- କୈଳାସ ଚନ୍ଦ୍ର ଦାଶ
ଆଦର୍ଶ ଛାତ୍ର, ଆଦର୍ଶ ଶିକ୍ଷକ, ବିଖ୍ୟାତ ସଂଗଠକ, ବାମପନ୍ଥୀ କର୍ମୀ, ବିଧାୟକ ଏବଂ ସର୍ବୋପରି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିନାୟକ ଆଚାର୍ଯ୍ୟଙ୍କ ଜୀବନ କାହାଣୀ ଆଜି ମଧ୍ୟ ଅନାଲୋଚିତ କିନ୍ତୁ ଓଡିଶାର ରାଜନୀତିକ ଇତିହାସରେ ତାଙ୍କର ଏକ ବନ୍ଦନୀୟ ଆସନ ରହିଛି, ଏହା ଅସ୍ୱୀକାର କରିହେବନାହିଁ । ତାଙ୍କ ଛାତ୍ର ଓ ଯୌବନକାଳର କାର୍ଯ୍ୟମାଳା, ତାଙ୍କର ସାହିତ୍ୟିକ ଅନୁରାଗ ସହିତ ତାଙ୍କର ସଂସଦୀୟ ଭାଷଣ ସମଗ୍ର ଅନୁଶୀଳନ କଲେ ଏକ ପ୍ରଗତିଶୀଳ ବୈପ୍ଳବିକ ଚିନ୍ତାନାୟକ ଏବଂ ଅର୍ଥନୀତିଜ୍ଞ ତଥା ରାଷ୍ଟ୍ରନୀତିଜ୍ଞର ଛବି ଅଙ୍କିତ ହୋଇଯାଏ । ତାଙ୍କ ବହୁମୁଖୀ କାର୍ଯ୍ୟମାଳାରେ ଆଦର୍ଶବାଦ ଏବଂ ପ୍ରଗତିଶୀଳ ଚିନ୍ତାଧାରା ଆଜି ମଧ୍ୟ ଛାତ୍ରଛାତ୍ରୀ ତଥା ଯୁବକଯୁବତୀମାନଙ୍କୁ ଯଥେଷ୍ଟ ପ୍ରେରଣା ଯୋଗାଇଥାଏ ତାଙ୍କର କର୍ମପ୍ରବାହ ଆଜି ମଧ୍ୟ ପ୍ରାସଙ୍ଗିକତା ହରାଇପାରିନାହିଁ ।
ବିନାୟକ ଆଚାର୍ଯ୍ୟ ବ୍ରହ୍ମପୁର ସହରର ଶଙ୍କରପୁର ସାହିରେ ନିମ୍ନ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଅଗଷ୍ଟମାସ ୩୦ ତାରିଖ ୧୯୧୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସ୍ୱର୍ଗତଃ ହରେକୃଷ୍ଣ ମହତାବ ପ୍ରଜାତନ୍ତ୍ରର ଡିସେମ୍ବର ୨୯ ୧୯୭୬ ସଂଖ୍ୟାରେ ଗାଁ ମଜଲିସ ସ୍ତମ୍ଭରେ ପ୍ରସଂଗ କ୍ରମେ ବିନାୟକ ବାବୁଙ୍କର ବଂଶର କୌତୁହଳଜନକ ଇତିହାସ ଲେଖିଥିଲେ ତାଙ୍କ ବିବରଣୀ ଅନୁସାରେ-ଆଚାର୍ଯ୍ୟଙ୍କର ପୂର୍ବପୁରୁଷ ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ପାଲକୋଣ୍ଡା ନାମକ ଏକ ରାଜ୍ୟର ରାଜାଙ୍କ ପ୍ରଧାନମନ୍ତ୍ରୀ ଥିଲେ । ସେ ରାଜା ବ୍ରିଟିଶ ସରକାରଙ୍କ କୋପଚକ୍ଷୁରେ ପଡି ରାଜ୍ୟ ହରାଇଲେ ରାଜ୍ୟକୁ ଖାସ କରିଦେଇ ବ୍ରିଟିସ ସରକାର ପ୍ରଧାନମନ୍ତ୍ରୀଙ୍କୁ ପାଲକୋଣ୍ଡାରୁ ବହିଷ୍କାର କରି ବ୍ରହ୍ମପୁରରେ ବାର୍ଷିକ ଭତ୍ତା ଦେଇ ରଖିଥିଲେ ଏବଂ ପରିବାରର ପ୍ରତିପୋଷଣ ପାଇଁ ଯେତେ ଶଗଡ ଧାନ ଦେବାର ବ୍ୟବସ୍ଥା କଲେ ସେତେବେଳେ ତାହାର ମୂଲ୍ୟ ଥିଲା । ଏକ ହଜାର ଟଙ୍କା ଏହି ବାର୍ଷିକ ବୃତ୍ତି ସେ ପରିବାର ମହତାବଙ୍କ ଆଲୋଚନା ପ୍ରକାଶ ପାଇବା ବେଳେ ମଧ୍ୟ ଭୋଗ କରୁଥିଲେ ଏହିପରି ଏକ ଆଦର୍ଶବାଦୀ ପରିବାରରେ ତାଙ୍କର ପିତା ରଘୁନାଥ ଆଚାର୍ଯ୍ୟ ଶିକ୍ଷକ ହିସାବରେ ଜୀବନ ନିର୍ବାହ କରୁଥିଲେ ବାଲ୍ୟଶିକ୍ଷା ଠାରୁ ଆଇ.ଏ ପରୀକ୍ଷା ପର୍ଯ୍ୟନ୍ତ ବ୍ରହ୍ମପୁର ବିଦ୍ୟାଳୟ ଓ କଲେଜରେ ସମାପନ କରି ପାରଳାଖେମୁଣ୍ଡି କଲେଜରେ ବି.ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏହାପରେ ସେ କଟକ ଟ୍ରେନିଂ କଲେଜରୁ ଡି.ଇଡି ପାସ କରିଥିଲେ ଛାତ୍ର ଅବସ୍ଥାରୁ ବିନାୟକ ବାବୁ ଦୁଃଖୀ ଦରୀଦ୍ରମାନଙ୍କ ପ୍ରତି ସମ୍ବେଦନଶୀଳ ଥିଲେ ଇଂରେଜ ଶାସକମାନଙ୍କର ଅତ୍ୟାଚାର ତାଙ୍କୁ ସେତେବେଳେ ବିଦ୍ରୋହୀ କରାଇଥିଲା । ଔପନିବେଶିକ ଶାସନକୁ ସେ ଆକ୍ଷେପ କରିଥିଲେ ସେତେବେଳେ ସେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଠନ କରିଥିଲେ ଯାହାର ନାମ ଥିଲା ସେବକ ଦଳ ଦୁଃଖୀ ଦରୀଦ୍ର ଶୋଷିତ ଲୋକମାନଙ୍କର ସେବା କରିବା ଥିଲା ଏହି ଅନୁଷ୍ଠାନର ମୂଳଲକ୍ଷ୍ୟ ସେତେବେଳେ ଅର୍ଥାତ ୧୯୩୨-୩୩ ବେଳକୁ ବ୍ରହ୍ମପୁରରେ ଉକ୍ରଳ ବନ୍ଧୁ ସମାଜ ଗଠିତ ହୋଇଥିଲା । ଶିକ୍ଷା ପ୍ରସାର ଓ ପୁସ୍ତକ ସଂଗ୍ରହ ଓ ଅଧ୍ୟୟନ ପରି କାର୍ଯ୍ୟକ୍ରମ ଏହି ସମାଜର ଅଙ୍ଗ ଥିଲା ବିନାୟକ ଆଚାର୍ଯ୍ୟ ଛାତ୍ର ହିସାବରେ ଶିକ୍ଷାର ଅଭିବୃଦ୍ଧି ପାଇଁ ଏହି ସଂସ୍ଥାକୁ ଖଣ୍ଡିଏ ପୁସ୍ତକ ସାହାଯ୍ୟ କରିଥିଲେ । ବୋଲି ଆଶା ସମ୍ବାଦପତ୍ରରେ ୨୩ ଜୁଲାଇ ୧୯୩୪ ସଂଖ୍ୟାରେ ପ୍ରକାଶିତ ହୋଇଥିଲା ୧୯୩୦ ଦଶକରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ପାରଳାଧିଶ୍ୱର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରବଳ ଉଦ୍ୟମ କରିଥିଲେ । ବିଏ ପଢିବା ବେଳେ ଯୁବକ ବିନାୟକ ପାରଳା ମହାରାଜାଙ୍କ ସମ୍ପର୍କରେ ଆସିଥିଲେ ଏବଂ ପାରଳାଖେମୁଣ୍ଡି କଲେଜର ଛାତ୍ର ଥିବା ବେଳେ ମହାରାଜାଙ୍କର ଓଡିଶା ପ୍ରୀତି ତଥା ଦେଶଭକ୍ତି ତାଙ୍କୁ ଅନୁପ୍ରାଣିତ କରିଥିଲା ।
ବି.ଏ ଡି. ଇଡି ପାସ କରିବା ପରେ ମେଧାବୀ ଛାତ୍ର ବିନାୟକ ଶିକ୍ଷକ ଭାବେ କର୍ମ ଜୀବନ ଆରମ୍ଭ କରିଥିଲେ ପ୍ରଥମେ ହିଞ୍ଜିଳିକାଟୁର ବିଦ୍ୟାପୀଠ ଏବଂ ପରେ ବ୍ରହ୍ମପୁର ମ୍ୟୁନିସପାଲ ମାଧ୍ୟମିକ ସ୍କୁଲରେ ସେ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରିଥିଲେ । ସେ ଶିକ୍ଷକତାକୁ ଏକ ପବିତ୍ର ମାନବ ଧର୍ମ ରୂପେ ବିଶ୍ୱାସ କରୁଥିଲେ ଶିକ୍ଷାକ୍ଷେତ୍ରକୁ ସେ ମାନବ ଗଠନ ଅନୁଷ୍ଠାନ ରୂପେ ଗ୍ରହଣ କରୁଥିଲେ । ସେ ଜଣେ ଆଦର୍ଶପ୍ରିୟ ଛାତ୍ରବତ୍ସଳ ଶିକ୍ଷକ ଥିଲେ ଛାତ୍ରଛାତ୍ରୀମାନଙ୍କର ଚରିତ୍ର ଗଠନ ପ୍ରତି ତାଙ୍କର ସଜାଗ ଦୃଷ୍ଟି ଥିଲା ଛୁଟିଦିନମାନଙ୍କରେ ଅତିରିକ୍ତ କ୍ଳାସ ରଖି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେଉଥିଲେ ଏବଂ ପରୀକ୍ଷା ପାଇଁ ଉପଯୁକ୍ତ ଘରୋଇ ପରୀକ୍ଷା କରୁଥିଲେ ପ୍ରତି ମାସର ଶେଷ ସପ୍ତାହରେ ସେ ଗୋଟିଏ ସାଂସ୍କୃତିକ ଆଲୋଚନା ସଭା କରି ନୀତିଶିକ୍ଷା ଦେଉଥିଲେ । ପାଶ୍ଚାତ୍ୟ ଆଦର୍ଶ ଜୀବନମାଳା ଶୁଣାଉଥିଲେ କୈଳାସ ଆଚାର୍ଯ୍ୟ ତାଙ୍କର ଛାତ୍ର ହିସାବରେ ପ୍ରଜାତନ୍ତ୍ରରେ ୧୮ ଡିସେମ୍ବର ୧୯୮୩ ସଂଖ୍ୟାରେ ଲେଖିଛନ୍ତି-“ଭୁଗୋଳ ତାଙ୍କର ଶିକ୍ଷାଦାନର ମୁଖ୍ୟ ବିଷୟ ଥିଲା ଓ ଶ୍ରେଣୀରେ ସେ ପୃଥିବୀର ବିଭିନ୍ନ ଦେଶର ଭୌଗୋଳିକ ପରିସ୍ଥିତି ସହିତ ରାଜନୀତିକ ପରିବେଶର ବିଶଦ ବ୍ୟାଖ୍ୟା କରିଥିଲେ ସେହି ହେତୁ ଆମେ ହାଇସ୍କୁଲର ଛାତ୍ର ଅବସ୍ଥାରେ ନେହେରୁଙ୍କ ପଞ୍ଚଶୀଳ ନୀତି ସହିତ ବେଶୀ ପରିଚିତ ହେଲୁ କୁଶ୍ଚେଭ ଓ ଆଇଜେନ ହାୱାରଙ୍କ ଶୀତଳ ଯୁଦ୍ଧ ସମ୍ପର୍କରେ ଶ୍ରେଣୀରେ ତର୍କ କରିଥିଲୁ”ଏଥି ପାଇଁ ପ୍ରେରଣା ଦେଇଥିଲେ ଶିକ୍ଷକ ବିନାୟକ ଆଚାର୍ଯ୍ୟ ।
୧୯୪୦ ମସିହାରେ ବ୍ରହ୍ମପୁରରେ ଯେତେବେଳେ କଳାଜ୍ୱର ହୋଇଥିଲା ଏବଂ ତୋଫାନ ଓ ଦୁର୍ଭିକ୍ଷର ପ୍ରାଦୁର୍ଭାବ ଦେଖା ଦେଇଥିଲା ସେତେବେଳେ ବିନାୟକଙ୍କ ତରୁଣ ସେବକ ସଂଘ ଅସହାୟ ଗରୀବ ରୋଗୀଙ୍କ ସେବା ପାଇଁ ଔଷଧ ଓ ମୁଢି ଚାଉଳ ସଂଗ୍ରହ କରିଥିଲେ ଏବଂ ଘରଘର ବୁଲି ବିଭୁକ୍ଷୁମାନଙ୍କୁ ବାଣ୍ଟିଥିଲେ ଶିକ୍ଷକତା ସମୟରେ ସେଶର ରାଜନୈତିକ ନେତାମାନଙ୍କ ସହ ତାଙ୍କର ସମ୍ପର୍କ ଯୋଗୁଁ ଭାରତ ଛାଡ ଆନ୍ଦୋଳନ ବେଳେ ତାଙ୍କୁ ପୋଲିସ ଅଟକ ବନ୍ଦୀଙ୍କ ଯୋଗସୂତ୍ରକାରୀ ବୋଲି ସନ୍ଦେହ କରିଥିଲେ । (ସମାଜ, ଡିସେମ୍ବର ୨୮, ୧୯୭୬) ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ଉଦ୍ଦେଶ୍ୟରେ ବ୍ରହ୍ମପୁରଠାରେ ୧୯୪୫ ବେଳକୁ ଯେଉଁ ବିରାଟ ସଭା ଆୟୋଜିତ ହୋଇଥିଲା ସେହି ସଭାରେ ବିନାୟକଙ୍କ ପ୍ରେରଣାରେ ତାଙ୍କ ତରୁଣ ସଂଘର କର୍ମୀମାନେ ସ୍ୱେଚ୍ଛା ସେବକ ରୂପେ ବିଶେଷ ସାହାଯ/ କରିଥିଲେ ସେ ବ୍ରହ୍ମପୁରରେ ହରିଜନ ଓ ବସ୍ତିବାସୀଙ୍କ ମଧ୍ୟରେ ବହୂ ଗଠନମୂଳକ କାର୍ଯ୍ୟ/ ଏହି ଶିକ୍ଷକତା ସମୟରେ କରିଥିଲେ ସେ ବ୍ରାହ୍ମଣ ହୋଇ ମଧ୍ୟ ହରିଜନଙ୍କ ସହ ଏକତ୍ର ଭୋଜନ କରି ତାଙ୍କ ପରିବାରର ତଥା ବ୍ରାହ୍ମଣ ସମାଜର ରୋଷର ପାତ୍ର ହୋଇଥିଲେ (ସମାଜ, ଡିସେମ୍ବର ୨୮, ୧୯୭୬) ୧୯୫୪ ମସିହାରେ ବ୍ରହ୍ମପୁର ଓ ପାରଳାଖେମୁଣ୍ଡିରେ କେତେକ ନ୍ୟସ୍ତସ୍ୱାର୍ଥ ମହଲ ଯେଉଁ ଭାଷାଗତ ଉତ୍ତେଜନା ଓ ଗଣ୍ଡଗୋଳ ସୃଷ୍ଟି କରି ଦେଇଥିଲେ ସେ ସମୟରେ ଆଚାର୍ଯ୍ୟ ଶାନ୍ତିସେନାମାନ ସଂଗଠନ କରି ଶାନ୍ତି ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ଜନସାଧାରଣଙ୍କ ମଧ୍ୟରେ ଗଭୀର ଉଦ୍ୟମ ଚଳାଇଥିଲେ ।
ଶିକ୍ଷକତା କରୁଥିବା ସମୟରେ ବିନାୟକ ବାବୁ କମୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ ତାଙ୍କର ରାଜନୈତିକ ଗୁରୁ ଥିଲେ ବିଖ୍ୟାତ ସାମ୍ୟବାଦୀ ଦାର୍ଶନିକ ବିଜୟ ଚନ୍ଦ୍ର ଦାସ ତାଙ୍କ ପ୍ରେରଣାରେ ଆଚାର୍ଯ୍ୟ ଅନେକ ବାମପନ୍ଥୀ ସାହିତ୍ୟ ଅଧ୍ୟୟନ କଲେ ଆନ୍ତର୍ଜାତିକ ରାଜନୀତିରେ ତାଙ୍କର ଗଭୀର ପ୍ରବେଶ ଥିଲା ଓ ନବ ସ୍ୱାଧିନ ଦେଶମାନଙ୍କର ପ୍ରଗତିଶୀଳ ନେତୃତ୍ୱ ପ୍ରତି ସେ ଅତ୍ୟନ୍ତ ସମ୍ବେଦନଶୀଳ ଥିଲେ ଆଫ୍ରିକାର ବିପ୍ଳବୀ ନେତା ପାଟିସ ଲୁମ୍ବୁମ୍ବୁଙ୍କ ହତ୍ୟାରେ ଅତିମାତ୍ରରେ ଭାବପ୍ରବଣ ହୋଇ ସେ ଦୁଇଦିନ ଉପବାସ ପାଳନ କରିଥିଲେ ବହୁ ସମୟରେ ତାଙ୍କର ସହକର୍ମୀଗଣ ସଦାନନ୍ଦ ମହାନ୍ତି, ବ୍ରହ୍ମାନନ୍ଦ ପଣ୍ଡା, ମନମୋହନ ମିଶ୍ର, ଚିନ୍ତାମଣି ପାଣିଗ୍ରାହୀ, ବୈଷ୍ଣବ ଚରଣ ପଟ୍ଟନାୟକ, ବୈଦ୍ୟନାଥ ରଥ, ମୋହନ ଦାସ, ହରିହର ଦାସ, ଶଶିଭୂଷଣ ପତି ପ୍ରମୁଖଙ୍କ ସହ ସାମ୍ୟବାଦୀ ତତ୍ତ୍ୱ ସମ୍ପର୍କରେ ସେ ଆଲୋଚନା କରୁଥିଲେ ସେହି ସମୟରେ ସେ କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର ନୂଆ ଦୁନିଆରେ ଅଗ୍ରଦେବ ଛଦ୍ମନାମରେ ଅନେକ ରାଜନୈତିକ ଲେଖା ପ୍ରକାଶ କରିଥିଲେ (ପ୍ରଜାତନ୍ତ୍ର, ୧୮, ଡିସେମ୍ବର, ୧୯୮୩ରେ ପ୍ରକାଶିତ କୈଳାସ ଆଚାର୍ଯ୍ୟଙ୍କ ଆଲୋଚନା ଦ୍ରଷ୍ଟବ୍ୟ) ସାମ୍ୟବାଦରେ ବିଶ୍ୱାସ କରୁଥିବାରୁ ସେ ଶ୍ରମିକ ଆନ୍ଦୋଳନ ସହିତ ମଧ୍ୟ ଜଡିତ ଥିଲେ ନବୋକ୍ରଳ ସେବାସଂଘ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବିଜୟ ଚନ୍ଦ୍ର ଦାସ ଏବଂ ସାମ୍ୟବାଦୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରେରଣା ଓ ଉପଦେଶରେ ବିନାୟକ ମାଷ୍ଟ୍ରେ ସମାଜବାଦୀ ଚିନ୍ତାଧାରାକୁ ଅଗ୍ରାଧିକାର ଦେଇଥିଲେ । ସେ ମହାମାଗାନ୍ଧିଙ୍କ ଭିତରେ କାର୍ଲମାର୍କସଙ୍କୁ ଦେଖିଥିଲେ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ଜଣେ ଗାନ୍ଧୀବାଦୀ କର୍ମୀ ଓ ସଂଗଠକ ହିସାବରେ କାର୍ଯ୍ୟ କରିଥିଲେ ଆଭାଦି ଠାରେ ଭାରତୀୟ ଜାତୀୟ କଂଗ୍ରେସ ସମାଜବାଦୀ ଢାଞ୍ଚା କାର୍ଯ୍ୟକ୍ରମ ପ୍ରଥାକୁ ଗ୍ରହଣ କରିବାରୁ ସେ ମଧ୍ୟ କଂଗ୍ରେସ ସହିତ ଅଧିକ ଘନିଷ୍ଠ ହୋଇଥିଲେ । ସେ ମାର୍କସବାଦ ଓ ଗାନ୍ଧିବାଦକୁ ଶିକ୍ଷକତା ସମୟରେ ସଠିକ ଭାବରେ ଗ୍ରହଣ କରିଥିଲେ ଏବଂ ଏକ ଶ୍ରେଣୀହୀନ ସମାଜ ପ୍ରତିଷ୍ଠା କରି ନାନା ପ୍ରକାର ନିର୍ଯ୍ୟାତନାରେ ସଢୁଥିବା ତଥା ଶୋଷିତ ହେଉଥିବା ଦଳିତବର୍ଗଙ୍କୁ ସାମାଜିକ ନ୍ୟାୟ ଦେବାରେ ସହାୟକ ହେବା ପାଇଁ ସାହସର ସହିତ ଚେଷ୍ଟା କରିଥିଲେ । ଆଚାର୍ଯ୍ୟ ବିନୋବା ଭାବେଙ୍କର ଭୂଦାନ ଯଜ୍ଞ ସହିତ ସେ ସକ୍ରିୟ ଭାବେ ସଂଶ୍ଳିଷ୍ଟ ଥିଲେ ଏବଂ ସମଗ୍ର ଗଞ୍ଜାମ ଜିଲ୍ଲାରେ ଏହି ଯଜ୍ଞର ପ୍ରଚାର ଓ ପ୍ରସାର କରାଇଥିଲେ ଏହିସବୁ କାର୍ଯ୍ୟକ୍ରମର ମୂଳକେନ୍ଦ୍ର ଥିଲା ମୁନିସପାଲ ସ୍କୁଲ ଯେଉଁଠାରୁ ତାଙ୍କର ଚିନ୍ତାଧାରା ସାକାର ରୂପ ନେଇ ବର୍ହିଜଗତକୁ ଆସିଥିଲା ।
