ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜୀବନୀ ସାହିତ୍ୟରେ ଜୀବନ ଚକ୍ର’ ମାନ ଉଲ୍ଲେଖନୀୟ ଅଟେ । ଏଥିରେ ଛାତ୍ରଛାତ୍ରୀମାନେ ଅନୁପ୍ରାଣୀତ ହେବା ଆବଶ୍ୟକ ବୋଲି ବକ୍ତାମାନେ ମତପ୍ରକାଶ କରିଛନ୍ତି । ଛତ୍ରପୁରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାନ ସାମାଜ ସେବକ, ସାହିତ୍ୟିକ ଓ ଜାତୀୟତାବାଦୀ ନେତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଆନୁକୂଲ୍ୟରେ ଏବଂ ଛତ୍ରପୁର ସାହିତ୍ୟ ସଂସଦର ସହଯୋଗରେ ଅନୁଷ୍ଠିତ ହୋଇଥିଲା । ‘ଗୋପବନ୍ଧୁଙ୍କ ସାହିତ୍ୟରେ ଜୀବନ ଚକ୍ର’ ଶୀର୍ଷକ ବିଷୟ ଉପରେ ଏକ ଆଲୋଚନା ଚକ୍ରରେ ଏହା ଉପସ୍ଥାପିତ ହୋଇଛି । ଏହି ସଭାରେ ଦୈନିକ ସମ୍ବାଦ ପତ୍ର ‘ସମାଜ’ର ପ୍ରକାଶକ ତଥା ଲୋକ ସେବକ ମଣ୍ଡଳର ଜାତୀୟ ସଂପାଦକ ରାଜେନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ଶ୍ରୀଯୁକ୍ତ ଜେନା ନିଜ ବକ୍ତବ୍ୟରେ ଗୋପବନ୍ଧୁ ଦାସଙ୍କ ତ୍ୟାଗ, ସେବା ଓ ଜନହିତକାମୀ ମନୋଭାବ ଆମ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି କହିବା ସହିତ ଗୋପବନ୍ଧୁଙ୍କ ଜୀବନ-ଦର୍ଶନ, ସେବା ମନୋଭାବ ନୂତନ ପିଢି ଜାଣିବା ଓ ଅନୁସରଣ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଏହି ଆଲୋଚନା ସଭାରେ କ୍ଷେତ୍ରମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ. ହୃଷୀକେଶ ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ଜଣେ ଶିକ୍ଷାବିଦ୍ ଓ ଲେଖକ ଥିଲେ ତାହା ନୁହେଁ ବରଂ ସେ ହେଉଛନ୍ତି ଗୋଟିଏ ଅନୁଷ୍ଠାନ ଏବଂ ଜଣେ ଦେଶଭକ୍ତ, ସମାଜସେବୀ ଓ ମାନବତାବାଦୀ ଭାବରେ ତାଙ୍କର ସମଗ୍ର ଜୀବନ ଜନତାଙ୍କ ସେବାରେ ଉତ୍ସର୍ଗିତ ଥିଲେ ବୋଲି ନିଜର ବକ୍ତବ୍ୟରେ କହିଥିଲେ । ଅନ୍ୟତମ ଅତିଥି ଛତ୍ରପୁର ସାହିତ୍ୟ ସଂସଦର ସଭାପତି ବ୍ରଜମୋହନ ଅଚାର୍ଯ୍ୟ ନିଜ ବକ୍ତବ୍ୟରେ ଗୋପବନ୍ଧୁଙ୍କ ଆଦର୍ଶ, ସ୍ୱାର୍ଥ ତ୍ୟାଗ ସମାଜସେବା ପ୍ରତ୍ୟେକ ଉତ୍କଳୀୟଙ୍କ ଲକ୍ଷ୍ୟ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ନିଜ ବକ୍ତବ୍ୟରେ ଗୋପବନ୍ଧୁଙ୍କ ଜୀବନ ଆମକୁ ସତ୍ୟ, ସେବା ଓ ସାହସରେ ଆଗକୁ ବଢିବାର ପ୍ରେରଣା ଯୋଗାଏ ଏବଂ ଗୋପବନ୍ଧୁ ଦାସ ଜଣେ ଏପରି ଦେଶପ୍ରେମୀ ମାନବ ଥିଲେ, ଯିଏ ଉତ୍କଳର ଗୌରବ ଓ ମାନବତାର ପ୍ରତୀକ ଏବଂ ତାଙ୍କର ଜୀବନୀ, ଆଦର୍ଶ ଆମ ପାଇଁ ଆଲୋକସ୍ତମ୍ଭ ହେବା ଉଚିତ୍ ବୋଲି କହିଥିଲେ । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ସୁଶାନ୍ତ କୁମାର ଦାସ ଏ ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ନିମନ୍ତେ ଆହ୍ୱାନ ଜଣାଇଥିଲେ । ଏ ଅବସରରେ ଅତିଥିମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯିବା ସହିତ ଏକ କବିତା ପଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ଇମ୍ତିହାନ୍ ଶାହା ସଂଚାଳନ କରିଥିବା ବେଳେ ଛତ୍ରପୁର ସାହିତ୍ୟ ସଂସଦର ସଂପାଦକ ଦିଲୀପ କୁମାର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟାପିକା ଡ. ସୁରଚିତା ପଟ୍ଟନାୟକଙ୍କ ପତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା । ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।