ପଞ୍ଜାବକୁ ୫ୱିକେଟରେ ହରାଇଲା କୋଲକାତା

ନୂଆଦିଲ୍ଲୀ : ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା (ଆଇପିଏଲ୍‌-୨୦୨୧)ର ୨୧ତମ ମ୍ୟାଚରେ ପଞ୍ଜାବକୁ ୫ ୱିକେଟରେ ପରାସ୍ତ କରିଛି କୋଲକାତା । ମୋଟେରାର ମନ୍ଥର ପିଚ୍‌ରେ କେକେଆର୍‌ ଟସ୍ ଜିତି ପ୍ରତିପକ୍ଷ ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତାରକା ଖଚିତ ପଞ୍ଜାବ ବ୍ୟାଟିଂକ୍ରମ ବି ଏହି ଦଳର ଚକ୍ରବ୍ୟୁହରେ ଫସି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୨୩ ରନ୍ କରିଥିଲା । ଅଧିନାୟକ କେଏଲ୍ ରାହୁଲ (୧୯), ବିସ୍ଫୋରକ କ୍ରିସ୍ ଗେଲ୍ (୦), ଦୀପକ ହୁଦା (୧), ମୋଜେସ୍ ‌ହେନରିକ୍ସ (୨) ବିଫଳ ହେବା ପରେ ଶୀର୍ଷକ୍ରମରେ ମୟଙ୍କ ଅଗ୍ରୱାଲ (୩୧) ଏବଂ ଶେଷ ଆଡ଼କୁ କ୍ରିସ୍ ଜୋର୍ଡାନ (୩୦ ରନ୍ ୧୮ ବଲ୍, ୧ ଚୌକା, ୩ ଛକା) ୩୦+ ପାଳି ବଳରେ ପଞ୍ଜାବ ଶହେ ଟପିଥିଲା । ବଡ଼ ସଟ୍ ପାଇଁ ପରିଚିତ ନିକୋଲାସ ପୂରନ ୧୯ ବଲ୍‌ରୁ ୧୯ ଓ ଶାହରୁଖ ଖାନ୍ ୧୪ ବଲ୍‌ରୁ ୧୩ ରନ୍ କରିଥିଲେ । କେକେଆର୍‌ ପାଇଁ ସଫଳତମ ବୋଲର ଭାବେ ପ୍ରସିଦ୍ଧ କୃଷ୍ଣା ୩୦ ରନ୍ ଦେଇ ୩ ଏବଂ ପ୍ୟାଟ୍ କମିନ୍ସ ଓ ସୁନିଲ ନାରାୟଣ ୨ଟି ଲେଖାଏଁ ୱିକେଟ୍ କରାୟତ୍ତ କରିଥିଲେ । କୋଲକାତା ଦ୍ବିତୀୟ ପାଳିରେ ୧୨୪ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୬.୪ ଓଭରରେ ୫ ୱିକେଟ ହରାଇ ୧୨୬ ରନ୍‌ କରି ବିଜୟ ହାସଲ କରିଛି । କୋଲକାତା ପକ୍ଷରୁ ରାହୁଲ ତ୍ରିପାଠୀ ୪୧ ରନ୍‌ କରିଥିବା ବେଳେ ଆଣ୍ଡ୍ରେ ରସେଲ ୧୦ ରନ୍‌ କରି ରନ୍‌ ଆଉଟ ହୋଇଥିଲେ । କିନ୍ତୁ କ୍ୟାପଟେନ୍‌ ଇଏନ୍ ମୋର୍ଗାନ୍ ଅପରାଜିତ ୪୦ ବଲ୍‌ରେ ୪୭ ରନ୍‌ କରି ଦଳକୁ ବିଜୟ ଦେଇଥିଲେ । ଫଳରେ କୋଲକାତା ଲଗାତାର ୪ର୍ଥ ପରାଜୟ ପରେ ଏହି ବିଜୟ ସହ ୪ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ୫ମ ସ୍ଥାନରେ ରହିଛି ।

Leave A Reply

Your email address will not be published.