ଆଇଆର୍‌ଇଏଲ୍ ପକ୍ଷରୁ ଘଡ଼ଘଡ଼ାପଲ୍ଲୀଠାରେ ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇଏଲ୍ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଯାଇଛି । ବୁଧବାର ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ ଘଡ଼ଘଡ଼ାପଲ୍ଲୀ ଗ୍ରାମରେ ଆୟୋଜିତ ଏହି ସ୍ୱାସ୍ଥ୍ୟସେବା ଶିବିରରେ ପ୍ରାୟତଃ ଦୁଇଶହ ରୋଗୀଙ୍କୁ ବହିଃ-ଚିକିତ୍ସା ସେବା କରାଯାଇ ଉନ୍ନତମାନର ଔଷଧୀୟ ଉପକରଣ ମାଗଣାରେ ପ୍ରଦାନ କରାଯାଇଛି । ଡାକ୍ତର ଏ.ପାଲ, ଡାକ୍ତର ଶ୍ରୀମତୀ ବି.ଶୁଭା, ଔଷଧୀୟ ପରାମର୍ଶ କେନ୍ଦ୍ରରେ ଫାର୍ମାସିଷ୍ଟ ରଜନୀକାନ୍ତ ପାତ୍ର, ଫାର୍ମାସିଷ୍ଟ କ୍ଷୀରୋଦ ଚନ୍ଦ୍ର ପ୍ରଧାନ, ଫାର୍ମାସିଷ୍ଟ ନିଶିକାନ୍ତ ଖୁଣ୍ଟିଆ, କନିଷ୍ଠ ସହକାରୀ ସ୍ୱାସ୍ଥ୍ୟ ସହାୟିକା ମମତା ପଣ୍ଡା, ପ୍ରମୁଖ ଏହି ସ୍ୱାସ୍ଥ୍ୟସେବାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଆଇଆର୍‌ଇଏଲ୍ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ପକ୍ଷରୁ ମ୍ୟାନେଜର ସିଏସ୍ଆର୍‌ ଦୀପକ କୁମାର ମିଶ୍ର ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପରିଦର୍ଶନ କରି ଆଶୁ ସଫଳତା ଦିଗରେ ଯଥେଷ୍ଟ ଧ୍ୟାନ ଦେଇଥିଲେ । ସୂଚନାଯୋଗ୍ୟ ଯେ’ ପ୍ରାୟତଃ ଏଭଳି ଗୋଟିଏ ଶିବିରରେ ଲକ୍ଷାଧିକ ଟଙ୍କାର ଔଷଧୀୟ ଉପକରଣ ଉକ୍ତ କ୍ୟାମ୍ପରେ ଲୋକମାନଙ୍କୁ ବିତରଣ କରାଯାଇଥାଏ । ତେବେ ମହତ୍ତ୍ୱପୂର୍ଣ୍ଣ ସେବା ନେଇ ଲୋକମାନେ ବହୁତ ଉପକୃତ ହୋଇଥାନ୍ତି । ଏଥିପାଇଁ ଛତ୍ରପୁର ବ୍ଳକ୍ ଅଧୀନସ୍ଥ ପ୍ରାୟ ୭ଗୋଟି ଗ୍ରାମ ପଞ୍ଚାୟତର ଗରିବ ଗୁରୁବାମାନେ ବିଶେଷ ଉପକୃତ ହୋଇଥାନ୍ତି । ସମ୍ପୃକ୍ତ ବାସିନ୍ଦାର ଲୋକମାନେ ଆଇଆର୍‌ଇଏଲ୍ କର୍ତ୍ତୃପକ୍ଷଙ୍କୁ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.