ଡେଲାଙ୍ଗରେ ଚିତାଲାଗି ଅମାବାସ୍ୟା କୃଷିଭିତ୍ତିକ ଗଣପର୍ବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଚିତାଲାଗି ଅମାବାସ୍ୟାରେ ଗତକାଲି ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ପ୍ରତି ଘରେଘରେ ସ୍ତ୍ରୀ ଲୋକ ଅର୍ଥାତ ବୋହୁମାନେ ଚିତଉ ପିଠା କରିବା ସହ ପୂଜାର୍ଚ୍ଚନା କରି ଆନନ୍ଦ ଉଲ୍ଲାସରେ ଏହି ଚିତାଲାଗି ଅମାବାସ୍ୟା ପର୍ବ ପାଳନ କରିଛନ୍ତି । ଶ୍ରାବଣ ଅମାବାସ୍ୟା ଆମ ସଂସ୍କୃତିରେ ଚିତାଲାଗି ବା ଚିତୋଉ ଅମାବାସ୍ୟା ଭାବେ ପରିଚିତ । ଏହି ଦିନ ଶ୍ରୀ ମନ୍ଦିରର ରତ୍ନ ସିଂହାସନରେ ବିଜେ ତିନି ଠାକୁରଙ୍କୁ ଚିତାଲାଗି କରାଯାଇଥାଏ । ଚିତାଲାଗି ଅମାବାସ୍ୟା ଓଡ଼ିଶାର କୃଷିଭିତ୍ତିକ ଏକ ଗଣପର୍ବ । ଏହାର ଅନ୍ୟ ନାମ ଗେଣ୍ଡା କଟା ଅମାବାସ୍ୟା । ଶ୍ରାବଣ ମାସରେ ଚାଷୀମାନେ ସାଧାରଣତଃ ଧାନ ବିଲରେ ବେଉଡ଼ାବେଉଡି କାର୍ଯ୍ୟ କରିଥାନ୍ତି । ଏହି ସମୟରେ ବିଲରେ ଗେଣ୍ଡାମାନଙ୍କର ପ୍ରାଦୁର୍ଭାବ ବଢ଼ି ଯାଇଥାଏ । ଅସାବଧାନତାରୁ ଗେଣ୍ଡାମାନଙ୍କ ଉପରେ ଆଘାତ ହେଲେ ସେମାନେ ଗୋଡ଼ ହାତ କାଟି ଦେଇଥାନ୍ତି । ଗେଣ୍ଡାମାନେ ମଧ୍ୟ ଫସଲ କାଟି ନଷ୍ଟ କରିଥାନ୍ତି । ଏଣୁ ଚିତାଲାଗି ଅମାବାସ୍ୟା ଦିନ ଗେଣ୍ଡା ଆଦି ଜଳଚର ଜୀବମାନଙ୍କ ଉଦ୍ଦେଶ୍ୟରେ ଚିତଉ ପିଠା ଓ ଗଇଁଠା ପିଠା ତିଆରି କରି ନଦୀ ପୁଷ୍କରିଣୀମାନଙ୍କରେ ସମର୍ପଣ କରା ଯାଇଥାଏ । ଏହା ଏକ ଶାବରୀ ପରମ୍ପରା ବୋଲି କଥିତହୁଏ ।

