jayashree

ଛତ୍ରପୁର ବ୍ଲକ କାଳୀପଲ୍ଲୀବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳର ଜମି ହରାଇଥିବା କାଳୀପଲ୍ଲୀ ଅଞ୍ଚଳର ଶହ ଶହ ଚାଷୀ ପରିବାରଙ୍କ ହିତ ଦୃଷ୍ଟିରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଶୁକ୍ରବାର ସନ୍ଧ୍ୟାରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସାର୍ବଜନୀନ କ୍ରମେ ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଶହ ଶହ କୃଷି ଓ ଉଦ୍ୟାନ ଚାଷୀଙ୍କ ହିତ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଫଳରେ ଛତ୍ରପୁର, ବ୍ରହ୍ମପୁର ତଥା ସମଗ୍ର ଗଞ୍ଜାମ ଜିଲ୍ଲାର ଜ୍ଞାନୀଗୁଣୀ, ବିଦ୍ୱାନ ମହଲରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଥିବା ବେଳେ ସବୁରି ମହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା ମିଳିଛି । ଗଞ୍ଜାମ ଜିଲ୍ଲା ତଥା ଖୋଦ ଛତ୍ରପୁର ଅଞ୍ଚଳର ବାମପନ୍ଥୀ ନେତାଙ୍କୁ ମଧ୍ୟ ଏହା ଆଶ୍ଚର୍ଯ୍ୟ ଓ ଚକିତ କରି ଦେଇଛି । ସୂଚନା ଅନୁସାରେ, ସମ୍ପ୍ରତି ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ ସମୟରେ ଏହି ସମସ୍ତ ଚାଷ ଜମି ଛଡାଇ ଚାଷୀଙ୍କୁ ଶାଗ ମାଛ ଦରରେ ତାଙ୍କୁ କ୍ଷତିପୂରଣ ଦିଆଯାଇ ଟାଟା କମ୍ପାନୀ ଜମି ଛଡାଇ ନେଇଯାଇଥିଲେ । ଚାକିରି ଦେଇ ସମସ୍ତ ଚାଷୀ ପରିବାରଙ୍କୁ ଥଇଥାନ କରି ସେମାନଙ୍କ ଭବିଷ୍ୟ ଜୀବନ ଆଲୋକିତ କରାଇବା ନେଇ ଟାଟା କମ୍ପାନୀ ପ୍ରତିଶ୍ରୁତି ଦେଇଆସିଥିଲେ । ଦୀର୍ଘ ୨୬ ବର୍ଷ ଧରି ଟାଟା ପ୍ଲାଣ୍ଟ ସ୍ଥାପନା ନ କରି ଲୋକଙ୍କୁ ଭଣ୍ଡି ଟାଟା କମ୍ପାନୀ ଜମି ପଡ଼ିଆ ପକାଇ ରଖିଥିଲା । ଦୀର୍ଘ ଦିନର ଦାବୀ ପରେ ରାଜ୍ୟ ସରକାରଙ୍କ ଏହି ଚୂଡାନ୍ତ ନିଷ୍ପତ୍ତିରେ ସମଗ୍ର ଗଞ୍ଜାମବାସୀ ଖୁସିବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ ଯେ’ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କାଳୀପଲ୍ଲୀ ଗ୍ରାମ ପଞ୍ଚାୟତର କାଳୀପଲ୍ଲୀ ମୌଜା ଅଧୀନରେ ଅନେକ କ୍ଷେତବାଡ଼ି ଟାଟା ଷ୍ଟିଲ ଲିଃ. ଅଧିନକୁ ଚାଲିଯାଇଥିଲା । ଟାଟାଷ୍ଟିଲ ଲିଃ. ଗୋପାଳପୁର ଦ୍ୱାରା ପ୍ରସ୍ତାବିତ ବୃହତ ଇସ୍ପାତ ପ୍ରକଳ୍ପ (ପ୍ଲାଣ୍ଟ) କରିବା ନେଇ ଗତ ୧୯୯୬-୯୭ ବର୍ଷରେ ଲୋକଙ୍କ ଜମି ଛଡାଇ ନେଇଥିଲେ । ଏହି ବୃହତ୍ତର ପ୍ରକଳ୍ପ ନିମନ୍ତେ ‘ଇଡ଼କୋ’ ଦ୍ୱାରା ଦୀର୍ଘ ଦୁଇଦଶନ୍ଧି ଧରି ବ୍ୟବହୃତ ନ ହୋଇଥିବା ୨୦୬.