oom

ବିକଶିତ ଭାରତ ଦିଗରେ ଯାତ୍ରା : ସହଜ ଜୀବନ, ଉନ୍ନତ ଭବିଷ୍ୟତ

jsmm

ନୂଆଦିଲ୍ଲୀ, (ପିଆଇବି) : ଗତ ୧୧ ବର୍ଷ ଧରି, ସରକାରଙ୍କ ଦକ୍ଷ ଏବଂ ନିରପେକ୍ଷ ସେବା ପ୍ରଦାନ ଦ୍ୱାରା ପ୍ରତ୍ୟେକ ନାଗରିକ ସୁଶାସନକୁ ଅନୁଭବ କରିଛନ୍ତି । ସେମାନଙ୍କ ଜୀବନ ସହଜ ହୋଇପାରିଛି । ନାଗରିକ-କୈନ୍ଦ୍ରିକ ନୀତି ଏବଂ ପ୍ରତିକ୍ରିୟାଶୀଳ ପ୍ରଶାସନ ଜନସାଧାରଣଙ୍କ ବିଶ୍ୱାସକୁ ଦୃଢ଼ କରିଛି ଏବଂ ବ୍ୟବସ୍ଥାକୁ ଲୋକଙ୍କ ନିକଟତର କରିଛି । ଗରିବ ଏବଂ ଅବହେଳିତ ଲୋକଙ୍କୁ ଅନ୍ତର୍ଭୁକ୍ତ ତଥା ସଶକ୍ତ କରିବା ପାଇଁ ବିଶେଷ ଧ୍ୟାନ ଦେଇଛନ୍ତି ସରକାର । ଫଳସ୍ୱରୂପ, ଲୋକଙ୍କ ଜୀବନଯାପନ ସହଜ ହେବା ସହ ସେମାନେ ବିକଶିତ ଭାରତର ସଂକଳ୍ପରେ ଜଣେ ଜଣେ ମହାରଥୀ ପାଲଟିଛନ୍ତି ।
୧. ଗୃହ ଏବଂ ମୌଳିକ ସୁବିଧା
ପ୍ରତ୍ୟେକ ନାଗରିକଙ୍କ ପାଇଁ ସମ୍ମାନର ଜୀବନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର ପ୍ରତ୍ୟେକ ନାଗରିକଙ୍କୁ ଗୁଣାତ୍ମକ ଗୃହ ଏବଂ ଅତ୍ୟାବଶ୍ୟକ ସୁବିଧା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଗତ ୧୧ ବର୍ଷ ମଧ୍ୟରେ, ସରକାର ସୁଲଭ ଗୃହ, ବିଦ୍ୟୁତ୍, ସ୍ୱଚ୍ଛ ପାନୀୟ ଜଳ ଏବଂ ପରିମଳ ପ୍ରଦାନ କରି ଅବହେଳିତ ଏବଂ ଗ୍ରାମାଞ୍ଚଳ ଲୋକଙ୍କ ଉପକାର କରିଛନ୍ତି । ଏଥିଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଅଭିନବ ଯୋଜନା କାର୍ଯ୍ୟକାରୀ କରାଯାଉଛି । ସେ ଭିତରେ ଅନ୍ୟତମ ହେଉଛି ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା । ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ସମସ୍ତ ଯୋଗ୍ୟ ସହରାଞ୍ଚଳ ହିତାଧିକାରୀଙ୍କୁ ମୌଳିକ ସୁବିଧା ସହିତ ପକ୍କା ଘର ଯୋଗାଇବା ପାଇଁ ଜୁନ୍ ୨୫, ୨୦୧୫ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ସହରାଞ୍ଚଳ ଆରମ୍ଭ କରାଯାଇଥିଲା । ସେହିପରି ଗ୍ରାମାଞ୍ଚଳର ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ଘରଟିଏର ସ୍ୱପ୍ନ ପୂରଣ କରିବା ଲାଗି ସରକାର ୧ ଏପ୍ରିଲ ୨୦୧୬ରୁ ପ୍ରଚଳନ କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) । ଏହି ଯୋଜନା ମାର୍ଚ୍ଚ ୨୦୨୯ ସୁଦ୍ଧା ୪.