
ଚେନ୍ନାଇ : ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)୨୦୨୧ର ୧୭ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୯ ଉଇକେଟରେ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍ସ । ଶୁକ୍ରବାର ପଂଜାବ୍ କିଙ୍ଗସ୍ ଅଧିନାୟକ କେଏଲ୍ ରାହୁଲ୍ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଫଳରେ ରୋହିତ ଶର୍ମାଙ୍କ ନେତୃତ୍ତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କରିଥିଲା । ରୋହିତ ଶର୍ମା ଏବଂ କ୍ବିଣ୍ଟନ୍ ଡି’କକ୍ ଇନିଂସ ଆରମ୍ଭ କରିଥିଲେ । ପଂଜାବର ବୋଲର ଦୀପକ ହୁଡ଼ା ଅତି ସହଜରେ କ୍ବିଣ୍ଟନ୍ ଡି’କକ୍(୩ରନ୍)ଙ୍କୁ ଆଉଟ କରିଥିଲେ । ପଂଜାବ ଦଳ ବୋଲିଂ ଏବଂ ଫିଲ୍ଡିଂରେ ଭଲ ପ୍ରଦର୍ଶନ କରିଥିଲେ । ଫଳରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୩୧ ରନ୍ରେ ଅଟକି ଯାଇଥିଲା । ମୁମ୍ବାଇ ଦେଇଥିବା ୧୩୨ ରନର ବିଜୟ ଲକ୍ଷ୍ୟକୁ ମାତ୍ର ଗୋଟିଏ ଉଇକେଟ୍ ହରାଇ ହାସଲ କରିଛି ପଞ୍ଜାବ । ପଞ୍ଜାବ ଦଳ ପକ୍ଷରୁ ଅଧିନାୟକ କେ.ଏଲ୍. ରାହୁଲ୍ ଏବଂ କ୍ରିସ ଗେଲଙ୍କ ଚମକପ୍ରଦ ବ୍ୟାଟିଂ ଦଳକୁ ସହଜ ବିଜୟ ଦେଇଛି । ୧୭.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା ପଞ୍ଜାବ । ରାହୁଲ୍ ସର୍ବାଧିକ ୬୦ (୫୨) ରନ୍ କରିଥିବା ବେଳେ କ୍ରିସ୍ ଗେଲ୍ ୪୩ (୩୫) କରି ଦଳର ବିଜୟକୁ ସୁଗମ କରିଥିଲେ ।