୬୮୫ ଡେସିମିଲ ଜମିକୁ ବୃହତ୍ତର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ମୂଳଖାତା ରୟତ କିମ୍ବା ସେମାନଙ୍କ ଉତ୍ତରାଧିକାରୀଙ୍କ ଜମି ଅଧିକାର ଆଇନ ବଳରେ ଜମି ଫେରସ୍ତ ଓ ପରିବର୍ତ୍ତନ, ଉନ୍ନୟନ, ଥଇଥାନ ଯୋଜନା ନିୟମ -୨୦୧୫ ଅନୁଯାୟୀ ଲୋକଙ୍କ ଅଧିକାରକୁ ଛଡାଇଆଣିବାର ଅଧିକାର ରାଜ୍ୟ ସରକାର ଚିନ୍ତା କରି ଚୁଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଲୋକଙ୍କୁ କ୍ଷତିପୂରଣ ବାବଦରେ ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯାଇଥିଲା । ହେଲେ ଦୀର୍ଘ ୨୫ବର୍ଷ ହେଲା ଟାଟା ଷ୍ଟିଲ ପ୍ଲାଣ୍ଟ ନ କରି ଜମି ପଡ଼ିଆ ପକାଇ ରଖିଥିଲା । ଦୀର୍ଘବର୍ଷ ଧରି ଉକ୍ତ ଅଞ୍ଚଳର ଜମି ଯାଇଥିବା ହିତାଧିକାରୀଙ୍କ ମନରେ ଅସନ୍ତୋଷର ବହ୍ନି ଜଳି ଉଠିଥିଲା । ତତ୍କାଳୀନ ବିଧାୟକ ତଥା ଗଣସଂଗ୍ରାମ ନେତା ଏନ୍. ନାରାୟଣ ରେଡ୍ଡୀଙ୍କ ନେତ୍ୱତ୍ୱରେ ବହୁବାର ଆନ୍ଦୋଳନ ଜାଗିଉଠିଥିଲା । ପ୍ରଶାସନ ନିକଟରେ ଲୋକଙ୍କର ଅସନ୍ତୋଷର କ୍ଷୋଭ ପ୍ରକାଶ ପାଇଆସିଥିଲା । ବୃହତ ଶିଳ୍ପାୟନ ପ୍ରତିଷ୍ଠା କରିବା ଆଳରେ ଲୋକଙ୍କ ଜମି ଛଡାଇ ନିଆଯାଇଥିଲା । ଜମିଯାଇଥିବା ଲୋକଙ୍କୁ କର୍ମ ନିୟୋଜନରେ ଥଇଥାନ କରିବା, ଚିକିତ୍ସା ସୁବିଧା, ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ବୀମା ସୁବିଧା, ମୃତକାଳୀନ ଜୀବନ ବୀମା ସୁବିଧା କମ୍ପାନୀ ଶ୍ରମିକ ଓ ପରିବାରଙ୍କୁ ଏହି ସମସ୍ତ ସୁବିଧା ଦେବା ନେଇ ଟାଟା କମ୍ପାନୀ ଚୁକ୍ତି କରିଥିଲେ । ତେବେ ଆଜି ସୁଦ୍ଧା କୌଣସି ସର୍ତ୍ତ ପୂରଣ ନ ହେବା ନେଇ ବହୁବାର ଆନ୍ଦୋଳନ ହୋଇ ଆସି ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି କୁ ଆସିଥିଲା । ଜିଲ୍ଲା ପ୍ରଶାସନ ଜରିଆରେ ଲୋକମାନେ ରାଜ୍ୟ ସରକାରଙ୍କୁ ଦାବୀ ଜଣାଇ ଆସୁଥିଲେ । