ୍କ ସରଳତାର ସୁଯୋଗ ନେଇ ବିଦେଶୀ ମାନେ ଏକ ସଂଯୁକ୍ତ ପ୍ରୀତି ଭୋଜନ ଆୟୋଜନ କରିବା ପାଇଁ କଚାରଗଡ଼ ଯାତ୍ରା ତିଥିରେ ନିମନ୍ତ୍ରଣ କଲେ । ଏହି ପ୍ରୀତି ଭୋଜିରେ ମୁଳନିବାସୀ ଆଦିବାସୀ ମାନଙ୍କୁ ବିଷମିଶା ଖାଦ୍ୟ ଦେଇ ମାରିବା ପାଇଁ ଯୋଜନା କରିଥିଲେ । ଶମ୍ଭୁସେକ୍ଙ୍କ ପ୍ରଗାଢ ମନୋବୈଜ୍ଞାନିକ ବିଦ୍ୟା ବଳରେ ଜ୍ଞାତ ଥିଲେ ଯେ, ଆର୍ଯ୍ୟ ମାନଙ୍କ ଖାଦ୍ୟରେ ବି ଛଳକପଟ ହୋଇପାରେ ବା ଅଛି । ତେଣୁ କରି ଶମ୍ଭୁସେକ୍ ପ୍ରଥମରେ ନିଜେ ଖାଇବା ପରେ ଅନ୍ୟ କୋୟା ବଂଶୀ ମୁଳନିବାସୀ ମାନେ ଭୋଜନ କରିବେ ବୋଲି କହିଲେ । ଶମ୍ଭୁସେକ୍ ପ୍ରଥମରେ ଭୋଜନ କଲେ, ସତକୁ ସତ ଖାଦ୍ୟରେ ବିଷଧର ସର୍ପର ଗରଳ ମିଶା ଯାଇଥାଏ । ଖାଇବା ପରେ ସଙ୍ଗେ ସଙ୍ଗେ ଅଚେତ ହୋଇପଡିଲେ । ଶମ୍ଭୁସେକ୍ ଅଚେତ ହେବାର ଦେଖି ମୁଳନିବାସୀ ସଂପ୍ରଦାୟ ପୁଣି ଆର୍ଯ୍ୟ ମାନଙ୍କ ସହିତ ଯୁଦ୍ଧ କଲେ ଓ ଆର୍ଯ୍ୟ ମାନଙ୍କୁ ଘଉଡାଇ ଦେଲେ । ଶମ୍ଭୁସେକ୍ ଏତେ ବଡ ଯୋଗୀ, ତନ୍ତ୍ର ବିଦ୍ୟାରେ ପାରଙ୍ଗମ ଥାଇ ମଧ୍ୟ ବିଷ ଏତେ ଉକ୍ରଟ ଥିଲା ଯେ, ଅଚେତ ହୋଇ ବିଷକୁ ହଜମ କରି ଚେତା ଫେରିବା ପାଇଁ ତେର ଦିନ ସମୟ ଲାଗିଲା । ଏହି ରାତିରେ ଶମ୍ଭୁ ସେକ୍ ଚେତା ଫେରି ପାଇଥିବା ବା ଜାଗି ଥିବାରୁ ଓ ନିଜ ମୁଳନିବାସୀ ସଂପ୍ରଦାୟଙ୍କୁ ବିଷ ଯୁକ୍ତ ଖାଦ୍ୟ ଦ୍ୱାରା ମୃତ୍ୟୁମୁଖରୁ ବଂଚାଇ ଥିବାରୁ ମୁଳନିବାସୀ ଆଦିବାସୀ ସଂପ୍ରଦାୟ “ଶମ୍ଭୁ ଜାଗରଣ ରାତ୍ରି’ ରୂପରେ ପାଳନ କରନ୍ତି । ମୁଳନିବାସୀ ମାନଙ୍କ ମଧ୍ୟରେ ନୂତନ ଆଶା ସଂଚାର ହେଲା ଓ ସମସ୍ତେ ଖୁସି ମନାଇଲେ । ଏଥି ପାଇଁ କଚାରଗଡ଼ ଯାତ୍ରା ଦିନ ଠାରୁ ତେର ଦିନରେ “ଶମ୍ଭୁ ଜାଗରଣ ମେଳା” ପାଳନ କରାଯାଏ ଯାହାକୁ “ମହାଶିବରାତ୍ରି” କୁହାଯାଉଛି । ଏହି ରାତ୍ରିରେ ମୁଳନିବାସୀ ଆଦିବାସୀ ମାନେ ଶମ୍ଭୁଙ୍କ ଯୋଗ ସିଦ୍ଧ ସ୍ଥଳରେ ଉପବାସ ରହି ପଂଚ ମହାତତ୍ତ୍ୱକୁ ପୂଜା କରିଥାନ୍ତି । ପଞ୍ଚତତ୍ତ୍ୱର ସଂଯୋଗରେ ଜୀବର ଶରୀର ସୃଷ୍ଟି ହୋଇଥାଏ । ତେଣୁ, ଶମ୍ଭୁଙ୍କ ଶରୀର କଦାପି ବିଘଟନ ନ ହୋଇ ସତେଜ ରହୁ କାମନା କରିଥାନ୍ତି ।