୯୫ କୋଟି ଯୋଗ୍ୟ ଗ୍ରାମୀଣ ପରିବାରକୁ ମୌଳିକ ସୁବିଧା ସହିତ ବାସଗୃହ ଯୋଗାଇବା ଲକ୍ଷ୍ୟ ରଖିଛି । ଜୁନ୍ ୨୦୨୪ରେ, କେନ୍ଦ୍ର କ୍ୟାବିନେଟ୍ ୨୦୨୪-୨୫ ରୁ ୨୦୨୮-୨୯ ଅବଧି ପାଇଁ ଅତିରିକ୍ତ ୨ କୋଟି ଘର ନିର୍ମାଣକୁ ଅନୁମୋଦନ କରିଥିଲା । ସେହିପରି ଜୀବନଯାପନକୁ ସହଜ ଓ ସ୍ୱଚ୍ଛ କରିବା ତଥା ଗୁଣାତ୍ମକ ମୂଲ୍ୟବୃଦ୍ଧି ପାଇଁ ସରକାର ଧ୍ୟାନ ଦେଇଛନ୍ତି । ଏଥିପାଇଁ ପ୍ରଣୟନ କରାଯାଇଥିବା ଯୋଜନାଗୁଡ଼ିକ ଭିତରେ ସର୍ବାଗ୍ରେ ରହିଛି ସ୍ମାର୍ଟ ସିଟି ମିଶନ । ୨୫ ଜୁନ୍ ୨୦୧୫ରେ ଆରମ୍ଭ ହୋଇଥିବା, ସ୍ମାର୍ଟ ସିଟି ମିଶନର ଲକ୍ଷ୍ୟ ଦକ୍ଷ ସେବା, ଦୃଢ଼ ଭିତ୍ତିଭୂମି ଏବଂ ସ୍ଥାୟୀ ସମାଧାନ ମାଧ୍ୟମରେ ୧୦୦ଟି ସହରରେ ଜୀବନର ଗୁଣବତ୍ତା ବୃଦ୍ଧି କରିବା । ଏହା ଗୃହ, ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ମନୋରଞ୍ଜନ ଉପରେ ଧ୍ୟାନ କେନ୍ଦ୍ରିତ କରେ । ଏହି ମିଶନ ପାଇଁ ମୋଟ ଆବଣ୍ଟିତ ବଜେଟ୍ ଅର୍ଥ ହେଉଛି ୪୮ ହଜାର କୋଟି ଟଙ୍କା । ମୋଟ ବଜେଟ୍ ବ୍ୟୟର ୯୯.୪୪% ଅର୍ଥ ୧୦୦ ଯୋଗ୍ୟ ସହରକୁ ପ୍ରଦାନ କରାଯାଇଛି । ଦେଶର ୫୦୦ ଟି ସହରରେ ମୌଳିକ ଭିତ୍ତିଭୂମି ଉନ୍ନତ କରିବା ପାଇଁ ଅଟଳ ପୁନରୁଦ୍ଧାର ଏବଂ ସହରାଞ୍ଚଳ ପରିବର୍ତ୍ତନ (ଅମୃତ) ଯୋଜନା ୨୫ ଜୁନ୍ ୨୦୧୫ରେ ଆରମ୍ଭ କରାଯାଇଥିଲା । ଏହାର ଦ୍ୱିତୀୟ ପର୍ଯ୍ୟାୟ, ୧ ଅକ୍ଟୋବର ୨୦୨୧ରେ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ବିସ୍ତାରିତ କରାଯାଇଥିଲା । ଏହି ମିଶନ ସାର୍ବଜନୀନ ସ୍ୱେରେଜ ଏବଂ ସେପ୍ଟେଜ୍ ପରିଚାଳନା ସୁନିଶ୍ଚିତ କରି ସହରଗୁଡ଼ିକୁ ଜଳ ସୁରକ୍ଷିତ ଏବଂ ସ୍ୱାବଲମ୍ବୀ କରିବା ଉପରେ ଧ୍ୟାନ ଦେଇଥାଏ ।
୨. ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ସାର୍ବଜନୀନ ପହଞ୍ଚ
