ଖପ୍ରାଖୋଲ ବ୍ଲକରେ ଶିକ୍ଷକ ମରୁଡି : ଶିକ୍ଷକ ଅଭାବରୁ ଶିଷ୍ୟମାନଙ୍କ ଭବିଷ୍ୟତ ଅନ୍ଧାର, ନିଦାବିଷ୍ଣୁ ସାଜିଛି ସରକାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆମ ଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ‘ସାକ୍ଷାତ ଭଗବାନ’ଙ୍କ ରୂପ ବୋଲି କୁହାଯାଇଛି । ଶିଷ୍ୟ ଜୀବନକୁ ଅନୁଶାସନ, ସଂଯମ ଏବଂ ଶିକ୍ଷାର ପୁଟ ଦେଇ, ଉତ୍ତମ ମଣିଷଟିଏରେ ପରିଣତ କରିବାର ଗୁରୁ ଦାୟିତ୍ୱ ଶିକ୍ଷକଙ୍କ କାନ୍ଧରେ ରହିଥାଏ । କିନ୍ତୁ ଯଦି ସ୍କୁଲରେ ଶିକ୍ଷକଙ୍କ ଅଭାବ ରହିବ ତା’ହେଲେ ଶିକ୍ଷାଦାନ ହେବ କିପରି ଏବଂ ଶିଷ୍ୟମାନେ କି ଶିକ୍ଷା ଲାଭ କରିବେ ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି ଜନସାଧାରଣରେ । ‘ସଭିଏଁ ପଢିବେ, ସଭିଏଁ ବଢ଼ିବେ’ ସରକାରଙ୍କ ଏ ହେଉଛି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଏକ ନିଆରା ନାରା । ହେଲେ ବାସ୍ତବରେ ଏହା ପ୍ରତିଫଳିତ ହେଉଛି କି ନାହିଁ ତାହା ଦେଖିବାକୁ ଭୁଲିଗଲେ ସରକାର ଓ ପ୍ରଶାସନ । ସରକାର ବହୁତ ବଡବଡ ପ୍ରତିଶ୍ରୁତି ଦେଉଛନ୍ତି ।ମାତ୍ର ଶିକ୍ଷାର ବିକାଶ ପାଇଁ ଯାହା ବ୍ୟବସ୍ଥା ଅଛି ନକହିବା ଭଲ । ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ଅନେକ ସଂସ୍କାର ଆଣିଥିବାର ଡିମଡ଼ିମି ପିଟୁଥିବା ବେଳେ ଶିକ୍ଷଣ ଫଳାଫଳକୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ଶିକ୍ଷାଦାନ ଉପରେ ଫୋକସ୍‌ କରିବାକୁ ଶିକ୍ଷା ବିଭାଗର ଆହ୍ୱାନ ଥିଲା । ବିଇଓ ମାସରେ ୧୨ ଦିନ ସ୍କୁଲଗୁଡିକ ପରିଦର୍ଶନ କରିବେ ଏବଂ ସ୍ଥିତି ପରଖିବେ । ତେବେ ଯେଉଁ ବିଷୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କର ଖରାପ ହେଉଥିବ, ସେହି ବିଷୟର ଶିକ୍ଷକ ଓ ଉଭୟ ବିଇଓ ଡିଇଓମାନେ ଉତ୍ତରଦାୟୀ ରହିବେ । ଏନେଇ ନିର୍ଦ୍ଦେଶ ଦେଇଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଶିକ୍ଷାଦାନରେ କୌଣସି ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା ରହିଛି ବୋଲି କହିଥିଲା ବିଭାଗ । ସରକାରୀ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆମର ଏକମାତ୍ର ଲକ୍ଷ୍ୟ ବୋଲି କହିଥିଲା ବିଭାଗ । କିନ୍ତୁ ଖପ୍ରାଖୋଲ ବ୍ଲକରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ପଦାକୁ ଆସିଛି । ପାଠ ପଢିବାକୁ ନା ଅଛି ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନା ଅଛନ୍ତି ପାଠ ପଢାଇବାକୁ ଆବଶ୍ୟକ ସଂଖ୍ୟକ ଶିକ୍ଷକ । ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢା ଏବେ ଚୁଲିକି ଗଲାଣି ।

