oom

ଇତିହାସର କଥା କହେ ଭୀମକେଲା

jsmm

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମ ଏକ ଐତିହାସିକ ପ୍ରତ୍ନତାତ୍ବିକ ଗ୍ରାମ ଭାବେ ପରିଗଣିତ ହୋଇଥାଏ । ଐତିହାସିକ ଦୁର୍ଗ ଅସୁରଗଡର ଉତ୍ତର ପଶ୍ଚିମରେ ଅବସ୍ଥିତ ଭୀମକେଲାରେ ଗ୍ରାନାଇଟ ପଥରରେ ଖୋଦିତ କାରୁକାର୍ୟ୍ୟ ବିଶିଷ୍ଟ ଭଗବାନ ବିଷ୍ଣୁଙ୍କ ପ୍ରତିମା ଅବସ୍ଥିତ । ଚତୁର୍ଦ୍ଧା ବିଗ୍ରହକୁ ଅବଲୋକନ କଲେ ପ୍ରତିମାଟି ସମଭଙ୍ଗ ମୁଦ୍ରାରେ ଉପରିସ୍ଥ ବାମ ହସ୍ତରେ ଚକ୍ର, ନିମ୍ନସ୍ଥ ବାମ ହସ୍ତରେ ଗଦା, ଡାହାଣ ହସ୍ତଟି ଅଭୟ ମୁଦ୍ରାରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ଦେଖାଯାଏ । ମୂର୍ତ୍ତିର ଉପରିସ୍ଥ ଡାହାଣ ହସ୍ତଟି ଭଗ୍ନାବସ୍ଥାରେ ଅଛି । ଏହି ପ୍ରତିମାଟି ଗୁପ୍ତ ଯୁଗୀୟ ଖ୍ରୀଷ୍ଟାବ୍ଦ ୫ମରୁ ଷଷ୍ଠ ଶତାବ୍ଦୀର ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି । ଗୁପ୍ତ ଯୁଗର ପ୍ରାରମ୍ଭିକ କାଳରେ ମନ୍ଦିର ମାନଙ୍କର କେବଳ ଗର୍ଭଗୃହ ରହୁଥିଲା ଓ ସମତଳ ଛାତ ବିଶିଷ୍ଟ ହେଉଥିଲା ଏଣୁ ଭଗ୍ନାବଶେଷ ମନ୍ଦିରଟି ଗୁପ୍ତ ଯୁଗୀୟ ପ୍ରାରମ୍ଭିକ ପର୍ୟ୍ୟାୟର ହୋଇଥିବା ଅନୁମାନ କରାଯାଏ । ପୁରାତନ ମନ୍ଦିର ସ୍ଥାନରେ ପଥର ମଣ୍ଡପ ଉପରେ ଗ୍ରାମର ସ୍ୱର୍ଗତ ନନ୍ଦ ରଣାଙ୍କ ସହଯୋଗରେ ଏକ ମନ୍ଦିର ଓ ସମ୍ମୁଖରେ ସମତଳ ଛାତ ନିର୍ମିତ କରାଯାଇଛି । ମନ୍ଦିର ନିର୍ମାଣ ସମୟରେ ମଧ୍ୟ ମାଟି ଖୋଳା ଯାଉଥିବା ବେଳେ କାରୁକାର୍ୟ୍ୟ ପୂର୍ଣ୍ଣ ଏକ ସୁନ୍ଦର ଫୁଲ ଚିତ୍ର ଅଙ୍କିତ ଏକ ପଥର ଉଦ୍ଧାର ହୋଇଛି । ଯାହାକି ପୂର୍ବରୁ ପଥର ଦେହରେ ତିଆରି ହୋଇଥିବା ମନ୍ଦିରର ଭିତର ଛାତ ଉପର ଏକ ପଥର ଖଣ୍ଡ ଅନୁମାନ କରାଯାଉଛି । ବର୍ତମାନ ସମୟରେ ଗ୍ରାମର ଆରଧ୍ୟ ଦେବତା ବା ବୁଢ଼ାରଜା ନାମରେ ଏଠାକାର ଆଦିମ ଅଧିବାସୀ କନ୍ଧ ସମ୍ପ୍ରଦାୟର ଲୋକଙ୍କ ଦ୍ଵାରା ପୂଜାର୍ଚ୍ଚନା ହୋଇଆସୁଛି । ଏଠାକାର ଲୋକ କଥା ଅନୁସାରେ ଅନେକ ବର୍ଷ ତଳେ ବାହାର ଅଞ୍ଚଳର କିଛି ଦୁବୃର୍ତ୍ତ ଅର୍ଦ୍ଧରାତ୍ରୀରେ ଉକ୍ତ ମୂର୍ତ୍ତିଙ୍କୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ ତେବେ ଗାଁର କିଛି ଭକ୍ତମାନଙ୍କୁ ଭଗବାନ ସ୍ୱପ୍ନାଦେଶ ଦେଇ ଡାକ ପକାଇବା ଯୋଗୁଁ ଗାଁ ଲୋକେ ଉଠି ଆସିବା ଜାଣି ଚୋରମାନେ ସ୍ଥାନ ଛାଡି ପଳାଇ ଯାଇଥିବା ଶୁଣାଯାଏ । ଏହି ଐତିହାସିକ ପୀଠ ବ୍ୟତିତ ଗାଁର ପୂର୍ବ ଭାଗରେ ସାନ୍ଦୁଲ ନଦୀର ଅବବାହିକାରେ ଅନେକ ପୂରାତନ ଖପୁରୀ, ଭଙ୍ଗାରୁଜା ମାଟି ପାତ୍ର, ପୁରୁଣା ଘରକଣା ଜିନିଷ, ପଥର ମାଳି, ଛୋଟ ମୁଗୁନି ପଥରରେ ନିର୍ମିତ ନାରୀ ପ୍ରତିମା, କାରୁକାର୍ୟ୍ୟ ବିଶିଷ୍ଟ ଭଗବାନ ବିଷ୍ଣୁଙ୍କ ଦଣ୍ଡାୟମାନ ଛୋଟ ଭଗ୍ନାବଶେଷ ମୂର୍ତ୍ତି ଗ୍ରାମର ଲୋକମାନେ ଉଦ୍ଧାର କରିଥିବାରୁ ଭବାନୀପାଟଣାର ବିଶିଷ୍ଟ ସାମ୍ବାଦିକ, ଗବେଷକ ଉମାଶଙ୍କର କରଙ୍କ ଲିଖିତ କଳାହାଣ୍ଡିର କଥା ପୁସ୍ତକରୁ ଏହି ସ୍ଥାନକୁ ତ୍ରାମାଂଶୁ ସଂସ୍କୃତିର ଅବଶେଷ ବୋଲି ବିବେଚନା କରାଯାଏ । ଗ୍ରାମରେ ପାଟ ଦେଓ ଲୋକ ଦେବତାଙ୍କ ନାମକରଣରୁ ପାଟବନ୍ଧ(ପୋଖରୀ)ରାଣୀଙ୍କ ଠାରୁ ରାଣୀ ବନ୍ଧ, ବିଷ୍ଣୁ ପ୍ରତିମାଙ୍କ ଭୋଗ ଲାଗିବା ପୂର୍ବରୁ ଭୋଗ ପାଉଥିବା ମା ବିମଳାଙ୍କ ମନ୍ଦିର ଯାହା ବିମଲାକ୍ଷୀ ଦେବୀ, ବସ୍ତର ଅଞ୍ଚଳରୁ ଆସି ଗାଁରେ ପୂଜା ପାଉଥିବା ବସ୍ତରେନ ଦେବୀ, କାଳିକା, କଳାପାହାଡ଼, ମଙ୍ଗଳା, ଧରଣୀ ସହ ଶ୍ରୀ ରାମେଶ୍ବର ମହାଦେବଙ୍କ ମନ୍ଦିର ଏଠାରେ ଶୋଭାପାଉଛି । କେନ୍ଦ୍ର ସରକାରଙ୍କ ପ୍ରତ୍ନତାତ୍ବିକ ବିଭାଗ ପକ୍ଷରୁ ଏହି ବିଷ୍ଣୁପୀଠର ସୁରକ୍ଷା ଦୃଷ୍ଟିରୁ ୨୦୧୩/୧୪ ବର୍ଷରେ ଏଠାରେ ପାଚେରୀ ନିର୍ମାଣ ସାଙ୍ଗକୁ ଭୋଗ ରୋଷେଇ ଘର ନିର୍ମାଣ କରାଯାଇଛି । ତେବେ ପବିତ୍ର ପୀଠରେ ପ୍ରତ୍ନତାତ୍ବିକ ଖନନ, ଗବେଷଣା, ଆନୁସଙ୍ଗିକ ଶ୍ରୀବୃଦ୍ଧି ନିମନ୍ତେ ବାଟିକା ନିର୍ମାଣ ସହ ଲୋକ ଲୋଚନକୁ ଆଣିବା ପାଇଁ ଯେତିକି ପ୍ରଚେଷ୍ଟା ରହିବା ଦରକାର ତାହା ହେଉ ନ ଥିବାରୁ ଲୋକଲୋଚନର ଆଢ଼ୁଆଳରେ ରହିବା ଯୋଗୁଁ ପୀଠର ମର୍ୟ୍ୟାଦା ରକ୍ଷା ହୋଇ ପାରୁନି ।

jittmm
Leave A Reply

Your email address will not be published.