tur
shyamlal

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ସପ୍ତମ ପାଳି

  • ଲୋକଙ୍କ ସରକାର ଲୋକଙ୍କ ସହିତ ଅଛନ୍ତି ଓ ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ନେଉଛନ୍ତି – ମୁଖ୍ୟମନ୍ତ୍ରୀ
  • ଗତ ୬ଟି ପାଳିରେ ଗ୍ରହଣ କରାଯାଇଥିବା ଅଭିଯୋଗ ପତ୍ର ମଧ୍ୟରୁ ୭୮ ପ୍ରତିଶତ ମାମଲାର ସମାଧାନ ହୋଇଛି
  • ଅଭିଯୋଗ ପ୍ରକୋଷ୍ଠରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ
  • ଅଜଣା ରୋଗରେ ପୀଡିତ ବୌଦ୍ଧର ନାବାଳକ ପ୍ରତ୍ୟୁଷଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲ ପଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସପ୍ତମ ପାଳି, ଚଳିତ ବର୍ଷର ଶେଷ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଧିକ କ୍ରିୟାଶୀଳ ହୋଇଛି । ମୁଖ୍ୟମନ୍ତ୍ରୀ, ଅଭିଯୋଗ ପ୍ରକୋଷ୍ଠରେ ଅଥବା ଯେଉଁଠାକୁ ଯାଆନ୍ତି ସେଠାରେ ସାଧାରଣ ଲୋକଙ୍କୁ ଭେଟିବା, ସେମାନଙ୍କ ସୁଖ ଦୁଃଖ ଶୁଣିବା ଏବଂ ସମସ୍ୟାର ସମାଧାନ ଉପରେ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି । ସପ୍ତମ ପାଳିର ଆରମ୍ଭରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିବା ପରେ ବାହାରେ ଚେୟାରରେ ବସିଥିବା ପ୍ରାୟ ୪୦ ଜଣ ଭିନ୍ନକ୍ଷମମାନଙ୍କୁ ପ୍ରଥମେ ଭେଟିଥିଲେ । ସେମାନଙ୍କ ସମସ୍ୟା ଓ ଅଭିଯୋଗକୁ ଗୋଟି ଗୋଟିକରି ଶୁଣିବା ପରେ ପାଖରେ ଥିବା ମନ୍ତ୍ରୀ ଓ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଅଭିଯୋଗ ପତ୍ର ଧରାଇ ସମାଧାନ କିପରି ହେବ ସେଥିପ୍ରତି ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଭିନ୍ନକ୍ଷମମାନଙ୍କ ମଧ୍ୟରେ ବୌଦ୍ଧର ହେରମ୍ବ ଗିରି ଆସିଥିଲେ ଅଜଣା ଜଟିଳ ରୋଗରେ ପୀଡିତ ତାଙ୍କ ୭ ବର୍ଷର ନାବାଳକ ପୁଅ ପ୍ରତ୍ୟୁଷ ଗିରିଙ୍କୁ ନେଇ । ପିଲାଟିର ଦୁଇଟି ଯାକ ଆଖି ନଷ୍ଟ ହୋଇଯାଇଛି । ବାପା ମାଁ ଦୁହେଁ ଚିକିତ୍ସା ବାବଦରେ ଦୌଡି ଦୌଡି ସମସ୍ତ ଟଙ୍କା ଖର୍ଚ୍ଚ କରିସାରିବା ପରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ପିଲାଟିର ସ୍ୱାସ୍ଥ୍ୟ ଅବସ୍ଥା ଦେଖିବା ପରେ ତୁରନ୍ତ ପାଖରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଆମ୍ବୁଲାନ୍ସ ଡାକି ଡାକ୍ତରଖାନା ପଠାଇବା ପାଇଁ କହିଥିଲେ । କ୍ୟାପିଟାଲ ହସ୍ପିଟାଲରୁ ପିଲାଟି କଟକ ବଡ ଡାକ୍ତରଖାନାକୁ ଯିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପିଲାଟିର ଚିକିତ୍ସା କିପରି ହେବ ସେ ସମ୍ପର୍କରେ ତନ୍ନ ତନ୍ନ କରି ବୁଝୁଥିଲେ । କଟକ ବଡ ଡାକ୍ତରଖାନାରେ ପିଲାଟି ଚିକିତ୍ସାପାଇଁ ଭର୍ତ୍ତିହେଲା । ପିଲାଟିର ଚିକିତ୍ସା ବାବଦକୁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ, ଜଟିଳ ରୋଗରେ ପୀଡିତ ସବୁ ମାମଲା ଗୁଡିକୁ ଆମେ ସମାନ ଗୁରୁତ୍ୱ ଦେଉଛୁ । ସରକାରଙ୍କ ପାଖକୁ ଯେଉଁ ଆଶା ଭରସା ନେଇ ଲୋକମାନେ ଆସୁଛନ୍ତି ଆମେ ସେମାନଙ୍କୁ କେବେ ନିରାଶ କରିବୁ ନାହିଁ । ୧୦୦୦ ଲୋକ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ କରିଥିଲେ । