
ଦୁବାଇ : ଚଳିତ ଟି-୨୦ ବିଶ୍ୱକପ୍ରେ ଭାରତ ରବିବାର ନିଜର ଅଭିଯାନ ଆରମ୍ଭ କରିଛି । ଭାରତ ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ଖେଳାଯାଉଥିବା ବିଶ୍ୱକପ୍ର ଏହି ଗୁରୁତ୍ୱପୂର୍ଣ୍ଣ ତଥା ହାଇଭୋଲଟେଜ୍ ମ୍ୟାଚ ପାଇଁ ଟସ୍ ପଡ଼ିଛି । ପାକିସ୍ତାନ ଟସ୍ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ଭାରତ ବ୍ୟାଟିଂ ଜାରି ରଖିଛି । ଟିମ୍ ଇଣ୍ଡିଆ ପକ୍ଷରୁ କେଏଲ୍ ରାହୁଲ ଓ ରୋହିତ ଶର୍ମା ବ୍ୟାଟିଂ ଆରମ୍ଭ କରିଥିଲେ । ଭାରତ ମାତ୍ର ୧ ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା । ରୋହିତ ଶର୍ମା ଗୋଟିଏ ବଲ୍ର ସମ୍ମୁଖୀନ ହୋଇ କୌଣସି ରନ୍ ନକରି ଆଉଟ୍ ହୋଇଥିଲେ । ସେ ପାକିସ୍ତାନୀ ବୋଲର ସାହିନ ଆଫ୍ରିଦିଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟୁ ହୋଇଥିଲେ । ସେହିପରି ପାକିସ୍ତାନର ୨ୟ ଶିକାର ହୋଇଥିବା କେଏଲ୍ ରାହୁଲ ୮ଟି ବଲର ସମ୍ମୁଖୀନ ହୋଇ ମାତ୍ର ୩ ରନ୍ ସଂଗ୍ରହ କରି ସାହିନ ଆଫ୍ରିଦିଙ୍କ ଦ୍ୱାରା ବୋଲ୍ଡ ହୋଇ ଭଲିଅନ୍ ଫେରିଯାଇଥିଲେ । ଭାରତ ୨ଟି ମୂଲ୍ୟବାନ ୱିକେଟ୍ ହରାଇବା ବେଳକୁ ସ୍କୋର ୬ ରନ୍ ଥିଲା । ସୂର୍ଯ୍ୟକୁମାର ଯାଦବ ୮ଟି ବଲ ଖେଳି ୧୧ ରନ୍ କରିଥିଲେ । ଏଥିରେ ସେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ କରିଥିଲେ । ହାସନ ଅଲୀଙ୍କ ବଲ ୱିକେଟକିପର ମହମ୍ମଦ ରିଜୱାନଙ୍କୁ କ୍ୟାଚ ଦେଇ ସୂର୍ଯ୍ୟକୁମାର ପାକିସ୍ତାନର ୩ୟ ଶିକାର ହୋଇଥିଲେ । ଭାରତ ୪ର୍ଥ ୱିକେଟ ଭାବେ ରିଷଭ ପନ୍ତଙ୍କୁ ହରାଇଥିଲା । ପନ୍ତ ୩୦ଟି ବଲ ଖେଳି ୩୯ ରନ୍ କରିଥିଲେ । ବିରାଟ କୋହଲି ପାକିସ୍ତାନ ବିରୋଧରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୪୫ଟି ବଲ ଖେଲି ୫୦ ରନ୍ ପୂରଣ କରିଛନ୍ତି । ଟି-୨୦ ବିଶ୍ୱକପରେ କୋହଲି ସର୍ବାଧିକ ୧୦ଟି ଅଦ୍ର୍ଦ୍ଧଶତକ ହାସଲ କରିଛନ୍ତି । ଏଥିରେ ୫ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି । ରବୀନ୍ଦ୍ର ଜାଦେଜା ୧୩ଟି ବଲ ଖେଳି ୧୩ ରନ୍ ସଂଗ୍ରହ କରିଥିଲେ । ସେ ହାସନ ଅଲୀଙ୍କ ବଲ ମହମ୍ମଦ ନୱାଜଙ୍କୁ କ୍ୟାଚ ଦେଇଥିଲେ । ଭାରତ ୧୨୫ ରନ୍ରେ ୫ମ ୱିକେଟ୍ ହରାଇଥିଲା । ଏଥିରେ ୨ଟି ଚୌକା ଓ ୨ଟି ଛକା ସାମିଲ ଥିଲା । ୧୩୩ ରନରେ ଭାରତ ୬ଷ୍ଠ ୱିକେଟ ହରାଇଛି । ବିରାଟ କହୋଲି ୪୯ଟି ବଲ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଖେଳି ୫୭ ରନ୍ ସଂଗ୍ରହ କରି ପାଭଲିଅନ ଫେରିଛନ୍ତି । ସାହିନ ଆଫ୍ରିଦିଙ୍କ ବଲ ରିଜୱାନଙ୍କୁ କ୍ୟାଚ ଦେଇ କୋହଲି ଆଉଟ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୮ଟି ବଲ ଖେଳି ୧୧ ରନ୍ ସଂଗ୍ରହ କରିଥିଲେ । ସେ ହାରିସ୍ ରେଫଙ୍କ ବଲ ବାବର ଆଜମଙ୍କୁ କ୍ୟାଚ ଦେଇ ଆଉଟ୍ ହୋଇଥିଲେ । ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୫୧ ରନ୍ ସଂଗ୍ରହ କରିଛି । କ୍ରିଜରେ ଭୁବନେଶ୍ୱର କୁମାର ଓ ମହମ୍ମଦ ସାମି ଅଛନ୍ତି ।