jayashree

୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ବାସ୍ତବ ଜିଡିପି ୬.୫-୭ ପ୍ରତିଶତ ମଧ୍ୟରେ ରହିବା ନେଇ ଆକଳନ

  • ଦୃଢ଼ତା ପ୍ରଦର୍ଶନ କରିବା ସହିତ ଭାରତର ବାସ୍ତବ ଜିଡିପି ଆର୍ଥିକ ବର୍ଷ ୨୦୨୩-୨୪ରେ ୮.୨ ପ୍ରତିଶତ ହାରରେ ବୃଦ୍ଧି ପାଇଛି, ଯାହାକି ଆର୍ଥିକ ବର୍ଷର ୪ଟି ତ୍ରୟମାସ ମଧ୍ୟରୁ ୩ଟିରେ ୮ ପ୍ରତିଶତରୁ ଅଧିକ ରହିଛି
  • ଆର୍ଥିକ ବର୍ଷ ୨୦୨୩-୨୪ରେ ସାମଗ୍ରିକ ସକଳ ମୂଲ୍ୟ ବୃଦ୍ଧି (ଜିଭିଏ)ରେ କୃଷି, ଶିଳ୍ପ ଓ ସେବା କ୍ଷେତ୍ରର ଅଂଶଧନ ଯଥାକ୍ରମେ ୧୭.୭ ପ୍ରତିଶତ, ୨୭.୬ ପ୍ରତିଶତ ଓ ୫୪.୭ ପ୍ରତିଶତ ରହିଥିଲା
  • ୨୦୨୩-୨୪ ଆର୍ଥିକ ବର୍ଷରେ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ହାର ୯.୯ ପ୍ରତିଶତ ରହିଛି; ନିର୍ମାଣ କାର୍ଯ୍ୟକଳାପ ମଧ୍ୟ ୯.୯ ପ୍ରତିଶତ ବୃଦ୍ଧି ରେକର୍ଡ କରିଛି
  • ୨୦୨୨-୨୩ ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍ଫୀତି ହାରାହାରି ୬.୭ ପ୍ରତିଶତ ଥିବା ବେଳେ ଆର୍ଥିକ ବର୍ଷ ୨୦୨୩-୨୪ରେ ୫.୪ ପ୍ରତିଶତକୁ ଖସି ଆସିଛି
  • ଆର୍ଥିକ ବର୍ଷ ୨୦୨୨-୨୩ରେ ଘରୋଇ ଅଣ-ଆର୍ଥିକ ନିଗମର ମୋଟ ସ୍ଥାୟୀ ପୁଞ୍ଜି ଗଠନ (ଜିଏଫସିଏଫ୍) ୧୯.୮ ପ୍ରତିଶତ ବୃଦ୍ଧି, ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଚାଳକ ଭାବରେ କାର୍ଯ୍ୟ କରେ
  • ଶୀର୍ଷ ୮ଟି ସହରରେ ୪.୧ ଲକ୍ଷ ଆବାସିକ ୟୁନିଟ୍ ବିକ୍ରି ହୋଇଥିବା ବେଳେ ୨୦୨୩ରେ ରିଅଲ ଇଷ୍ଟେଟ୍‌ରେ ୩୩ ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ଘଟିଛି, ଯାହାକି ୨୦୧୩ ପରଠାରୁ ସର୍ବାଧିକ
  • କେନ୍ଦ୍ର ସରକାରଙ୍କ ବିତ୍ତୀୟ ନିଅଣ୍ଟ ୨୦୨୩ ଆର୍ଥିକ ବର୍ଷରେ ଜିଡିପିର ୬.୪ ପ୍ରତିଶତ ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୫.୬ ପ୍ରତିଶତକୁ ଖସି ଆସିଛି
  • ୨୦୨୪ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟ ୯.୫ ଲକ୍ଷ କୋଟି ଟଙ୍କା ରହିଛି, ଯାହା ବାର୍ଷିକ ଆଧାରରେ ୨୮.୨ ପ୍ରତିଶତ ବୃଦ୍ଧି ପାଇଛି ଏବଂ ୨୦୨୦ ଆର୍ଥିକ ବର୍ଷର ସ୍ତରଠାରୁ ୨.୮ ଗୁଣ ଅଧିକ
  • ବଜେଟ୍ ଆକଳନର ୯.୧ ଲକ୍ଷ କୋଟି ଟଙ୍କା ତୁଳନାରେ ମୋଟ ବିତ୍ତୀୟ ନିଅଣ୍ଟ ୮.୬ ପ୍ରତିଶତ କମ୍ ଥିବାରୁ ରାଜ୍ୟ ସରକାରଙ୍କ ଖର୍ଚ୍ଚର ଗୁଣବତ୍ତାରେ ଉନ୍ନତି ଘଟିଛି
  • ୨୦୨୪ ମାର୍ଚ୍ଚରେ ମୋଟ ଅଚଳ ସମ୍ପତ୍ତି (ଜିଏନପିଏ) ଅନୁପାତ ୨.୮ ପ୍ରତିଶତକୁ ଖସିଛି, ବ୍ୟାଙ୍କଗୁଡ଼ିକର ସମ୍ପତ୍ତି ଗୁଣବତ୍ତାରେ ୧୨ ବର୍ଷର ସର୍ବନିମ୍ନ ମାର୍କିଂ ଉନ୍ନତି
  • ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ସେବା ରପ୍ତାନି ୩୪୧.୧ ବିଲିୟନ ଡଲାରର ନୂତନ ଉଚ୍ଚ ସ୍ତରରେ ପହଞ୍ଚିଛି
  • ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ବୈଦେଶିକ ମୁଦ୍ରା ଭଣ୍ଡାର ପରିମାଣ ୧୧ ମାସର ଆନୁମାନିକ ଆମଦାନୀକୁ ଭରଣା କରିବା ପାଇଁ ଯଥେଷ୍ଟ
  • ୨୦୧୩ରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ପ୍ରତିଷ୍ଠା ପରଠାରୁ ଏହା ମାଧ୍ୟମରେ ୩୬.୯ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି
  • ମୁଖ୍ୟତଃ ଗ୍ରାମୀଣ ମହିଳାଙ୍କ ଭାଗିଦାରୀ ବୃଦ୍ଧି ଯୋଗୁଁ ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାର ୨୦୧୭-୧୮ରେ ୨୩.୩ ପ୍ରତିଶତ ଥିବାବେଳେ ୨୦୨୨-୨୩ରେ ଏହା ୩୭ ପ୍ରତିଶତକୁ ବୃଦ୍ଧି ପାଇଛି

ଭୁବନେଶ୍ୱର, (ପିଆଇବି) : ୨୦୨୪-୨୫ରେ ଭାରତର ବାସ୍ତବ ଜିଡିପି ୬.୫ ରୁ ୭ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି । ଭାରତୀୟ ଅର୍ଥବ୍ୟବସ୍ଥା ମହାମାରୀରୁ ଦ୍ରୁତ ଗତିରେ ପୁନରୁଦ୍ଧାର କରିଥିଲା ଏବଂ ଆର୍ଥିକ ବର୍ଷ ୨୦୨୩-୨୪ରେ ଏହାର ବାସ୍ତବ ଜିଡିପି କୋଭିଡ୍ ପୂର୍ବ, ଆର୍ଥିକ ବର୍ଷ ୨୦୨୦ ସ୍ତର ତୁଳନାରେ ୨୦ ପ୍ରତିଶତ ଅଧିକ ଥିଲା । କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରି ଏହା କହିଛନ୍ତି । ସର୍ବେକ୍ଷଣରେ ଦର୍ଶାଯାଇଛି ଯେ, ଅନିଶ୍ଚିତ ବିଶ୍ୱ ଆର୍ଥିକ ପ୍ରଦର୍ଶନ ସତ୍ତ୍ୱେ ଘରୋଇ ଅଭିବୃଦ୍ଧି ବାହକମାନେ ଆର୍ଥିକ ବର୍ଷ ୨୦୨୩-୨୪ରେ ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିଛନ୍ତି । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆର୍ଥିକ ବର୍ଷ ୨୦୨୦ରେ ଶେଷ ହୋଇଥିବା ଦଶନ୍ଧିରେ ଭାରତ ହାରାହାରି ବାର୍ଷିକ ୬.୬ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଛି, ଯାହା ଅର୍ଥବ୍ୟବସ୍ଥାର ଦୀର୍ଘକାଳୀନ ଅଭିବୃଦ୍ଧି ସମ୍ଭାବନାକୁ ପ୍ରତିଫଳିତ କରୁଛି । ତେବେ ସର୍ବେକ୍ଷଣରେ ଏହି ଚେତାବନୀ ମଧ୍ୟ ଦିଆଯାଇଛି ଯେ ୨୦୨୪ରେ ଭୂ-ରାଜନୈତିକ ସଂଘର୍ଷ ବୃଦ୍ଧି ପାଇବା କାରଣରୁ ଯୋଗାଣରେ ଅବ୍ୟବସ୍ଥା, ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି, ମୁଦ୍ରାସ୍ଫିତି ଚାପ ବୃଦ୍ଧି ଏବଂ ମୁଦ୍ରା ନୀତିକୁ କୋହଳ କରିବା ଭଳି ସ୍ଥିତି ଦେଖା ଦେଇପାରେ ତଥା ପୁଞ୍ଜି ପ୍ରବାହ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିପାରେ । ୨୦୨୪ ପାଇଁ ବିଶ୍ୱ ବାଣିଜ୍ୟ ଦୃଷ୍ଟିକୋଣ ସକାରାତ୍ମକ ରହିଛି ଏବଂ ୨୦୨୩ରେ ପରିମାଣ ହ୍ରାସ ପାଇବା ପରେ ସାମଗ୍ରୀ ବାଣିଜ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ସର୍ବେକ୍ଷଣରେ ଦର୍ଶାଯାଇଛି ଯେ, ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପର ଉପଯୋଗ କରିବା ଏବଂ ଉଦୀୟମାନ ବଜାରରେ ଅବ୍ୟବହୃତ ସମ୍ଭାବନାକୁ ଧରିବା ଦ୍ୱାରା ବ୍ୟବସାୟ, ପରାମର୍ଶ ଓ ଆଇଟି ସମର୍ଥିତ ସେବାର ରପ୍ତାନି ବୃଦ୍ଧି କରାଯାଇପାରିବ । ମୂଳ ମୁଦ୍ରାସ୍ଫୀତି ହାର ପ୍ରାୟ ୩ ପ୍ରତିଶତ ଥିବା ସତ୍ତ୍ୱେ ଆରବିଆଇ ସୁବିଧା ପ୍ରତ୍ୟାହାର ଏବଂ ୟୁଏସ୍ ଫେଡ୍ ଉପରେ ଏକ ସଙ୍ଗେ ନଜର ରଖି ସୁଧ ହାରକୁ କିଛି ଦିନ ଧରି ଅପରିବର୍ତ୍ତିତ ରଖିଛି । ଫଳରେ ଆଶାନୁରୂପ କୋହଳ ହେବାରେ ବିଳମ୍ବ ହୋଇଛି । ଆର୍ଥିକ ସର୍ବେକ୍ଷଣରେ କୁହାଯାଇଛି ଯେ, ଭାରତର ଅର୍ଥବ୍ୟବସ୍ଥା ଅନେକ ବୈଶ୍ୱିକ ଏବଂ ବାହ୍ୟ ଆହ୍ୱାନର ମୁକାବିଲା କ୍ଷେତ୍ରରେ ସ୍ଥିରତା ପ୍ରଦର୍ଶନ କରି କାରଣ ଆର୍ଥିକ ବର୍ଷ ୨୪ରେ ବାସ୍ତବ ଜିଡିପି ୮.୨ ପ୍ରତିଶତ ବୃଦ୍ଧି ପାଇଛି । ଏହା ଆର୍ଥିକ ବର୍ଷ ୨୦୨୩-୨୪ର ଚାରି ତ୍ରୈମାସରୁ ୩ଟି ତ୍ରୈମାସରେ ୮ ପ୍ରତିଶତରୁ ଅଧିକ ରହିଛି । ସ୍ଥିର ଉପଭୋକ୍ତା ଚାହିଦା ଏବଂ ନିବେଶ ଚାହିଦାରେ କ୍ରମାଗତ ଉନ୍ନତି ଯୋଗୁଁ ଏପରି ସ୍ଥିତି ଦେଖିବାକୁ ମିଳିଛି । ସର୍ବେକ୍ଷଣରେ ଦର୍ଶାଯାଇଛି ଯେ, ଆର୍ଥିକ ବର୍ଷ ୨୩-୨୪ରେ ସାମଗ୍ରିକ ବା କଳ ବର୍ଦ୍ଧିତ ମୂଲ୍ୟ) ଜିଭିଏରେ କୃଷି, ଶିଳ୍ପ ଓ ସେବା କ୍ଷେତ୍ରର ଅଂଶଧନ ଯଥାକ୍ରମେ ୧୭.୭ ପ୍ରତିଶତ, ୨୭.୬ ପ୍ରତିଶତ ଓ ୫୪.୭ ପ୍ରତିଶତ ଥିଲା । କୃଷି କ୍ଷେତ୍ରରେ ଜିଭିଏ ଧୀର ଗତିରେ ବୃଦ୍ଧି ପାଇବାରେ ଲାଗିଥିଲା, କାରଣ ବର୍ଷରେ ଅନିୟମିତ ପାଣିପାଗ ଢାଞ୍ଚା ଏବଂ ୨୦୨୩ରେ ମୌସୁମୀର ଅସମାନ ସ୍ଥାନୀୟ ବିତରଣ ସାମଗ୍ରିକ ଉତ୍ପାଦନକୁ ପ୍ରଭାବିତ କରିଥିଲା । ଶିଳ୍ପ କ୍ଷେତ୍ରରେ ମାନୁଫାକ୍ଚରିଂ ବା ଉତ୍ପାଦନ ଜିଭିଏ ଆର୍ଥିକ ବର୍ଷ ୨୩ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଏବଂ ଆର୍ଥିକ ବର୍ଷ ୨୪ରେ ୯.୯ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ଉତ୍ପାଦନ କାର୍ଯ୍ୟକଳାପ ଇନ୍‌ପୁଟ୍ ମୂଲ୍ୟ ହ୍ରାସ ଦ୍ୱାରା ଲାଭବାନ ହୋଇଥିବା ବେଳେ ସ୍ଥିର ଘରୋଇ ଚାହିଦା ପୂରଣ କରିଛି । ସେହିଭଳି ଭିତ୍ତିଭୂମି ନିର୍ମାଣ ଏବଂ ବାଣିଜ୍ୟିକ ଓ ଆବାସିକ ରିଅଲ ଇଷ୍ଟେଟ୍ ଚାହିଦା ବୃଦ୍ଧି ଯୋଗୁଁ ୨୦୨୪ ଆର୍ଥିକ ବର୍ଷରେ ନିର୍ମାଣ କାର୍ଯ୍ୟ ବୃଦ୍ଧି ପାଇ ୯.୯ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ବିଭିନ୍ନ ହାଇ ଫ୍ରିକ୍ୱେନ୍ସି ଇଣ୍ଡିକେଟର ବା ଉଚ୍ଚ ଆବୃତ୍ତି ସଂକେତକ ସେବା କ୍ଷେତ୍ରର ଅଭିବୃଦ୍ଧିକୁ ପ୍ରତିଫଳିତ କରିଥାଏ । ଉଭୟ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ଆଦାୟ ଏବଂ ପାଇକାରୀ ଓ ଖୁଚୁରା ବାଣିଜ୍ୟକୁ ପ୍ରତିଫଳିତ କରି ଇ-ୱେ ବିଲ୍ ଜାରି କରିବା ଆର୍ଥିକ ବର୍ଷ ୨୩-୨୪ରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ପ୍ରଦର୍ଶନ କରିଛି । ଆର୍ଥିକ ଓ ବୃତ୍ତିଗତ ସେବା ମହାମାରୀ ପରେ ଆର୍ଥିକ ଓ ବୃତ୍ତିଗତ ସେବା ଅଭିବୃଦ୍ଧିର ପ୍ରମୁଖ ଚାଳକ ବୋଲି ସର୍ଭେରେ କୁହାଯାଇଛି । ଗ୍ରସ୍ ଫିକ୍ସଡ୍ କ୍ୟାପିଟାଲ୍ ଫର୍ମେସନ୍ (ଜିଏଫସିଏଫ୍) ବା ସକଳ ସ୍ଥାୟୀ ପୁଞ୍ଜି ସୃଷ୍ଟି ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଚାଳକ ଭାବେ ଉଭା ହୋଇଛି । ଆର୍ଥିକ ବର୍ଷ ୨୨-୨୩ରେ ଘରୋଇ ଅଣ-ଆର୍ଥିକ ନିଗମ ଦ୍ୱାରା ଜିଏଫସିଏଫ ୧୯.