ଘରୋଇ ମୂଲ୍ୟ ନିୟନ୍ତ୍ରଣ ନିମନ୍ତେ ଖାଇବା ତେଲ ଆମଦାନୀ ବାବଦ ସୀମା ଶୁଳ୍କ ରିହାତି ଅବଧି ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ (ପିଆଇବି) : କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ବୋର୍ଡ ଏହାର ବିଜ୍ଞପ୍ତି କ୍ରମିକ ୪୬/୨୦୨୨ କଷ୍ଟମ୍‌ସ ତା ୩୧ ଅଗଷ୍ଟ ୨୦୨୨ ଜରିଆରେ କିଛି ଖାଇବା ତେଲ ଆମଦାନୀ ଉପରେ ସୀମାଶୁଳ୍କ ଅବଧିକୁ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଏହା ଫଳରେ ଖାଇବା ତେଲ ଆମଦାନୀ ରିହାତି ଦର ମଧ୍ୟ ସେ ପର୍ଯ୍ୟନ୍ତ ବଳବତ୍ତର ରହିବ । ଘରୋଇ ଯୋଗାଣ ବୃଦ୍ଧି ସହ ଦର ନିୟନ୍ତ୍ରଣରେ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
ଖାଇବା ତେଲ ଆମଦାନୀ କ୍ଷେତ୍ରରେ ପ୍ରଦାନ କରାଯାଇଥିବା ରିହାତି ଆଉ ଛଅ ମାସ ପାଇଁ ବୃଦ୍ଧି କରାଯିବା ଫଳରେ ବର୍ତ୍ତମାନ ବଳବତ୍ତର ଥିବା ଏହି ରିହାତିର ମିଆଦ ମାର୍ଚ୍ଚ ୨୦୨୩ରେ ଶେଷ ହେବ । ବୈଶ୍ୱିକ ବଜାରରେ ଦର କମ ଯୋଗୁଁ ଖାଇବା ତେଲ ଦର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ବୈଶ୍ୱିକ ବଜାର ଦର ଆମଦାନୀ ଶୁଳ୍କ ହ୍ରାସ ଯୋଗୁଁ ଭାରତରେ ଖାଇବା ତେଲ ଦର ଆଶାତୀତ ହ୍ରାସ ପାଇଛି ।
ବର୍ତ୍ତମାନ ଅଶୋଧିତ ତାଳ ତେଲ, ଆରବିଡି ପାମୋଲିନ, ଆରବିଡି ତାଳ ତେଲ, ଅଶୋଧିତ ସୋୟାବିନ ତେଲ, ପ୍ରକ୍ରିୟାକୃତ ସୋୟାବିନ ତେଲ, ଅଶୋଧିତ ଓ ପ୍ରକ୍ରିୟାକୃତ ସୂର୍ଯ୍ୟମୁଖୀ ତେଲରୁ ବର୍ତ୍ତମାନର ଶୁଳ୍କ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ । ଅଶୋଧିତ ତାଳ, ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲରେ ବର୍ତ୍ତମାନ କୌଣସି ଆମଦାନୀ ଶୁଳ୍କ ଦେବାକୁ ପଡୁନାହିଁ । ତେବେ ଶତକଡା ୫ ଭାଗ କୃଷି ସେସ ଓ ଶତକଡା ୧୦ ଭାଗ ସମାଜ କଲ୍ୟାଣ ସେସକୁ ହିସାବକୁ ନେଲେ ଏହି ତିନି ପ୍ରକାର ଅଶୋଧିତ ଖାଇବା ତେଲ ଉପରେ ଶତକଡା ୫.୫ ଭାଗ ଲାଗୁ ହେଉଛି ।
ରିଫାଇନ ଜାତୀୟ ପାମୋଲିନ ଓ ତାଳ ତେଲ ଉପରେ ମୌଳିକ ସୀମା ଶୁଳ୍କ ଶତକଡା ୧୨.୫ ଭାଗ ଥିବାବେଳେ, ସମାଜ କଲ୍ୟାଣ ସେସ ଶତକଡା ୧୦ ଭାଗ ରହିଛି । ସେ ଦୃଷ୍ଟିରୁ ପ୍ରକୃତ ଶୁଳ୍କ ହେଉଛି ଶତକଡା ୧୩.୭୫ ଭାଗ । ରିଫାଇନ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ମୌଳିକ ସୀମା ଶୁଳ୍କ ଶତକଡା ୧୭.୫ ଭାଗ ହୋଇଥିବା ବେଳେ ଶତକଡା ୧୦ ଭାଗ ସମାଜ କଲ୍ୟାଣ ସେସ ବାବଦ ବିଚାରକୁ ଦେଲେ ପ୍ରକୃତ ଶୁଳ୍କ ଶତକଡା ୧୯.୨୫ ଭାଗ ହେବ ।

Leave A Reply

Your email address will not be published.