ଗତ ୧୧ ବର୍ଷ ଧରି, ନାଗରିକଙ୍କ ପାଇଁ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ନିଶ୍ଚିତ କରିବା ଲାଗି ଅତ୍ୟାବଶ୍ୟକ ମୌଳିକ ସେବାର ସାର୍ବଜନୀନ ପହଞ୍ଚକୁ ନିଶ୍ଚିତ କରିଛନ୍ତି । ପଦକ୍ଷେପଗୁଡ଼ିକର ଲକ୍ଷ୍ୟ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ଜଳ, ପରିମଳ, ଶକ୍ତି-ଦକ୍ଷ ଆଲୋକ ଏବଂ ଏଲପିଜି ସଂଯୋଗ ସହିତ ପହଞ୍ଚାଇବା ।
ଏହିକ୍ରମରେ ମେ ୨୦୧୬ରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା । ଗରିବ ପରିବାରର ବୟସ୍କ ମହିଳାଙ୍କୁ ଜମା-ମୁକ୍ତ ଏଲପିଜି ସଂଯୋଗ ପ୍ରଦାନ କରିବା ଏହାର ମୂଳ ଲକ୍ଷ୍ୟ । ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛ ରୋଷେଇକୁ ଏହି ଯୋଜନା ପ୍ରୋତ୍ସାହିତ କରେ । ଅବଶିଷ୍ଟ ପରିବାରଗୁଡ଼ିକୁ କଭର କରିବା ପାଇଁ ଉଜ୍ଜ୍ୱଳା-୨.୦ ଅଗଷ୍ଟ ୨୦୨୧ ରେ ଆରମ୍ଭ କରାଯାଇଥିଲା, ଡିସେମ୍ବର ୨୦୨୨ସୁଦ୍ଧା ୧ କୋଟି ୬୦ ଲକ୍ଷ ନୂତନ ଗ୍ୟା ସଂଯୋଗ ପ୍ରଦାନ କରାଯାଇଥିଲା । ଆର୍ଥିକ ବର୍ଷ ୨୦୨୩-୨୪ ରୁ ୨୦୨୫-୨୬ ପାଇଁ ଅତିରିକ୍ତ ୭୫ ଲକ୍ଷ ଗ୍ୟାସ ସଂଯୋଗ ଅନୁମୋଦନ କରାଯାଇଥିଲା ଏବଂ ଜୁଲାଇ ୨୦୨୪ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରାଯାଇଛି । ୧ ମାର୍ଚ୍ଚ ୨୦୨୫ ସୁଦ୍ଧା, ଭାରତରେ ୩୨.୯୪ କୋଟି ସକ୍ରିୟ ଘରୋଇ ଏଲପିଜି ଗ୍ରାହକ ଅଛନ୍ତି, ଯେଉଁଥିରେ ୧୦.୩୩ କୋଟି ହେଉଛନ୍ତି ଉଜ୍ଜଳା ଯୋଜନା ହିତାଧିକାରୀ ।
୫ ଜାନୁଆରୀ ୨୦୧୫ରେ ଆରମ୍ଭ ହୋଇଥିବା, ଉନ୍ନତ ଜ୍ୟୋତି ପାଇଁ ସମସ୍ତଙ୍କୁ ଅଫେର୍ଡେବଲ୍ ଏଲ୍ଇଡି (ଉଜାଲା) ଯୋଜନାର ଲକ୍ଷ୍ୟ ହେଉଛି ସବୁ ପରିବାରକୁ ସୁଲଭ ଏଲ୍ଇଡି ବଲ୍ବ, ଟ୍ୟୁବ୍ ଲାଇଟ୍ ଏବଂ ଫ୍ୟାନ୍ ଯୋଗାଇ ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହିତ କରିବା । ପ୍ରାରମ୍ଭରେ ଘରୋଇ ଦକ୍ଷ ଆଲୋକୀକରଣ କାର୍ଯ୍ୟକ୍ରମ ଭାବରେ ପ୍ରଚଳିତ ହୋଇଥିଲା, ଏହାକୁ ପରେ ଉଜାଲା ଭାବରେ ପୁନଃନାମିତ କରାଯାଇଥିଲା । ୧୫ ଜୁନ୍ ସୁଦ୍ଧା, ୩୬.୮୭ କୋଟି ଏଲ୍ଇଡି ବଲ୍ବ ଉପଲବ୍ଧ ଅଛି । ୧୫ ଅଗଷ୍ଟ ୨୦୧୯ରେ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ନଳକୂପ ପାଣି ଯୋଗାଇବା । ଆରମ୍ଭ ସମୟରେ, କେବଳ ୩.୨୩ କୋଟି ପରିବାର ପାଖରେ ନଳକୂପ ସଂଯୋଗ ଥିଲା । ଆଜି, ୧୫.୬୨ କୋଟି ଗ୍ରାମୀଣ ଘର ଉପକୃତ ହେଉଛନ୍ତି । ୧୦୦% କଭରେଜ ହାସଲ କରିବା ପାଇଁ ମିଶନର ବ୍ୟୟ ଅଟକଳକୁ ₹୬୭,୦୦୦ କୋଟିକୁ ବୃଦ୍ଧି କରାଯାଇଛି ଏବଂ ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨ ଅକ୍ଟୋବର, ୨୦୧୪ରେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ, ଭାରତରେ ସାର୍ବଜନୀନ ପରିମଳ ହାସଲ କରିବା ଦିଗରେ ଏକ ଉଦାହରଣ । ଭାରତର ସହରାଞ୍ଚଳ ପରିମଳ ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ରକ୍ଷା କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଦୁଇଟି ପର୍ଯ୍ୟାୟରେ ସହରାଞ୍ଚଳ ସ୍ୱଚ୍ଛତା ମିଶନକୁ ସରକାର କାର୍ଯ୍ୟକାରୀ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ମୋଟ ଖର୍ଚ୍ଚ୬୨୦୦୯ କୋଟି ଟଙ୍କା ଥିଲା । ଏଥିରେ ଭାରତ ସରକାରଙ୍କ ଅଂଶ ପରିମାଣ ୧୪୬୨୩ କୋଟି ଟଙ୍କା ରହିଛି। । ଏଥି ମଧ୍ୟରୁ ୧୧୯୦୫ କୋଟି ଟଙ୍କା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଞ୍ଚଳ ଖର୍ଚ୍ଚ କରିଛନ୍ତି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ଖର୍ଚ୍ଚ ୧୪୧୬୦୦ କୋଟି ଟଙ୍କା ରହିଥିଲା । ଗ୍ରାମାଞ୍ଚଳରେ ସ୍ୱଚ୍ଛତା ହାସଲ କରିବା ଲାଗି ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) କାର୍ଯ୍ୟକାରୀ କରାଯାଇଛି । ପ୍ରଥମ ପୟ (୨୦୧୪-୨୦୧୯)ରେ ଶୌଚାଳୟ ନିର୍ମାଣ ସହ ଗ୍ରାମଗୁଡ଼ିକୁ ଖୋଲା ମଳତ୍ୟାଗ ମୁକ୍ତ କରିବା ଉପରେ ଧ୍ୟାନ ଦେଇଥିଲା । ଦ୍ୱିତୀୟ ପର୍ଯ୍ୟୟ, ୧ ଏପ୍ରିଲ, ୨୦୨୦ ରେ ଆରମ୍ଭ ହୋଇଛି, ଓଡିଏଫ୍ ସ୍ଥିରତା ଏବଂ ଉପଯୁକ୍ତ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଧ୍ୟାନ ଦେଉଛି । ଲକ୍ଷ୍ୟ ରହିଛି ୨୦୨୫-୨୬ ସୁଦ୍ଧା ସମସ୍ତ ଗ୍ରାମକୁ ଓଡିଏଫ୍ ପ୍ଲସ୍ କରିବା ।