ବିଏ ଏବଂ ଡିଇଡି ପାସ କରିବା ପରେ ବିନାୟକ ଆଚାର୍ଯ୍ୟ ଓଡିଆ ସାହିତ୍ୟ ଜଗତରେ ପାଦ ଦେଇ ଗଳ୍ପ ଓ ପ୍ରବନ୍ଧ ତଥା ରମ୍ୟ ପତ୍ର ଲେଖାରେ ମନ ନିବେଶ କରିଥିବା ସମ୍ବାଦ ୧୯୪୦ ଦଶକରେ ପ୍ରକାଶିତ ବ୍ରହ୍ମପୁରର ସାପ୍ତାହିକ ସାହିତ୍ୟ ଓ ସମ୍ବାଦପତ୍ର ନବୀନରେ ସ୍ଥାନ ପାଇଛି ।
୧୯୪୦ରୁ ୧୯୪୪ ମଧ୍ୟରେ ନବୀନରେ ବିନାୟକ ଅନେକ ଲେଖା ପ୍ରକାଶ କରିଥିଲେ ସେସବୁ ମଧ୍ୟରେ କେତେକ ଗଳ୍ପ ଓ କେତେକ ପ୍ରବନ୍ଧ ଅବିସ୍ମରଣୀୟ ସେ ନବୀନରେ ଲେଖିଥିବା ରମ୍ୟ ପତ୍ରମାନଙ୍କରେ ତାଙ୍କର ପ୍ରଗତିଶୀଳ ଭାବଧାରା ଏପରିକି ଯୁବକ ଆନ୍ଦୋଳନ ପ୍ରସଂଗ ଏକାନ୍ତ ସ୍ମରଣୀୟ ୧୯୪୦ ମସିହା ନଭେମ୍ବର ୧୯ର ନବୀନରେ ଆଚାର୍ଯ୍ୟ ଶେଷ ଦେଖା ଶୀର୍ଷକ ରମ୍ୟ ପତ୍ରରେ ଦେଶରେ ଯୁବକ ଆନ୍ଦୋଳନ ଏବଂ ଦେଶର ଯୁବଶକ୍ତିକୁ ଜଗାଇବା ପାଇଁ ପ୍ରତି ପଲ୍ଲିରେ ଯୁବକ ସଂଘର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ ନବୀନ ସାହିତ୍ୟ ପରିଷଦର ଦ୍ୱିତୀୟ ବୈଠକରେ ପଠିତ ସଭ୍ୟତା ନା ବର୍ବରତା ଶୀର୍ଷକ ଆଲୋଚନା ନବୀନରେ ୧୩ ଜୁଲାଇ ୧୯୪୩ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ସେଥିରେ ସେ ଆଲୋଚନା ପ୍ରସଂଗରେ ଲେଖିଥିଲେ-“ମନୁଷ୍ୟ ପରମେଶ୍ୱରଙ୍କର ଶ୍ରେଷ୍ଠ ସନ୍ତାନ ଅନ୍ୟାନ୍ୟ ପଶୁମାନଙ୍କଠାରେ ଯାହା ନାହିଁ ତାଠାରେ ତାହା ଅଛି ସେ ବିଚାର କରି ସ୍ଥିର କରିପାରେ କେଉଁଟା ଗ୍ରହଣୀୟ ଓ କେଉଁଟା ବର୍ଜ୍ଜନୀୟ ଏହା ସତ୍ୱେ ଆଜି ଯେପରି ସେ ମାନବିକତାକୁ ଭୁଲିଯାଇ ପାଶବିକତାର ଆଶ୍ରୟ ନେଇଛି, ତାହା ଭାବିଲେ ଗଭୀର ଦୁଃଖରେ ଅଭିଭୂତ ହେବାକୁ ପଡେ ଦୁଇଟି କୁକୁର ଯେପରି ମାଂସଖଣ୍ଡକ ପାଇଁ କାମୁଡାକାମୁଡି ଲାଗନ୍ତି, ଠିକ ସେହିପରି ନହେଲେ ମଧ୍ୟ କେତେକାଂଶରେ ଏହିପରି ଆଜି ଦେଶ ଦେଶ ମଧ୍ୟରେ ଜାତି ଜାତି ମଧ୍ୟରେ ପୁଣି ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ସ୍ୱାର୍ଥ ନେଇ କଳିଗୋଳ ଲଗିଛି ଆଜିକାର ସଭ୍ୟତାର ମାପକାଠି ହୋଇଛି ବର୍ବରାଚରଣ”ଅନ୍ୟତ୍ର ସେ ମଧ୍ୟ ଲେଖିଛନ୍ତି-“ସେହି ସମୟ ଆସି ଯାଇଛି ଯେବେ କି ପ୍ରତ୍ୟେକ ଜାତି ନିଜ ନିଜର ହୃଦୟ ଖୋଜିବା ଦରକାର ପ୍ରକୃତ ଶାନ୍ତି ସେତେବେଳେ ଆସିବ ଯେତେବେଳେ ଶୋଷଣଗତ, ବର୍ଣ୍ଣଗତ ଓ ଜାତିଗତ ଭେଦଭାବ ଭୂପୃଷ୍ଠରୁ ଚିର ବିଦାୟ ନେବ ଓ ଆନ୍ତରିକତା ବିଶ୍ୱାସ ଓ ସରଳତାର ଭିତ୍ତିରେ ବିଶ୍ୱରାଷ୍ଟ୍ର ସଂଘ ଗଠନ କରାଯିବ କିନ୍ତୁ ଯେତେଦିନ ଯାଏ ପବିତ୍ର ରାଜନୀତି କ୍ଷେତ୍ରରେ ସ୍ୱାର୍ଥର ତାଣ୍ଡବ ଲୀଳା ଲାଗିଥିବ ସେତେଦିନ ଯାଏ ଜଗତକୁ ଶାନ୍ତି ଆସିବ ନାହିଁ ।