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସହଯୋଗୀ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ସମସ୍ତଙ୍କ ଅଭିଯୋଗକୁ ଗୁରୁତ୍ୱଦେଇ ଶୁଣୁଥିଲେ ଓ ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ପ୍ରକୋଷ୍ଠରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ହେଉଛି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସପ୍ତମ ପାଳି । ଏପର୍ଯ୍ୟନ୍ତ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ୩୦ ହଜାରରୁ ୩୫ ହଜାର ଅଭିଯୋଗକାରୀ ସେମାନଙ୍କ ସମସ୍ୟା ନେଇ ଏଠାକୁ ଆସିଛନ୍ତି । ଲୋକଙ୍କୁ ନ୍ୟାୟ ଦେବାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସଫଳତା ହାସଲ କରିଛି । ଜୁଲାଇ ପହିଲାରେ ହୋଇଥିବା ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୮୮ ପ୍ରତିଶତ କେସ୍ ସମାଧାନ ହୋଇଛି । ସେହିଭଳି ଜୁଲାଇ ୧୫ ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୮୪ ପ୍ରତିଶତ, ଅଗଷ୍ଟ ୫ ରେ ହୋଇଥିବା କାର୍ଯ୍ୟକ୍ରମରେ ୮୨ ପ୍ରତିଶତ, ସେପ୍ଟେମ୍ବର ୨୩ରେ ହୋଇଥିବା କାର୍ଯ୍ୟକ୍ରମରେ ୮୦ ପ୍ରତିଶତ, ଅକ୍ଟୋବର ୨୧ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୭୭ ପ୍ରତିଶତ ଏବଂ ଡିସେମ୍ବର ୧୬ ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୧୬ ପ୍ରତିଶତ କେସର ସମାଧାନ କରାଯାଇଛି । ବାକି ରହିଥିବା କେସ ଗୁଡିକ ପ୍ରକ୍ରିୟାଭୁକ୍ତ ଅଛି, ଖୁବ ଶୀଘ୍ର ଏଗୁଡିକର ସମାଧାନ କରାଯିବ । ଲୋକମାନେ ବହୁତ ଆଶା ଓ ଭରସା ନେଇ ଆମ ପାଖକୁ ଆସୁଛନ୍ତି । ସମସ୍ତଙ୍କ ଅଭିଯୋଗ ଓ ସମସ୍ୟାକୁ ଗୁରୁତ୍ୱଦେଇ ଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ପ୍ରତି ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ ଜରିଆରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରିରହିଛି । ଏହା ଫଳରେ ଆମେ ଅଧିକରୁ ଅଧିକ ଲୋକଙ୍କୁ ନ୍ୟାୟ ଦେଇପାରୁଛୁ । ସମସ୍ତେ ନ୍ୟାୟ ପାଇବେ, କେହି ନିରାଶ ହେବେ ନାହିଁ । ଆଗାମୀ ଦିନରେ RDC ସ୍ତରରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ କାର୍ଯ୍ୟକାରୀ କରିବାର ଯୋଜନା ରହିଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ, ଖାଦ୍ୟ ଯୋଗଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ ସିଂହ ଏବଂ ଅନ୍ୟ ବିଭାଗ ଗୁଡିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.