୩. ଆର୍ଥିକ ଅନ୍ତର୍ଭୁକ୍ତି
ଗତ ୧୧ ବର୍ଷ ମଧ୍ୟରେ, ନାଗରିକମାନଙ୍କୁ ସଶକ୍ତ କରିବା ଏବଂ ସାମାଜିକ-ଆର୍ଥିକ ବ୍ୟବଧାନ ପୂରଣ କରିବା ପାଇଁ ଆର୍ଥିକ ଅନ୍ତର୍ଭୁକ୍ତି ଏକ ଶକ୍ତିଶାଳୀ ଉପକରଣ ଭାବରେ ଉଭା ହୋଇଛି । ବ୍ୟାଙ୍କିଙ୍ଗ୍ ଏବଂ ଡିଜିଟାଲ୍ ସେବାକୁ ଦ୍ୱାରଦେଶରେ ଆଣି, ଏହା ସୁରକ୍ଷିତ ସଞ୍ଚୟ ଏବଂ ଅଧିକ ଆର୍ଥିକ ସ୍ୱାଧୀନତାକୁ ସକ୍ଷମ କରିଛି । ଏଥି ପାଇଁ କାର୍ଯ୍ୟକାରୀ କରାଯାଇଥିବା ପ୍ରମୁଖ ଯୋଜନାଗୁହ଼ିକର ବିବରଣୀ ସଂକ୍ଷେପରେ ଏହିପରି ଉପ୍ଥାପନ କରାଯାଇପାରେ ।
ପ୍ରଥମେ ଜନ ଧନ ଯୋଜନା । ଅଗଷ୍ଟ ୨୦୧୪ ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ସଞ୍ଚୟ ଖାତା, ଋଣ, ଟଙ୍କା ପଠାଇବା, ବୀମା ଏବଂ ପେନସନର ପ୍ରବେଶକୁ ବିସ୍ତାର କରି ବ୍ୟାଙ୍କିଙ୍ଗ୍ ସେବାରୁ ବଞ୍ଚିତ ଲୋକଙ୍କୁ ଆନୁଷ୍ଠାନିକ ଆର୍ଥିକ ବ୍ୟବସ୍ଥାରେ ଆଣିବାର ଲକ୍ଷ୍ୟ ରଖିଥିଲା । ଜନଧନ ଆକାଉଣ୍ଟ ସଂଖ୍ୟା ମାର୍ଚ୍ଚ ୨୦୧୫ରେ ୧୪.୭୨ କୋଟିରୁ ବୃଦ୍ଧି ପାଇ ଜୁନ୍ ୨୦୨୫ ସୁଦ୍ଧା ୫୫.୨୨ କୋଟିରେ ପହଞ୍ଚିଛି । ସେହିପରି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆଉ ଏକ ପ୍ରେରଣାଦାୟୀ ଆର୍ଥିକ ଅନ୍ତର୍ଭୁକ୍ତି ଯୋଜନା । ୮ ଏପ୍ରିଲ ୨୦୧୫ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ହେଉଛି ପ୍ରଧାନମନ୍ତ୍ରୀଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ ଯାହାର ଲକ୍ଷ୍ୟ ଅନୁଦାନପ୍ରାପ୍ତ ସୂକ୍ଷ୍ମ ଉଦ୍ୟୋଗ ଏବଂ କ୍ଷୁଦ୍ର ବ୍ୟବସାୟଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା । ସଂପତ୍ତିର ବୋଝ ହଟାଇ ଏବଂ ପ୍ରବେଶକୁ ସରଳ କରି, ମୁଦ୍ରା ତୃଣମୂଳ ଉଦ୍ୟୋଗର ଏକ ନୂତନ ଯୁଗର ମୂଳଦୁଆ ସ୍ଥାପନ କରିଛି ।
୪. ସ୍ୱାସ୍ଥ୍ୟସେବାକୁ ପହଞ୍ଚ