ନବୀନର ୩ ଜୁଲାଇ ୧୯୪୫ ସଂଖ୍ୟାରେ ପ୍ରକାଶିତ ଆମ ଶିକ୍ଷା କ୍ଷେତ୍ରରେ ଉତ୍ତମ ଆଦର୍ଶର ଅଭାବ ଶୀର୍ଷକ ବିନାୟକ ଆଚାର୍ଯ୍ୟଙ୍କର ଆଲୋଚନା ଶିକ୍ଷା ଦିଗରେ ଏକ ଉକ୍ରୃଷ୍ଟ ପ୍ରସଂଗ ତାଙ୍କ ମତରେ- “ଭାରତୀୟ ଶିକ୍ଷା କ୍ଷେତ୍ରରେ ଯେଉଁସବୁ ଅଭାବ ପରିଲକ୍ଷିତ ହୁଏ ତା ମଧ୍ୟରେ ଉତ୍ତମ ଆଦର୍ଶର ଅଭାବ ସର୍ବପ୍ରଥମ ପ୍ରତ୍ୟେକ ମାନବର କିଛି ନା କିଛି ଆଦର୍ଶ ରହିବା ଉଚିତ ଯାହାକୁ ଲକ୍ଷ୍ୟକରି ସେ ଜୀବନ ନିର୍ବାହ କରିବ ଏହି ଆଦର୍ଶର ଅଭାବରେ ଜୀବନଟା କିପରି ଗୋଟିଏ ଲକ୍ଷ୍ୟହୀନ ଖାମଖିଆଲିଆ ହୋଇପଡେ । ତେବେ କିପରି ଆଦର୍ଶ ଆମ୍ଭେମାନେ ଆମ ସମ୍ମୁଖରେ ରଖି ଜୀବନ ସଂଗ୍ରାମରେ ବ୍ରତୀ ହେବା ତାହା ସତ ଶିକ୍ଷା କେବଳ ଆମକୁ ଯୋଗାଇ ଦେଇପାରେ ତେଣୁ ଶିକ୍ଷାକ୍ଷେତ୍ରରେ ଉତ୍ତମ ଆଦର୍ଶ ଥିବା ଏକାନ୍ତ ବାଂଛନୀୟ” ଆଲେଚନାରେ ସେ ଛାତ୍ର ତଥା ଶିକ୍ଷକ ଉଭୟଙ୍କ ଉପରେ ନଜର ଦେଇ ଚର୍ଚ୍ଚା କରିଥିଲେ ସେ ସ୍ପଷ୍ଠ ଭାବରେ ଲେଖିଥିଲେ-“ଅଳ୍ପ କେତେକଙ୍କୁ ବାଦ ଦେଲେ ଶିକ୍ଷାକ୍ଷେତ୍ରରେ ପ୍ରକୃତ ଶିକ୍ଷକ ଦେଖିବାକୁ ମିଳନ୍ତି ନାହିଁ ସ୍ୱାର୍ଥତ୍ୟାଗୀ, ଦେଶହିତାକାଂକ୍ଷୀ ଶିକ୍ଷକଙ୍କ ସଂଖ୍ୟା ଅତି କମ ଶହେ କେ ଜଣେ ଦୁଇ ଜଣ ଥିବେ କି ନାହିଁ ସନ୍ଦେହର କଥା ଶିକ୍ଷକର ଶିକ୍ଷକତା ଯଦି ଗୋଟିଏ ଉପଫଳ ହୋଇପଡେ, ତେବେ ସେହିଭଳିଆ ଶିକ୍ଷକର କୌଣସି ଆବଶ୍ୟକତା ନାହିଁ । ଆନ୍ତରିକତା, ନିଃସ୍ୱାର୍ଥପରତା ଓ ସରଳତାର ଅଭାବରୁ ଆଜି ଶିକ୍ଷାକ୍ଷେତ୍ରରେ ଭଣ୍ଡାମୀ ପ୍ରବେଶ କରିଛି ଅନେକ ସ୍ଥଳରେ ଶିକ୍ଷକ ଭାବନ୍ତି ଯେ ପାଠ୍ୟ ବହିଗୁଡାକ ଯେ କୌଣସି ମତେ ପଢାଇ ଦେଲେ ତାହାଙ୍କର ଅନ୍ୟ କୌଣସି ସମ୍ପର୍କ ନାହିଁ କିନ୍ତୁ ଏହା ଯେ କି ପ୍ରକାଣ୍ଡ ଭୁଲ ତାହା ସମସ୍ତେ ଉପଲବଧି କରିପାରୁଥିବେ ମନୁଷ୍ୟ ଜୀବନଟାରେ କିଛି ନା କିଛି ଶିକ୍ଷା କରେ ଏହି ବାହ୍ୟ ଶିକ୍ଷା ଛାତ୍ରମାନେ ଯେପରି ପାଇବେ ଶିକ୍ଷକ ଦେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଉଚିତ ତେଣୁ ପୁରାକାଳର ସେହି ଆଶ୍ରମ ଶିକ୍ଷା ଆଜି କାଲି ମଧ୍ୟ ଶିକ୍ଷିତ ସମାଜର ଦୃଷ୍ଟକୋଣରୁ ଅପସାରିତ ହୋଇନାହିଁ ଛାତ୍ରର ସର୍ବାଙ୍ଗୀନ ଉନ୍ନତି କରିବା ଶିକ୍ଷକର କର୍ତ୍ତବ୍ୟ କିନ୍ତୁ ଏହି କର୍ତ୍ତବ୍ୟକୁ ଆଜି ଯେ କବର ଦିଆଯାଇଛି । ଏହା କହିବା ବାହୁଲ୍ୟ ମାତ୍ର ଜାତି ଗଠନରେ ଶିକ୍ଷକ ପ୍ରଧାନ ଭାଗ ନିଏ କିନ୍ତୁ ଆଜିକାଲିର ଶିକ୍ଷକଙ୍କଠାରୁ କି ଜାତି ଗଠନ କାମ ଆଶା କରାଯାଇପାରେ ୧୯୪୫ ମସିହାର ଏହି ମତ ଓ ମନ୍ତବ୍ୟ ଆଜି ମଧ୍ୟ ପ୍ରାସଂଗିକତା ହରାଇନାହିଁ । ଶିକ୍ଷାକ୍ଷେତ୍ରରେ ଉତ୍ତମ ଆଦର୍ଶର ଅଭାବ ବିନାୟକ ଆଚାର୍ଯ୍ୟଙ୍କର ଶିକ୍ଷା ସମ୍ପର୍କିତ ଆନ୍ଦୋଳନର ଏକ ପ୍ରମୁଖ ପ୍ରସଂଗ ଥିଲା ସେ କେତେ ଖଣ୍ଡ ପୁସ୍ତକର ସାହାଯ୍ୟରେ କୃତ୍ରିମ ଜ୍ଞାନକୁ ସମାଲୋଚନା କରିଥିଲେ ବାହ୍ୟ ଜ୍ଞାନର ଆବଶ୍ୟକତାକୁ ସେ ସର୍ବଦା ଗୁରୁତ୍ୱ ଦେଇଥିଲେ । ପାଠ୍ୟପୁସ୍ତକ ଲବଧ ଶୂନ୍ୟଗର୍ଭ ଉପାଧିମାଳା ଜୀବନରେ ଅସଲ ଜ୍ଞାନ ଉପରେ କଳା ପରଦା ଟାଣିଦିଏ ବୋଲି ସେ ଦୃଢ ମତ ପୋଷଣ କରିଥିଲେ ପ୍ରବନ୍ଧଗୁଡିକ ପରି ତାଙ୍କର ଏକାଧିକ ଗଳ୍ପରେ ସମାଜ ସଂସ୍କାର ପ୍ରସଂଗ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