ସବୁଠାରୁ ବଡ଼ କଥା ହେଲା ଶ୍ରାବଣ ଅମାବାସ୍ୟା ଦିନ ଶ୍ରୀ ମନ୍ଦିରରେ ତିନି ଠାକୁରଙ୍କ ଲଲାଟରେ ଚିତା ଲାଗି କରାଯାଏ ଯେଉଁଥିପାଇଁ ଏହାର ନାମ ଚିତାଲାଗି ଅମାବାସ୍ୟା ହୋଇଛି । ସ୍ନାନ ପୂର୍ଣ୍ଣିମା ଅବସରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତିନି ଠାକୁରଙ୍କ ଲଲାଟରେ ବର୍ଷ ସାରା ଶୋଭୟମାନ ଚିତାକୁ ଉଲାଗି କରା ଯାଇଥାଏ । ସେବେ ଠାରୁ ଏହା ଆଉ ମହାପ୍ରଭୁଙ୍କ ଲଲାଟରେ ଲାଗି ହୋଇ ନଥାଏ । ସ୍ନାନଯାତ୍ରା, ଅଣସର, ନବଯୌବନ, ରଥ ଯାତ୍ରା, ନୀଳାଦ୍ରି ବିଜେ ଇତ୍ୟାଦି ମହାପ୍ରଭୁଙ୍କର ସମସ୍ତ ଉତ୍ସବ ସମାପ୍ତ ହେଲା ପରେ ସେହି ଚିତାକୁ ପୁଣି ଚିତାଲାଗି ଅମାବାସ୍ୟାରେ ଲାଗି କରାଯାଇ ଥାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରକ ଧଳା ଚିତା, ଶ୍ରୀ ବଳଦେବଙ୍କ ମସ୍ତକରେ ନୀଳା ଖଚିତ ନୀଳ ଚିତା ଏବଂ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ଲୋହିତ ଚିତା ଲାଗି କରା ଯାଇଥାଏ । ପତି ମହାପାତ୍ର ଏସବୁ ଚିତାକୁ ସଂସ୍କାର କରିବା ପରେ ଦଇତାପତି ସେବାୟତ ଶ୍ରୀବିଗ୍ରହମାନଙ୍କ ଲଲାଟରେ ଏହାକୁ ପରିଧାନ କରାଇଥାନ୍ତି । ଏହି ଚିତା ବିଗ୍ରହମାନଙ୍କ ଲଲାଟ ଦେଶରେ ପରବର୍ତ୍ତୀ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ରହିଥାଏ । ଶ୍ରୀମନ୍ଦିରରେ ଏହି ଚିତାଲାଗି ଅମାବାସ୍ୟା ତେରଶ ଶତାବ୍ଦୀରୁ ପାଳିତ ହୋଇ ଆସୁଛି ବୋଲି ଇତିହାସରୁ ଜଣା ଯାଇଥାଏ । ଏହି ପର୍ବରେ ଲୋକମାନେ ଘରେ ଚିତଉ ପିଠା ପ୍ରସ୍ତୁତ କରି ଧାନ କ୍ଷେତରେ, ବାଡ଼ିବଗିଚାରେ, ନଈ ପୋଖରୀରେ, ଫସଲ କିଆରିରେ ମାଟିକୁ ଜନନୀ ଜ୍ଞାନରେ ଗେଣ୍ଡାମାନଙ୍କ ପାଇଁ ସମର୍ପଣ କରନ୍ତି । ସାଧାରଣତଃ ପୋଖରୀକୁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଝିଅ ପିଲାମାନେ ପିଠା ନିକ୍ଷେପ କରି ବାପା, ଭାଇ ଓ ବନ୍ଧୁବାନ୍ଧବଙ୍କ ଗୋଡ଼ ନ କାଟିବାକୁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ କହିଥାନ୍ତି :-
‘ଗେଣ୍ଡେଇଶୁଣି ଲୋ ଗେଣ୍ଡେଇଶୁଣି ମୋ ଗୋଡ଼ କାଟିବୁନାହିଁ, ମୋ ବାପା ଗୋଡ଼ କାଟିବୁନାହିଁ, ମୋ ବୋଉ ଗୋଡ଼ କାଟିବୁ ନାହିଁ, ଭାଇ ଗୋଡ଼ କାଟିବୁ ନାହିଁ ‘ । ଗେଣ୍ଡାଙ୍କୁ ଗେଣ୍ଡେଇଶୁଣି ନାମରେ ମଧ୍ୟ ପୂଜା କରା ଯାଇଥାଏ । ଏଣୁ ଏହି ଅମାବାସ୍ୟାକୁ ଗେଣ୍ଡା କଟା ଅମାବାସ୍ୟା କୁହା ଯାଏ । ଚିତାଲାଗି ଅମାବାସ୍ୟାର ଚିତଉ ପିଠାକୁ ଦେବତା ବୋଲି ଜ୍ଞାନ କରାଯାଏ । ଶ୍ରାବଣ ମାସରେ ଚିତାଲାଗି ଅମାବାସ୍ୟା ଦିନ ଭଗବାନ ଶ୍ରୀଧରଙ୍କ ପୂଜାର୍ଚ୍ଚନା କଲେ ସେହି ବ୍ୟକ୍ତିର ପାପକ୍ଷୟ ହେବାସହ ତା ଗୃହରେ ବିପତ୍ତି ପଡ଼ି ନଥାଏ ।

Leave A Reply

Your email address will not be published.