ଗତ ୧୧ ବର୍ଷ ମଧ୍ୟରେ, ଭାରତ ଏହାର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରିବାକୁ ଚେଷ୍ଟା କରିଛି । ଏଥିପାଇଁ ଚିକିତ୍ସା ଅନୁଷ୍ଠାନଗୁଡ଼ିକରେ ଲୋକଙ୍କ ପହଞ୍ଚ, ସୁଲଭତା ଏବଂ ମର୍ଯ୍ୟାଦା ଉପରେ ଧ୍ୟାନ ଦିଆଯାଇଛି । ଆର୍ଥିକ ସୁରକ୍ଷାଠାରୁ ଦୁର୍ବଳଙ୍କ ପାଇଁ ଲକ୍ଷ୍ୟଭିତ୍ତିକ ସହାୟତା ପର୍ଯ୍ୟନ୍ତ, ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଏକ ସୁବିଧା ନୁହେଁ, ଏକ ଅଧିକାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଲକ୍ଷ୍ୟରେ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯାଇଛି । ୨୦୧୮ ମସିହାରେ, ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ଆଜି ଏହା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମ । ଭାରତର ସମୁଦାୟ ଜନସଂଖ୍ୟାର ତଳ ୪୦% ଲୋକଙ୍କୁ ଲକ୍ଷ୍ୟ କରି, ଏହି ଯୋଜନା ପ୍ରାୟ ୧୨.୩୭ କୋଟି ପରିବାରକୁ ସହାୟତା ପ୍ରଦାନ କରିଥାଏ । ପ୍ରାୟ ୫୫ କୋଟି ବ୍ୟକ୍ତିଙ୍କୁ ପ୍ରତି ବର୍ଷ ଲାଭ ପହଞ୍ଚାଉଛି ପିଏମ୍ ଜୟ ।
କେବଳ ଏତିକି ନୁହେଁ, ଏହି ଯୋଜନା ଭାରତର ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଆଗ ଧାଡ଼ିର ନାୟକ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଏବଂ ଅଙ୍ଗନୱାଡି ସହାୟକଙ୍କୁ ମଧ୍ୟ ସାମିଲ କରିଛି । ପିଏମ୍ ଆୟୁଷ୍ମାନ ଯୋଜନା କେବଳ ଏକ ସ୍ୱାସ୍ଥ୍ୟ ଯୋଜନା ନୁହେଁ, ଏହା ସ୍ୱାସ୍ଥ୍ୟସେବା ଉପଲବ୍ଧତାରେ ଏକ ସାମାଜିକ ବିପ୍ଳବ, ଭାରତର ସବୁଠାରୁ ଦୁର୍ବଳ ଲୋକଙ୍କୁ ମର୍ଯ୍ୟାଦା, ଯତ୍ନ ଏବଂ ଆର୍ଥିକ ସୁରକ୍ଷା ସହିତ ସଶକ୍ତ କରୁଛି ।
୫. ପରିବହନ ଏବଂ ଯୋଗାଯୋଗ
ଗତ ୧୧ ବର୍ଷ ମଧ୍ୟରେ, ଭାରତରେ ଜାତୀୟ ରାଜପଥ, ରେଳବାଇ, ବନ୍ଦର ଏବଂ ବିମାନବନ୍ଦରରେ ଦ୍ରୁତ ପ୍ରସାର ହୋଇଛି । ଉନ୍ନତ ସଂଯୋଗୀକରଣ ଦ୍ୱାରା ଯାତ୍ରା ସମୟ ହ୍ରାସ କରିଛି, ପରିବହନ ଦକ୍ଷତା ବୃଦ୍ଧି ହୋଇଛି ଏବଂ ଆଞ୍ଚଳିକ ବିକାଶ ନୂଆ ରାସ୍ତା ଦେଖାଇଛି ।