୮ ପ୍ରତିଶତ ବୃଦ୍ଧି ପାଇଥିଲା । ଆର୍ଥିକ ବର୍ଷ ୨୩-୨୪ରେ ଘରୋଇ ପୁଞ୍ଜି ସୃଷ୍ଟିରେ ଏହି ଗତି ବଜାୟ ରହିବାର ପ୍ରାରମ୍ଭିକ ସଙ୍କେତ ରହିଛି । ଆକ୍ସିସ୍ ବ୍ୟାଙ୍କ ରିସର୍ଚ୍ଚ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୪ ଆର୍ଥିକ ବର୍ଷରେ ୩,୨୦୦ରୁ ଅଧିକ ତାଲିକାଭୁକ୍ତ ଏବଂ ଅଣ-ତାଲିକାଭୁକ୍ତ ଅଣ-ଆର୍ଥିକ ସଂସ୍ଥାଗୁଡ଼ିକରେ ଘରୋଇ ନିବେଶ ୧୯.୮ ପ୍ରତିଶତ ବୃଦ୍ଧି ପାଇଛି । ଘରୋଇ ନିଗମ ବ୍ୟତୀତ ପୁଞ୍ଜି ନିର୍ମାଣ ପ୍ରକ୍ରିୟାରେ ମଧ୍ୟ ପରିବାର ଗୁଡ଼ିକ ଆଗରେ ରହିଛନ୍ତି । ୨୦୨୩ରେ ଭାରତରେ ଆବାସିକ ରିଅଲ ଇଷ୍ଟେଟ୍ ବିକ୍ରି ୨୦୧୩ ପରଠାରୁ ସର୍ବୋଚ୍ଚ ସ୍ତରରେ ଥିଲା, ଯାହା କି ବାର୍ଷିକ ୩୩ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ଏବଂ ଶୀର୍ଷ ୮ଟି ସହରରେ ସମୁଦାୟ ୪.୧ ଲକ୍ଷ ଆବାସିକ ୟୁନିଟ୍ ବିକ୍ରି ହୋଇଛି । ସ୍ୱଚ୍ଛ ବାଲାନ୍ସ ସିଟ୍ ଏବଂ ପର୍ଯ୍ୟାପ୍ତ ପୁଞ୍ଜି ପ୍ରୋତ୍ସାହନ ସହିତ, ନିବେଶ ଚାହିଦାର ବର୍ଦ୍ଧିତ ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ କ୍ଷେତ୍ର ଭଲ ସ୍ଥିତିରେ ଅଛି । ଔଦ୍ୟୋଗିକ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଏବଂ ସେବାଗୁଡ଼ିକୁ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ (ଏସସିବି) ଦ୍ୱାରା ଋଣ ବିତରଣର ଉଚ୍ଚ ଭିତ୍ତିଭୂମି ସତ୍ତ୍ୱେ ଦୁଇ ଅଙ୍କରେ ବୃଦ୍ଧି ପାଇବାରେ ଲାଗିଛି । ସେହିଭଳି ଗୃହ ଚାହିଦା ବୃଦ୍ଧି ସହିତ ଗୃହ ପାଇଁ ବ୍ୟକ୍ତିଗତ ଋଣ ମଧ୍ୟ ବୃଦ୍ଧି ପାଇଛି । ସର୍ବେକ୍ଷଣରେ କୁହାଯାଇଛି ଯେ, ବିଶ୍ୱ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବା ଏବଂ ପ୍ରତିକୂଳ ପାଣିପାଗ ପରିସ୍ଥିତି ସତ୍ତ୍ୱେ ଆର୍ଥିକ ବର୍ଷ ୨୪ରେ ଘରୋଇ ମୁଦ୍ରାସ୍ଫୀତି ଚାପ ହ୍ରାସ ପାଇଛି । ୨୦୨୩ ଆର୍ଥିକ ବର୍ଷରେ ହାରାହାରି ୬.୭ ପ୍ରତିଶତ ଥିବା ଖୁଚୁରା ମୁଦ୍ରାସ୍ଫୀତି ଆର୍ଥିକ ବର୍ଷ ୨୪ରେ ୫.୪ ପ୍ରତିଶତକୁ ଖସି ଆସିଛି । ସରକାର ଏବଂ ଆରବିଆଇ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକର ମିଶ୍ରଣ ଯୋଗୁଁ ଏହା ହୋଇଛି । କେନ୍ଦ୍ର ସରକାର ଖୋଲା ବଜାର ବିକ୍ରି, ନିର୍ଦ୍ଦିଷ୍ଟ ବିକ୍ରୟ କେନ୍ଦ୍ରରେ ଖୁଚୁରା ବିକ୍ରି, ଠିକ୍ ସମୟରେ ଆମଦାନୀ, ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ସିଲିଣ୍ଡର ର ମୂଲ୍ୟ ହ୍ରାସ ଏବଂ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଭଳି ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ମେ ୨୦୨୨ରୁ ଫେବୃଆରୀ ୨୦୨୩ ମଧ୍ୟରେ ରିଜର୍ଭ ବ୍ୟାଙ୍କ ପଲିସି ଦରକୁ ସମୁଦାୟ ୨୫୦ ବିପିଏସ୍ ବୃଦ୍ଧି କରିଛି ।
