jayashree

ଦେଶରେ ମହିଳା ଶ୍ରମ ଶକ୍ତି ଅଂଶଗ୍ରହଣ ହାର ବଢ଼ୁଛି

  • ଗ୍ରାମାଞ୍ଚଳରେ ୬୯% ଏବଂ ସହରାଞ୍ଚଳରେ ୨୫% ବୃଦ୍ଧି
  • ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ଅନ୍ତର୍ଭୁକ୍ତିକରଣ ପାଇଁ ଏଲ୍‌ଏଫ୍‌ପିଆର୍‌ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, (ପିଆଇବି) : ଦେଶରେ ମହିଳା ଶ୍ରମ ଶକ୍ତି ଅଂଶଗ୍ରହଣ ହାର (ଏଲ୍‌ଏଫ୍‌ପିଆର୍‌) ବୃଦ୍ଧି ପାଉଛି । ବିଶେଷ କରି ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ଏହି ହାରରେ ଉଲ୍ଲେଖନୀୟ ପ୍ରଗତି ଦେଖିବାକୁ ମିଳିଛି ବୋଲି ଅବଧିକାଳୀନ ଶ୍ରମ ଶକ୍ତି ସର୍ବେକ୍ଷଣ ତଥ୍ୟରୁ ଜଣାପଡ଼ିଛି । ଏଲ୍‌ଏଫ୍‌ପିଆର୍‌ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ଏବଂ ସାମଗ୍ରିକ ଆର୍ଥିକ ଅନ୍ତର୍ଭୂକ୍ତୀକରଣର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ ଅଟେ । ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ଡକ୍ଟର ଶମିକା ରବି ଏବଂ ଦିଲ୍ଲୀର ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନର ଗବେଷକ ଡକ୍ଟର ମୁଦିତ କପୁରଙ୍କ ଦ୍ୱାରା କରାଯାଇଥିବା ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଜାତୀୟ ସ୍ତରରେ ଗ୍ରାମୀଣ ମହିଳା ଏଲ୍‌ଏଫ୍‌ପିଆର୍‌ ୨୪.୬%ରୁ ୪୧.୫% (~୬୯%)କୁ ବଢ଼ିଛି । ସେହିପରି ସହରାଞ୍ଚଳ ଏଲ୍‌ଏଫ୍‌ପିଆର୍‌ ସାମାନ୍ୟ ବୃଦ୍ଧି ପାଇ ୨୦.୪%ରୁ ୨୫.୪% (~୨୫%) ହୋଇଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଆନ୍ତଃରାଜ୍ୟ ପାର୍ଥକ୍ୟ ରହିଛି । ଗ୍ରାମାଞ୍ଚଳରେ ଝାଡ଼ଖଣ୍ଡ (~୨୩୩% ଅଭିବୃଦ୍ଧି) ଏବଂ ବିହାର (~୬ ଗୁଣ ଅଭିବୃଦ୍ଧି) ଭଳି ରାଜ୍ୟରେ ଉଲ୍ଲେଖନୀୟ ସୁଧାର ଦେଖିବାକୁ ମିଳିଛି । ଉତ୍ତରପୂର୍ବ ରାଜ୍ୟଗୁଡ଼ିକ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖାଇଛନ୍ତି (ଉଦାହରଣ ସ୍ୱରୂପ, ନାଗାଲାଣ୍ଡ: ୧୫.୭% ରୁ ୭୧.