ଆଞ୍ଚଳିକ ସଂଯୋଗୀକରଣକୁ ମଜଭୁତ କରିଛି ସରକାରଙ୍କ ଉଡ଼ାନ ଯୋଜନା । ଜାତୀୟ ନାଗରିକ ବିମାନ ଚଳାଚଳ ନୀତି -୨୦୧୬ ଅଧୀନରେ ଆରମ୍ଭ ହୋଇଥିବା ଉଡ଼େ ଦେଶକା ଆମ୍ ନାଗରିକ ( ଉଡ଼ାନ୍) ଯୋଜନାର ଲକ୍ଷ୍ୟ ହେଉଛି ଆଞ୍ଚଳିକ ବିମାନ ଯାତ୍ରାକୁ ସୁଲଭ ଏବଂ ଆର୍ଥିକ ଦୃଷ୍ଟିରୁ ସମ୍ଭବପର କରିବା । ଭାରତରେ କାର୍ଯ୍ୟକ୍ଷମ ବିମାନବନ୍ଦର ସଂଖ୍ୟା ୨୦୧୪ରେ ୭୪ ଥିଲା । ଏହି ଯୋଜନା କାର୍ଯ୍ୟକାରୀ କରାଯିବା ଫଳରେ ଏହି ସଂଖ୍ୟା ୨୦୨୫ ମାର୍ଚ୍ଚ ସୁଦ୍ଧା ୧୬୦ରେ ପହଞ୍ଚିଛି । ଏହି ଯୋଜନା ଉତ୍ତର-ପୂର୍ବ ଭାରତ, ପାହାଡିଆ ଅଞ୍ଚଳ ଏବଂ ଆଦିବାସୀ କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦେଇ ସମାନ ଆଞ୍ଚଳିକ ସଂଯୋଗୀକରଣ ସୁନିଶ୍ଚିତ କରେ । ଉତ୍ତର-ପୂର୍ବ କ୍ଷେତ୍ର ପାଇଁ, ୯୦ ଟି ଉଡ଼ାନ ଆକାଶପଥ ଏବଂ ୧୨ ଟି ବିମାନବନ୍ଦର/ହେଲିପୋର୍ଟ/ଜଳ ବିମାନଘାଟି କାର୍ଯ୍ୟକ୍ଷମ କରାଯାଇଛି । ଅନ୍ୟ ଏକ ବିଶେଷ କାର୍ଯ୍ୟ ହେଉଛି ସହରାଞ୍ଚଳ ଯୋଗାଯୋଗକୁ ବଢ଼ାଇବା । ଏହିକ୍ରମରେ ମେଟ୍ରୋ ବିସ୍ତାର କରିବା ପାଇଁ ସରକାର ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ମେଟ୍ରୋ ରେଳ ଏବେ ୨୩ ଟି ସହରରେ ଚାଲୁଛି । ମେ ୨୦୨୫ ସୁଦ୍ଧା, ଭାରତରେ ୧୦୧୩ କିଲୋମିଟର ମେଟ୍ରୋ ଲାଇନ କାର୍ଯ୍ୟକ୍ଷମ ହୋଇଥିଲା, ଯାହା ୨୦୧୪ରେ ମାତ୍ର ୨୪୮ କିଲୋମିଟର ଥିଲା । ଏହା ମାତ୍ର ଏଗାର ବର୍ଷ ମଧ୍ୟରେ ୭୬୩ କିଲୋମିଟର ଯୋଡା ହୋଇଛି । ସମଗ୍ର ବିଶ୍ୱରେ ମୋଟ ମେଟ୍ରୋ ରେଳ ନେଟୱାର୍କ ଦୃଷ୍ଟିରୁ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି । ୨୦୧୩-୧୪ରେ ଦୈନିକ ଯାତ୍ରୀ ସଂଖ୍ୟା ୨୮ ଲକ୍ଷ ଥିଲା, ଯାହା ଏବେ ୧.୧୨ କୋଟି ଅତିକ୍ରମ କରିଛି । ନୂତନ ଲାଇନ କାର୍ଯ୍ୟକ୍ଷମ କରିବାର ଗତି ନଅ ଗୁଣ ବୃଦ୍ଧି ପାଇଛି । ହାରାହାରି, ପ୍ରତି ମାସରେ ୬ କିଲୋମିଟର ମେଟ୍ରୋ ଲାଇନ କାର୍ଯ୍ୟକ୍ଷମ ହେଉଛି, ଯାହା ୨୦୧୪ପୂର୍ବରୁ ପ୍ରତି ମାସରେ ମାତ୍ର ୦.