ବୃକ୍ଷ ରୋପଣ ଦ୍ୱାରା ବିଶ୍ୱ ପରିବେଶ ସୁରକ୍ଷିତ ହେବ : ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୃକ୍ଷ ରୋପଣ ଦ୍ୱାରା ବିଶ୍ୱ ପରିବେଶ ସୁରକ୍ଷିତ ହେବ ବୋଲି ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ ମତ ବ୍ୟକ୍ତ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବହୁ ପ୍ରତିକ୍ଷିତ ଦେବଦେବ ମହାଦେବ ଆଶୁତୋଷ ଓ ଗିରିରାଜ ନନ୍ଦିନୀ ମା’ ପାର୍ବତୀଙ୍କ ପବିତ୍ର ବିବାହ ହୋଇଛି ଶୀତଳଷଷ୍ଠୀ ଶେଷ ହୋଇଯାଇଛି । ଅତିକ୍ରାନ୍ତ ହୋଇ ଯାଇଛି ରଜ ସଂକ୍ରାନ୍ତି ଓ ବସୁମତୀ ସ୍ନାନ ଦିବସ ସବୁ । ଶୀତଳ ଷଷ୍ଠୀକୁ ବହୁ ଦିନରୁ ଗ୍ରୀଷ୍ମର ଶେଷ ପର୍ଯ୍ୟାୟ ଭାବେ ବିବେଚନା କରାଯାଇ ଅଛି । ଏ ସମୟରେ ପ୍ରକୃତି ପୁରୁଷ ମିଳନର ମଧୁର ଲଗ୍ନରେ ବର୍ଷା ହୋଇ ପୃଥିବୀକୁ ଶୀତଳ କରିବାର ବିଶ୍ଵାସ ରହିଛି । ମାତ୍ର ପରିବେଶର ଅହେତୁକ ପରିବର୍ତ୍ତନ ଆଜି ପୌରାଣିକ ବିଶ୍ୱାସ ତଥା ପ୍ରକୃତିର ନିତ୍ୟ ନିୟମିତ ଧାରାକୁ ବଦଳାଇ ଦେଇଛି । ଅକ୍ଷୟ ତୃତୀୟା କିମ୍ବା ଲକ୍ଷ୍ମୀ ସ୍ନାନ ଭଳି ଦିନ ସବୁ ଚାଷୀମାନଙ୍କୁ ସେତେ ଆନନ୍ଦିତ ହୋଇପାରୁ ନାହିଁ । ଏମିତି କି ଏ ବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ରଥଯାତ୍ରା ପର୍ଯ୍ୟନ୍ତ ବି ବର୍ଷାର ସୂଚନା ନାହିଁ । ମୌସୁମୀର ଦେଖାନାହିଁ । ଗ୍ରୀଷ୍ମ ଋତୁ ତାର ସର୍ବଶେଷ ଔଦ୍ଧତ୍ୟ ଦେଖାଇ ଚାଲିଛି । ତାପମାତ୍ରା ୪୨ରୁ ୪୬ ଡିଗ୍ରୀ । ସାଧାରଣ ଜୀବନ ଅସ୍ତବ୍ୟସ୍ତ । ଗତକାଲି ରଥ ଦ୍ଵିତୀୟା, ଉତ୍ସବ ତ ମାନୁଛି ମଣିଷ ବହୁ ଧୁମ୍‌ଧାମ୍‌ରେ ମାତ୍ର ପ୍ରକୃତ ମଜା ପାଇପାରୁ ନାହିଁ । ଏ ବର୍ଷ ମୌସୁମୀ ଠିକ୍ ସମୟରେ ଆସି ଶୀତଳତାର ସ୍ପର୍ଶ ଦେଇପାରି ନାହିଁ । ଏହାର କାରଣ ଖୋଜିଲେ ପାଇବା ସାଂପ୍ରତିକ ବୃକ୍ଷ ଛେଦନ । ଆମେ ଯଦି ବୃକ୍ଷ ରୋପଣ ମାଧ୍ୟମରେ ପରିବେଶକୁ ସୁରକ୍ଷିତ ରଖିପାରିବା, ତା’ହେଲେ ପ୍ରକୃତି ମଣିଷ ଓ ଜୀବଜଗତକୁ ସୁରକ୍ଷିତ ରଖି ପାରିବା । ସେ ସର୍ବଶକ୍ତିମୟ ଇଶ୍ଵରଙ୍କ ଠାରେ ହିଁ ଶେଷ ଭରସା ।

Leave A Reply

Your email address will not be published.