୧%) । ଜାତୀୟ ସ୍ତରରେ ସହରାଞ୍ଚଳରେ ସାମଗ୍ରିକ ଭାବେ ସାମାନ୍ୟ ଅଭିବୃଦ୍ଧି ଘଟିଛି । ତେବେ ସହରାଞ୍ଚଳ ଗୁଜରାଟରେ ଉଲ୍ଲେଖନୀୟ ଅଭିବୃଦ୍ଧି (୧୬.୨%ରୁ ୨୬.୪%, ~୬୩% ଅଭିବୃଦ୍ଧି) ହୋଇଛି କିନ୍ତୁ ସହରାଞ୍ଚଳ ତାମିଲନାଡ଼ୁରେ ସାମାନ୍ୟ ପରିବର୍ତ୍ତନ (୨୭.୬%ରୁ ୨୮.୮%) ଆସିଛି । ପ୍ରାୟ ସବୁ ରାଜ୍ୟରେ ମହିଳା ଏଲ୍‌ଏଫ୍‌ପିଆର୍‌ ବୃଦ୍ଧି ପାଇଛି, ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଅଧିକ ଲାଭ ଦେଖିବାକୁ ମିଳିଛି । ଅବିବାହିତ ମହିଳାଙ୍କ ତୁଳନାରେ ଗ୍ରାମାଞ୍ଚଳରେ ବିବାହିତ ମହିଳାମାନେ ଅଧିକ ଅଂଶଗ୍ରହଣ ଅଭିବୃଦ୍ଧି ଦେଖାଇଛନ୍ତି । ରାଜସ୍ଥାନ ଓ ଝାଡ଼ଖଣ୍ଡ ଭଳି ରାଜ୍ୟରେ ବିଶେଷ କରି ବିବାହିତ ମହିଳାଙ୍କ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ତେବେ ଆଞ୍ଚଳିକ ଓ ଆନ୍ତଃରାଜ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଭିନ୍ନତା ରହିଛି । ଉତ୍ତର ରାଜ୍ୟଗୁଡ଼ିକ ମଧ୍ୟରେ ପଞ୍ଜାବ ଏବଂ ହରିୟାଣାରେ ମହିଳା ଏଲ୍‌ଏଫ୍‌ପିଆର କମ୍ ରହିଛି । ପୂର୍ବ ରାଜ୍ୟ ଗୁଡ଼ିକ ମଧ୍ୟରେ, ଗ୍ରାମୀଣ ବିହାରରେ ଦେଶର ସର୍ବନିମ୍ନ ଏଲ୍‌ଏଫ୍‌ପିଆର୍‌ ଥିଲା, କିନ୍ତୁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଉଲ୍ଲେଖନୀୟ ଉନ୍ନତି ଦେଖାଯାଇଛି – ବିଶେଷକରି ଗ୍ରାମୀଣ ବିବାହିତ ମହିଳାଙ୍କ କ୍ଷେତ୍ରରେ । ଉତ୍ତରପୂର୍ବ ରାଜ୍ୟଗୁଡ଼ିକ ମଧ୍ୟରେ ଗ୍ରାମାଞ୍ଚଳରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ଏବଂ ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ଆଗୁଆ ରହିଛନ୍ତି । ଉତ୍ତର-ପୂର୍ବାଞ୍ଚଳର ସହରାଞ୍ଚଳରେ ବିବାହିତ ମହିଳାଙ୍କ ମଧ୍ୟରେ ମଧ୍ୟମ ଧରଣର ବୃଦ୍ଧି ଘଟିଥିବା ବେଳେ ସହରାଞ୍ଚଳରେ ବିବାହିତ ମହିଳାଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ପଶ୍ଚିମ ଏବଂ ଦକ୍ଷିଣ ରାଜ୍ୟରେ ଏଲ୍‌ଏଫ୍‌ପିଆର୍‌ର ଅଭିବୃଦ୍ଧି ମୁଖ୍ୟତଃ ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ସହରାଞ୍ଚଳରେ ସାମାନ୍ୟ ବୃଦ୍ଧି