୬୮ କିଲୋମିଟର ଥିଲା । ମେଟ୍ରୋ ରେଳ ପାଇଁ ବାର୍ଷିକ ବଜେଟ ମଧ୍ୟ ଛଅ ଗୁଣରୁ ଅଧିକ ବୃଦ୍ଧି ପାଇଛି, ଯାହା ୨୦୧୩-୧୪ ରେ ୫୭୯୮ କୋଟିରୁ ବୃଦ୍ଧି ପାଇ ୨୦୨୫-୨୬ରେ ୩୪ ହଜାର ୮୦୭ କୋଟି ଟଙ୍କା ହୋଇଛି । ମେଟ୍ରୋ ନେଟୱାର୍କ ସହିତ, ଭାରତ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ ପ୍ରଚଳନ ସହିତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି । ଦିଲ୍ଲୀ-ମିରଟ ଆର୍ଆର୍ଟିଏସ୍ କରିଡରରେ ପରିଚାଳିତ ନମୋ ଭାରତ ଟ୍ରେନଗୁଡ଼ିକ ଭାରତର ଗଣ ପରିବହନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ପ୍ରତି ପ୍ରତିବଦ୍ଧତାର ଏକ ପ୍ରମୁଖ ଉଦାହରଣ, ଯାହା ବିଭିନ୍ନ ଅଞ୍ଚଳରେ ଦ୍ରୁତ ଏବଂ ଅଧିକ ଦକ୍ଷ ଯାତ୍ରା ପ୍ରଦାନ କରେ । ଭାରତ ସରକାର ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଲାଗି ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମରେ ସମନ୍ୱୟ ରକ୍ଷାକରି ଚାଲିଛନ୍ତି । ଏହାସହ ସାଧାରଣ ଲୋକଙ୍କ ବିକାଶଯାତ୍ରାରେ ମଧ୍ୟ ସରକାର ଅଧିକ ଧ୍ୟାନ ନିବେଶ କରିଛନ୍ତି । ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସହଜ ଏବଂ ମର୍ଯ୍ୟାଦାପୂର୍ଣ୍ଣ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ଯୋଜନାଗୁଡ଼ିକ ପ୍ରତିଫଳିତ କରୁଛନ୍ତି । ସୁଲଭ ଗୃହ, ଜଳ, ବିଦ୍ୟୁତ୍ ଏବଂ ପରିମଳ ପାଇଁ ସାର୍ବଜନୀନ ପହଞ୍ଚ ଭଳି ପଦକ୍ଷେପ ମାଧ୍ୟମରେ, ଏହା ଏକ ଶକ୍ତିଶାଳୀ, ଅଧିକ ଅନ୍ତର୍ଭୁକ୍ତ ରାଷ୍ଟ୍ର ନିର୍ମାଣ କରୁଛି । ପ୍ରତିକ୍ରିୟାଶୀଳ ଶାସନ ଏବଂ ନାଗରିକ-କୈନ୍ଦ୍ରିକ ନୀତି ଉପରେ ଧ୍ୟାନ ଦେଇ, ସରକାର ନିଶ୍ଚିତ କରନ୍ତି ଯେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସୁଯୋଗ ଏବଂ ଅତ୍ୟାବଶ୍ୟକ ସେବା ଉପଲବ୍ଧ, ଏହା ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ, ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରୁଛି ।

jittmm
Leave A Reply

Your email address will not be published.