ସର୍ବେକ୍ଷଣରେ କୁହାଯାଇଛି ଯେ, ବିତ୍ତୀୟ ନିଅଣ୍ଟ ବୃଦ୍ଧି ଏବଂ ଋଣ ବୋଝ ବୃଦ୍ଧିର ବିଶ୍ୱସ୍ତରୀୟ ଧାରା ସତ୍ତ୍ୱେ ଭାରତ ବିତ୍ତୀୟ ସୁଦୃଢ଼ୀକରଣ ପଥରେ ରହିଛି । କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଆକାଉଣ୍ଟସ୍ (ସିଜିଏ) କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଅସ୍ଥାୟୀ ବାସ୍ତବତା (ପିଏ) ତଥ୍ୟ ଅନୁଯାୟୀ କେନ୍ଦ୍ର ସରକାରଙ୍କ ବିତ୍ତୀୟ ନିଅଣ୍ଟକୁ ଆର୍ଥିକ ବର୍ଷ ୨୨-୨୩ରେ ଜିଡିପିର ୬.୪ ପ୍ରତିଶତରୁ ୨୩-୨୪ ଆର୍ଥିକ ବର୍ଷରେ ଜିଡିପିର ୫.୬ ପ୍ରତିଶତକୁ ହ୍ରାସ କରାଯାଇଛି । ୨୦୨୪ ଆର୍ଥିକ ବର୍ଷରେ ମୋଟ ଟିକସ ରାଜସ୍ୱ (ଜିଟିଆର)ର ଅଭିବୃଦ୍ଧି ୧୩.୪ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିଲା, ଯାହା ୧.୪ ଟିକସ ରାଜସ୍ୱ ବୃଦ୍ଧି ରୂପରେ ପ୍ରତିଫଳିତ ହୋଇଥିଲା । ୨୦୨୩ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସରେ ୧୫.୮ ପ୍ରତିଶତ ଏବଂ ପରୋକ୍ଷ ଟିକସରେ ୧୦.୬ ପ୍ରତିଶତ ବୃଦ୍ଧି ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇଛି । ସର୍ବେକ୍ଷଣରେ ଆହୁରି କୁହାଯାଇଛି ଯେ, ଜିଟିଆରର ୫୫ ପ୍ରତିଶତ ପ୍ରତ୍ୟକ୍ଷ ଟିକସରୁ ଏବଂ ଅବଶିଷ୍ଟ ୪୫ ପ୍ରତିଶତ ପରୋକ୍ଷ ଟିକସରୁ ଆଦାୟ ହୋଇଛି । ୨୦୨୪ ଆର୍ଥିକ ବର୍ଷରେ ପରୋକ୍ଷ ଟିକସ ବୃଦ୍ଧି ମୁଖ୍ୟତଃ ଜିଏସଟି ଆଦାୟରେ ୧୨.୭ ପ୍ରତିଶତ ବୃଦ୍ଧି ଯୋଗୁଁ ସମ୍ଭବ ହୋଇଥିଲା । ଜିଏସ୍‌ଟି ଆଦାୟ ଏବଂ ଇ-ୱେ ବିଲ୍ ଉତ୍ପାଦନ ବୃଦ୍ଧି ସମୟକ୍ରମେ ବର୍ଦ୍ଧିତ ଅନୁପାଳନକୁ ପ୍ରତିଫଳିତ କରୁଛି । ୨୦୨୪ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟ ୯.୫ ଲକ୍ଷ କୋଟି ଟଙ୍କା ରହିଥିଲା, ଯାହା ବାର୍ଷିକ ଭିତ୍ତିରେ ୨୮.୨ ପ୍ରତିଶତ ବୃଦ୍ଧି ପାଇଥିଲା ଏବଂ ଆର୍ଥିକ ବର୍ଷ ୨୦୨୦ର ସ୍ତରଠାରୁ ୨.୮ ଗୁଣ ଅଧିକ ଥିଲା। ଏକ ଅନିଶ୍ଚିତ ଓ ଆହ୍ୱାନପୂର୍ଣ୍ଣ ବିଶ୍ୱ ପରିବେଶ ମଧ୍ୟରେ ପୁଞ୍ଜି ବ୍ୟୟ ଉପରେ ସରକାରଙ୍କ ଗୁରୁତ୍ୱ ଆର୍ଥିକ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଚାଳକ ହୋଇଛି । ସଡ଼କ ପରିବହନ ଓ ରାଜପଥ, ରେଳବାଇ, ପ୍ରତିରକ୍ଷା ସେବା ଏବଂ ଟେଲି ଯୋଗାଯୋଗ ଭଳି କ୍ଷେତ୍ରରେ ଖର୍ଚ୍ଚ ଦ୍ୱାରା ଲଜିଷ୍ଟିକ୍ ପ୍ରତିବନ୍ଧକ ଦୂର ହୁଏ ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି କରି ଅଭିବୃଦ୍ଧିକୁ ଅଧିକରୁ ଅଧିକ ପ୍ରୋତ୍ସାହନ ମିଳିଥାଏ । ସର୍ବେକ୍ଷଣରେ କୁହାଯାଇଛି ଯେ, ପୁଞ୍ଜି ନିର୍ମାଣ କ୍ଷେତ୍ରରେ ଘରୋଇ କ୍ଷେତ୍ର ନିଜେ ଏବଂ ସରକାରଙ୍କ ସହ ଭାଗିଦାରୀରେ ଆଗକୁ ବଢ଼ିବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଯନ୍ତ୍ରପାତି ଓ ଉପକରଣ କ୍ଷେତ୍ରରେ ପୁଞ୍ଜି ଭଣ୍ଡାର ବ୍ୟତୀତ ସେମାନଙ୍କ ଅଂଶ ଆର୍ଥିକ ବର୍ଷ ୨୦୨୨ ପରଠାରୁ ଦୃଢ଼ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଉନ୍ନତ ମାନର ନିଯୁକ୍ତି ସୃଷ୍ଟି କରିବା ପାଇଁ ସେମାନଙ୍କର ଉନ୍ନତ ନିମ୍ନ-ଲାଇନ୍ ଏବଂ ବାଲାନ୍ସ ସିଟ୍ ବଳରେ ଏହାକୁ ବଜାୟ ରଖିବା ଆବଶ୍ୟକ । ସର୍ବେକ୍ଷଣରେ ଦର୍ଶାଯାଇଛି ଯେ, ଆର୍ଥିକ ବର୍ଷ ୨୦୨୩-୨୪ରେ ରାଜ୍ୟ ସରକାରମାନେ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଜାରି ରଖିଛନ୍ତି । ଭାରତର ନିୟନ୍ତ୍ରକ ତଥା ମହାଲେଖା ପରୀକ୍ଷକ (ସିଏଜି) ଦ୍ୱାରା ପ୍ରକାଶିତ ୨୩ଟି ରାଜ୍ୟର ଆର୍ଥିକ ସ୍ଥିତିର ପ୍ରାରମ୍ଭିକ ଆକଳନରୁ ଜଣାପଡିଛି ଯେ ଏହି ୨୩ଟି ରାଜ୍ୟର ମୋଟ ବିତ୍ତୀୟ ନିଅଣ୍ଟ ବଜେଟ୍ ଆକଳନ ୯.୧ ଲକ୍ଷ କୋଟି ଟଙ୍କା ତୁଳନାରେ ୮.୬ ପ୍ରତିଶତ କମ୍ ଥିଲା । ଅର୍ଥାତ୍ ଏହି ରାଜ୍ୟଗୁଡ଼ିକ ପାଇଁ ଜିଡିପିର ଏକ ପ୍ରତିଶତ ହିସାବରେ ବିତ୍ତୀୟ ନିଅଣ୍ଟ ୨.୮ ପ୍ରତିଶତ ଥିବା ବେଳେ ବଜେଟରେ ଏହା ୩.୧ ପ୍ରତିଶତ ରହିଛି । ରାଜ୍ୟ ସରକାରଙ୍କ ଖର୍ଚ୍ଚର ଗୁଣବତ୍ତା ରେ ମଧ୍ୟ ଉନ୍ନତି ଘଟିଥିବା ବେଳେ ରାଜ୍ୟ ସରକାରମାନେ ମଧ୍ୟ ପୁଞ୍ଜି ବ୍ୟୟ ଉପରେ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ହସ୍ତାନ୍ତର ଅତ୍ୟନ୍ତ ପ୍ରଗତିଶୀଳ ରହିଛି । ସକଳ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି) କମ୍ ଥିବା ରାଜ୍ୟଗୁଡ଼ିକ ସେମାନଙ୍କ ଜିଏସ୍‌ଡିପି ତୁଳନାରେ ଅଧିକ ହସ୍ତାନ୍ତର ପାଉଛନ୍ତି । ସର୍ଭେରେ ଦର୍ଶାଯାଇଛି ଯେ, ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ବ୍ୟବସ୍ଥା ଉପରେ ଆରବିଆଇର ସତର୍କତା ଏବଂ ଏହାର ତ୍ୱରିତ ନିୟାମକ ପଦକ୍ଷେପ ଦ୍ୱାରା ଏହି ବ୍ୟବସ୍ଥା ଯେକୌଣସି ଆର୍ଥିକ କିମ୍ବା ବ୍ୟବସ୍ଥାଗତ ଧକ୍କାକୁ ସାମ୍ନା କରିପାରିବ ବୋଲି ସୁନିଶ୍ଚିତ ହୋଇଛି । ଜୁନ୍ ୨୦୨୪ରେ ରିଜର୍ଭ ବ୍ୟାଙ୍କର ଆର୍ଥିକ ସ୍ଥିରତା ରିପୋର୍ଟର ତଥ୍ୟ ଦର୍ଶାଉଛି ଯେ, ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ସମ୍ପତ୍ତି ଗୁଣବତ୍ତାରେ ଉନ୍ନତି ଘଟିଛି ଏବଂ ମାର୍ଚ୍ଚ ୨୦୨୪ରେ ମୋଟ ଅଚଳ ସମ୍ପତ୍ତି (ଜିଏନପିଏ) ଅନୁପାତ ୨.୮ ପ୍ରତିଶତକୁ ହ୍ରାସ ପାଇଛି, ଯାହା କି ୧୨ ବର୍ଷର ସର୍ବନିମ୍ନ ସ୍ତର । ୨୦୨୪ ମାର୍ଚ୍ଚ ସୁଦ୍ଧା ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ (ଏସିସିବି)ଗୁଡ଼ିକର ଲାଭ ସ୍ଥିର ରହିଥିଲା ଏବଂ ରିଟର୍ଣ୍ଣ ଅନ୍ ଇକ୍ୱିଟି ଓ ରିଟର୍ଣ୍ଣ ଅନ୍ ଆସେଟ୍ ଅନୁପାତ ଯଥାକ୍ରମେ ୧୩.୮ ପ୍ରତିଶତ ଓ ୧.୩ ପ୍ରତିଶତ ରହିଥିଲା । ମିଶ୍ରିତ ଆର୍ଥିକ ଚାପ ପରୀକ୍ଷଣରୁ ଏହା ମଧ୍ୟ ଜଣାପଡିଛି ଯେ, ଗୁରୁତର ଚାପ ପରିସ୍ଥିତିରେ ମଧ୍ୟ ଏସ୍‌ସିବି ସର୍ବନିମ୍ନ ପୁଞ୍ଜି ଆବଶ୍ୟକତାକୁ ଅନୁପାଳନ କରିବାକୁ ସକ୍ଷମ ହେବେ । ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ସୁଦୃଢ଼ତା ଉତ୍ପାଦକ ସୁଯୋଗଗୁଡ଼ିକର ଅର୍ଥ ଯୋଗାଣକୁ ସହଜ କରିବ ଏବଂ ଆର୍ଥିକ ଚକ୍ରକୁ ଲମ୍ବା କରିବ, ଯାହା ଉଭୟ ଆର୍ଥିକ ଅଭିବୃଦ୍ଧିକୁ ବଜାୟ ରଖିବା ପାଇଁ ଜରୁରୀ । ସର୍ବେକ୍ଷଣରେ ଦର୍ଶାଯାଇଛି ଯେ, ମୁଖ୍ୟତଃ ଦୁର୍ବଳ ବିଶ୍ୱ ଚାହିଦା ଏବଂ କ୍ରମାଗତ ଭୂ-ରାଜନୈତିକ ଉତ୍ତେଜନା କାରଣରୁ ବାହ୍ୟ କ୍ଷେତ୍ରରେ ଆର୍ଥିକ ବର୍ଷ ୨୦୨୩-୨୪ ରେ ସାମଗ୍ରୀ ରପ୍ତାନିରେ ହ୍ରାସ ଜାରି ରହିଥିଲା । ଏହା ସତ୍ତ୍ୱେ ଭାରତର ସେବା ରପ୍ତାନି ସୁଦୃଢ଼ ରହିଛି ଏବଂ ଆର୍ଥିକ ବର୍ଷ ୨୦୨୩-୨୪ରେ ଏହା ୩୪୧.୧ ବିଲିୟନ ଡଲାରର ନୂତନ ଉଚ୍ଚସ୍ତରରେ ପହଞ୍ଚିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ରପ୍ତାନି (ସାମଗ୍ରୀ ଓ ସେବା) ୦.୧୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ମୋଟ ଆମଦାନି ୪.୯ ପ୍ରତିଶତ ହ୍ରାସ ପାଇଛି ବୋଲି ସର୍ଭେରେ ଦର୍ଶାଯାଇଛି।
ମୁଖ୍ୟତଃ ବିଦେଶରୁ ଆସୁଥିବା ନିଟ୍ ଘରୋଇ ହସ୍ତାନ୍ତର ଆର୍ଥିକ ବର୍ଷ ୨୦୨୩-୨୪ରେ ୧୦୬.୬ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଫଳସ୍ୱରୂପ, ଚଳିତ ବର୍ଷ ଚଳନ୍ତି ଖାତା ନିଅଣ୍ଟ (ସିଏଡି) ଜିଡିପିର ୦.୭ ପ୍ରତିଶତ ରହିଥିଲା, ଯାହା ଆର୍ଥିକ ବର୍ଷ ୨୦୨୨-୨୩ରେ ଜିଡିପିର ୨.୦ ପ୍ରତିଶତ ନିଅଣ୍ଟ ତୁଳନାରେ ଉନ୍ନତ ଥିଲା । ବିଗତ ଦୁଇ ବର୍ଷର ନିଟ୍‌ ବାହ୍ୟ ପ୍ରବାହ ତୁଳନାରେ ଆର୍ଥିକ ବର୍ଷ ୨୦୨୪ରେ ନିଟ୍ ଏଫପିଆଇ ପ୍ରବାହ ୪୪.୧ ବିଲିୟନ ଡଲାର ଥିଲା ।
ମୋଟାମୋଟି ଭାବେ ଭାରତର ବାହ୍ୟ କ୍ଷେତ୍ରକୁ ସୁବିଧାନଜନକ ବୈଦେଶିକ ମୁଦ୍ରା ଭଣ୍ଡାର ଏବଂ ସ୍ଥିର ବିନିମୟ ହାରରେ ଦକ୍ଷତାର ସହ ପରିଚାଳନା କରାଯାଉଛି । ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ବୈଦେଶିକ ମୁଦ୍ରା ଭଣ୍ଡାର ୧୧ ମାସର ଆନୁମାନିକ ଆମଦାନୀକୁ ଭରଣା କରିବା ପାଇଁ ଯଥେଷ୍ଟ ଥିଲା । ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତୀୟ ଟଙ୍କା ମଧ୍ୟ ଏହାର ପ୍ରଗତିଶୀଳ ବଜାର ସହଯୋଗୀଙ୍କ ମଧ୍ୟରେ ସର୍ବନିମ୍ନ ଅସ୍ଥିର ମୁଦ୍ରା ମଧ୍ୟରୁ ଅନ୍ୟତମ ରହିଥିଲା । ଭାରତର ବୈଦେଶିକ ଋଣ ଦୁର୍ବଳତା ସୂଚକାଙ୍କ ମଧ୍ୟ ସ୍ଥିର ରହିଛି । ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଜିଡିପି ଅନୁପାତରେ ବୈଦେଶିକ ଋଣ ୧୮.୭ ପ୍ରତିଶତର ସର୍ବନିମ୍ନ ସ୍ତରରେ ରହିଥିଲା । ଆର୍ଥିକ ସର୍ବେକ୍ଷଣ ୨୦୨୩-୨୪ ଅନୁଯାୟୀ ୨୦୨୪ ମାର୍ଚ୍ଚ ସୁଦ୍ଧା ମୋଟ ଋଣ ସହିତ ବିଦେଶୀ ମୁଦ୍ରା ଭଣ୍ଡାରର ଅନୁପାତ ୯୭.୪ ପ୍ରତିଶତ ରହିଛି । ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ଭାରତର ସାମାଜିକ କଲ୍ୟାଣ ଆଭିମୁଖ୍ୟ ଏକ ଇନପୁଟ୍-ଭିତ୍ତିକ ଆଭିମୁଖ୍ୟରୁ ଫଳାଫଳ ଭିତ୍ତିକ ସଶକ୍ତୀକରଣ ଦିଗରେ ପରିବର୍ତ୍ତନ ହୋଇଛି । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସଂଯୋଗ ପ୍ରଦାନ, ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଶୌଚାଳୟ ନିର୍ମାଣ, ଜନଧନ ଯୋଜନା ଅଧୀନରେ ବ୍ୟାଙ୍କ ଖାତା ଖୋଲିବା, ପିଏମ-ଆବାସ ଯୋଜନା ଅଧୀନରେ ପକ୍କା ଘର ନିର୍ମାଣ ଭଳି ସରକାରୀ ପଦକ୍ଷେପ ଦକ୍ଷତାରେ ଉନ୍ନତି ଆଣିଛି ଏବଂ ଗରିବ ବର୍ଗଙ୍କ ପାଇଁ ସୁଯୋଗ ବୃଦ୍ଧି କରିଛି । ସର୍ବେକ୍ଷଣରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ଆଭିମୁଖ୍ୟରେ ଶେଷ ମାଇଲ ସେବା ଯୋଗାଣ ପାଇଁ ସଂସ୍କାରର ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା ମଧ୍ୟ ଅନ୍ତର୍ଭୁକ୍ତ ଯାହା ଦ୍ୱାରା ‘କୌଣସି ବ୍ୟକ୍ତି ପଛରେ ପଡିନଥିବା’ କଥାକୁ ପ୍ରକୃତରେ ସାକାର କରାଯାଇପାରିବ । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଯୋଜନା ଏବଂ ଜନଧନ ଯୋଜନା-ଆଧାର-ମୋବାଇଲ୍ ତ୍ରୟର ଲାଭ ଆର୍ଥିକ ଦକ୍ଷତା ଆଣିବା ସହିତ ବାଟମାରଣା ହ୍ରାସ କରିବାରେ ସହାୟକ ହୋଇଛି । ୨୦୧୩ରେ ଡିବିଟି ଆରମ୍ଭ ହେବା ପରଠାରୁ ଡିବିଟି ମାଧ୍ୟମରେ ୩୬.୯ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ସର୍ବେକ୍ଷଣରେ କୁହାଯାଇଛି ଯେ ମହାମାରୀ ପରଠାରୁ ସର୍ବଭାରତୀୟ ବାର୍ଷିକ ବେକାରୀ ହାର (ସାଧାରଣ ସ୍ଥିତି ଅନୁଯାୟୀ ୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ବ୍ୟକ୍ତି) ହ୍ରାସ ପାଉଛି ଏବଂ ଏହା ସହିତ ଶ୍ରମଶକ୍ତି ଅଂଶଗ୍ରହଣ ହାର ଏବଂ ଶ୍ରମିକ-ଜନସଂଖ୍ୟା ଅନୁପାତ ବୃଦ୍ଧି ପାଇଛି । ଲିଙ୍ଗଗତ ଦୃଷ୍ଟିକୋଣରୁ ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାର ୬ ବର୍ଷ ଧରି ବୃଦ୍ଧି ପାଉଛି ଅର୍ଥାତ୍ ୨୦୧୭-୧୮ରେ ଏହା ୨୩.୩ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ୩୭ ପ୍ରତିଶତକୁ ବୃଦ୍ଧି ପାଇଛି । ବିଶ୍ୱ ଆର୍ଥିକ ପରିପ୍ରେକ୍ଷୀରେ ସର୍ବେକ୍ଷଣରେ କୁହାଯାଇଛି ଯେ, ବିଶ୍ୱସ୍ତରୀୟ ଅନିଶ୍ଚିତତା ଓ ଅସ୍ଥିରତା ଦ୍ୱାରା ପ୍ରଭାବିତ ଏକ ବର୍ଷ ପରେ ୨୦୨୩ରେ ଅର୍ଥବ୍ୟବସ୍ଥା ଅଧିକ ସ୍ଥିରତା ହାସଲ କରିଛି । ପ୍ରତିକୂଳ ଭୂ-ରାଜନୈତିକ ଘଟଣାକ୍ରମ ଯୋଗୁଁ ସୃଷ୍ଟି ହୋଇଥିବା ଅନିଶ୍ଚିତତା ବୃଦ୍ଧି ପାଇଥିବା ବେଳେ ବିଶ୍ୱ ଆର୍ଥିକ ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ ଭାବେ ସୁଦୃଢ଼ ରହିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଏପ୍ରିଲ ୨୦୨୪ର ବିଶ୍ୱ ଆର୍ଥିକ ଦୃଷ୍ଟିକୋଣ (ଡବ୍ଲୁଇଓ) ଅନୁଯାୟୀ ୨୦୨୩ରେ ବିଶ୍ୱ ଅର୍ଥବ୍ୟବସ୍ଥା ୩.୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ବୋଲି ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.