ଘଟିଛି । ଭାରତରେ ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ବିଶେଷ କରି ଗ୍ରାମାଞ୍ଚଳରେ ମହିଳା ଏଲ୍‌ଏଫ୍‌ପିଆର୍‌ରେ ଯଥେଷ୍ଟ ବୃଦ୍ଧି ଘଟିଛି । ବିଗତ ଦଶ ବର୍ଷ ମଧ୍ୟରେ ସରକାରଙ୍କ ଅନେକ ଯୋଜନା, ବିଶେଷ କରି ଗ୍ରାମୀଣ ମହିଳାମାନଙ୍କୁ ଲକ୍ଷ୍ୟ କରି କାର୍ଯ୍ୟକାରୀ କରାଯାଇଥିବାରୁ ସେସବୁର ସୁଫଳ ପ୍ରତିଫଳିତ ହୋଇଛି । ଗ୍ରାମୀଣ ମହିଳାଙ୍କ ପାଇଁ ଯୋଜନା ଗୁଡ଼ିକ ମଧ୍ୟରେ ମୁଦ୍ରା ଋଣ, ‘ଡ୍ରୋନ ଦିଦି’ ଯୋଜନା ଏବଂ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ଅଧୀନରେ ସଂଗଠିତ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସୁଦୃଢ଼ କରିବା ଦ୍ୱାରା ଏ କ୍ଷେତ୍ରରେ ସଫଳତା ମିଳିଛି । ସମଗ୍ର ଭାରତରେ ମହିଳାଙ୍କ ନେତୃତ୍ୱାଧୀନ ବିକାଶର ଦୃଷ୍ଟିକୋଣ ସହିତ ଆହୁରି ଅନେକ ପଦକ୍ଷେପ ଯୋଡ଼ି ହୋଇଛି ଯାହା ମହିଳାଙ୍କ ସଶକ୍ତିକରଣକୁ ସକ୍ଷମ କରିଛି । ସୂଚନାଯୋଗ୍ୟ, ଗବେଷଣା ପତ୍ରରେ ୨୦୧୭-୧୮ ପରଠାରୁ ଭାରତୀୟ ରାଜ୍ୟଗୁଡ଼ିକରେ, ବିଶେଷକରି ଗ୍ରାମାଞ୍ଚଳରେ ମହିଳା ଏଲ୍‌ଏଫ୍‌ପିଆର୍‌ରେ ଉଲ୍ଲେଖନୀୟ ପୁନରୁଦ୍ଧାର ଉପରେ ଆଲୋକପାତ କରି ବିସ୍ତୃତ ଆର୍ଥିକ ବିଶ୍ଳେଷଣ ଉପସ୍ଥାପନ କରାଯାଇଛି । ଏହି ଅଧ୍ୟୟନରେ ବ୍ୟବହୃତ ତଥ୍ୟ ସମସ୍ତ ଉପଲବ୍ଧ ରାଉଣ୍ଡ (୨୦୧୭-୧୮ରୁ ୨୦୨୨-୨୦୨୩)ରେ ଅବଧିକାଳୀନ ଶ୍ରମଶକ୍ତି ସର୍ବେକ୍ଷଣ (ପିଏଲ୍ଏଫ୍ଏସ୍)ରୁ ଆସିଛି । ପିଏଲ୍‌ଏଫ୍‌ଏସ୍‌ ୨.୫ ନିୟୁତରୁ ଅଧିକ ବ୍ୟକ୍ତିଙ୍କ ପାଇଁ ବିସ୍ତୃତ ନିଯୁକ୍ତି ଏବଂ ଜନସଂଖ୍ୟାଗତ ତଥ୍ୟ ପ୍ରଦାନ କରିଥାଏ, ଯାହା ଜାତୀୟ, ରାଜ୍ୟ ଏବଂ ଗ୍ରାମୀଣ / ସହରାଞ୍ଚଳ ସ୍ତରରେ ଧାରା ଏବଂ ଭିନ୍ନତାର ବିଶ୍ଳେଷଣକୁ ସକ୍ଷମ କରିଥାଏ । ଏଲ୍‌ଏଫ୍‌ପିଆର୍‌କୁ ୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ମୋଟ ଜନସଂଖ୍ୟା ତୁଳନାରେ ନିୟୋଜିତ ଏବଂ ବେକାର ବ୍ୟକ୍ତି (କାମ ପାଇଁ ଚାହୁଁଥିବା କିମ୍ବା ଉପଲବ୍ଧ) ପ୍ରତିଶତ ଭାବରେ ଗଣନା କରାଯାଏ ।

Leave A Reply

Your email address will not be published.