jayashree

ଆର୍ଥିକ ଅନ୍ତର୍ଭୁକ୍ତିକରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ୟୁପିଆଇ

  • ଭାରତରେ ୟୁପିଆଇର ସଫଳତାକୁ ଅନୁକରଣ କରିବ ବିଶ୍ୱ

ଭୁବନେଶ୍ୱର, (ପିଆଇବି) : ୨୦୧୬ରେ ଆରମ୍ଭ ହେବାପରଠାରୁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଭାରତରେ ଆର୍ଥିକ ସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି । ଏହା ମାଧ୍ୟମରେ ପ୍ରାୟ ୩୦ କୋଟି ଲୋକ ଓ ୫ କୋଟି ବ୍ୟବସାୟୀ ସହଜରେ ଡିଜିଟାଲ ନେଣଦେଣ କରିପାରୁଛନ୍ତି । ଅକ୍ଟୋବର ୨୦୨୩ ସୁଦ୍ଧା ଭାରତରେ ହୋଇଥିବା ସମସ୍ତ ଖୁଚୁରା ଡିଜିଟାଲ ପେମେଣ୍ଟର ୭୫% ୟୁପିଆଇ ମାଧ୍ୟମରେ ହେଉଥିଲା । ୟୁପିଆଇ ଆସିବା ପରେ କ୍ଷୁଦ୍ର ଋଣକାରୀମାନେ ବେଶ ସଶକ୍ତ ହୋଇପାରିଛନ୍ତି । ବିଶେଷକରି ୟୁପିଆଇ ମାଧ୍ୟମରେ ସବପ୍ରାଇମ୍ ଋଣକାରୀ (ଯେଉଁମାନଙ୍କ ଋଣପ୍ରାପ୍ତି ଯୋଗ୍ୟତା କମ ଥାଏ) ଓ ନୂଆ ଋଣକାରୀମାନେ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥାରୁ ଋଣ ପାଇବାକୁ ସକ୍ଷମ ହୋଇପାରିଛନ୍ତି । ଯେଉଁ ଅଂଚଳରେ ୟୁପିଆଇର ଅଧିକ ବ୍ୟବହାର ହେଉଛି ସେଠାରେ ନୂଆ ଋଣକାରୀଙ୍କ ସଂସ୍ଥା ୪ ପ୍ରତିଶତ ଓ ସବପ୍ରାଇମ୍ ଋଣକାରୀଙ୍କ ସଂଖ୍ୟା ୮ପ୍ରତିଶତ ବୃଦ୍ଧି ପାଇଛି । ଏହା ସହିତ ଏକ ହାରାହାରି ଫିନଟେକ୍ ଋଣ ପରିମାଣ ୨୭,୭୭୮ ଟଙ୍କାକୁ ବୃଦ୍ଧି ପାଇଛି ଯାହାକି ଗ୍ରାମାଞ୍ଚଳରେ ମାସିକ ବ୍ୟୟଠାରୁ ୭ ଗୁଣ ଅଧିକ । ଫିନଟେକ୍ ଋଣଦାତାମାନେ ଦ୍ରୁତଗତିରେ ଅଭିବୃଦ୍ଧି ହାସଲ କରିବା ସହ ନିଜର ଋଣ ପରିମାଣରେ ୭୭ ଗୁଣ ବୃଦ୍ଧି କରିପାରିଛନ୍ତି ଓ କ୍ଷୁଦ୍ର ଓ ସ୍ୱଳ୍ପ ଯୋଗ୍ୟତା ସଂପନ୍ନ ଋଣକାରୀମାନଙ୍କୁ ସେବା ଯୋଗାଇବା କ୍ଷେତ୍ରରେ ପାରମ୍ପରିକ ବ୍ୟାଙ୍କମାନଙ୍କୁ ଟପିଯାଇଛି । ଦେଶରେ ସୁଲଭ ମୂଲ୍ୟରେ ଇଣ୍ଟରନେଟ୍ ସେବା ଓ ଅନ୍ୟ ଡିଜିଟାଲ୍ ଟେକନଲୋଜିର ଉପଲବ୍ଧତା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୟୁପିଆଇର ଗ୍ରହଣୀୟତାକୁ ବଢାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏକ ତଥ୍ୟ ଅନୁସାରେ ୟୁପିଆଇ ନେଣଦେଣରେ ୧୦ ପ୍ରତିଶତ ବୃଦ୍ଧି ଦ୍ୱାରା ଋଣ ଉପଲବ୍ଧତା ୭ ପ୍ରତିଶତ ବୃଦ୍ଧି ପାଇଛି । ଏହା ଦର୍ଶାଉଛି କିପରି ଡିଜିଟାଲ ଅର୍ଥନୀତି ଋଣଦାତାମାନଙ୍କୁ ଋଣକାରୀଙ୍କ ନିକଟରେ ସହଜରେ ପହଞ୍ଚିବାକୁ ସକ୍ଷମ କରୁଛି । ୨୦୧୫ରୁ ୨୦୧୯ ମଧ୍ୟରେ ସବପ୍ରାଇମ ଋଣକାରୀଙ୍କୁ ଫିନଟେକ୍ ଋଣ ଅଭିବୃଦ୍ଧି ବ୍ୟାଙ୍କମାନଙ୍କ ପ୍ରଦତ୍ତ ଋଣ ସହିତ ସମାନ ହୋଇପାରିଥିଲା, ଏପରିକି ଉଚ୍ଚ ୟୁପିଆଇ ବ୍ୟବହାର ଅଂଚଳରେ ଫିନଟେକମାନେ ଅଗ୍ରଣୀ ସ୍ଥିତିରେ ଥିଲେ । ୟୁପିଆଇ ମାଧ୍ୟମରେ କେବଳ ଋଣ ପ୍ରଦାନ ବଢିନାହିଁ ବରଂ ଖିଲାପ ହାର ବି ହ୍ରାସ ପାଇଛି । ଏହା ଦର୍ଶାଉଛି ଯେ ୟୁପିଆଇ-ଭିତ୍ତିକ ନେଣଦେଣ ତଥ୍ୟ ଋଣଦାତାମାନଙ୍କୁ ଦାୟିତ୍ୱର ସହ ସଂପ୍ରସାରଣ କରିବାକୁ ସୁଯୋଗ ପ୍ରଦାନ କରିଛି । ଭାରତର ଏହି ସଫଳତାର ପ୍ରଭାବ ସମଗ୍ର ବିଶ୍ୱରେ ପଡ଼ିବାକୁ ଯାଉଛି । ଭାରତରେ ୟୁପିଆଇର ସଫଳତା ପରେ ଅନ୍ୟ ଦେଶରେ ତାହାର ଅନୁକରଣ ହେବାର ସମ୍ଭାବନା ଦେଖାଦେଇଛି । ଏହା ଦର୍ଶାଉଛି କିପରି ସାଧାରଣ ଡିଜିଟାଲ ଭିତ୍ତିଭୂମି ସହ ମୁକ୍ତ ବ୍ୟାଙ୍କ ନୀତିକୁ ସଂଯୁକ୍ତ କରି ସମସ୍ତଙ୍କ ନିକଟକୁ ଆର୍ଥିକ ସେବା ପହଞ୍ଚାଯାଇପାରିବ, ଉଦ୍ଭାବନକୁ ପ୍ରେତ୍ସାହିତ କରିହେବ ଓ ସମାବେଶୀ ଆର୍ଥିକ ଅଭିବୃଦ୍ଧି ସୁନିଶ୍ଚିତ କରିହେବ ।

Leave A Reply

Your email address will not be published.