ମହାନ୍ ଗୋଁଣ୍ଡି ଲେଖକ ଆଚାର୍ଯ୍ୟ ମୋତିରାବଣ କଙ୍ଗାଲି ତାଙ୍କର “ପାରି କୁପାର ଲିଙ୍ଗୋ ଗୋଁଣ୍ଡି ପୁନେମ୍ ଦର୍ଶନ” ପୁସ୍ତକରେ ଏହି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି । ପୁସ୍ତକର ପାରମ୍ପରିକ ଜନ ସ୍ମୃତି ଗୀତରେ ଉଲ୍ଲେଖ ଅଛି ଯେ, ପ୍ରାଚୀନ କାଳରେ ସତପୁଡା ପର୍ବତ ମାଳାର ପଂଚମେଢୀ କୋଟ୍ ବା ରାଜ୍ୟର ମୁଳନିନାସୀ ରାଜା କୁଲୀତାରଙ୍କ ପୁତ୍ର କୋସୋଡୁମ୍ କଠୋର ଯୋଗ ତପ ବଳରେ ରାଜ୍ୟର ସମସ୍ତ ଜୀବଜଗତର କଲ୍ୟାଣକାରୀ ତ୍ରିଶୂଳ ମାର୍ଗ ପ୍ରଚଳନ କରିଥିଲେ । ନିଜର ମହାନ କାର୍ଯ୍ୟଶୈଳୀ ଦ୍ୱାରା ରାଜ୍ୟର ଅଧିପତି ହୋଇ ସମସ୍ତଙ୍କ ବିଶ୍ୱାସ ଭାଜନ ହୋଇ ପାରିଥିଲେ । ତେଣୁକରି ମୁଳନିବାସୀ ମାନେ ତାଙ୍କୁ ଶମ୍ଭୁସେକ୍ ଉପାଧିରେ ଭୂଷିତ କରିଥିଲେ । ମୁଳନିବାସୀ ମାନେ ଶଂମ୍ଭୁସେକଙ୍କୁ୍ ଶମ୍ଭୁ ମାଦାବ (ମହାଦେବ) ଯାହା ଗୋଁଣ୍ଡୱାନା ଲ୍ୟାଣ୍ଡର ପିତା କହୁଥିଲେ । ସତପୁଡା ଅର୍ଥାତ ଶାସନର କେନ୍ଦ୍ର ସ୍ଥଳ ଆଧୁନିକ ମଧ୍ୟପ୍ରଦେଶରେ ଅବସ୍ଥିତ ପେଙ୍କମେଢୀ (ପେନ୍ଚମେଢୀ)ଠାରୁ ଶମ୍ଭୁସେକ୍ ଶାସନ ପରିଚାଳନା କରୁଥିଲେ । ଶାସନ ପରିଚାଳନା କରୁଥିବା ସମସ୍ତ ଶମ୍ଭୁଶେକ୍ ନିଜର ଅର୍ଦ୍ଧାଙ୍ଗିନୀ ଯୋଡି ସହିତ ପରିଚିତ ହେଉଥିଲେ । ଶମ୍ଭୁ-ମୁଳା ପ୍ରଥମ ଯୋଡି, ଶମ୍ଭୁ-ଗବରା ମଧ୍ୟମ ଯୋଡି ଓ ଶମ୍ଭୁ- ଗୌରୀ/ ପାର୍ବତୀ ଶେଷ ଯୋଡି, ତେଣୁ ଶମ୍ଭୁ-ଗୌରୀ ପର୍ବ ବା ଗୌରୀ ଉଷା ସେହି ସମୟରୁ କେତେକ ଅଂଚଳରେ ଏବେ ବି ପାଳିତ ହୋଇଆସୁଛି । ଏହି ପରି ଅଠାଅଶୀ ଶମ୍ଭୁସେକ୍ ଗୋଁଣ୍ଡୱାନା ଲ୍ୟାଣ୍ଡ୍/କୋୟାମୁରୀ ଦ୍ୱୀପ ବା ଅଧୁନିକ ଭାରତରେ ଶାସନ କରିଥିଲେ । ଏହି ସବୁ ଘଟଣାବଳୀ ସତ୍ୟ ଉପରେ ଆଧାରିତ ଥିଲେ ମଧ୍ୟ ଇତିହାସ ନୀରବ । ପ୍ରକୃତ ତଥ୍ୟ ଉନ୍ମୋଚନ ପାଇଁ ଅଧିକ ଅନୁସନ୍ଧାନ ଓ ଗବେଷଣା ଅପେକ୍ଷା ରଖେ ।
ସୁଦପଡା, ବଲାଙ୍ଗିର
ମୋ-୯୪୩୯୯୮୭୦୯୬