jayashree

ପଶ୍ଚିମାଂଚଳ ବିଜୁଳି ଶ୍ରମିକ ସଂଘର ସାଧାରଣ ଅଧିବେଶନରେ ବିଶିଷ୍ଟ ଶ୍ରମିକ ନେତା ପ୍ରମୋଦ ମିଶ୍ରଙ୍କ ଆହ୍ୱାନ : ଅଂଚଳର ପରିବର୍ତ୍ତନ ପାଇଁ ବିରାଟ ଶ୍ରମିକ କର୍ମଚାରୀ ଆନ୍ଦୋଳନ ହେବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମାଂଚଳ ବିଜୁଳି ଶ୍ରମିକ ସଂଘର ସାଧାରଣ ଅଧିବେଶନ ମହାସମାରୋହରେ ସ୍ଥାନୀୟ ମୀନା ଟେଣ୍ଟ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ପ୍ରାୟ ୭୦୦ ପ୍ରତିନିଧିଙ୍କୁ ନେଇ ଅନୁଷ୍ଠିତ ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ବିଶିଷ୍ଟ ଶ୍ରମିକ ନେତା ତଥା କୋସଲବାଦୀ ନେତା ପ୍ରମୋଦ କୁମାର ମିଶ୍ର । ପ୍ରାରଂଭରେ ସଂଘର ପତାକା ଉତ୍ତୋଳନ କଲା ପରେ ସାଧାରଣ ଅଧିବେଶନ ଆରମ୍ଭ ହୋଇଥିଲା । ଅଧିବେଶନକୁ ଉଦ୍‌ଘାଟନ କରି ସଂଘର ସଭାପତି ଶ୍ରୀ ମିଶ୍ର ଉପସ୍ଥିତ ପ୍ରତିନିଧିମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଶ୍ରମିକ ଶ୍ରେଣୀର ସ୍ୱାର୍ଥର ସୁରକ୍ଷା ତଥା ଅଂଚଳର ବିକାଶ ପାଇଁ ଆଗାମୀ ଦିନରେ ବୃହତ୍ତର ଶ୍ରମଜିବୀ ଆନ୍ଦୋଳନ ଗଢି ତୋଳିବାକୁ ଶ୍ରୀ ମିଶ୍ର ପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମିଳନୀକୁ ସଂଚାଳିତ କରିବା ସହ ୟୁନିଅନର ସାଂଗଠନିକ ରିପୋର୍ଟ ଆଗତ କରିଥିଲେ ସଂଘର ସାଧାରଣ ସଂପାଦକ ବିଭୁତ ଶଙ୍କର ବିନ୍ଧାଣୀ ।

ଅନ୍ୟମାନଙ୍କ ମଧ୍ୟରେ ସଂଘର କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ ସଭା ସଦସ୍ୟ ନିରଞ୍ଜନ ବିଶି, ନାଗରିକ କମିଟିର କମିଟିର ସଂପାଦକ ମନୋରଂଜନ ସାହୁ, ଶ୍ରମିକ ନେତା ରବି ଶଙ୍କର ମିଶ୍ର, କର୍ମଚାରୀ ନେତା ସୀମାଂଚଳ ପଣ୍ଡା, ସଂଘର ବରିଷ୍ଠ ସଂଗଠକ ଜ୍ୟୋତି ରଂଜନ ମହାନ୍ତି, ସଜ୍ଜନ ବାରିକ ପ୍ରମୁଖ ଉପସ୍ଥିତ ପ୍ରତିନିଧିମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ମଂଚରେ ୟୁନିୟନର ବଲାଙ୍ଗିର ଡିଭିଜନ ସଂପାଦକ କଷ୍ଟୁ ବେହେରା, ଟିଟିଲାଗଡ ଡିଭିଜନ ସଂପାଦକ ଚନ୍ଦ୍ରଭାନୁ ବେହେରା ଓ ସୋନପୁର ଡିଭିଜନ ସଂପାଦକ ଶେକ୍‌ ଅଲ୍ଲୀ ମୁଦିନ ପ୍ରମୁଖ ମଂଚାସୀନ ଥିଲେ ।

ଆଗାମୀ ଦିନରେ ଟାଟା ପାୱାରର କର୍ମଚାରୀ ବିରୋଧୀ ନୀତି ବିରୁଦ୍ଧରେ ତଥା ଅସ୍ଥାୟୀ ଆଉଟ ସୋର୍ସିଂ କର୍ମଚାରୀମାନଙ୍କ ସ୍ଥାୟୀକରଣ, ରେଗୁଲାର ଦରମା ଓ ଅନ୍ୟାନ୍ୟ ସୁବିଧା ଓ ଚାକିରିର ସୁରକ୍ଷା ପାଇଁ ବିରାଟ କର୍ମଚାରୀ ଆନ୍ଦୋଳନ କରିବାକୁ ଏହି ସମ୍ମିଳନୀରେ ନିଷ୍ପତ୍ତି କରାଯାଇଛି । ସମ୍ମିଳନୀ ଶେଷରେ ବିଶିଷ୍ଟ ଶ୍ରମିକ ସଂଗଠକ ରଣରାଜ ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମିଳନୀର ସଫଳତା ପାଇଁ ସମାଜସେବୀ ସ୍ୱଦେଶ ବେହେରା, କର୍ମଚାରୀ ନେତା କମଲ ରାଉତ, ଜ୍ୟୋତି ରଂଜନ ମିଶ୍ର, କିଟୁ ଶବର, ହେମନ୍ତ ପଧାନ ପ୍ରମୁଖ ଅକ୍ଲାନ୍ତ ପ୍ରଚେଷ୍ଟା କରିଥିଲେ । ଆଗାମୀ ନଭେମ୍ବର ମାସରେ ବଲାଙ୍ଗିର ଠାରେ ବିଶାଳ ଶ୍ରମିକ ସମାବେଶ କରିବାକୁ ଏହି ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହୋଇଥିଲା ।

Leave A Reply

Your email address will not be published.