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଅକ୍ଲାନ୍ତ ଉଦ୍ୟମରେ ମୁଖ୍ୟମନ୍ତ୍ରୀ ଶେଷରେ ଜନହିତରେ ଏହି ନୂତନ ରାୟ ଶୁଣାଇଛନ୍ତି । ଲୋକମାନେ ନିଜ ନିଜର ଜମି ପାଇଲେ ଏବଂ ସେମାନେ ନେଇଥିବା କ୍ଷତିପୂରଣ ବାବଦରେ ଟଙ୍କା ମଧ୍ୟ ଫେରସ୍ତ ନ କରିବା ଭଳି ଏକ ସଫଳ ନିଷ୍ପତ୍ତି ସବୁରି ମହଲରେ ଚାଞ୍ଚଲ୍ୟ ଖେଳିଯାଇଛି । ଜମିର କ୍ଷତିପୂରଣ ବାବଦରେ ଦିଆଯାଇଥିବା ଅର୍ଥ ରାଶି ଫେରସ୍ତର କୌଣସି ଆବଶ୍ୟକ ନାହିଁ ବୋଲି କୁହାଯାଇଛି । ସେମାନେ ଅବାଧରେ ନିଜ ଜମି ଚାଷ କରିପାରିବେ ଏବଂ ସ୍ୱାଧୀନ ମୁତାବକ ଜାଗାର ପଟ୍ଟା ମଧ୍ୟ ପାଇପାରିବେ । ଏହି ମହତ୍ତ୍ୱପୂର୍ଣ୍ଣ ରାୟ ଘୋଷଣା ହେବା ବିଷୟରେ ବିଭିନ୍ନ ମହଲରେ ସ୍ୱାଗତ ଯୋଗ୍ୟ ବିଷୟ ଏବଂ ସାଧୁବାଦର ବିଷୟ ହୋଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ସ୍ଥିତ ନିଉ-ରିଡିଙ୍ଗରୁମ୍‌ର ସେମିନାର ହଲ୍‌ରେ ଆୟୋଜିତ ଏକ ସାନ୍ଧ୍ୟ ସମାରୋହର ଆୟୋଜନ ହୋଇଥିଲା । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ଶାସକ ବିଜେଡି ଦଳର ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡି ଦଳର ମୁଖପାତ୍ର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାଷ ମହାରଣା, ଏମ୍.ଧନଞ୍ଜୟ ରେଡ୍ଡୀ, ଭବାନୀକାନ୍ତ ସାହୁ, ପ୍ରଶାନ୍ତ ପଣ୍ଡା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେ଼ପୁଟି ମେୟର ବି.ବିବେକ ରେଡ୍ଡୀ ପ୍ରମୁଖ ମଞ୍ଚାସୀନରେ ଏକ ଗଣମାଧ୍ୟମ ସହ ସାକ୍ଷାତକାର ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଏହି ଆନୁଷ୍ଠାନିକ ଘୋଷଣାନାମାକୁ ସାର୍ବଜନୀନ ସ୍ୱରୂପ ପରିପ୍ରକାଶ କରିବା ନିମନ୍ତେ ଅନୁଷ୍ଠିତ ବିଜେଡି ସମାବେଶର ନେତା ଟି.ଚନ୍ଦ୍ରଶେଖର ରାଓ, ଅହିଭୂଷଣ ସାହୁ(ବାବୁଲି) ଆୟୋଜନ ଓ ପରିଚାଳନା କରିଥିଲେ । ସର୍ବଶ୍ରୀ ରାଜେଶ ସାହୁ, ମନୋଜ ପାଢ଼ୀ, କିଶୋର ଚନ୍ଦ୍ର ସେନାପତି, ଛତ୍ରପୁର ଉପନଗରପାଳ ଜି.ପାପା ରାଓ, ନଗର ସଭାପତି ବି.ରାଜିବାବୁ, ନଗର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.