୧୯୫୦ ଦଶକରେ ଶିକ୍ଷକ ବିନାୟକ ପ୍ରତ୍ୟେକ୍ଷ ରାଜନୀତିରେ ଯୋଗ ଦେଇଥିଲେ ୧୯୫୨ ମସିହାରେ ସାମ୍ୟବାଦର ଚିନ୍ତାଧାରାର ସାରଥି ଭାବରେ ଗଞ୍ଜାମର ନେତୃତ୍ୱ ନେଇଥିଲେ ସ୍ୱର୍ଗତଃ ବିଜୟ ଚନ୍ଦ୍ର ଦାସ ସେଥିରେ ଶଶିଭୂଷଣ ପତି, ରାମକୃଷ୍ଣ ବେହେରା ଓ ବ୍ରହ୍ମାନନ୍ଦ ପଣ୍ଡାଙ୍କ ପରି ବିନାୟକ ଆଚାର୍ଯ୍ୟ ଅଂଶ ଗ୍ରହଣ କରିଥିଲେ ଭାରତରେ ସ୍ୱାଧିନତା ପରବର୍ତ୍ତୀ କାଳରେ ୧୯୫୧-୫୨ ମସିହାରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏହି ନିର୍ବାଚନରେ ଓଡିଶା ବିଧାନ ସଭା ନିମନ୍ତେ ଗଞ୍ଜାମ ଜିଲ୍ଲାକୁ ୧୨ଟି ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇଥିଲା । ତନ୍ମଧ୍ୟରୁ ୩ଗୋଟି ନିର୍ବାଚନ ମଣ୍ଡଳୀ ଯୁଗ୍ମ ନିର୍ବାଚନ ମଣ୍ଡଳୀ ରୂପେ ସ୍ଥିର ହୋଇଥିଲା ବ୍ରହ୍ମପୁର ସେଥି ମଧ୍ୟରୁ ଅନ୍ୟତମ କିନ୍ତୁ ନିର୍ବାଚନ ପରେ ମକଦ୍ଦମା ହୋଇ ଏହା ଅସିଦ୍ଧ ଘୋଷିତ ହେବା ପରେ ବ୍ରହ୍ମପୁର ଯୁଗ୍ମ ନିର୍ବାଚନ ମଣ୍ଡଳୀରେ ୧୯୫୩ରେ ପୁଣି ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ବିନାୟକ ଆଚାର୍ଯ୍ୟ ପ୍ରଧାନ ଶିକ୍ଷକ ପଦବୀ ଛାଡି ଏହି ଉପ ନିର୍ବାଚନରେ ସାମ୍ୟବାଦୀ ଦଳର ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦ୍ୱିତା କଲେ ନିଆଁଖୁଣ୍ଟା ପତ୍ରିକାର ସେପ୍ଟେମ୍ବର ୧୯୫୩ ସଂଖ୍ୟାରେ ଡାମରାକାଉରେ ଡାମରାକାଉ କବିତାରେ ଏହି ନିର୍ବାଚନକୁ ବ୍ୟଙ୍ଗ କରାଯାଇ କୁହାଯାଇଥିଲା-
ତେଣୁ ମୁଁ କହୁଛି ଯିବୁତୁ ଉଡି
ଡେଇଁ ବାଲେଶ୍ୱର, କଟକ, ପୁରୀ
ପାରି ନହେବୁତୁ ଗଞ୍ଜାମ ଜିଲ୍ଲା
ଶୁଣିବୁ ଲାଗିଛି ବିଷମ ବାଲା
ପାନ-ବୃନ୍ଦାବନ ମୋହନ ଦଳ
ନବ ବଳେ ବଳୀୟାନ ପ୍ରବଳ
ଧରି ରାଧାନାଥ ପଦ-ଯୁଗଳ
କହୁଛନ୍ତି ନାଥ ! ନାୟକ କର
ବୁଡି ଯାଉଥିବା ଡଙ୍ଗାରେ ବସି
ଯେଉଁ ଡଙ୍ଗା ନାଁ ଦାସ ଶ୍ରୀ ବିଶି-
ପାରି ହେବା ପାଇଁ ଭୋଟ ସାଗର
ଜାଳୁଛନ୍ତି ବସି ଆଶା-ଜାଗର
ପାଖେ ବିନାୟକ, ପାଖେ ଶ୍ରୀରାମ
ସମର ଲାଗିିଛି ଅତି ବିଷମ
ଆଚାର୍ଯ୍ୟ ଏହି ନିର୍ବାଚନରେ କିନ୍ତୁ ପରାସ୍ତ ହୋଇଗଲେ ବୃନ୍ଦାବନ ନାୟକ କଂଗ୍ରେସ ପ୍ରାର୍ଥୀ ୧୪୬୯୪ ଭୋଟ ପାଇ ବିଜୟ ଲାଭ କରିଥିଲେ ବିନାୟକ ଆଚାର୍ଯ୍ୟ ୧୦୪୬୮ ଭୋଟ ପାଇ ପରାସ୍ତ ହୋଇଗଲେ (ଚୌଧୁରୀ ବିଷ୍ଣୁଚରଣ, “ବିନାୟକ ଆଚାର୍ଯ୍ୟ:ଏକ ବହୁମୁଖୀ ବ୍ୟକ୍ତିତ୍ୱ, ବିନାୟକ ଆଚାର୍ଯ୍ୟ ସ୍ମାରକୀ ବକ୍ତୃତା ମାଳା, ୨୦୦୫, ବିନାୟକ ଆଚାର୍ଯ୍ୟ କଲେଜ, ବ୍ରହ୍ମପୁର) ଉପ ନିର୍ବାଚନରେ ପରାଜିତ ହେଲେ ସତ, ବିନାୟକ ବାବୁ ଏହି ପ୍ରତିଦ୍ୱନ୍ଦ୍ୱିତାରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଅଭୁତପୂର୍ବ ଜନ ଜାଗରଣ ସୃଷ୍ଟି କରିଥିଲେ ସାମ୍ୟବାଦୀ ଦଳ ପ୍ରତି ବିନାୟକ ବାବୁଙ୍କର ମମତା ଓ ଆନୁଗତ୍ୟ ଏତେ ବେଶୀ ଥିଲା ଯେ ସେ କେବଳ କମୁନିଷ୍ଟ ପାର୍ଟିର ସମର୍ଥକ ଦୋକାନୀଠାରୁ ପାନ ଜଳଖିଆ ଖାଉଥଲେ ତାଙ୍କର ଧୋବା, ଭଣ୍ଡାରୀ, ଦରଜୀ ପ୍ରଭୃତିଙ୍କୁ ସେ ଦଳର ଶ୍ରେଣୀଭୁକ୍ତ କରିଥିଲେ ତାଙ୍କର ବିରୋଧି ଦଳ କଂଗ୍ରେସ ପ୍ରାର୍ଥୀ ବୃନ୍ଦାବନ ନାୟକ ନିର୍ବାଚନରେ ଜୟଯୁକ୍ତ ହୋଇଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ନିବିଡ ବନ୍ଧୁତା ରହିଥିଲା ପ୍ରାୟ ତିନି ବର୍ଷର ବ୍ୟବଧାନ ପରେ ସେ ତାଙ୍କର ପ୍ରଧାନ ଶିକ୍ଷକ ପଦବୀକୁ ପୁନର୍ବାର ଫେରିଥିଲେ ସେଥିପାଇଁ ବୃନ୍ଦାବନ ନାୟକ ତାହାଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ (ସାହୁ ପଦ୍ମଚରଣ, କର୍ମବୀର ବୃନ୍ଦାବନ, ବ୍ରହ୍ମପୁର, ୧୯୮୯, ପୃ-୬୩-୬୪) ଏହା ପରେ ସେ କେତେକ କାରଣରୁ କମୁ/ନିଷ୍ଟ ଦଳ ପରିତ୍ୟାଗ କରି ସର୍ବୋଦୟ ଆନ୍ଦୋଳନ ଓ ହିନ୍ଦି ପ୍ରଚାର ସଭାରେ ଯୋଗ ଦେଇଥିଲେ ।