ସୂଚନାଯୋଗ୍ୟ ଯେ, ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ଚାଉଲବାଞ୍ଜି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୯୪ ଜଣ ଛାତ୍ରଛାତ୍ରୀଙ୍କୁ ମାତ୍ର ଦୁଇ ଜଣ ଶିକ୍ଷକ । ଖପ୍ରାଖୋଲ ହେଡ଼କ୍ଵାଟରଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ଏହି ସ୍କୁଲ ୧୯୫୪ ମସିହା ଜୁନ୍‌ ୨ତାରିଖରେ ସ୍ଥାପିତ ହୋଇଥିଲା ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ୯୯ ଜଣ ଛାତ୍ର ଏବଂ ୯୫ ଜଣ ଛାତ୍ରୀ ଏହି ସ୍କୁଲରେ ଅଧ୍ୟୟନ କରୁଥିବା ବେଳେ ଶିକ୍ଷକ ଅଛନ୍ତି ମାତ୍ର ୩ ଜଣ । ତିନିଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଛଅ ମାସ ଛୁଟିରେ ଅଛନ୍ତି । ବାକି ଦୁଇ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହୋଇଥିବାରୁ ସବୁବେଳେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନଠାରୁ ସମସ୍ତ ଅଫିସ କାର୍ଯ୍ୟ ତୁଲାଉଥିବା ଜଣାପଡିଛି । ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ତ ଦୂରର କଥା ସେମାନଙ୍କୁ ଠିକ୍‌ ଭାବେ ଜଗିବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢାରେ ଘୋର ବ୍ୟାଘାତ ଦେଖାଦେଇଛି । ତେବେ ଏଠାରେ କେମିତି ପାଠପଢା ଯିବ ବୋଲି ସ୍ଥାନୀୟ ଶିକ୍ଷାବିତ୍ ପ୍ରଶ୍ନ ଉଠାଇଛନ୍ତି । ଏନେଇ ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି କିନ୍ତୁ ଫଳାଫଳ ଶୂନ । ଯେମିତିକି ଅଞ୍ଚଳରେ ଶିକ୍ଷକ ମରୁଡି ଦେଖାଦେଇଛି । ଏପରି ପ୍ରତିକୂଳ ସ୍ଥିତିରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କଣ ହେବ ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ଓଡ଼ିଶାରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଅଭାବ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ଚାଉଲବାଞ୍ଜି ସ୍କୁଲର ସମସ୍ୟା ଖୁବଶୀଘ୍ର ସମାଧାନ କରାଯିବ ବୋଲି କହିଥିଲେ । ଅପରପକ୍ଷେ ଯଦି ସ୍କୁଲକୁ ଆବଶ୍ୟକ ସଂଖ୍ୟକ ଶିକ୍ଷକଙ୍କ ନିଯୁକ୍ତି ପ୍ରଶାସନ ଦେବନାହିଁ ତାହେଲେ କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ପଢିବାକୁ ପଠେଇବୁ ନାହିଁ ବୋଲି ଅଭିଭାବକ ମାନେ କହିଛନ୍ତି । ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦେବା ପାଇଁ ମହରାପଦର ସମିତିସଭ୍ୟାଙ୍କ ସ୍ୱାମୀ ତଥା ସ୍କୁଲ କମିଟି ସଦସ୍ୟ ଶେଷଦେବ ଧରୁଆ, ତୁଳସୀରାମ ଛତ୍ରିଆ, ଫକୀର ସେଲମା, ଦୟାନିଧି ବରିହା, ଅଭୟ ପ୍ରସାଦ ନିଆଲ, ସୁରେନ୍ଦ୍ର କୁମ୍ଭାର, ଉମାକାନ୍ତ ପୁଟେଲ, ଭକ୍ତ ମହାନନ୍ଦ, ରଙ୍କ ମହାନନ୍ଦ, ଶ୍ୱେତ କୁମାର ମାଝୀ, ଗୋକୁଳ ଧରୁଆ, ସୁଦାମ ଧରୁଆ, ସରସ୍ୱତୀ ନିଆଲ, ସରୋଜିନୀ ଦୀପ ପ୍ରମୁଖ ଦାବୀ କରିଛନ୍ତି ।

Leave A Reply

Your email address will not be published.