କୋଏଲ ବିଦ୍ୟାପୀଠରେ ଓଡ଼ିଆ ଭାଷା ବିକାଶ ମଞ୍ଚର କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର-୨୦ ସ୍ଥିତ କୋଏଲ ବିଦ୍ୟାପୀଠର ମିଳିତ ଆନୁକୂଲ୍ୟରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଶିକ୍ଷକ କମଳାକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗାଳ୍ପିକ ସଞ୍ଜୀବ କୁମାର ଭୋଇ ମୁଖ୍ୟ ଅତିଥି ଓ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କବିବର ରାଧାନାଥ ରାୟଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଭୋଇ ଓଡ଼ିଆ ସାହିତ୍ୟର ମାନ ଉଦ୍ଧାର ଓ ଓଡ଼ିଆ ଭାଷାକୁ ବିଶ୍ୱ ଦରବାରରେ ଶୀର୍ଷ ସ୍ଥାନ ଦେବା ପାଇଁ ଯେଉଁ କେତେଜଣ ମହାପୁରୁଷ ଶତ ଚେଷ୍ଟା କରିଥିଲେ ସେମାନଙ୍କ ମଧ୍ୟରୁ କବିବର ରାଧାନାଥ ରାୟ ଅନ୍ୟତମ । ଯିଏ ଓଡ଼ିଆ ଜାତି ତଥା ଓଡ଼ିଆ ମାଟିର ଚିନ୍ତା ଚେତନାରେ ନିଜକୁ ଉତ୍ସର୍ଗୀକୃତ କରି ଦେଇଥିଲେ । ଓଡ଼ିଆ, ଇଂରାଜୀ, ବଙ୍ଗଳା ଓ ସଂସ୍କୃତ ଏହି ଚାରିଟି ଭାଷାରେ ରାଧାନାଥ ରାୟ ପାରଦର୍ଶିତା ଲାଭ କରିବା ସହିତ ପାଠକ ମହଲକୁ ଝଙ୍କୃତ କରିଥିଲେ ବୋଲି ଶ୍ରୀ ଭୋଇ କହିଥିଲେ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, ତାଙ୍କର ପ୍ରତ୍ୟେକ ଲେଖାରେ ମାତୃଭୂମି ଓ ମାତୃଭାଷାର ମମତା ଉପରେ ସାରଗର୍ଭକ କଥା ମାନ ଲେଖି ଯାଇଛନ୍ତି । ଓଡ଼ିଶାର ପ୍ରକୃତି ଭାସ୍କର୍ଯ୍ୟ ଓ ମନ୍ଦିର ମାନଙ୍କୁ ଯେତେ ଦେଖିଲେ ମଧ୍ୟ ପୁଣି ନୂଆ ଲାଗେ । ତାହାକୁ ସେ କବିତାରେ ଜ୍ୱଳନ୍ତ ଉଦାହରଣ ଦେଇ ଲେଖିଛନ୍ତି ‘ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।’ କବିବର ରାଧାନାଥଙ୍କ ଭାଷାରେ ସୌନ୍ଦର୍ଯ୍ୟର କେବେ କ୍ଷୟ ହୁଏନାହିଁ । ପ୍ରକୃତିଦତ୍ତ ସୌନ୍ଦର୍ଯ୍ୟକୁ ଯେତେ ଥର ଦେଖିଲେ ମଧ୍ୟ ପ୍ରଥମ କରି ଦେଖିଲା ପରି ଲାଗେ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସୁପ୍ରଭା ପରିଡ଼ା, ଶିବାନୀ ପଣ୍ଡା, ଅଂଶୁମାନ ହାତୀ, ପ୍ରଜ୍ଞାସିନୀ ହାତୀ, ଜୀବନ ପରିଡ଼ା କବିବର ରାଧାନାଥ ରାୟଙ୍କ ଜୀବନ ଦର୍ଶନ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସଭାପତି ତାଙ୍କ ଅଭିଭାଷଣରେ କହିଲେ କବିବର ରାଧାନାଥ ରାୟ ସାବଲୀଳ ଭାଷାରେ ଏବଂ ନୂତନ ଶୈଳୀରେ କବିତା ରଚନା କରୁଥିଲେ । ତାଙ୍କ ରଚିତ ମହାକାବ୍ୟ, ମହାଯାତ୍ରା, ଚିଲିକା, ଦରବାର, ନନ୍ଦିକେଶ୍ୱରୀ, କେଦାରଗୌରୀ, ଯଯାତିକେଶରୀ ପରି ଏକାଧିକ କାବ୍ୟାବଳୀରେ ଓଡ଼ିଆ ସାହିତ୍ୟ ଭଣ୍ଡାର ସମୃଦ୍ଧ ହୋଇଥିଲା । ଏହି କବିତା ଗୁଡ଼ିକରେ ସେ ପାରମ୍ପରିକ ସୌଧ ଉପରେ ଆଧୁନିକତାର ସ୍ପର୍ଶ ଛାଡିଛନ୍ତି । ବାସ୍ତବରେ ସେ ଓଡ଼ିଆ ଭାଷା ସାହିତ୍ୟକୁ ନୂଆ ରୂପରେ ସଜାଇ ନିଜର ଅଲିଭା ସ୍ୱାକ୍ଷର ଛାଡି ଯାଇଛନ୍ତି ବୋଲି ଶ୍ରୀ ରାଉତ ସଭାପତୀୟ ଅଭିଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଶିକ୍ଷକ ସରୋଜ କୁମାର ସାହୁ ଧନ୍ୟବାଦ ଦେଇଥିବା ବେଳେ ପଦ୍ମଲୋଚନ ଦାସ, ଆରତୀ ମହାନ୍ତି, ସଞ୍ଜୁଲତା ମଲ୍ଲିକ, ଅଦ୍ଵୈତ ପ୍ରସାଦ ନାୟକ, ଉପେନ୍ଦ୍ର ନାଥ ଷଡ଼ଙ୍ଗୀ, ରତକ ଦୀକ୍ଷିତ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.