୧୯୬୭ ମସିହାରେ ବିନାୟକ ଆଚାର୍ଯ୍ୟ ପ୍ରଧାନ ଶିକ୍ଷକ ପଦରୁ ଇସ୍ତଫା ଦେଇ ସକ୍ରିୟ ରାଜନୀତିରେ ପୁନଃଯୋଗଦାନ କଲେ କଂଗ୍ରେସ ଦଳର ଆଦର୍ଶ ଓ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ୧୯୫୮-୫୯ରୁ ଏହି ଦଳରେ ସାମିଲ ହୋଇଥିଲେ ବିଜୁ ପଟ୍ଟନାୟକଙ୍କ ପରାର୍ମଶ କ୍ରମେ ସେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ପ୍ରାର୍ଥୀ ରୂପେ ୧୯୬୭ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କଲେ ଏହି ନିର୍ବାଚନରେ ବିନାୟକ ବାବୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜନ କଂଗ୍ରେସ ପ୍ରାର୍ଥୀ ବସନ୍ତ କୁମାର ପାଣିଗ୍ରାହୀଙ୍କୁ ବହୁ ଭୋଟ ବ୍ୟବଧାନରେ ପରାଜିତ କରି ପ୍ରଥମ ଥର ପାଇଁ ରାଜ୍ୟ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ୧୯୬୭ ମସିହାଠାରୁ ତାଙ୍କର ପାର୍ଲିଆମେଣ୍ଟାରୀ ଜୀବନର ସୂତ୍ରପାତ ହୋଇଥିଲା ପ୍ରଥମେ ସେ ବିଧାନ ସଭାରେ ମୁଖ୍ୟ ବିରୋଧି ଦଳ ଥିବା ୩୧ ଜଣିଆ କଗ୍ରେସ ବ୍ୟବସ୍ଥାପକ ଦଳ ଉପନେତା ଥିଲେ ଏହାରଏକ ବର୍ଷ ପରେ ସେ ଉକ୍ତ ଦଳର ନେତା ନିର୍ବାଚିତ ହୋଇ ବିଧାନ ସଭାର ବିରୋଧି ଦଳର ନେତା ଦାୟିତ୍ୱ ଗ୍ରହଣ କଲେ (ସମାଜ, ଡିସେମ୍ବର୨୮, ୧୯୭୬) ୧୯୬୯ରେ ଭାରତୀୟ ଜାତୀୟ କଂଗ୍ରେସ ସର୍ବଭାରତୀୟ ସ୍ତରରେ ଏକ ବିଭାଜନର ସମ୍ମୁଖୀନ ହେଲା ଏହାହେଲା ଦୁଇ ଭାଗ-କଂଗ୍ରେସ (ସଂଗଠନ) ଏବଂ କଂଗ୍ରେସ(ଶାସକ) ୧୯୬୯ରେ କଂଗ୍ରେସର ବିଭାଜନ ବେଳେ ବିନାୟକ ଆଚାର୍ଯ୍ୟ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପ୍ରତି ଆସ୍ଥା ପ୍ରକାଶ କରିଥିଲେ ଏବଂ ଶାସକ କଂଗ୍ରେସ ସହିତ ସାମିଲ ହେଲେ ୧୯୭୦ରେ ଓଡିଶା କଂଗ୍ରେସ ବିଧାୟକ ଦଳର ଅଧିକାଂଶ ସଭ୍ୟ ବିଜୁ ପଟ୍ଟ ନାୟକଙ୍କ ନେତୃତ୍ୱରେ କଂଗ୍ରେସରୁ ବାହାରି ଯାଇ ଉକ୍ରଳ କଂଗ୍ରେସ ଗଢିବା ବେଳେ ମାତ୍ର ୧୨ ଜଣ କଂଗ୍ରେସ ବିଧାୟକଙ୍କ ନେତୃତ୍ୱ ନେଇ ଆଚାର୍ଯ୍ୟ ଓଡିଶାରେ ଶାସକ କଂଗ୍ରେସର ଅସ୍ତିତ୍ୱ ବଜାୟ ରଖିଥଲେ ଦଳର ଉଚ୍ଚ କର୍ତ୍ତୃପକ୍ଷ ଆଡହକ ଓଡିଶା ପ୍ରଦେଶ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଲେ ଏବଂ ବିନାୟକ ବାବୁ ଏହାର ଆବାହକ ରୂପେ ମନୋନୀତ ହେଲେ ବହୁ ଘାତ ପ୍ରତିଘାତ ମଧ୍ୟରେ ରାଜ୍ୟରେ କଂଗ୍ରେସ ସଂଗଠନକୁ ବଞ୍ଚାଇ ରଖିବା ଏବଂ ତୃଣମୂଳ ସ୍ତରରେ ଦଳକୁ ଶକ୍ତିଶାଳୀ କରିବାର ଗୁରୁ ଦାୟିତ୍ୱ ବିନାୟକ ବାବୁଙ୍କ ଉପରେ ନ୍ୟସ୍ତ କରାଯାଇଥିଲା ଜଣେ ଦୃଢ ସଂଗଠକଭାବରେ ସେ ନିଜକୁ ପ୍ରତିଷ୍ଠିତ କରିବା ସଂଗେ ସଂଗେ ରାଜ୍ୟରେ କଂଗ୍ରେସ ଦଳକୁ ଶକ୍ତିଶଳୀ କରିପାରିଥିଲେ (ଚୌଧୁରୀ, ବିଷ୍ଣୁଚରଣ, ପୂର୍ବୋକ୍ତ ପ୍ରବନ୍ଧ) ।
ପରିଶେଷରେ କଂଗ୍ରେସ ଦଳରେ ଥାଇ ୧୯୭୬ ଡିସେମ୍ବର ମାସରେ ବିନାୟକ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ ମୁଖ୍ୟମନ୍ତ୍ରୀ ହେବାପରେ ସେ ରାଜ୍ୟରେ ନିର୍ମଳ, ସାଧୁ ଓ ଦୃଢ ଶାସନ ପ୍ରତିଷ୍ଠା ଦିଗରେ ସର୍ବବିଧ ଉଦ୍ୟମ କରିବେ ବୋଲି ସଂକଳ୍ପ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ଆଚାର୍ଯ୍ୟ ୨୯ ତାରିଖ ଡିସେମ୍ବର ରାତ୍ରିରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବେତାର ଭାଷଣ ଦେଇଥିଲେ (ସମାଜ, ଡିସେମ୍ବର ୩୧, ୧୯୭୬) ସେଥିରେ ସେ ସେବାକୁ ମୂଳମନ୍ତ୍ର କରି ଶାସନ ଦାୟିତ୍ୱ ତୁଲାଇବାକୁ ପରାର୍ମଶ ଦେଇଥିଲେ ସେ କହିଥଲେ-“ରାଜ/ର ଉନ୍ନତି କଥା ଚିନ୍ତା କଲାବେଳେ ଯେଉଁମାନଙ୍କୁ ନେଇ ଓ ଯେଉଁମାନଙ୍କ ଜରିଆରେ ଏହି କାର୍ଯ୍ୟ ସମ୍ପାଦନ ହେବ, ସେମାନଙ୍କ ସମ୍ପର୍କରେ ମୁଁ ସଚେତନ ଛାତ୍ର, ଯୁବକ, କୃଷକ, ଶ୍ରମିକ, ବୁଦ୍ଧିଜୀବୀ ତଥା ବିଭିନ୍ନ ଗୋଷ୍ଠିର ଲୋକମାନଙ୍କୁ ମୁଁ ବିନମ୍ର ନିବେଦନ କରୁଛି ଯେ ଓଡିଶାର ଉନ୍ନତି ଓ ପ୍ରଗତି ପାଇଁ ଏବେ ଏକ ନୂଆ ସୁଯୋଗ ଆସିଛି ଆସନ୍ତୁ ଆମେ ସମସ୍ତେ ମିଳିମିଶି ନିଷ୍ଠା ଓ ଆନ୍ତରିକତା ସହ ରାଜ୍ୟ ତଥା ଦେଶର କଲ୍ୟାଣ ପାଇଁ ଶପଥ ନେବା ଏ ଦାୟିତ୍ୱ ସମ୍ପାଦନ ପାଇଁ ମୁଁ ସବୁଶ୍ରେଣୀର ଲୋକଙ୍କର ସାହାଯ୍ୟ ଓ ସହଯୋଗ କାମନା କରୁଛି ଓଡିଶାକୁ ନୂଆ ରୂପ ଦେବା ପାଇଁ ଆଜି ଆମକୁ ଯେଉଁ ସୁଯୋଗ ମିଳିଛି ତାହାର ସଦୁପଯୋଗ କରି ସୁଖୀ ଓ ସମୃଦ୍ଧ ଓଡିଶା ଗଢିବାକୁ ମୁଁ ରାଜ୍ୟବାସୀଙ୍କୁ ବିନମ୍ର ନିବେଦନ କରୁଛି” ମାତ୍ର ୪ ମାସ ପରେ ୧୯୭୭ ମସିହା ଏପ୍ରିଲ ୩୦ ତାରିଖ ଦିନ କେନ୍ଦ୍ରରେ ଥିବା ଜନତା ସରକାର ଆଚାର୍ଯ୍ୟଙ୍କର ମନ୍ତ୍ରୀମଣ୍ଡଳକୁ ବରଖାସ୍ତ କରିଥିଲେ ୧୯୬୯ ଠାରୁ ୧୯୭୭ ମସିହାରେ ସପ୍ତମ ଓଡିଶା ବିଧାନ ସଭା ଗଠିତ ହେବା ପର୍ଯ୍ୟନ୍ତ ଓଡିଶା ରାଜନୀତିରେ ଛକାପଂଝା ଥିବା ବେଳେ ବିନାୟକ ଆଚାର୍ଯ୍ୟଙ୍କର ଭୂମିକା ଏକ ନିର୍ଭୀକ, ସଚ୍ଚୋଟ ଓ ଆଦର୍ଶବାଦୀ ରାଜନୀତିଜ୍ଞର ସାକ୍ଷର ବହନ କରି ପାରିଥିଲା । ସେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଅନୁଷ୍ଠାନ ସହିତ ସଂଶ୍ଳିଷ୍ଟ ଥିଲେ ଜୀବନର ଶେଷ ପର୍ଯ୍ୟନ୍ତ ଭାରତ ସୋଭିଏତ ମୈତ୍ରୀସଂଘ, ଭାରତ ଜର୍ମାନୀ ମୈତ୍ରୀ ସଂସଦ, ଭାରତୀୟ ଶାନ୍ତି ପରିଷଦ ଇତ୍ୟାଦିର ସେ ଥିଲେ ମୁଖ୍ୟ କର୍ଣ୍ଣଧାର ୧୯୪୬ ମସିହାଠାରୁ ୩୦ ବର୍ଷ ଧରି ରାଷ୍ଟ୍ରଭାଷା ପ୍ରଚାର ସମିତି ସହ ସଂପୃକ୍ତ ରହି ଓଡିଶାରେ ହିନ୍ଦି ଓ ଜାତୀୟ ସଂହତି ପ୍ରଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୭୬ରେ ସେ ଓଡିଶାରେ ରାଷ୍ଟ୍ରଭାଷା ପ୍ରଚାର ସମିତିର ସଭାପତି ଥିଲେ ସେ ମଧ୍ୟ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘର ସଂପାଦକ ଓ ପରେ ଉପ ସଭାପତି ହୋଇ ରାଜ୍ୟରେ ଶିକ୍ଷକମାନଙ୍କର ମଙ୍ଗଳ ପାଇଁ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ୧୯୭୬ ଜୁନ ମାସରେ ବ୍ରହ୍ମପୁର ପ୍ରକାଶମ ହଲ ଠାରେ ଦକ୍ଷିଣ ଓଡିଶା ସାହିତ୍ୟ ଓ ସାଂସ୍କୃତିକୀ ସମ୍ମିଳନୀର ଉଦଘାଟନ କରି ଦକ୍ଷିଣ ଓଡିଶା ସାଂସ୍କୃତିକ ଜୀବନର ବିକାଶ ପାଇଁ ଉଦ୍ୟମ ହେବା ଉଚିତ ବୋଲି ସେ ମତ ଦେଇଥିଲେ ସେ ମଧ୍ୟ କୃଷକ ସମାଜର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ବିନାୟକ ଆଚାର୍ଯ୍ୟଙ୍କର ବହୁମୁଖୀ କର୍ମଧାରା ତାଙ୍କ ବିଧାନସଭା ପ୍ରଦତ୍ତ ଭାଷଣ ଏବଂ ବିଧାନ ସଭା ବାହାରେ ପ୍ରଦତ୍ତ ଭାଷଣରୁ ସୂଚିତ ହୋଇଥାଏ ଶିକ୍ଷା, ସାଂସ୍କୃତିକ ସଂଗଠନ, ସାହିତ୍ୟୋନ୍ନତି, ଅର୍ଥନୀତିକ ଅଭିବୃଦ୍ଧି ଓ ଯୋଜନା, ଦଳିତ ସମସ୍ୟା ସମାଧାନ, କୃଷି ଓ ଶିଳ୍ପର ବିକାଶ ପରି ନାନା କର୍ମଧାରାରେ ସେ ସଂଯୁକ୍ତ ହୋଇଥିଲେ ତାଙ୍କଜୀବନର ଦୀର୍ଘ ୪୦ ବର୍ଷ (୧୯୪୦ରୁ ୧୯୮୦) ତାଙ୍କ ଅବିସ୍ମରଣୀୟ ଜୀବନର ବିଶିଷ୍ଟ ପର୍ବ ଏହି ସମୟ ସୀମାରେ ତାଙ୍କ କର୍ମପ୍ରବାହରେ ତାଙ୍କ ଜୀବନ ଦର୍ଶନର ପ୍ରତିଫଳନ ଘଟିଥିଲା ।
ପୂର୍ବତନ ଇତିହାସ ପ୍ରାଧ୍ୟାପକ, ବିଜେବି ନଗର, ସି-୩/୨, ଭୁବନେଶ୍ୱର-୧୪, ମୋ-୯୪୩୭୬୨୧୫୧୬